ଜୁନାଗଡ଼: ମା’ ଲଙ୍କେଶ୍ବରୀ ଅଲୌକିକ ଶକ୍ତି ପ୍ରଦାୟିନୀ, ମୁକ୍ତି ଦାୟିନୀ, ମୋକ୍ଷ ଦାୟିନୀ, ଶତ୍ରୁ ସଂହାରିଣୀ, ଅନ୍ନ ପ୍ରଦାୟିନୀ, ଅଭୟ ଦାୟିନୀ। କେଉଁ ଆବହମାନ କାଳରୁ ଦେବୀ ଜୁନାଗଡ଼ର ପରମ ଆରାଧ୍ୟ ଦେବୀ ରୂପେ ଆବିର୍ଭାବ ହୋଇଛନ୍ତି, ତାହା ଗବେଷଣା ସାପେକ୍ଷ। କେତେକ ଗବେଷକ ପଶ୍ଚିମ ଲଙ୍କା (ସୁବର୍ଣ୍ଣପୁର)ରୁ ଲଙ୍କେଶ୍ୱରୀଙ୍କୁ ଆଣି ତତ୍କାଳୀନ ରାଜା ଜୁନାଗଡ଼ରେ ପ୍ରତିଷ୍ଠା କରିଥିବା ସୂଚନା ଦେଇଛନ୍ତି। ବିଶିଷ୍ଟ ଐତିହାସିକ ଡ. ସତ୍ୟନାରାୟଣ ମହାପାତ୍ରଙ୍କ ମତରେ ଗଙ୍ଗ ବଂଶୀୟ ରାଜା କଳାହାଣ୍ଡିର ଜୁନାଗଡ଼ରେ ରାଜତ୍ୱ କରିବା ସମୟରେ ବସ୍ତର ଆକ୍ରମଣ କରି କନକ ଦୁର୍ଗା ଲଙ୍କେଶ୍ୱରୀଙ୍କୁ ଆଣି ଜୁନାଗଡ଼ ରାଜଧାନୀରେ ଇଷ୍ଟ ଦେବୀ ରୂପେ ଅବସ୍ଥାପିତ କରିଥିଲେ। ପୁଣି କେତେକ ଗବେଷକ ମତ ସାବ୍ୟସ୍ତ କରିଥାନ୍ତି ପଶ୍ଚିମ ଲଙ୍କାରୁ ବସ୍ତରକୁ ଅଣାଯାଇଥିବା ଲଙ୍କେଶ୍ୱରୀ ଦେବୀ ହିଁ ଜୁନାଗଡ଼ରେ ପ୍ରତିଷ୍ଠିତା ଓ ପୂଜିତା। ମାଆ ଲଙ୍କେଶ୍ୱରୀ ହେଉଛନ୍ତି ପୁରାଣ ପ୍ରସିଦ୍ଧ ଦେବୀ। ପବିତ୍ର ରାମାୟଣ ଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କ ଅନୁରୋଧରେ ସ୍ୱର୍ଗ ଦେବୀ ସର୍ବେଶ୍ୱରୀ ଲଙ୍କାଗଡ଼କୁ ବିଜେ କଲେ। ତାଙ୍କ ନାମ ଅନୁସାରେ ଲଙ୍କେଶ୍ୱରୀ ନାମରେ ନାମିତ ହୋଇଥିଲେ। ସେ ଲଙ୍କାଗଡ଼ର ଅଧୀଶ୍ୱରୀ, ଗଡ଼ ସୁରକ୍ଷା ଓ ଶ୍ରୀବୁଦ୍ଧିର ଅଧିକାରିଣୀ। ସେଥିପାଇଁ ତ୍ରେତୟା ଯୁଗରେ ରାବଣ ପ୍ରବଳ ପ୍ରତାପୀ, ପରାକ୍ରମୀ ଓ ଦିଗ୍ବିଜୟୀ ରାଜା ହୋଇ ପାରିଥିଲେ।
ମା’ ଲଙ୍କେଶ୍ୱରୀଙ୍କ ପୂଜା ନୌସୈବ ଖଣ୍ଡା ବସା ଅବସରରେ ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳା ଅଷ୍ଟମୀରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ମହାଷ୍ଟମୀ ପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ କରାଯାଏ। ବୁଢ଼ାରାଜାଙ୍କ ପୂଜାର୍ଚ୍ଚନା ମଧ୍ୟ ଏହି ସମୟରେ ଚାଲୁ ରହେ। ମାନସିକଧାରୀମାନେ ଏହି ୧୫ ଦିନ ଧରି ନିଜର ମନସ୍କାମନା ପୂରଣ ସକାଶେ ଗଡ଼ରା ଓ ବୋଦା ବଳି ଦେଇଥାନ୍ତି। ମହାଷ୍ଟମୀ ଦିନ ସମସ୍ତ ଦେବଦେବୀଙ୍କୁ ପୂଜା କରାଯାଏ। ଜୁନାଗଡ଼ରେ ଥିବା ଚାରି ଦିଗର ଚାରି ଭୈରବୀ ଓ ମହାମାୟୀଙ୍କୁ ପୂଜା କରାଯାଏ। କଳାହାଣ୍ଡି ରାଜ ପରିବାରର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ପ୍ରତି ଅଚଳାଚଳ ଭକ୍ତି ଓ ସମ୍ମାନ ରହିଛି। ସେହିପରି ଖଣ୍ଡାବସାର ରହିଛି ଅନେକ ବୈଶିଷ୍ଟ, ଏହା ବିଜୟର ସ୍ମାରକୀ। ଖଣ୍ଡା ଦ୍ୱାରା ରାଜା ଦିଗ୍ବିଜୟୀ କରିଥିଲେ। ଏହା ରାଜାଙ୍କ କୃତି ଓ କୀର୍ତ୍ତିକୁ ସ୍ମରଣ କରାଇଦିଏ। ଫଳରେ ରାଜାଙ୍କ ମନରେ ଅସରନ୍ତି ଉତ୍ସାହ ଓ ଉଦ୍ଦୀପନା ଭରିଦିଏ। ପୁନଶ୍ଚ ବୀର ବଙ୍କା, ପାଇକ, କ୍ଷତ୍ରିୟ ଜାତିଙ୍କ ହୃଦୟରେ ଉତ୍ସାହ, ପ୍ରେରଣା ଓ ଉନ୍ମାଦନା ଜାଗ୍ରତ ହୁଏ। ମା’ ଲଙ୍କେଶ୍ୱରୀ ଗଡ଼ର ରକ୍ଷାକାରିଣୀ ଦେବୀ। ରାଜ୍ୟବାସୀ କିପରି ସୁଖଶାନ୍ତିରେ ରହିବେ, ବନ୍ୟା, ବାତ୍ୟା, ମହାମାରୀ, ଦୈବୀ ଦୁର୍ବିପାକ ଓ ପ୍ରାକୃତିକ ବିପର୍ଯ୍ୟୟରୁ କେମିତି ଉଦ୍ଧାର ପାଇବେ; ସେଥି ନିମିତ୍ତ ଦେବୀଙ୍କ ନିକଟରେ ଅଗାଧ ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଥାନ୍ତି।