ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ। ପ୍ରାଚୀ ନଦୀର ସୁରମ୍ୟ ତଟଦେଶରେ ମା’ଙ୍କ ମନ୍ଦିର ଅବସ୍ଥିତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ପ୍ରସିଦ୍ଧ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ। ଆଶ୍ବିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ମା’ ଶୟନ ତ୍ୟାଗ କରନ୍ତି। ମା’ଙ୍କୁ ଜାଗ୍ରତ କରିବା ପାଇଁ ଏହି ଦିନ ଷୋଡ଼ଶ ଉପଚାରରେ ମା’ଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମାଙ୍କୁ ଦିବ୍ୟ ସୁଗନ୍ଧ ଜଳରେ ୧୦୮ ଥର ଲେଖାଏଁ ସ୍ନାନ କରାଯାଏ। ପୀଠରେ ଶାରଦୀୟ ପୂଜାର ଅୟମାରମ୍ଭ ହୁଏ। ଅଖଣ୍ତ ଦୀପ ଲଗାଯାଏ। ଦିବ୍ୟ ସୁବାସିତ ଜଳରେ ସ୍ନାନପରେ ମା’ ମଙ୍ଗଳାଙ୍କୁ ବେଶ କରାଯାଇଥାଏ। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସିଂହ ପୂଜା ଓ କଳସ ପୂଜା କରାଯାଇ ବଲ୍ଲଭ ପୂଜା ହୁଏ। ପ୍ରତିପଦ (ନବ ପତ୍ରିକା)ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ମା’ଙ୍କ ପାଦ ପଦ୍ମଲାଗି, ନାଲିକଲି ବେଶ ଓ କଳା କଲିବେଶ ବେଶ ଅନୁଷ୍ଠିତ ହୋଇଥାଏ।
ପଞ୍ଚମୀ ଦିନ ମା’ଙ୍କୁ ତୀର କମାଣ ବେଶ, ଷଷ୍ଠୀ ଦିନ କାତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଏବଂ ନବମୀ ଦିନ ମହାସରସ୍ବତୀ ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଇଥାଏ। ମହାଷ୍ଟମୀ ଦିନ ମା’ଙ୍କ ଚଳନ୍ତି ପ୍ରତିମା ରତ୍ନଗିରିରୁ ଫେରି ଜଗତି ପୂଜା ପରେ ଦୂର୍ଗାଙ୍କ ସହିତ ମନ୍ଦିର ଭିତରକୁ ଯାଆନ୍ତି। ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ଚଣ୍ତିପାଠ କରାଯାଏ। ମହାନବମୀ ଦିନ ମନ୍ଦିରରେ ସ୍ବତନ୍ତ୍ର ନବମୀ ପୂଜା ହୋଇଥାଏ। ରାତ୍ରି ଧୂପ ପରେ ନବମୀ ହୋମ ହୁଏ। ରାତ୍ରି ଧୂପ ପରେ ମା’ ମଙ୍ଗଳାଙ୍କ ସେବାୟତଙ୍କ ପକ୍ଷରୁ ମା’ଙ୍କ ନିକଟରେ ପ୍ରସିଦ୍ଧ ଦହି ପଖାଳ ଭୋଗ ହୁଏ। ମହାଦଶମୀ ବା ଦଶହରା ଦିନ ମନ୍ଦିରରେ ଦୁର୍ଗା ଓ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ଏକ ଖଟୁଳିରେ ଉତ୍ତରମୁଖା ହୋଇ ଜଗମୋହନରେ ବସନ୍ତି। ସନ୍ଧ୍ୟା ଆଳତି ପରେ ଉଭୟ ପ୍ରତିମା ଏକ ସୁସଜ୍ଜିତ ବିମାନରେ ସୋମେଶ୍ବର ଶମ୍ଭୁଙ୍କ ନିକଟକୁ ଯାତ୍ରା କରନ୍ତି। ସେଠାରେ ୩ ଥର ମନ୍ଦିର ପରିକ୍ରମା ପରେ ଶିବ ଓ ଦୁର୍ଗାଙ୍କ ଭେଟ ହୁଏ। ଯାହା ହରଦୁର୍ଗା ଭେଟ ନାମରେ ପରିଚିତ। ଏହାପରେ ପ୍ରତିମା ସ୍ବମନ୍ଦିରକୁ ଫେରିବାପରେ ମା’ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/lIpVyAIcVdGJVRbhA5ID.jpg)