ସେଦିନ ଥିଲା ୧୯୦୭ ମସିହା ଅଗଷ୍ଟ ୨୧ ତାରିଖ। ଜର୍ମାନୀର ଷ୍ଟୁର୍ଟଗାର୍ଟ ନାମକ ସହରରେ ସମାଜବାଦୀଙ୍କ ଏକ ଆସରରେ ଜଣେ ମହିଳା ଗୋଟିଏ ତ୍ରିରଙ୍ଗା ପତାକା ତୋଳିଧରି ସମସ୍ତଙ୍କୁ ଦେଖାଇଲେ। ତା’ ହେଉଛି ସ୍ବାଧୀନ ଭାରତର ପତାକା, ଏଣୁ ଏହାର ସମର୍ଥନ ସେ କାମନା କଲେ। ବିଦେଶ ମାଟିରେ ଏ ଥିଲା ଜଣେ ଭାରତୀୟ ରମଣୀଙ୍କ ଦେଶପ୍ରତି ପ୍ରତିବଦ୍ଧତାର ନିଦର୍ଶନ। ୧୮୬୧ ମସିହା ସେପ୍ଟେମ୍ବର ମାସରେ ବମ୍ବେ (ମୁମ୍ବାଇ)ଠାରେ ଏକ ଅତ୍ୟନ୍ତ ଧନୀ ପାର୍ଶୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଭିକାଜୀ ରୁସ୍ତମ କାମା। ତାଙ୍କର ବାପା ସୋରାବଜୀ ପାଟିଲ ଥିଲେ ସହରର ଆଗଧାଡ଼ିର ଜଣେ ବ୍ୟବସାୟୀ। ଉଦାରମନା ପାରିବାରିକ ପରିବେଶରେ ବଡ଼ ହୋଇଥିବା ଝିଅଟି ପିଲାଦିନରୁ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରୁଥିଲା। ସେଠାରୁ ହିଁ ସେହି ଝିଅ ଭିତରେ ଜାତୀୟତାବୋଧର ଉନ୍ମେଷ ଘଟେ। ଇଂରାଜୀ ବ୍ୟତୀତ ଫ୍ରେଞ୍ଚ ଓ ଜର୍ମାନ ଭାଷାରେ ସେ ଥିଲେ ଅତ୍ୟନ୍ତ ସାବଳୀଳ।
୧୮୮୫ ମସିହାରେ ବିବାହ ହୁଏ ସହରର ଜଣେ ପ୍ରଥିତଯଶା ଆଇନଜୀବୀ ରୁସ୍ତମଜୀ କାମାଙ୍କ ସହିତ। ମତାଦର୍ଶଗତ ପାର୍ଥକ୍ୟ ହେତୁ ତାଙ୍କର ବୈବାହିକ ଜୀବନ ସୁଖକର ହୋଇନଥିଲା। ଭିକାଜୀ ଥିଲେ ସ୍ବାଧୀନତାକାମୀ ଏବଂ ସ୍ବଦେଶୀ ସଂସ୍କୃତିପ୍ରେମୀ। ଅଥଚ ତାଙ୍କର ସ୍ବାମୀ ଥିଲେ ଆପାଦମସ୍ତକ ଜଣେ ବ୍ରିଟିଶପ୍ରେମୀ। ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଭିକାଜୀ ଧର୍ମୀୟ ଓ ବିଭିନ୍ନ ସମାଜସେବାମୂଳକ କାମରେ ନିଜକୁ ବ୍ୟସ୍ତ ରଖୁଥିଲେ। ୧୮୯୬ ମସିହାରେ, ସମଗ୍ର ବମ୍ବେରେ ମହାମାରୀ ଭାବରେ ଦେଖାଦେଲା ବିଉବନିକ ପ୍ଲେଗ୍। ଉଦ୍ଧାର କାର୍ଯ୍ୟରେ ଦଳବଳ ନେଇ ଡେଇଁ ପଡ଼ିଲେ ଭିକାଜୀ। ନିଜେ ମଧ୍ୟ ଆକ୍ରାନ୍ତ ହୋଇ ଫେରି ଆସିଲେ ପ୍ରାୟ ମୃତ୍ୟୁମୁଖରୁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାରିବା ପାଇଁ ବାପା ପଠାଇଦେଲେ ଲଣ୍ଡନ। ୧୯୦୨ ମସିହାରେ ଯେଉଁଦିନ ସେ ଜାହାଜରେ ଚଢ଼ିଥିଲେ ସେଦିନ ସେ ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ଯେ ତାଙ୍କର ଅବଶିଷ୍ଟ ଜୀବନ ବିଦେଶରେ ଅତିବାହିତ ହେବ ବୋଲି।
ଲଣ୍ଡନରେ ତାଙ୍କର ଦାଦାଭାଇ ନାରୋଜୀଙ୍କ ସହିତ ସାକ୍ଷାତ ହୁଏ। ଦାଦାଭାଇ ନାରୋଜୀ ଥିଲେ ଭାରତରେ ବ୍ରିଟିସ୍ ପଲିସିର ଜଣେ ବଡ଼ ସମାଲୋଚକ। ତାଙ୍କ ସଂସ୍ପର୍ଶରେ ଆସି ଭିକାଜୀ କଂଗ୍ରେସ ଦଳରେ ଯୋଗ ଦେଇ କାର୍ଯ୍ୟ କରିବା ଆରମ୍ଭ କରନ୍ତି। କ୍ରମଶଃ ତାଙ୍କର ପରିଚୟ ହୁଏ ଲାଲା ହରଦୟାଲ ଓ ଶ୍ୟାମଜୀ କୃଷ୍ଣବର୍ମାଙ୍କ ସହିତ। ସମସ୍ତ ବିଖ୍ୟାତ ସ୍ବଦେଶପ୍ରେମୀଙ୍କ ସାଥିରେ ଯେଉଁଦିନ ଭିକାଜୀ ହାଇଡ୍ ପାର୍କରେ ଛିଡ଼ାହୋଇ ବ୍ରିଟିସ୍ ପ୍ରଶାସନ ବିରୋଧରେ ଭାଷଣ ଦିଅନ୍ତି, ସେହିଦିନଠାରୁ ତାଙ୍କର ଭାରତକୁ ଫେରି ଆସିବାର ପଥ ରୁଦ୍ଧ ହୋଇଯାଏ। ବ୍ରିଟିସ୍ ପ୍ରଶାସନ ଭିକାଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଉପରେ ନିଷେଧାଦେଶ ଜାରି କରନ୍ତି। ଗିରଫ ହେବାରୁ ବର୍ତ୍ତିବା ପାଇଁ ଭିକାଜୀ ଲଣ୍ଡନରୁ ପ୍ୟାରିସ୍ ଚାଲିଯାଆନ୍ତି। ସେଠାରେ ପଳାତକ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏକତ୍ରିତ କରି ଗଠନ କରନ୍ତି ପ୍ୟାରିସ୍ ଇଣ୍ଡିଆନ୍ ସୋସାଇଟି। ଇଂଲଣ୍ଡରୁ ବହିଷ୍କୃତ ବୀରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ(ସରୋଜିନୀ ନାଇଡୁଙ୍କ ମଝିଆଁ ବଡ଼ଭାଇ)ଙ୍କ ସହଯୋଗରେ ପ୍ରକାଶ କରନ୍ତି ସାପ୍ତାହିକ ପତ୍ରିକା ‘ବନ୍ଦେ ମାତରମ୍’। ପେନ୍ଟଲ୍ଭିଲ୍ କାରାଗାରରେ ମଦନଲାଲ୍ ଧିଂଗଡ଼ାଙ୍କ ଫାଶୀ ପରେ ତାଙ୍କ ପତ୍ରିକାରେ ‘ମଦନର ତଲୱାର୍’ ଶୀର୍ଷକରେ ଏକ ଜ୍ବାଳାମୟୀ ପ୍ରବନ୍ଧ ରଚନା କରନ୍ତି। ସଶସ୍ତ୍ର ସଂଗ୍ରାମରେ ବିଶ୍ବାସୀ ନଥିଲେ ମଧ୍ୟ ସେ ଆଶ୍ରୟ ଦେଇଛନ୍ତି ଅନେକ ପଳାତକ ବିପ୍ଳବୀମାନଙ୍କୁ, ସେମାନଙ୍କୁ ସବୁପ୍ରକାରର ସହଯୋଗ ମଧ୍ୟ କରିଛନ୍ତି।
ସେ ହିଁ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ବିଦେଶ ମାଟିରେ ସ୍ବାଧୀନ ଭାରତର ପତାକା ଉତ୍ତୋଳନ କରିଥିଲେ। ସେ ଉତ୍ତୋଳନ କରିଥିବା ପତାକାକୁ ଲୁଚେଇ ଭାରତକୁ ପଠାଇବାରେ ସଫଳ ହୁଅନ୍ତି ଏବଂ ସେହି ପତାକା ଆଜି ମଧ୍ୟ ପୁନେର ମରାଠା କେଶରୀ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି। ଶ୍ୟାମଜୀ କୃଷ୍ଣବର୍ମାଙ୍କ ସହିତ ସେ ଓ ହେମଚନ୍ଦ୍ର କାନୁନ୍ଗୋ ପତାକାର ରଙ୍ଗ ଓ ଡିଜାଇନ୍ ଫୁଟାଇ ତୋଳିଥିଲେ ଏକ ସାମ୍ପ୍ରଦାୟିକ ସମ୍ପ୍ରୀତିର ବାର୍ତ୍ତା ନେଇ। ଷ୍ଟୁଟ୍ଗାର୍ଟ ସମ୍ମିଳନୀ ପରେ ସେ ମାର୍କିନ୍ ମୂଲକକୁ ଯାଆନ୍ତି ଏବଂ ବିଭିନ୍ନ ସଭାରେ ଭାଷଣ ମାଧ୍ୟମରେ ଇଂରେଜ ଶାସନାଧୀନ ଭାରତୀୟମାନଙ୍କର ଦୁର୍ଦ୍ଦଶାର କଥା ବର୍ଣ୍ଣନା କରନ୍ତି। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ଫଳରେ ସେ ମିତ୍ରପକ୍ଷର ଭାରତୀୟ ସେନାଙ୍କ ଭିତରେ ପ୍ରଚାର କରି ଆରମ୍ଭ କରିଦିଅନ୍ତି- ‘‘ଯେଉଁମାନେ ତୁମର ମାତୃଭୂମିକୁ ଶୃଙ୍ଖଳରେ ଆବଦ୍ଧ କରି ରଖିଛନ୍ତି, ସେମାନଙ୍କ ହୋଇ ତୁମେମାନେ ଯୁଦ୍ଧ କରିବ?’’
ତାଙ୍କର ପ୍ୟାରିସ୍ ଅବସ୍ଥାନ କାଳରେ ବନ୍ଦୀ ଭାରତୀୟ ବିପ୍ଳବୀ ସାଭାରକର ବ୍ରିଟିସ୍ ଜାହାଜରୁ ଖସି ପହଁରି ପହଁରି ଫରାସୀ ଉପକୂଳରେ ଆସି ପହଞ୍ଚନ୍ତି। ଭିକାଜୀଙ୍କୁ ଯେମିତି ବ୍ରିଟେନ୍ ହାତରେ ପ୍ରତ୍ୟାର୍ପଣ କରାନଯିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଦିଅନ୍ତି ସେ। ଫରାସୀ ପ୍ରଶାସନକୁ ଲେଖନ୍ତି- ସାମ୍ୟ ମୈତ୍ରୀ ଓ ସ୍ବାଧୀନତାରେ ବିଶ୍ବାସ କରୁଥିବା ଗୋଟିଏ ଦେଶ କେମିତି ଜଣେ ସ୍ବାଧୀନତା ସଂଗ୍ରାମୀଙ୍କୁ ସାମ୍ରଜ୍ୟବାଦୀ ଶକ୍ତି ହାତରେ ଅର୍ପଣ କରିବ? ତାଙ୍କର ଏହି ସାହସିକ ଉଦ୍ୟମ ବିଫଳ ହୁଏ ଏବଂ ଫଳସ୍ବରୂପ ତାଙ୍କୁ ପ୍ୟାରିସ୍ ଉପକଣ୍ଠରେ ନଜରବନ୍ଦୀ କରି ରଖାଯାଏ। ନଜରବନ୍ଦୀ ଥାଇ ମଧ୍ୟ ସେ ରୁଷ୍, ଆଇରିସ୍ ଓ ଫରାସୀ ସମାଜବାଦୀଙ୍କ ସହିତ ଯୋଗାଯୋଗ ଅବ୍ୟାହତ ରଖିଥାନ୍ତି ଏବଂ ଆଗାମୀ ଆନ୍ଦୋଳନର ରୂପରେଖ ତିଆରିବା ପାଇଁ ଚେଷ୍ଟାକରି ଚାଲିଥାନ୍ତି। ୧୯୩୫ ମସିହାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ଗୋଟିଏ ପାଖ ପାରାଲିସିସ୍ ଆକ୍ରାନ୍ତ ହୋଇପଡ଼େ। ବ୍ରିଟିସ୍ ପ୍ରଶାସନ ପାଖରେ ସ୍ବଦେଶ ଫେରିବା ପାଇଁ ଆବେଦନ କରନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଦେଖି ତାଙ୍କୁ ଭାରତ ଫେରିବା ପାଇଁ ଅନୁମତି ପ୍ରଦାନ କରାଯାଏ। ଦୀର୍ଘ ୩୩ ବର୍ଷ ପରେ ଅଥର୍ବ ଅବସ୍ଥାରେ ସେ ଭାରତକୁ ଫେରିଆସନ୍ତି। ୧୯୩୬ ମସିହା ଅଗଷ୍ଟ ମାସ ୧୩ ତାରିଖ ଦିନ ୭୪ ବର୍ଷ ବୟସରେ ଭିକାଜୀଙ୍କର ମୃତ୍ୟୁହୁଏ।
ଆଜନ୍ମ ସୁଖ ଓ ଐଶ୍ୱର୍ଯ୍ୟରେ ପ୍ରତିପାଳିତ ଏକ ଧନାଢ଼୍ୟ ପରିବାରର କନ୍ୟା ସ୍ବାଧୀନତାର ଆକାଂକ୍ଷାରେ କେତେ ପରିମାଣରେ ନିବେଦିତ ପ୍ରାଣ ନହେଲେ ନିଜକୁ ଏଭଳି ଭାବରେ ଉତ୍ସର୍ଗ କରିପାରନ୍ତି ତାହାର ଜାଜ୍ବଲ୍ୟ ଉଦାହରଣ ମାଡାମ୍ ଭିକାଜୀ କାମା। ଅନନ୍ୟା ଅତୁଳନୀୟା ଭିକାଜୀଙ୍କୁ ସମ୍ମାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତୀୟ ତଟରକ୍ଷୀ ବାହିନୀର ଗୋଟିଏ ଜାହାଜର ନାମ ରଖାଯାଇଛି ଆଇସିଜିଏସ୍ ଭିକାଜୀ କାମା।
ଉପସ୍ଥାପନା- ପ୍ରଦୀପ କୁମାର ରାୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/13/adagdgzcvvczvcz-2025-10-13-03-38-58.jpg)