ସନ୍ତାନର ଚିକିତ୍ସା ପାଇଁ ମା’ ଶରୀରର ସମସ୍ତ ଅଙ୍ଗଦାନ କରିବାକୁ ଘର ସାମ୍ନାରେ ଲଗାଇଲେ ପୋଷ୍ଟର

ନୂଆଦିଲ୍ଲୀ: କେରଳର ଜଣେ ମହିଳା ତାଙ୍କ ସନ୍ତାନଙ୍କ ଚିକିତ୍ସା ପାଇଁ ଶରୀରର ସମସ୍ତ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଝାଟିମାଟି ଘର ସାମ୍ନାରେ ଗତ ରବିବାର ଏକ ପୋଷ୍ଟର ସହ ବୋର୍ଡ ମାରିଥିବା ବି ଦେଖିବାକୁ ମିଳିଛି।

ଏହି ବୋର୍ଡରେ ଲେଖା ‌ହୋଇଛି, ପିଲାର ଖର୍ଚ୍ଚ ଏବଂ ମେଡିକାଲ ଚିକିତ୍ସା ପାଇଁ ମୁଁ ମୋର ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛି।

ତାଙ୍କ ୨୫ ବର୍ଷର ବଡ଼ ପୁଅ ରାଜେଶ କିଛି ମାସ ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କ ମସ୍ତିଷ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସାନ ପୁଅ ରେଞ୍ଜିତଙ୍କ ନିକଟରେ ପେଟରେ ଏକ ଟ୍ୟୁମର ହୋଇଥିଲା। ଯାହାକୁ ନିକଟରେ ଅସ୍ତ୍ରୋପଚାର ଦ୍ୱାରା ବାହାର କରାଯାଇଥିଲା।

୨୧ବର୍ଷୀୟ ସାନ ପୁଅ ସାଜିଥ ଏକ ଚଳଚ୍ଚିତ୍ରରେ ଥିଏଟରରେ କାମ କରୁଥିଲେ, କିନ୍ତୁ କୋଭିଡ୍ -୧୯ମହାମାରୀ ପାଇଁ ସେ ବି କାମ ହରାଇ ଦେଇଥିଲେ। କେବଳ ଏତିକି ନୁହେଁ ତାଙ୍କର ୧୧ ବର୍ଷର ଝିଅ ବି ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିପାଇଁ ତାର ନ୍ୟୁରୋ ସର୍ଜରୀର ଆବଶ୍ୟକ ରହିଛି।

ଶାନ୍ତି କହିଛନ୍ତି, ମୁଁ ପୂର୍ବରୁ ଡ୍ରାଇଭିଂ ଇନଷ୍ଟ୍ରକ୍ଟର ଭାବରେ କାମ କରୁଥିଲି। କିନ୍ତୁ କୋଭିଡ ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ୍ କାରଣରୁ ମୁଁ ବି ଚାକିରୀ ହରାଇ ଦେଇଛି। ଟଙ୍କା ରୋଜଗାରର ଏବେ କୌଣସି ବିକଳ୍ପ ନାହିଁ। ତେବେ ବହୁ ବର୍ଷ ପୂର୍ବରୁ ମୋର ସ୍ବାମୀ ମଧ୍ୟ ଛାଡ଼ି ଚାଲି ଯାଇଛନ୍ତି। ‌ମୋ ଝିଅର ଜୀବନ ବଞ୍ଚାଇବାକୁ ଏଣିକି ଟଙ୍କାର ନିହାତି ଆବଶ୍ୟକ ରହିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପୁଲିସ ଅଧିକାରୀ ଏବଂ ଅନ୍ୟ ଲୋକମାନେ ଯାଇ ପହଞ୍ଚିଥିଲେ। ଏହାପରେ ମହିଳାଙ୍କୁ ସୋମବାର ସକାଳେ ମୁଲାଭୁକାଡ ପୁଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ, ଏର୍ନାକୁଲମ୍ ଜିଲ୍ଲାପାଳ ତଥା ଅନ୍ୟ ଅଧିକାରୀଙ୍କ ଆଶ୍ୱସନା ପରେ ସେ ପୂର୍ବରୁ ଯେଉଁ ଭଡା ଘରେ ରହୁଥିଲେ ସେଠାକୁ ଫେରି ଯାଇଛନ୍ତି।

ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା ଡାକ୍ତରଖାନା ଖର୍ଚ୍ଚ ‌ଦେବେ ବୋଲି ବି ଶାନ୍ତିଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଥିସହିତ ଏମଏଲଏ ଭି ଡି ସାଥେଶାନ୍ ପୁନରଜାନି ଯୋଜନା ଅନ୍ତର୍ଗତ ଶାନ୍ତିଙ୍କ ବଡ ପୁଅର ଅସ୍ତ୍ରୋପଚାର ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ସାହାଯ୍ୟରେ କରିବେ ବୋଲି ନିଶ୍ଚିତ କରିଛନ୍ତି।

ସମ୍ବନ୍ଧିତ ଖବର