ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଆଜି ମହାଳୟା ତିଥିରେ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ସିନ୍ଦୂରବର୍ଣ୍ଣା ମା’ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ ପାଇଁ ଆଜି ଭୋର ୫ଟାରୁ ମନ୍ଦିରରେ ଭିଡ଼ ଆରମ୍ଭ ହୋଇ ଯାଇଥିଲା।
ଦଶରା (ଆଶ୍ବିନ) ଅନ୍ଧାର ପକ୍ଷ ମୂଳାଷ୍ଟମୀ ଦିନ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ବ ପୁଅ ଜିଉଁନ୍ତିଆ ଦିନରୁ ମା’ ସମଲେଶ୍ବରୀଙ୍କ ଷୋଡ଼ଶ ପୂଜା ଆରମ୍ଭ ହୋଇଥାଏ। ଦଶରା (ଆଶ୍ବିନ) ମାସ ଅମାବାସ୍ୟାକୁ ‘ମହାଳୟା’ ଅମାବାସ୍ୟା (ଉଆଁସ) ବୋଲି ସ୍ଥାନୀୟ ଅଞ୍ଚଳରେ କୁହାଯାଇଥାଏ। ମହାଳୟା ପୂର୍ବ ରାତିରେ ସିନ୍ଦୂର ବର୍ଣ୍ଣରେ ପୂଜା ପାଉଥିବା ମା ସମଲେଶ୍ବରୀଙ୍କ ଅଙ୍ଗରୁ ସିନ୍ଦୂର କଢ଼ାଯାଇ ଧବଳ ବର୍ଣ୍ଣରେ ସଜ୍ଜିତ କରାଯାଇଥିଲା। ମହାଳୟା ଅବସରରେ ବୁଧବାର ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୫ଟାରୁ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ତେବେ, ଅନ୍ନଭୋଗ ପାଇଁ ଦିନ ୧୧ଟା୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ପୁଣି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ୮ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଇଥିଲା। ରାତି ୧୦ଟା ୩୦ ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ରହିଥିଲା। ଆସନ୍ତା ଶୁକ୍ରବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧବଳାମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମାଆ। ଭକ୍ତମାନଙ୍କର ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ନୂଆ ଷ୍ଟିଲ୍ ବେରିକେଡ୍ ବ୍ୟବସ୍ଥା କରାଯାଇଥିଲା।
ମହାଳୟା ଅବସରରେ ଯେ କୌଣସି ବ୍ୟକ୍ତି ନିଜ ପିତୃପୁରୁଷଙ୍କ ତିଥିବାର, ନକ୍ଷତ୍ର ବିଚାର ନକରି ଶ୍ରାଦ୍ଧ ଦେଇଥାନ୍ତି। ପିତୃପକ୍ଷ ତର୍ପଣ ଆଉ ଶ୍ରାଦ୍ଧ ଉଭୟ କାମ ହୋଇଥାଏ। ପିତୃଶ୍ରାଦ୍ଧ ସରିବା ପରେ ଗଙ୍ଗାଦର୍ଶନ କଲେ ପୁଣ୍ୟ ମିଳିବାର ବିଶ୍ବାସ ରହିଛି। ମହାଳୟା ଦିନ ଦେବୀ ସମଲେଶ୍ବରୀ ଗଙ୍ଗା ରୂପେ ପୂଜା ପାଇଥାନ୍ତି। ଆଉ ସେହିଦିନ ଜଗଜ୍ଜନନୀ ସମଲେଶ୍ବରୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି। ଶ୍ରଦ୍ଧାଳୁ, ଭକ୍ତମାନେ ପିତୃଶ୍ରାଦ୍ଧ ଆଉ ତର୍ପଣ ପରେ ସେହିଦିନ ସମଲେଇଙ୍କ ଗଙ୍ଗା ରୂପ ଦର୍ଶନ କରି ଧନ୍ୟ ମନେ କରିଥାନ୍ତି। ମହାଳୟା ହେଉଛି ଦୁଇଟି ସନ୍ଧି ପର୍ବ। ଯେମିତି ପିତୃପକ୍ଷର ଶେଷ ଦିନ ଆଉ ନବରାତ୍ର ପୂଜାର ଆରମ୍ଭ। ନବରାତ୍ର ପୂଜାରେ ମା’ ସମଲେଶ୍ବରୀ ମହାସରସ୍ବତୀ ରୂପେ ‘ଧବଳମୁଖୀ’ ବେଶ ଧାରଣ କରିଥାନ୍ତି ବୋଲି ଅନେକ ପଣ୍ଡିତ ମତ ଦେଇଥାନ୍ତି।
ପୂର୍ବରୁ ସମଲେଶ୍ବରୀ ମନ୍ଦିରରେ ବଳିପ୍ରଥା ପ୍ରଚଳିତ ଥିଲା। ମାତ୍ର, ଗୋପାଳଜୀ ମଠର ପ୍ରଥମ ମହନ୍ତ ସନ୍ଥ ବିହାରୀ ଦାସଙ୍କୁ ଦେବୀ ବଳି ରୂପେ ଗ୍ରହଣ କରିନଥିଲେ। ପରବର୍ତ୍ତୀ ସମୟରେ ସମ୍ବଲପୁରର ରାଜା ତାଙ୍କୁ (ବିହାରୀ ଦାସ) ଗୋପାଳଜୀ ମଠର ମହନ୍ତ କରାଇଥିଲେ। ସେଦିନର ସ୍ମୃତିରକ୍ଷା ଲାଗି ରାଜା ଦେବୀ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶ କରାଇ ସାତ୍ତ୍ବିକ ପୂଜାର ବ୍ୟବସ୍ଥା କରିଥିବା ଜନଶ୍ରୁତି ରହିଛି। ସେଥିପାଇଁ ମହାଳୟା ଦିନ ଶଙ୍ଖକୁ ଘୁରି ‘ଗୁପି ତିଲକ’ ମିଶେଇ ଦେବୀଙ୍କୁ ଧବଳମୁଖୀ କରାଯାଇଥିବା ଗବେଷକ ଡ.ଶ୍ୟାମସୁନ୍ଦର ଧର ତାଙ୍କ ‘ଇତିହାସ ଆର୍ କିଂବଦନ୍ତି ଥି ସମଲେଇ ସଂସ୍କୃତିର ପାହାଚିହ୍ନା’ ପୁସ୍ତକରେ ଉଲ୍ଲେଖ କରିଛନ୍ତି।