ନିଜ ଝିଅର ଅପହରଣ ବେଳେ ଦୁର୍ଗା ପାଲଟିଗଲେ ମହିଳା, ପିଲାକୁ ଅପହରଣକାରୀର ହାତରୁ ଛଡ଼ାଇ ଆଣିବା ବେଳର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କଥାରେ ଅଛି ନିଜ ପିଲା ଉପରେ କୌଣସି ପ୍ରକାର ବିପଦ ଆସିଲେ ମାଆମାନେ ଦୁର୍ଗା ସାଜିବାକୁ ବି ପଛାନ୍ତି ନାହିଁ। ତାହାର ଏକ ଉଦାହରଣ ଦିଲ୍ଳୀରେ ଦେଖିବାକୁ ମିଳିଛି। ଦିଲ୍ଲୀର ସକରପୁରରେ ଏକ କୁନି ଝିଅକୁ ଦୁଇ ଜଣ ଅପହରଣକାରୀ ଅପହରଣ କରି ନେବା ସମୟରେ କୁନି ପିଲାଟିର ମାଆ ଅପହରଣକାରୀ କବଳରୁ ପିଲାଟିକୁ ଛଡ଼ାଇ ଆଣିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଜୁଲାଇ ୨୧ ତାରିଖରେ ଅପହରଣକାରୀ ୪ ବର୍ଷର କୁନି ପିଲାଟିକୁ ତାଙ୍କ ଘର ସାମ୍ନାରୁ ଟେକି ନେବାକୁ ଚେଷ୍ଟା କରିବା ସମୟରେ ଘର ଭିତରୁ ବାହାରି ଆସିଥିଲେ କୁନି ପିଲାର ମାଆ। ଅପହରଣକାରୀର ବାଇକ୍‌କୁ ଅଟକାଇ ସେ ପିଲାଟିକୁ ଛଡ଼ାଇ ଆଣିଥିଲେ ଓ ବାଇକ୍‌ ଚାଳକ ସହ ଦୀର୍ଘ ସମୟ ଧରି କୁସ୍ତି କରିି ବାଇକ୍‌କୁ ଅଟକାବାକୁ ଚେଷ୍ଟା କରିଥିଲେ। ଶେ‌ଷରେ କିନ୍ତୁ ବାଇକ୍‌ ଚାଳକଟି ଖସି ପଳାଇ ଯାଇଥିଲା।

 

ପୁଲିସ୍‌ର ପ୍ରଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କୁନି ପିଲାର ନିଜ କାକା ଏହି ଅପହରଣ ଷଡ଼ଯନ୍ତ୍ର ରଚିଥିଲେ। ତାଙ୍କୁ ଟଙ୍କାର ଅଭାବ ଥିବା ହେତୁ ସେ ନିଜ ଭାଇର ପିଲାକୁ ଅପହରର କରି ଟଙ୍କା ମାଗିବାକୁ ଚିନ୍ତା କରି ଏପରି କରିଥିଲେ। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ସାହସିନୀ ମହିଳାଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର