ଦିନ ମଜୁରିଆ ଭାବେ କାମ କରୁଥିବା ଜଣେ ମା’ ନିଜର ଦୁଇ ପିଲାଙ୍କୁ ପାଠପଢ଼ାଇ ଡାକ୍ତର କରାଇବା କେତେ କଷ୍ଟକର ତାହା ହିଁ ଅନୁଭବୀମାନେ ଜାଣିପାରୁଥିବେ। ସମସ୍ତ ବିପଦ ଓ ଝଡ଼ଝଞ୍ଜାକୁ ସାମ୍ନା କରି ନିଜର ଦୁଇ ପିଲାଙ୍କୁ ଡାକ୍ତର କରାଇବାରେ ସଫଳ ହୋଇଛନ୍ତି ଏପରି ଜଣେ ମା’। ସେ ହେଉଛନ୍ତି ରାଜସ୍ଥାନ ଜୋଧପୁର ଜିଲ୍ଲା ସମବାଡି ଗାଁର ବିମଳା ଦେବୀ ବିଶୋଇ।
ରାଜସ୍ଥାନ ଜୋଧପୁର ଜିଲ୍ଲା ସମବାଡି ଗାଁର ବିମଳା ଦେବୀ ବିଶୋଇ ଜଣେ ଦିନ ମଜୁରିଆ ଅଟନ୍ତି। କିନ୍ତୁ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ସେ ତାଙ୍କର ଦୁଇଜଣ ପୁଅକୁ ଡାକ୍ତର ବନାଇ ପାରିଛନ୍ତି। ଦୁଇ ଜଣ ପୁଅଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରୀ ପଢା ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଅନ୍ୟ ଜଣଙ୍କୁ ମେଡିକାଲ କଲେଜରେ ଆଡମିସନ୍ ମିଳିଯାଇଛି।
/sambad/media/post_attachments/wp-content/uploads/2018/07/doc-300x170.jpg)
ବିମଳା ଦେବୀ ବିଶୋଇଙ୍କ ସ୍ୱାମୀ ଶଙ୍କରଲାଲ ଜଣେ ଅବସରପ୍ରାପ୍ତ ସୈନିକ ଥିଲେ। କିନ୍ତୁ ୮ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ଏହା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । ଘରେ ବିମଳା ଦେବୀ ହିଁ ଏକମାତ୍ର ରୋଜଗାରକ୍ଷମ ଥିଲେ। ସେ ପ୍ରତିଦିନ ଦିନ ମଜୁରିଆ ଭାବେ କାମ କରି ନିଜ ଦୁଇ ପୁଅ ଅଶୋକ ଏବଂ ଚନ୍ଦ୍ରମୋହନଙ୍କୁ ପାଠ ପଢାଇଥିଲେ। ବଡ ପୁଅ ଅଶୋକ ୨୦୧୩ ମସିହାରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ପାସ ହୋଇଥିଲେ ଏବଂ ଏବେ ଉଦୟପୁର ମେଡିକାଲ କଲେଜରେ ତାଙ୍କ ପାଠପଢା ଶେଷ ହେବାକୁ ଯାଉଛି। ସେହିପରି ସାନ ପୁଅ ଚନ୍ଦ୍ରମୋହନ ଏଥର ପ୍ରବେଶିକା ପରୀକ୍ଷାରେ ପାସ ହେବା ସହ ବିକାନେର ମେଡିକାଲ କଲେଜରେ ଡାକ୍ତରୀ ପାଠପଢା ଆରମ୍ଭ କରିବେ। ଦୁଇ ଜଣ ଭାଇ ନିଜ ନିଜ ସଫଳତା ପାଇଁ ସମସ୍ତ ଶ୍ରେୟ ନିଜ ମାଙ୍କୁ ହିଁ ଦେଇଛନ୍ତି। ଏବେ ବିମଳା ଦେବୀ ବିଶୋଇ ମଧ୍ୟ କହିଛନ୍ତି ଯେ, ଦୁଇଜଣ ଡାକ୍ତରଙ୍କ ମା ହୋଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/doc-final-bb.jpg)