ସମ୍ପୂର୍ଣ୍ଣ ବିଶ୍ୱରେ ଭାରତ ଏଭଳି ଏକ ଅଦ୍ଭୁତ ପାବନ ଭୂଖଣ୍ଡ ଯେଉଁଠି ଦିବ୍ୟ ମାତୃଶକ୍ତି, ବୀରମାତାଗଣ, ଆଧ୍ୟାତ୍ମିକତାରେ ଓତଃପ୍ରୋତ ବୀରାଙ୍ଗନାମାନେ ଅବତରଣ କରି ନିଜର ଅଦମ୍ୟ ସାହସ, ତ୍ୟାଗ-ତପସ୍ୟା, ସାତ୍ତ୍ୱିକ ଜୀବନଧାରା ଓ ସମାଜସେବାର ଅନୁପମ ଉଦାହରଣ ପ୍ରସ୍ତୁତ କରିଛନ୍ତି। ଏହିଭଳି ଅନୁକରଣୀୟ ମହାନ୍ ନାରୀ ହେଉଛନ୍ତି ଦେବୀ ଅହଲ୍ୟାବାଈ। ନିଜ ଜୀବନରେ ଦୁଃଖର ଅବିରତ ପ୍ରବାହ ସତ୍ତ୍ୱେ ସେ ଜନତାର ସୁଖକୁ ସର୍ବାଗ୍ରେ ରଖିଥିଲେ, ଭୌତିକ ଲାଳସା ଠାରୁ ଦୂରେଇ ରହି ଆଧ୍ୟାତ୍ମିକ ଶକ୍ତି ଉପରେ ଅଧିକ ଭରସା କରି ଅଧର୍ମକୁ ପ୍ରତିହତ କରିବା ସଙ୍ଗେସଙ୍ଗେ ଧର୍ମର ପ୍ରତିଷ୍ଠା ପାଇଁ ସଦା ତତ୍ପର ରହିଥିଲେ। ବିଷମ ପରିସ୍ଥିତିରେ ମଧ୍ୟ ନିଜସ୍ୱ କୌଶଳ, ପ୍ରତିଭା, ଦୃଢ ମନୋବଳ, ଅବିଚଳିତ ସଂକଳ୍ପ ଶକ୍ତିକୁ ପାଥେୟ କରି ସମାଜ ସେବା କରିବା ଏବଂ ରାଜଧର୍ମ ପାଳନ କରି ଇତିହାସ ରଚନା କରିଥିବା ପ୍ରାତଃସ୍ମରଣୀୟ ମାନବୀ ହେଉଛନ୍ତି- ହୋଲକର ରାଜବଂଶର ସୁବେଦାର ମହ୍ଲାରରାଓ ହୋଲକରଙ୍କ ପୁତ୍ରବଧୂ, ଖଣ୍ଡେରାଓ ହୋଲକରଙ୍କ ପତ୍ନୀ ଅହଲ୍ୟାବାଈ ହୋଲକର। ୧୭୨୫ ମସିହା, ମଇ ୩୧ ତାରିଖ ଦିନ ଔରଙ୍ଗାବାଦ ତାଲୁକାର ଚୌଣ୍ଡି ନାମକ ଗ୍ରାମରେ ପିତା ମଣକୋଜୀ ଶିନ୍ଦେ ଏବଂ ମାତା ସୁଶୀଳାଙ୍କ ଔରସରୁ ଜନ୍ମ ନିଅନ୍ତି ଅହଲ୍ୟା । କନ୍ୟା ହେତୁ ‘ବାଈ’ ସଂଯୋଗରେ ଏବଂ ଲୋକ ଭାଷାରେ ଅହିଲ୍ୟା-ଯାହାର ବ୍ୟାକରଣଗତ ଶୁଦ୍ଧତା ଦୃଷ୍ଟିରେ ଅହଲ୍ୟା- ହେଉଛନ୍ତି ଅହଲ୍ୟାବାଈ ।
ବାଲ୍ୟ କାଳରୁ ଶିବାନୁରାଗୀ, ଗ୍ରାମ୍ୟ ମନ୍ଦିରରେ ସର୍ବଦା ଶିବ ଆରାଧନାରତ, ମୁଖମଣ୍ଡଳ ଆଭାଦୀପ୍ତ ତାଙ୍କର । ମାତ୍ର ୮ ବର୍ଷର ଏହି କନ୍ୟାକୁ ଇନ୍ଦୋରର ସୁବେଦାର ମହ୍ଲାରରାଓ ହୋଲକର ପୁଣେ ଯାତ୍ରା କରୁଥିବାବେଳେ ମାର୍ଗରେ ପଧଡରୀ ଗ୍ରାମର ଶିବମନ୍ଦିରରେ ବିଶ୍ରାମ ନେବା ଅବସରରେ ଶିବପୂଜନ କରୁଥିବାର ଦେଖନ୍ତି ଏବଂ ତତ୍ କ୍ଷଣାତ ତାଙ୍କୁ ନିଜର ପୁତ୍ରବଧୂ ରୂପେ ଗ୍ରହଣ କରିବାକୁ ମନସ୍ଥ କରି ମଣକୋଜୀ ରାଓ ଶିନ୍ଦେ ଓ ମାତା ସୁଶୀଳାଙ୍କ ସମ୍ମତି ଲୋଡ଼ନ୍ତି। ବିବାହ ପରେ ଐଶ୍ୱର୍ଯ୍ୟଶାଳୀ ରାଜମହଲରେ ପ୍ରବେଶ କରି ନିଜର ସୁବ୍ୟବହାରରେ ସେ ସମସ୍ତଙ୍କୁ ବିମୁଗ୍ଧ କରି ପାରିଥିଲେ। ଅହଲ୍ୟାବାଈ ଦୁଇ ସନ୍ତାନର ଜନନୀ ଥିଲେ। ପୁତ୍ର ମାଲେରାଓ ଓ କନ୍ୟା ମୁକ୍ତାବାଈ। ମହ୍ଲାରରାଓଙ୍କ ଜୀବନକାଳ ମଧ୍ୟରେ ହିଁ ତାଙ୍କ ପୁତ୍ର ଖଣ୍ଡେରାଓଙ୍କ ନିଧନ ୧୭୫୪ ମସିହାରେ ହେଲା। ଏହାର କିଛିବର୍ଷ ପରେ ମହ୍ଲାରରାଓ ପରଲୋକ ଗମନ କଲେ । ମହ୍ଲାରରାଓଙ୍କ ନିଧନ ପରେ ପୁତ୍ର ମାଲେରାଓଙ୍କୁ ହୋଲକର ରାଜବଂଶର ଉତ୍ତରାଧିକାରୀ ଘୋଷଣା ଏବଂ ମାଲେରାଓ ନାବାଳକ ଥିବା କାରଣରୁ ମାତା ଅହଲ୍ୟାବାଈ ତାଙ୍କ ସଂରକ୍ଷିକା ରୂପେ ରାଜ କାର୍ଯ୍ୟ ତୁଲାଇବା ଦାୟିତ୍ୱ ଗ୍ରହଣ କଲେ। ୧୭୬୭ ମସିହାରେ ପେଶୱାଙ୍କ ଅନୁମତିକ୍ରମେ ସେ ତୁକୋଜୀରାଓଙ୍କୁ ସେନାପତି ନିଯୁକ୍ତ କଲେ। ତାଙ୍କ ଶାସନକାଳ-୧୭୬୭ ରୁ ୧୭୯୫ ମଧ୍ୟରେ ସେ ଅନେକ ସାମାଜିକ କାର୍ଯ୍ୟ, ଯେପରିକି ବିଭିନ୍ନ ସ୍ଥାନରେ ଦୁର୍ଗ ନିର୍ମାଣ, ପଥଚାରୀଙ୍କ ପାଇଁ ବିଶ୍ରାମଗୃହ ସ୍ଥାପନ, ସଡ଼କପଥ ନିର୍ମାଣ, ସ୍ଥାନେ ସ୍ଥାନେ ଜଳାଶୟ, କୂପ ଖନନ, ପୁରାତନ ଆଧ୍ୟାତ୍ମିକ କୀର୍ତ୍ତିରାଜିର ପୁନଃରୁଦ୍ଧାର ତଥା ନୂତନ ଧାର୍ମିକସ୍ଥଳ ନିର୍ମାଣ ଆଦି କାର୍ଯ୍ୟ କରିଥିଲେ ।
ମହାରାଣୀ ଅହଲ୍ୟାବାଈଙ୍କ ଦ୍ୱାରା କରାଯାଇଥିବା କତିପୟ ପ୍ରଶଂସନୀୟ କାର୍ଯ୍ୟ ମଧ୍ୟରେ ଦେଶକୁ ସଂଯୋଗ କରୁଥିବା ସ୍ୱର୍ଣ୍ଣିମ ଚତୁର୍ଭୁଜ ଅନ୍ୟତମ, ଯାହାକି ସୋମନାଥଠାରୁ କେଦାରନାଥ, ଜଗନ୍ନାଥ ପୁରୀ ଏବଂ ରାମେଶ୍ୱରକୁ ସଂଯୋଗ କରିଥିବା ସର୍ବପ୍ରଥମ ମାର୍ଗ । ମଥୁରା-ବୃନ୍ଦାବନ ଠାରେ ଧର୍ମଶାଳା ତଥା କାଶୀଠାରେ ଶ୍ରୀରାମ, ମାତାସୀତା, ଲକ୍ଷ୍ମଣ, ଭରତ, ଶତୃଘ୍ନ ତଥା ହନୁମାନ ବିଗ୍ରହ ସ୍ଥାପନ ସହ ପଞ୍ଚାୟତନ ମନ୍ଦିର ନିର୍ମାଣ, ଏହା ବ୍ୟତିରେକ କାଶୀରେ ପ୍ରାୟ ୫ କୋଟିରୁ ଅଧିକ ଅର୍ଥରାଶି ବ୍ୟୟ କରି ସେ ୨୧ଟି ମନ୍ଦିର, ଧର୍ମଶାଳା, ଅନ୍ନକ୍ଷେତ୍ର ତଥା ସ୍ନାନଘାଟ ଆଦି ନିର୍ମାଣ କରିଥିଲେ। ୧୭୭୭ ମସିହାରେ ଭଗବାନ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ୫ଟି ମଣ୍ତପରେ ସୁଶୋଭିତ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସେ ହିଁ ସମ୍ପାଦନା କରିଥିଲେ। ଅହଲ୍ୟାବାଈଙ୍କର ବିଶାଳ ଗ୍ରନ୍ଥାଳୟ ଥିଲା। ସେ ଅନେକ ଦୁର୍ଲଭ ପୁସ୍ତକ ଯଥା-ନିର୍ଣ୍ଣୟସିନ୍ଧୁ, ଦ୍ରୋଣପର୍ବ, ଜ୍ଞାନେଶ୍ୱରୀ, ମଥୁରା ମହାତ୍ମ୍ୟ, ମୁହୂର୍ତ୍ତ ଚିନ୍ତାମଣି, ବାଲ୍ମିକୀ ରାମାୟଣ, ପଦ୍ମ ପୁରାଣ, ଶ୍ରାବଣ ମାସ ମହାତ୍ମ୍ୟ ଆଦି ଗ୍ରନ୍ଥଗୁଡ଼ିକର ହସ୍ତଲିଖିତ ପ୍ରତିଲିପି ରଖିଥିଲେ। ରାଣୀ ଅହଲ୍ୟାବାଈଙ୍କ ରାଜ୍ୟ ଉତ୍ତରରେ ରାମପୁରା, ଭାନପୁରା ତଥା ଦକ୍ଷିଣରେ ରାଜପୁତାନା, ଦକ୍ଷିଣ ପଠାର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା।
ରାଣୀ ଅହଲ୍ୟାବାଈଙ୍କର ଶାସନ ପଦ୍ଧତି ମଧ୍ୟ ଅତ୍ୟନ୍ତ ଅନୁକରଣୀୟ । ଶଶୁର ମହ୍ଲାରରାଓଙ୍କ ଆଶୀର୍ବାଦରୁ ଶାସକୀୟ ଅନୁଭବ, ପ୍ରତିଭା ଏବଂ ଗୁଣାବଳୀକୁ ଆତ୍ମସାତ୍ କରି ସେ ରାଜ୍ୟର ଶାସନ ପ୍ରଣାଳୀରେ ସୁବ୍ୟବସ୍ଥା ନିର୍ମାଣ ସହିତ ରାଜ୍ୟକୁ ବୈଭବଶାଳୀ ତଥା ଚିରସ୍ଥାୟୀ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ। ମଧ୍ୟଯୁଗୀୟ ରାଜ୍ୟ ଶାସନ ପ୍ରଣାଳୀ ଅନୁସାରେ ଅହଲ୍ୟାବାଈ ରାଜ୍ୟର ନିରଙ୍କୁଶ ଶାସିକା ଥିଲେ ସତ, କିନ୍ତୁ ସେ ବାସ୍ତବରେ ଶକ୍ତି ପ୍ରୟୋଗ ନୁହେଁ ବରଂ ଜଣେ ଧାର୍ମିକ ପ୍ରଜାବତ୍ସଳା ରାଣୀ ରୂପେ କାର୍ଯ୍ୟ କରୁଥିଲେ। ଅହଲ୍ୟାବାଈଙ୍କ ଶାସନ ଇଂରେଜମାନଙ୍କୁ ମଧ୍ୟ ଏକ ଆଦର୍ଶ ଶାସନ ମନେ ହେଉଥିଲା। ରାଜଦରବାର ତଥା ରାଜକୋଷ ଉପରେ ଅହଲ୍ୟାବାଈଙ୍କର ପୂର୍ଣ୍ଣ ଅଧିକାର ଓ କଠୋର ନିୟନ୍ତ୍ରଣ ରହିଥିଲା। କୃଷକମାନଙ୍କୁ କରଛାଡ଼ କରିବା ପରେ ବି ହୋଲକର ରାଜ୍ୟର ବାର୍ଷିକ ଆୟ ୭୫ ଲକ୍ଷରୁ ବଢ଼ି ୧୨୫ ଲକ୍ଷ ହୋଇଥିଲା। ପଡୋଶୀ ରାଜ୍ୟମାନଙ୍କ ସହିତ ସେ ମୈତ୍ରୀ, ସମତା ଓ ପାରସ୍ପରିକ ସହଯୋଗ ଓ ଅନାକ୍ରମଣ ସମ୍ପର୍କ ରଖିଥିଲେ।
ହୋଲକର ସାମ୍ରାଜ୍ୟର ସୈନ୍ୟଶକ୍ତି ସଙ୍ଗଠନ ସମ୍ପୂର୍ଣ୍ଣ ରୂପେ ଅହଲ୍ୟାବାଈଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ହେଉଥିଲା। ସେମାନଙ୍କ ବିକାଶ ପାଇଁ ରାଣୀ ବାରମ୍ବାର ପ୍ରଶିକ୍ଷଣ ଦେଉଥିଲେ । ରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୋଗ୍ୟତା ଅନୁସାରେ ସୈନିକଙ୍କୁ ନିଯୁକ୍ତି କରାଯାଉଥିଲା। ତାଙ୍କ ସେନାବାହିନୀରେ ବହୁସଂଖ୍ୟାରେ ମୁସଲମାନ ସୈନିକ ନିଯୁକ୍ତି ପାଇଥିଲେ। ଅହଲ୍ୟାବାଈଙ୍କୁ ବିସ୍ତାରବାଦୀ ଶାସନ ପସନ୍ଦ ନଥିଲା। ତେଣୁ ହୋଲକର ଶାସନରେ ରାଜନୀତି ଓ କୁଟନୀତି କ୍ଷେତ୍ରରେ ‘ଯୁଦ୍ଧ’ର ପରିଭାଷା ଅନ୍ତିମ ସ୍ଥାନରେ ରହିଥିଲା। ତାଙ୍କ ସେନାବାହିନୀର ତିନି ପ୍ରମୁଖ ଅଂଶ ଥିଲେ – ପଦାତି, ଅଶ୍ୱୀରୋହୀ ଏବଂ ତୋପଖାନା। “ନାରୀସେନା” ଏହି ସେନାବାହିନୀର ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ସଙ୍ଗଠନ ଥିଲା। କାନୁନ୍ ବ୍ୟବସ୍ଥା ସୁହୃଢ଼ କରିବା ପାଇଁ କେନ୍ଦ୍ରୀୟ ଆରକ୍ଷୀ ବଳ, ପ୍ରଗଣା ଆରକ୍ଷୀ ବଳ, ଗ୍ରାମ ଆରକ୍ଷୀ ବଳ ଇତ୍ୟାଦିର ବ୍ୟବସ୍ଥା ଥିଲା । ଅହଲ୍ୟାବାଈ ଏହି ତିନି ଆରକ୍ଷୀ ବଳର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଥିଲେ।
ଶଶୁର ମହ୍ଲାରରାଓଙ୍କ ରାଜନୈତିକ ଗୋଟିଚାଳନା ଓ ପ୍ରଶାସନ ପ୍ରକ୍ରିୟା ଏବଂ ଶାଶୂ ଗୌତମାବାଈଙ୍କ ସର୍ବଦା ତାଙ୍କ ମନୋବଳ ବୃଦ୍ଧି କରିବା ଫଳରେ ଅହଲ୍ୟାବାଈଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । “ରାଜକାର୍ଯ୍ୟ ପ୍ରଥମ, ପ୍ରଜାଗଣ ମୋର ସନ୍ତାନ” ଏହି ଭାବରେ ଉଦବୁଦ୍ଧ ହୋଇ ରାଣୀ ଅହଲ୍ୟାବାଈ ତାଙ୍କ ଜୀବନରେ ଅନେକ ଦୁଃଖଦ କ୍ଷଣ ଆସିଥିଲେ ମଧ୍ୟ ସେସବୁକୁ ଅତିକ୍ରମ କରିପାରିଥିଲେ। ପ୍ରଜାମାନଙ୍କୁ ନିଜର ସନ୍ତାନ ଭାବିଥିବା କାରଣରୁ ଅହଲ୍ୟାବାଈ ମାତୃବତ୍ ଶେଷ ଜୀବନ ପର୍ଯ୍ୟନ୍ତ ରାଜକାର୍ଯ୍ୟ ସମ୍ଭାଳି ପାରିଥିଲେ। ବାସ୍ତବରେ ସେ ଥିଲେ ଜଣେ ଅନନ୍ୟ ପ୍ରଜାପାଳିକା। ଯଥାର୍ଥରେ ସେ ଥିଲେ ନେତୃତ୍ୱ, କର୍ତ୍ତୃତ୍ୱ ତଥା ମାତୃତ୍ୱର ବିରଳ ନିଦର୍ଶନ।
ସୁରମା ପାଢୀ
ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା