ମା’କୁ ପ୍ରଣାମ ଜଣାଇ ‘ସମ୍ବାଦ’ ପକ୍ଷରୁ ମାତୃ ଦିବସ ବାର୍ତ୍ତା ପ୍ରତିଯୋଗିତା : ମା’ର ଭାଷାକୁ ଭଲପାଇବା

ଲକି ଡ୍ର’ରୁ ମିଳିଲା ୨୮ ଜଣଙ୍କୁ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର : ବିଶ୍ୱାସର କୋଣେ ଅନୁକୋଣେ ତୁ, ଅଶ୍ରୁଭରା ଆଖିର ଅବସାଦ ମୁଖର ସାହାରା ତୁ, ବୈଶାଖ ତାତିରେ ତୁ… ଜାଡ଼ୁଆ ରାତିରେ ତୁ…, ଗଭୀର ତୃଷ୍ଣାରେ ତୁ…. ପ୍ରବଳ କ୍ଷୁଧାରେ ତୁ, ବୋଉଲୋ! ମୋ ସଫଳତାର ପ୍ରତି ସୋପାନରେ ଆଶୀର୍ବାଦର ଝରଣା ତୁ…।

ମା’ଙ୍କୁ ପ୍ରଣାମ ଜଣାଇ ଏଭଳି ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇ ରାଜଧାନୀ ନିକଟସ୍ଥ ବାଳକାଟିର ଅରୁଣ ମହାନ୍ତି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ମାତୃ ଦିବସ ବାର୍ତ୍ତା ପ୍ରତିଯୋଗିତା’ରେ ବିଚାରକମାନଙ୍କ ମନ ଜିଣି ‘ବେଷ୍ଟ ଜୁରି ମେମ୍ବର ଆଓ୍ଵାର୍ଡ’ରେ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି। ଏଥିପାଇଁ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ମିଳିଛି ‘ସେନ୍‌କୋ ଜୁଏଲାରି’ ପକ୍ଷରୁ ସୁନା ଅଳଙ୍କାର। ଦ୍ୱିତୀୟ ସ୍ଥାନ ଅଧିକାରିଣୀ ସୋନାଲି ମହାପାତ୍ରଙ୍କୁ ‘ଲିଙ୍ଗରାଜ ଓ୍ଵାଚ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌’ ପକ୍ଷରୁ ହାତ ଘଣ୍ଟା ଓ ତୃତୀୟ ବିଜେତା ସୁମିତ୍ରା ପ୍ରଧାନଙ୍କୁ ‘ଆର୍ଚିସ୍‌’ ପକ୍ଷରୁ ଗିଫ୍ଟ ହାମ୍ପର୍‌ ମିଳିଛି। ଏହା ସହ ୨୮ଜଣଙ୍କ ମଧ୍ୟରେ ହୋଇଥିବା ଲକି ଡ୍ର ପ୍ରତିଯୋଗିତାରେ ଭୁବନେଶ୍ୱର ନୀଳାଦ୍ରି ବିହାରର ଇଞ୍ଜିନିୟର୍‌ ପ୍ରଭାକର ଆଚାର୍ଯ୍ୟ ଶ୍ରେଷ୍ଠ ଭାଗ୍ୟଶାଳୀ ବିଜେତା ଭାବେ ବାଜି ମାରି ନେଇଛନ୍ତି। ପ୍ରଭାକରଙ୍କୁ ମିଳିଛି ‘ଜ୍ୟୋତି ଟିଭିଏସ୍‌’ ପକ୍ଷରୁ ସ୍କୁଟି ପେପ୍‌।

ବିଶ୍ୱ ମାତୃ ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ତଥା ‘ଫ୍ରିଡମ୍‌ ରିଫାଇନ୍‌ଡ୍‌ ସନ୍‌ଫ୍ଲାଓ୍ଵାର୍‌ ଅଏଲ୍‌’ ଓ ‘ରାଜ୍‌ ଇଲେକ୍ଟ୍ରୋନିକ୍ସ’ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଲେ, ମା’ର ବିକଳ୍ପ ନାହିଁ। ବିନା ମା’ରେ କେହି ଦୂନିଆକୁ ଆସି ନାହିଁ। ଦୂନିଆକୁ ଆସିବାର ଏକମାତ୍ର ମାଧ୍ୟମ ହେଉଛି ମା’। ଆଧୁନିକ ଟେଷ୍ଟଟ୍ୟୁବ୍‌ ବେବି ମଧ୍ୟ ମା’ ବିନା ସମ୍ଭବ ନୁହେଁ। ଆମେ ସମସ୍ତେ ମା’ ପାଖେ ଋଣୀ। ଯଦି ଆମେ ସମସ୍ତେ ମା’କୁ ଭଲପାଉଛେ, ମା’କୁ ଯଦି ଗୌରବର ଅଧିକାରୀ କରିବାକୁ ଚାହୁଁଛେ, ତେବେ ମା’କୁ ଖୁସି କରିବାକୁ ହେବ। କୌଣସି ଏକ ଜିନିଷକୁ ନିବିଡ଼ ଭାବେ ଭଲ ପାଇବାକୁ ପଡ଼ିବ। ତେଣୁ ଆଜି ମାତୃ ଦିବସ ଅବସରରେ ଚାଲନ୍ତୁ ସମସ୍ତେ ମା’ର ଭାଷାଟିକୁ ଭଲ ପାଇବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିଶେଷ କରି ରାଜଧାନୀର ମା’ମାନଙ୍କୁ ନିବେଦନ କରି ସେ କହିଲେ, ପିଲାମାନଙ୍କୁ ସବୁ ଭାଷା ଶିଖାନ୍ତୁ, କିନ୍ତୁ ନିଜ ଭାଷା ନିଜ ମାତୃଭାଷାଠାରୁ ଦୂରେଇ ଦିଅନ୍ତୁ ନାହିଁ। ସବୁ ଭାଷାରେ ପାରଦର୍ଶିତା ହାସଲ କରିବା ଭଲ କିନ୍ତୁ ତା’ ସଙ୍ଗେ ସଙ୍ଗେ ମାତୃଭାଷାଟିକୁ ପାଖରେ ରଖିବା ଉଚିତ୍‌ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ଧୀରେ ଧୀରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବଢ଼ୁଛି। ପୁଣି ମା’ ପାଇଁ ବାର୍ତ୍ତା ମାଧ୍ୟମରେ ‘ସମ୍ବାଦ’ ପରିବାର ସହ ଯୋଡ଼ି ହେବା ପ୍ରକ୍ରିୟା ଆଗକୁ ଚାଲୁରହିବ ବୋଲି ସେ କହିଛନ୍ତି।

‘ସମ୍ବାଦ’ ଫିଚର ବିଭାଗର ସମ୍ପାଦକ ଗୌରହରି ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ଯେଉଁମାନଙ୍କ ପାଖରେ ମା’ ଅଛନ୍ତି ତ’ ସେ ଅଛନ୍ତି, କିନ୍ତୁ ଯେଉଁମାନଙ୍କ ପାଖରେ ମା’ ନାହାନ୍ତି, ଦୂରକୁ ବହୁ ଦୂରକୁ ଚାଲିଗଲେଣି ତାଙ୍କ ମା’ ବି ତାଙ୍କ ପାଖରେ ଅଛନ୍ତି। ଯେତେବେଳେ ମା’କଥା ମନେ ପଡ଼ିବ, ସେତେବେଳେ ଟିକେ ନିଜ ମୁଣ୍ଡ, ଦେହ ଓ ହାତ ପାପୁଲିକୁ ଆଉଁଷି ଦେବେ ଦେଖିବେ ତା’ ଭିତରେ ହିଁ ମା’ର ଅସ୍ତିତ୍ୱ ମିଳିବ। କାରଣ ମା’ର ରକ୍ତ, ମାଂସ, ଅସ୍ଥିମଜ୍ଜାରୁ ହିଁ ଆମର ଶରୀର ଗଢ଼ା ହୋଇଛି। ଯେଉଁ ପର୍ଯ୍ୟନ୍ତ ଆମେ ବଞ୍ଚିଛୁ ମା’ ବି ଆମ ଭିତରେ ବଞ୍ଚିଛନ୍ତି। ଦୁନିଆର ସମସ୍ତ ଲୋକ ଆମର ଦୋଷ ଦୁର୍ବଳତା ଦେଖୁଥିବା ବେଳେ ମା’ କେବେ ବି ନିଜ ସନ୍ତାନର ଦୋଷ ଦେଖି ନଥାଏ। ବିଭିନ୍ନ ଉଦାହରଣ ଛଳରେ ମା’ର ଏହି ବାତ୍ସଲ୍ୟତାକୁ ଡ. ଦାସ ରୋଚକ ଢଙ୍ଗରେ ବର୍ଣ୍ଣନା କରିଥିଲେ।

‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ବାର୍ତା ପହଞ୍ଚିଥିଲା। ସେଥିମଧ୍ୟରୁ ବଛା ବଛା ବାର୍ତାକୁ ଚିହ୍ନଟ କରାଯାଇ ଖବରକାଗଜରେ ପ୍ରକାଶିତ କରାଯାଇଥିଲା। ୨୫୦ଟି ଏହି ଭଳି ନିର୍ବାଚିତ ବାର୍ତ୍ତାମାନଙ୍କ ମଧ୍ୟରୁ ଆଜି ଲକି ଡ୍ର ମାଧ୍ୟମରେ ୨୮ ଜଣ ଭାଗ୍ୟଶାଳୀ ବିଜେତା ହୋଇପାରିଛନ୍ତି। ସେମାନଙ୍କୁ ଚିମ୍‌ନି, ଓ୍ଵାଟର୍‌ ପ୍ୟୁରିଫାୟର୍‌, ଟିଭି, ଓ୍ଵାସିଂ ମେସିନ୍‌, କୁଲର୍‌, ସାଇକେଲ୍‌, ଷ୍ଟାବିଲାଇଜର୍‌, ବିନ୍‌ ବ୍ୟାଗ୍‌, ଫ୍ୟାନ୍‌, ଗ୍ୟାସ୍‌ ଷ୍ଟୋଭ୍‌ ଓ ଓ୍ଵାଟର୍‌ ସେନ୍‌ସର୍‌, ଡ୍ରେସିଂ ଟେବୁଲ୍‌ ଆଦି ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା। ପୁଣି କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରାଯାଇ ପୁରସ୍କାର ମଧ୍ୟ ଦିଆଯାଉଥିଲା।

ମା’ ଓ ସମ୍ବାଦ ପରିବାରକୁ ପ୍ରଣାମ

ବଡ଼ ଭାଇଙ୍କ ପ୍ରେରଣାରେ ଆଜି ମୁଁ ମା’ ପାଇଁ କିଛି ଲେଖିବାରେ ସଫଳ ହୋଇପାରିଛି। ପୁଣି ‘ସମ୍ବାଦ’ ଭଳି ସଂସ୍ଥା ପକ୍ଷରୁ ଏହାକୁ ସ୍ୱୀକୃତି ମିଳିବା ଓ ଏନେଇ ପୁରସ୍କାର ମିଳିବାକୁ ମୁଁ ମୋର ଏକ ସଫଳତା ଭାବେ ଗ୍ରହଣ କରୁଛି। ମା’ ବିଷୟରେ ଯେତେ କହିଲେ ବି ସରିବନି। ଆଜି ତା’ ପାଇଁ ହିଁ ବାର୍ତ୍ତାଟିଏ ଲେଖି ମୁଁ ସୁନା ଅଳଙ୍କାରଟିଏ ପାଇବା ସମ୍ଭବ ହୋଇପାରିଛି। ପୁଣି ମୋର ଜଣେ ଆଦର୍ଶ ସୌମ୍ୟ ସାର୍‌ଙ୍କୁ ମଧ୍ୟ ପାଖରୁ ଦେଖିବାକୁ ପାଇଥିବାରୁ ଖୁସି ଲାଗୁଛି। ଏଣୁ ମା’କୁ ପ୍ରଣାମ ଓ ମା’ ପାଇଁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବା ‘ସମ୍ବାଦ’ ପରିବାରକୁ ମୋର ଶୁଭକାମନା।
ଅରୁଣ ମହାନ୍ତି, ବାଳକାଟି, ପ୍ରଥମ ଶ୍ରେଷ୍ଠ ବାର୍ତ୍ତା ବିଜେତା

ଏହି କାର୍ଯ୍ୟକ୍ରମ ଲେଖିବା କଳା ଓ ସୃଜନ ଶକ୍ତିକୁ ବଢ଼ାଉଛି

କେବେ କୌଣସି ସଂସ୍ଥା ପକ୍ଷରୁ ଏଭଳି ଏକ ନିଆରା ଉଦ୍ୟମ ଆମେ ଦେଖିନାହୁଁ। କିନ୍ତୁ ‘ସମ୍ବାଦ’ ନିରନ୍ତର ଭାବେ ଏହି ନିଆରା ପ୍ରୟାସ ଜାରି ରଖିିଛି। ଦୀର୍ଘ ୩ ବର୍ଷ ଧରି ମୁଁ ଏଥିରେ ଅଂଶଗ୍ରହଣ କରୁଛି। ବହୁତ ଭଲ ଲାଗୁଛି। ପୁଣି ଗତ ବର୍ଷ ଓଡ଼ିଆରେ ବାର୍ତ୍ତା ଦେବାକୁ ସୌମ୍ୟ ସାର୍‌ ପ୍ରୋତ୍ସାହିତ କରିଥିବାରୁ ଚଳିତ ବର୍ଷ ଓଡ଼ିଆ ବାର୍ତ୍ତା ମଧ୍ୟ ବଢ଼ିଛି। ପୁଣି ସମସ୍ତଙ୍କ ମଧ୍ୟରେ ଲେଖିବା କଳା ଓ ସୃଜନ ଶକ୍ତିକୁ ବଢ଼ାଇବାରେ ଏହି କାର୍ଯ୍ୟକ୍ରମ ନିହାତି ବାଧ୍ୟ କରୁଛି। ପୁଣି ବହୁତ ମା’ ଓ ସେମାନଙ୍କ ପିଲାମାନଙ୍କ ସହ ମିଶିବା ଓ କଥାବାର୍ତ୍ତାର ବି ଏହି କାର୍ଯ୍ୟକ୍ରମ ସୁଯୋଗ ସୃଷ୍ଟି କରୁଛି।
ସୋନାଲି ମହାପାତ୍ର, ଭୁବନେଶ୍ୱର ଫାୟାର୍‌ଷ୍ଟେସନ୍‌, ଦ୍ୱିତୀୟ ଶ୍ରେଷ୍ଠ ବାର୍ତ୍ତା ବିଜେତା

ମା’ ଆଶୀର୍ବାଦରୁ ଗାଡ଼ି ଜିତି ପାରିଲି

ମା’ ଜୀବନ ସାରା ଦେଇ ଚାଲେ। ଆଜି ମା’ ସମ୍ମାନର୍ଥେ ଲେଖା ମୋର ଛୋଟିଆ ବାର୍ତ୍ତାଟିଏ ମତେ ଭାଗ୍ୟଶାଳୀ ବିଜେତା କରିଛି। ବର୍ଷ ବର୍ଷ କାମ କରି ଲୋକମାନେ ଗାଡ଼ିଟିଏ କିଣିବାକୁ ଅସମର୍ଥ ହେଉଥିବା ବେଳେ ଗୋଟିଏ ମୂହୂର୍ତ୍ତରେ ମା’ ଆର୍ଶୀବାଦ ମତେ ଗାଡ଼ିଟିଏ ଜିତାଇଛି। ପୁଣି ‘ସମ୍ବାଦ’ ପକ୍ଷରୁ ଏମିତି ପ୍ରୟାସ ନିହାତି ଭାବେ ସୁନ୍ଦର ଓ ସମାଜ ପାଇଁ ଉପାଦେୟ। ଭଗବାନ ‘ସମ୍ବାଦ’ର ଉନ୍ନତି କରିଚାଲନ୍ତୁ ଓ ‘ସମ୍ବାଦ’ ସମାଜ ପାଇଁ ଏଭଳି ପ୍ରୟାସ କରିଚାଲୁ।
ପ୍ରଭାକର ଆଚାର୍ଯ୍ୟ, ପ୍ରଥମ ଭାଗ୍ୟଶାଳୀ ବିଜେତା

ନିହାତି ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ

ମା’କୁ ନେଇ ଏଭଳି କାର୍ଯ୍ୟକ୍ରମ ସତରେ ସ୍ୱାଗତ ଯୋଗ୍ୟ। ଏହାକୁ ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ। ଭଗବାନ କରନ୍ତୁ ‘ସମ୍ବାଦ’ର ଉତ୍ତରୋତ୍ତର ଉନ୍ନତି ହେଉ ଓ ଏଭଳି କାର୍ଯ୍ୟକ୍ରମ ‘ସମ୍ବାଦ’ ପକ୍ଷରୁ ଆଗକୁ ମଧ୍ୟ ହେଉ। ଆଜି ‘ମାତୃ ଦିବସ’ରେ ସମସ୍ତଙ୍କୁ କହିବି ମା’କୁ ଖୁସିରେ ରଖନ୍ତୁ, ତା’ର ଯତ୍ନ ନିଅନ୍ତୁ। ଦେଖିବେ ଭଗବାନ ଆପଣଙ୍କ ଖୁସିର ଯତ୍ନ ନେବେ।
ସୁମିତ୍ରା ପ୍ରଧାନ, ତୃତୀୟ ଶ୍ରେଷ୍ଠ ବାର୍ତ୍ତା ବିଜେତା

ଆଗକୁ ‘ସମ୍ବାଦ’ର ପ୍ରତି କାର୍ଯ୍ୟକ୍ରମରେ ରହିବୁ

‘ସମ୍ବାଦ’ ସବୁବେଳେ କିଛି ନା କିଛି ନିଆରା ଉଦ୍ୟମ କରିଚାଲେ। ଏଥିଲାଗି ଆଜି ଦ୍ୱିତୀୟ ଥର ପାଇଁ ‘ଫ୍ରିଡମ୍‌ ରିଫାଇନ୍‌ଡ୍‌ ସନ୍‌ ଫ୍ଲାଓ୍ଵାର୍‌ ଅଏଲ୍‌’ ସମ୍ବାଦ ପରିବାର ସହ ଯୋଡ଼ି ହୋଇଛି। ପୂର୍ବରୁ ‘ସମ୍ବାଦ ନାଇଟ୍‌ ସାଇକ୍ଲୋଥନ୍‌’ରେ ମଧ୍ୟ ଆମେ ଯୋଡ଼ି ହୋଇଥିଲୁ। ଆଗକୁ ମଧ୍ୟ ସମ୍ବାଦ ସହ ରହିବୁ। ‘ଫ୍ରିଡମ୍‌ ରିଫାଇନ୍‌ଡ୍‌ ସନ୍‌ ଫ୍ଲାଓ୍ଵାର୍‌ ଅଏଲ୍‌’ ବର୍ତ୍ତମାନ କେବଳ ଓଡ଼ିଶା ନାହିଁ ସାରା ଦେଶରେ ନମ୍ବର-୧ ବ୍ରାଣ୍ଡରେ ପରିଣତ ହୋଇଛି। ଏହି ତେଲରେ ଭିଟାମିନ୍‌ ଏ, ଡି ଓ ଇ ଭରପୂର ମାତ୍ରାରେ ରହିଥିବା ବେଳେ ଏହା ଶରୀର ପାଇଁ ହିତକର।
ଶାଲଭ ଶର୍ମା, ବରିଷ୍ଠ ଅଧିକାରୀ,ଫ୍ରିଡମ୍‌ ରିଫାଇନ୍‌ଡ୍‌ ସନ୍‌ ଫ୍ଲାଓ୍ଵାର୍‌ ଅଏଲ୍‌

ସହଯୋଗର ହାତ ବଢ଼ାଇଥିଲେ…..

ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଥିଲେ ରାଜ୍ୟର ନମ୍ବର-୧ ବ୍ରାଣ୍ଡ ‘ଫ୍ରିଡମ୍‌ ରିଫାଇନ୍‌ଡ୍‌ ସନ୍‌ ଫ୍ଲାଓ୍ଵାର୍‌ ଅଏଲ୍‌’ ଓ ‘ରାଜ୍‌ ଇଲେକ୍ଟ୍ରୋନିକ୍‌ସ୍‌’। ଅନ୍ୟମାନଙ୍କ ମଧ୍ୟରେ ଥିଲେ ସେନ୍‌କୋ ଗୋଲ୍ଡ, ଜ୍ୟୋତି ଟିଭିଏସ୍‌, କ୍ରମ୍ପଟନ୍‌, ଫିଲ୍‌ଟର୍‌ନକ୍ସ, ଆସାନି ଆବାକସ୍‌, ସ୍ମାଇଲ୍‌ ପ୍ଲସ୍‌, ଭେଗୋ, ସାଇକେଲ୍‌ ପ୍ଲାଜା, ବ୍ଲିପର୍‌ ଟେକ୍‌, ଆର୍ଚିସ୍‌, ଏଲ୍‌ଡବ୍ୟୁସି, କାସା ଲିଭିଂ, ରେଡ୍‌ମି, କୁଚିନା, ଲିଓଟ୍ରୋନିକ୍‌, ଗୋଭିଟ୍‌ ଓ ପ୍ଲାନେଟ୍‌। କାର୍ଯ୍ୟକ୍ରମରେ ଫ୍ରିଡମ୍‌ ରିଫାଇନ୍‌ଡ୍‌ ସନ୍‌ ଫ୍ଲାଓ୍ଵାର୍‌ ଅଏଲ୍‌ର ବରିଷ୍ଠ ଅଧିକାରୀ ଶାଲଭ ଶର୍ମାଙ୍କ ସମେତ ରାଜ୍‌ ଇଲେକ୍ଟ୍ରୋନିକ୍ସର ପ୍ରକାଶ କୁମାର ବିଶ୍ୱାଳ, ସେନ୍‌କୋ ଗୋଲ୍ଡର ବୀରେନ୍ଦ୍ରନାଥ ମହାପାତ୍ର, ଜ୍ୟୋତି ଟିଭିଏସ୍‌ର ତାପସ ବାରିକ, କ୍ରମ୍ପଟନ୍‌ର ବିଭୂପ୍ରସାଦ ମହାନ୍ତି, ଫିଲ୍‌ଟର୍‌ନକ୍ସର ପ୍ରକାଶ ରାଉତ, ଆସାନି ଆବାକସ୍‌ର ରବୀନ୍ଦ୍ର ଗୌଡ଼, ସ୍ମାଇଲ୍‌ ପ୍ଲସ୍‌ର ବାବୁରାମ ସ୍ୱାଇଁ, ଭେଗୋର ରଞ୍ଜନ କୁମାର ପଣ୍ଡା, ସାଇକେଲ ପ୍ଲାଜାର ହିତେଶ କମ୍‌ଦାର୍‌, ବ୍ଲିପର୍‌ ଟେକ୍‌ର ମନୋରଞ୍ଜନ ଦାଶ, ଆର୍ଚିସ୍‌ର ଆଶିଷ୍‌ ଲୋହିଆ, ଏଲ୍‌ଡବ୍ଲୁସିର ନୀଳମାଧବ ସୁବୁଦ୍ଧି, କାସା ଲିଭିଂର ପି ଚନ୍ଦନ କୁମାର ଓ ଧୀରଜ ଅଗ୍ରଓ୍ଵାଲ୍‌, ରେଡ୍‌ମିର ଜୟ କୁମାର ସାଦାନେ, କୁଚିନାର ସୁବ୍ରତ ସିହ୍ନା, ଲେଓକ୍ଟ୍ରୋନିକ୍‌ର ଜଗନ୍ନାଥ ଲେଙ୍କା, ଗୋଫିଟ୍‌ର ଅଙ୍କୁର ଅଗ୍ରଓ୍ଵାଲ୍‌ ଓ ପ୍ଲାନେଟ୍‌ର ନଳିନୀକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର