‘‘ମାଆ ନାମ ମଧୁର ଅଟେ ଅମୃତ ସମାନ,
ମାଆ ନାମେ ଶୀତଳ ହୁଏ ମୋହରି ପରାଣ।’’
ଭକ୍ତକବି ମଧୁସୂଦନ ରାଓଙ୍କ ଏହି କାଳଜୟୀ ପଂକ୍ତିଟି ମା’ ନାମର ମହନୀୟତା ପ୍ରତିପାଦନ କରେ। ମମତାର ଅସରନ୍ତି ଭଣ୍ଡାର ମା’। ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ମା’। ପୁଣି ଯେତେବେଳେ ସନ୍ତାନ ମା’ର ପଣତକୁ ଆଶ୍ରାକରେ, ଶତସିଂହ ବଳରେ ବଳୀୟାନ୍ ହୋଇ ମା’ ତାକୁ ସୁରକ୍ଷାଦିଏ। ଆଉ ସନ୍ତାନକୁ ଯଦି ସାହାରା ଦେବାର ଅବସର ଆସେ, ତେବେ ମା’ ଭିତରେ ଭରିଯାଏ ଅଫୁରନ୍ତ ସାମର୍ଥ୍ୟ। ଆଜି ମାତୃ ଦିବସରେ ଆସନ୍ତୁ ଏମିତି ଦୁଇଜଣ ମା’ଙ୍କୁ ଭେଟିବା ଯେଉଁମାନେ ନିଷ୍ଠାପର ଉଦ୍ୟମ ବଳରେ ଅଟିଜିମ୍ ପୀଡ଼ିତ ମାନସିକ ଅନଗ୍ରସର ସନ୍ତାନଙ୍କୁ ସକ୍ରିୟ ଓ ସୁଯୋଗ୍ୟ କରି ତୋଳିଛନ୍ତି।
ସନ୍ତାନର ସୁରକ୍ଷା ପାଇଁ ଜୀବନ ଯୁଦ୍ଧରେ ମାଆ କେବେ ହାରିଯିବା ଦେଖାଯାଇନାହିଁ। ସେଭଳି ଜଣେ ମା’ ହେଉଛନ୍ତି ବବିତା ଦାସ। ପୁଅ ଶ୍ରୀଜାତ ଜନ୍ମ ହେବାବେଳେ ବବିତା ମାତୃତ୍ବର ଆନନ୍ଦକୁ ମନଭରି ଉପଭୋଗ କରିଥିଲେ। ପୁଅକୁ ନେଇ ଅନେକ ସ୍ବପ୍ନ ଦେଖି ଖୁସିରେ ଆତ୍ମହରା ହୋଇଥିଲେ। କିନ୍ତୁ ଏହି ଅନାବିଳ ଆନନ୍ଦ ବେଶୀ ଦିନ ରହିପାରିଲା ନାହିଁ। ଶ୍ରୀଜାତ ଯେ ମାନସିକ ଅନଗ୍ରସର, ତାହା ଅନୁଭବ କରି ବିଚଳିତ ହୋଇପଡ଼ିଲେ ସେ। ବବିତା କହନ୍ତି, ‘‘ଯେତେବେଳେ ଶ୍ରୀଜାତକୁ ତିନିବର୍ଷ ହେଲା ମୁଁ ଜାଣିଲି ସେ ‘ଆଟେନ୍ସନ୍ ଡେଫିସିଏନ୍ସି ହାଇପର୍ ଡିଜ୍ଅର୍ଡର୍ ଅଟିଜିମ୍’ ପୀଡ଼ିତ। ବୃତ୍ତିରେ ଜଣେ ନର୍ସ ହୋଇଥିବାରୁ ମୁଁ ଏହା ସହଜରେ ବୁଝିପାରିଥିଲି। ଦୁଃଖ ତ ଲାଗିଲା, କିନ୍ତୁ ତାକୁ ଅନ୍ୟ ପିଲାଙ୍କ ପରି ଦକ୍ଷ କରିବାକୁ ଲାଗିପଡ଼ିଲି। ହତୋତ୍ସାହ ନହୋଇ ଦିନରାତି ଏକାଠିକଲି। ହସ୍ପିଟାଲ୍ରୁ ଫେରି ସମସ୍ତ ବଳକା ସମୟ ଶ୍ରୀଜାତ ପାଇଁ ଦେଲି। ତା’ପାଇଁ ଅନେକ ଚିକିତ୍ସା ବିଜ୍ଞାନ ନିବନ୍ଧ ପଢ଼ାପଢ଼ି କଲି। ସେହି ଅନୁସାରେ ତା’ର ମାନସିକ ବିକାଶ କରାଇଲି। ଶ୍ରୀଜାତ ଆଜି ଅନ୍ୟ ପିଲାଙ୍କ ସମକକ୍ଷ ହୋଇଛି।’’
ମାନସିକ ଅନଗ୍ରସର ବା ଅଟିଜିମ୍ର ଶିକାର ହୋଇଥିବା ପିଲାମାନଙ୍କୁ ମା’ମାନେ ଅଧିକ ସମୟ ଦେବାକୁ ପଡ଼ିଥାଏ। କାରଣ ଏହି ପିଲାମାନେ ସାଧାରଣତଃ ମାଆ କୋଳପଷା ହୋଇଥାଆନ୍ତି। ସେଥିରୁ ବଞ୍ଚିତ ହେଲେ ସେମାନଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଥାଏ। ସେମାନେ ଉତ୍ତ୍ୟକ୍ତ ହୋଇ ଘରେ ଭଙ୍ଗାରୁଜା କରନ୍ତି। ଏଭଳି ପିଲାମାନେ ସ୍ବଭାବରେ ଅତ୍ୟନ୍ତ ସ୍ନେହୀ ଓ ଦୟାବନ୍ତ, କିନ୍ତୁ ମିଥ୍ୟା ଓ ବିଶୃଙ୍ଖଳତା ସହି ପାରନ୍ତିନାହିଁ। ତେବେ ମା’ଙ୍କ ସହାୟତାରେ ଶ୍ରୀଜାତ ଏବେ ସମାଜ ବିଜ୍ଞାନରେ ସ୍ନାତକୋତ୍ତର କରୁଛନ୍ତି। କି-ବୋର୍ଡରେ ହିନ୍ଦୀ, ମଲୟାଲମ୍ ଓ ତେଲୁଗୁ ଗୀତ ଝଙ୍କାର ତୋଳିବାରେ ବି ସେ ସିଦ୍ଧହସ୍ତ। ଶିବ ତାଣ୍ଡବ, ଦୁର୍ଗାସ୍ତୁତି ଭଳି ସଂସ୍କୃତ ମନ୍ତ୍ର ବି ଅନର୍ଗଳ ଉଚ୍ଚାରଣ କରନ୍ତି। ଜିଲ୍ଲା ଓ ରାଜ୍ୟସ୍ତରୀୟ ପାରା ଟାଇକୋଣ୍ଡୋ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣପଦକ ହାସଲ କରି ବର୍ତ୍ତମାନ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି। ମା’ଙ୍କ ସଂପର୍କରେ ଶ୍ରୀଜାତ କହନ୍ତି,‘‘ମୁଁ ଘରେ କାଳଭୈରବ ପୂଜା କରୁଥିଲି। ବାପା ଖୁବ୍ ରାଗିଥିଲେ। କିନ୍ତୁ ମାମା ମୋତେ ବୁଝାଇ କହିଥିଲେ। ମାମା ସବୁକଥା ବୁଝାଇଦିଏ, ଆଉ ରାଗେନାହିଁ।’’
ଅନ୍ୟ ମା’ମାନଙ୍କ ଉଦ୍ଦେଶ୍ୟରେ ବବିତା କହନ୍ତି, ‘‘ଶ୍ରୀଜାତ ଭଳି ପିଲାମାନେ ବିଳମ୍ବରେ ସବୁ ଜିନିଷ ଶିଖିବା ଆରମ୍ଭ କରନ୍ତି, କିନ୍ତୁ ସେମାନଙ୍କର ସ୍ମୃତିଶକ୍ତି ବହୁତ ପ୍ରଖର। ତେଣୁ ସେମାନେ ଥରେ ପାଠ ମନେରଖିଲେ ଆଉ ଭୁଲନ୍ତି ନାହିଁ। ମାଆମାନଙ୍କର ପ୍ରେରଣାଦାୟୀ ଯତ୍ନ (ମୋଟିଭେସନାଲ୍ ଅାଫେକ୍ସନ୍) ପାଇଲେ ଏହି ପିଲାମାନେ ମାନସିକ ସ୍ତରରେ ଶକ୍ତିଶାଳୀ ହୋଇଉଠନ୍ତି। ତେଣୁ ପୁଅଝିଅ ଭିତରୁ କିଏ ଯଦି ମାନସିକ ଅନଗ୍ରସର ହୋଇଥାଏ, ତେବେ ହତାଶ ନ ହୋଇ ସେମାନଙ୍କୁ ସ୍ନେହ ଦିଅନ୍ତୁ, ସମୟ ଦିଅନ୍ତୁ ଓ ଯଥାସମ୍ଭବ ଅଧିକ ଦୃଷ୍ଟି ଦିଅନ୍ତୁ; ସେମାନେ ବି ଅନ୍ୟମାନଙ୍କ ଭଳି ଯୋଗ୍ୟ, ଦକ୍ଷ ଓ ସମର୍ଥ ହୋଇଉଠିବେ।’’ ବବିତାଙ୍କ ଭଳି ସଂଘର୍ଷମୟ ଜୀବନ ବିତାଇଥିବା ଆଉ ଜଣେ ସଫଳ ମା’ ହେଉଛନ୍ତି ଅନନ୍ୟା। ପୁଅ ଦିବ୍ୟାଂଶର ମାନସିକ ଅନଗ୍ରସରତାରେ ମ୍ରିୟମାଣ ହୋଇପଡ଼ିଥିବା ଅନନ୍ୟା ଆଜି କିନ୍ତୁ ତା’ ପାଇଁ ଉଲ୍ଲସିତ। ୨୦୧୭ ମସିହାର କଥା। ଯେତେବେଳେ ଡକ୍ଟର ଅନନ୍ୟା ପଟ୍ଟନାୟକ ଜାଣିଲେ ଯେ ତାଙ୍କ ପୁଅ ଦିବ୍ୟାଂଶ ଅଟିଷ୍ଟିକ୍, ସେତେବେଳେ ତାଙ୍କ ପାଦତଳୁ ଯେମିତି ମାଟି ଖସିଗଲା। ସେଦିନର କଥା ମନେପକାଇ ସେ କହନ୍ତି, ‘‘ମୁଁ ଦୁଃଖରେ ଭାଙ୍ଗିପଡ଼ିଲି। ଦିବ୍ୟାଂଶ ଓଠରେ ନିର୍ମାୟା ହସ ଦେଖିଲେ ମୋ ମନ ଆନନ୍ଦରେ ଭରିଯାଉଥିଲା। କିନ୍ତୁ ସେଇ ହସ ମୋ ଭିତରେ ଅବସାଦ ଭରିଦେଲା। ମନକୁ ଦୃଢ଼କଲି। ଭାବିଲି, ମୁଁ ହାରିଗଲେ ହେବନାହିଁ; ଦିବ୍ୟାଂଶକୁ ନିଜଗୋଡ଼ରେ ଠିଆକରିବାକୁ ପଡ଼ିବ। ମୋ ପାଖରେ ଦୁଃଖ କରିବା ପାଇଁ ସମୟ ବି ନଥିଲା। ମୁଁ ତା’ର ଚିକିତ୍ସା ଆରମ୍ଭକଲି।
ସ୍ପିଚ୍ ଥେରାପିରୁ ନେଇ ବିଭିନ୍ନ ପ୍ରକାର ମାନସିକ ଉନ୍ନତିକରଣ ଚିକିତ୍ସା, ସ୍ବତନ୍ତ୍ର ଶିକ୍ଷା ଏବଂ ଡାକ୍ତରଙ୍କ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ ଖାଦ୍ୟପଦାର୍ଥ, ସବୁକିଛି ମୁଁ ଦିବ୍ୟାଂଶକୁ ଯୋଗାଇଦେଲି। ମୁଁ ପ୍ରକ୍ରିୟାକୃତ, ଗ୍ଲୁଟେନ୍, କେସିନ୍ ଓ ଶର୍କରାମୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଦିବ୍ୟାଂଶକୁ ଖାଇବାକୁ ଦେଲି। ପ୍ରତିଦିନ ରାତିରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରି ଗୁମୁରି ଗୁମୁରି କାନ୍ଦୁଥିଲି ଏବଂ ସକାଳୁ ମୋର ସେ ଲୁହ ଶକ୍ତିରେ ପରିଣତ ହେଉଥିଲା। ପରିଶେଷରେ ମାତୃଶକ୍ତି ଆଗରେ ରୋଗ ହାର୍ ମାନିଲା। ଧୀରେ ଧୀରେ ଦିବ୍ୟାଂଶ ଉଜ୍ଜ୍ବଳ, ଚିରହାସ୍ୟମାନ ଓ ପ୍ରତିଭାଶାଳୀ ପିଲା ଭାବେ ନିଜକୁ ନିଜେ ଛିଡ଼ାକଲା। ଆଜି ସେ ନିଜେ ନିଜର ସବୁ ସମସ୍ୟା ସମାଧାନ କରି ସମସ୍ତଙ୍କ ହୃଦୟ ଜିତିପାରୁଛି। ଆଜି ମୁଁ କହିବି ନିରବଚ୍ଛିନ୍ନ ଉଦ୍ୟମ ଓ ଅଧ୍ୟବସାୟ ବଳରେ ଅଟିଷ୍ଟିକ୍ ଶିଶୁମାନେ ସମାଜରେ ଅନ୍ୟମାନଙ୍କ ସମକକ୍ଷ ହୋଇପାରିବେ।’’