ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସାରା ଓଡ଼ିଶାରେ ସୁପ୍ରସିଦ୍ଧ। ଏହାର କିଂବଦନ୍ତି ଶତାବ୍ଦୀ ପୁରାତନ। ପୂର୍ବରୁ ମା’ଙ୍କୁ ତେଲୁଗୁ ସ˚ପ୍ରଦାୟ ପକ୍ଷରୁ ସେବା କରାଯାଇ ଆସୁଥିଲା। କାଳକ୍ରମେ ଭଣ୍ତାରି ଜାତି ପକ୍ଷରୁ ସେବା କରାଗଲା। ପରେ   ଡେରା ସ˚ପ୍ରଦାୟ ପକ୍ଷରୁ ଏହାର ପରିଚାଳନା କରାଗଲା। ଗଡ଼ଜାତ ଶାସନକାଳରୁ ମା’ଙ୍କ ଯାତ୍ରା ବ˚ଶ ପରମ୍ପରା ଆଧାରିତ। ଜନଶ୍ରୁତି ଅନୁସାରେ, ସପ୍ତଦଶ ଶତାବ୍ଦୀରୁ  ମା’ଙ୍କର ଯାତ୍ରାକୁ   ଡେରା କୁଳର ଜଣେ ବ୍ୟକ୍ତି ତାଙ୍କ ସ˚ପ୍ରଦାୟର ସହଯୋଗରେ ଆରମ୍ଭ କରିଥିଲେ।

Advertisment

ଡେରା ସ˚ପ୍ରଦାୟର ପାତଲା ପାରେୟା ଦେଶୀବେହେରା  ମା’ଙ୍କର ଜଣେ ଭକ୍ତ। ସ୍ବର୍ଗତ ପାରେୟା ପ୍ରତ୍ୟେକ ଦିନ ମା’ଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଅନ୍ୟ କାମ କରୁଥିଲେ।  ବଣଜଙ୍ଗଲ ରାସ୍ତାରେ ଯାଇ ସେ ମା’ଙ୍କୁ ଦର୍ଶନ କରି ଫେରନ୍ତି। ଦିନେ ଦର୍ଶନ ସାରି ଫେରିବା ବେଳେ ବିଳମ୍ବିତ ସଂଧ୍ୟାରେ ଜଙ୍ଗଲିଆ ରାସ୍ତାରେ ଗୋଟିଏ ଝିଅର କାନ୍ଦ ଶୁଣିବାକୁ ପାଇଲେ।   ଝିଅଟି ବାଟହୁଡ଼ି ବାପଘରକୁ ଯିବା ପାଇଁ ରାସ୍ତା ପାଉନାହିଁ ବୋଲି ସୂଚନା ଦେଇଥିଲା। ସେ ତାର ବାପାଙ୍କ ନାମ ଜାଣି ନାହିଁ ବୋଲି କହିବା ପରେ ‘‘ମୁଁ ତୋ ବାପ ପରି, ଚାଲ୍‌ ଆଜି ରାତିକ ମୋ ଘରେ ରହିବୁ’’ ବୋଲି ପାରେୟା କହିଥିଲେ। ‘‘କାଲି ବାପାର ପରିଚୟ ଖୋଜି ତୋତେ ଛାଡ଼ି ଆସିବି’’ କହିବା ପରେ ଝିଅଟି କିଛି ସମୟ ନିରବ ରହି ହଠାତ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ସେଦିନ ରାତିରେ ପାରେୟାଙ୍କୁ ମା’ ସ୍ବପ୍ନରେ ଦର୍ଶନ ଦେଇ ସନ୍ଧ୍ୟାବେଳର ଘଟଣାକ୍ରମକୁ ମନେ  ପକାଇଦେବା ସହିତ ‘‘ଆଜି ଠାରୁ ତୁ ମୋର ବାପ ହେଲୁ, ମୋତେ ଝିଅ ଭାବେ ଘରକୁ ଆଣିବୁ’’ ବୋଲି କହିଥିଲେ। ପାରେୟା ନିଜର ଜାତି ଭାଇଙ୍କୁ ସମସ୍ତ ବୃତ୍ତାନ୍ତ କହିବା ପରେ, ସ˚ପ୍ରଦାୟ ପକ୍ଷରୁ ମା’ଙ୍କୁ ଆଣିବା ପାଇଁ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ମା’ଙ୍କ ଅନୁମତି ପାଇବା ପରେ ସ˚ପ୍ରଦାୟ ପକ୍ଷରୁ ମା’ଙ୍କୁ ନିମନ୍ତ୍ରଣ କରି ଆଣି ଯାତ୍ରା ଆରମ୍ଭ କରାଯାଇଥିଲା।

କାଳକ୍ରମେ ପାରେୟାଙ୍କ ବଂଶଧରମାନେ ଯାତ୍ରା ପରିଚାଳନା କରିବା ପରେ, ବାସବ ରାଜୁ ନିଜର ଏକ ପୁତ୍ରକୁ ଗୋସାଇଁ ବାପା ପି. ପୋଲେୟାଙ୍କ ନାମରେ ନାମିତ କରିଥିଲେ। ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିବା ପୋଲେୟା ଦେଶୀବେହେରା ୧୯୧୭ ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରିଥିଲେ। ତାଙ୍କ ଧର୍ମପତ୍ନୀ ପାତଲା ଗୌରୀ ମହାଲକ୍ଷ୍ମୀ ରାଜମଣି ମା’ଙ୍କୁ ଆବାହନ କରିବା ସହ ମା’ଙ୍କ ଆଜ୍ଞାମାଳ ବହନ କରି ଘଟ ପରିକ୍ରମା କରୁଥିଲେ। ସ୍ବର୍ଗତ ପୋଲେୟାଙ୍କର ପୁତ୍ର ନ ଥିବାରୁ  ନାତି ତଥା ସାନଝିଅ ଭି. ଲକ୍ଷ୍ମୀକାନ୍ତାଙ୍କର ଏକମାତ୍ର ପୁତ୍ର ଦୁର୍ଗାପ୍ରସାଦକୁ ପୁତ୍ର ଭାବେ ଗ୍ରହଣ କରି ଯାତ୍ରା ପରିଚାଳନା କରିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନର ଦେଶୀବେହେରା ପାତଲା ଦୁର୍ଗାପ୍ରସାଦ ୧୯୯୫ ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରୁଥିବା ବେଳେ ଧର୍ମପତ୍ନୀ ପି. ଦେବକୀ ମା’ଙ୍କ ଆଜ୍ଞମାଳ ଆଣିବା ଓ ମା’ଙ୍କ ଘଟ ବହନ କରି ଆସୁଛନ୍ତି।

ସାଧାରଣତଃ ମହାଶିବରାତ୍ରି ଯିବାର ୧୯ଦିନ ମଧ୍ୟରେ ମା’ଙ୍କର ଏହି ଯାତ୍ରା ପାଇଁ ଦିନ ଧାର୍ଯ୍ୟ କରାଯାଇଥାଏ।  ଦେଶୀବେହେରାଙ୍କ ସିଦ୍ଧାନ୍ତି(ପୁରୋହିତ) ଦିନ ଧାର୍ଯ୍ୟ କରନ୍ତି ଏବଂ ଶୁଭଲଗ୍ନ ଦେଖି ଶୁଭଖୁଣ୍ଟି ସ୍ଥାପନ କରାଯାଏ। ମା’ଙ୍କର ଏହି ଯାତ୍ରା ତିନିସପ୍ତାହରୁ ଅଧିକ ଦିନ ହୋଇଥାଏ। ମା’ ବାପଘରକୁ ଆସିବାର ତିନି ଦିନ ପରେ ଘଟ ପରିକ୍ରମା ହୋଇଥାଏ। ଏଥିରେ ଯାତ୍ରାଞ୍ଚଳର ପ୍ରାୟ ୧୦୬ଟି ସାହି ପରିକ୍ରମା କରିବା ବିଧି ରହିଆସିଛି। ଦୁଇବର୍ଷରେ ଏହି ଯାତ୍ରା ହେଉଥିବା ଯୋଗୁଁ ବହୁ ମାନସିକଧାରୀ ବିଭିନ୍ନ ବେଶଧାରଣ କରି ନିଜ ମନସ୍କାମନା ପୂରଣ କରିଥାନ୍ତି।
-ଲକ୍ଷ୍ମୀ ବେଜ