ପାଟନା: ବିହାରର ମୋତିହାରିରୁ ଜଣେ ମହିଳା ବିବାହର ୫ବର୍ଷ ପରେ ଏକାସାଙ୍ଗରେ ୪ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ଘଟଣା ଚର୍ଚ୍ଚାରେ ରହିଛି।
ସୂଚନାଯୋଗ୍ୟ, ବିସୁନପୁର ଢ଼େକହାରେ ବସବାସ କରୁଥିବା ରଞ୍ଜୁ ଦେବୀ ଓ ପପ୍ପୁ କୁମାର ଚୈଧୁରୀଙ୍କ ଘରେ ବୁଧବାର ସକାଳେ ଖୁସିର ଲହରି ଖେଳି ଯାଇଛି। ରଞ୍ଜୁ ଆଜି ଏକା ସାଙ୍ଗରେ ୪ଜଣ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଉଭୟ ପୁତ୍ର ସନ୍ତାନ ଓ କନ୍ୟା ସନ୍ତାନ ସାମିଲ ଅଛନ୍ତି।
ରଞ୍ଜୁଙ୍କ ପ୍ରସବ ମୋତିହାରିର ହସ୍ପିଟାଲ ରୋଡସ୍ଥିତ ବାତ୍ସଲ୍ୟ ନର୍ସିଂ ହୋମ ଆଣ୍ଡ ଆଇଭିଏଫ କେନ୍ଦ୍ରରେ ହୋଇଛି। ଏଠାରେ ଡାକ୍ତର ସ୍ବାସ୍ତିକ ସିହ୍ନା ଓ ଡାକ୍ତର ଅନନ୍ୟା ସିହ୍ନାଙ୍କ ନେତୃତ୍ବରେ ରଞ୍ଜୁଙ୍କ ଅସ୍ତ୍ରୋପଚାର କରାଯାଇଛି।
ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ରଞ୍ଜୁଙ୍କ ଅସ୍ତ୍ରୋପଚରା ସଫଳ ରହିବା ସହିତ ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି।
ଜେଜେମା’ ହେବା ଖୁସିରେ ରଞ୍ଜୁଙ୍କ ଶାଶୁ ନିଜର ଖୁସି ବଖାଣି କହିଛନ୍ତି, ‘ ମୋ ପୁଅର ବାହାଘରକୁ ୫ବର୍ଷ ପୁରିଛି। ଦୀର୍ଘ ବର୍ଷ ପରେ ମୁଁ ଜେଜେମା’ ହେବାର ସୌଭାଗ୍ୟ ପାଇଛି। ଆଜିର ଦିନ ମୋ ଶେଷ ନିଶ୍ବାସ ଯାଏଁ ମନେ ରହିବ। କାରଣ ଆଜିର ଦିନରେ ଆମ ପରିବାରରେ ଏକାସାଙ୍ଗରେ ୪ଜଣ ନୂଆ ସଦସ୍ୟ ସାମିଲ ହୋଇଛନ୍ତି।’