ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି

ଭୁବନେଶ୍ବର : ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆଜି ଦ୍ବିତୀୟ ଦିନରେ ଜାରି ରହିଥିଲା। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ, ଏ ସରକାର କିଛି କରୁ ନାହାନ୍ତି। ଖାଲି ପ୍ରଚାରରେ ମାତିଛନ୍ତି। ଫନି ମୁକାବିଲା ପାଇଁ ଶ୍ରେୟ ନେବାକୁ ଚାହୁଁଛନ୍ତି। କିନ୍ତୁ ୧୪ ଲକ୍ଷ ଲୋକଙ୍କୁ କିପରି ସ୍ଥାନାନ୍ତର କଲେ ଓ କେଉଁଠି ରଖିଲେ ତାହା ଜଣାପଡ଼ୁନି। ଫନି ପ୍ରଭାବିତ ଅଞ୍ଚଳରେ ବହୁ ସ୍କୁଲ୍‌ ଘର ଭାଙ୍ଗିଯାଇଛି। ଏ ଯାଏ ସେଗୁଡ଼ିକ ସଜଡ଼ା ଯାଇ ନାହିଁ। ବହୁ ଅଞ୍ଚଳରେ ବିଜୁଳି ସଂଯୋଗ ହୋଇ ନାହିଁ। ସରକାର ଖାଲି ବାହାବା ନେବାରେ ଲାଗିଛନ୍ତି। ବ୍ଲକ୍‌ଗୁଡ଼ିକରେ ବ୍ୟାପକ ପିସି କାରବାର ଚାଲିଛି। ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିଯାଇଛି। ନଗଡ଼ାର ଅପପୁଷ୍ଟି ରାଜ୍ୟର ବିକାଶର ଏକ ନମୁନା। ରାଜ୍ୟ ସରକାର ଲମ୍ବା ସମୟ ଧରି ଶାସନରେ ରହିଲେ ମଧ୍ୟ ବିକାଶ ତ୍ବରାନ୍ବିତ ହୋଇପାରିନି।

ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ ରାଜ୍ୟର ବିକାଶ ତ୍ବରାନ୍ବିତ ହୋଇଛି ବୋଲି ଦାବି କରି କହିଲେ, ଆମ ରାଜ୍ୟରେ ଲଗାତର ପ୍ରାକୃତିକ ବିପର୍ଯ୍ୟୟ ଆସୁଛି। କିନ୍ତୁ ଆମକୁ କେନ୍ଦ୍ରରୁ ଯେତିକି ସାହାଯ୍ୟ ମିଳିବା କଥା ତାହା ମିଳୁନି। ତଥାପି ଆମେ ବିକାଶମୂଳକ କାର୍ଯ୍ୟ ଜାରି ରଖିଛୁ। ଫନି ମୁକାବିଲାରେ ଆମେ ଇତିହାସ ରଚିଛୁ। ବିଭିନ୍ନ ମହଲରୁ ଆମକୁ ସେଥି ପାଇଁ ପ୍ରଶଂସା ମିଳୁଛି। ଏସ୍‌ଏଚ୍‌ଜି ମାଧ୍ୟମରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। କଟକ-ଭୁବନେଶ୍ବର ମଧ୍ୟରେ ମେଟ୍ରୋ ଚାଲିବା ପାଇଁ ପଦକ୍ଷେପ ନିଆଯାଉଛି। ଭୁବନେଶ୍ବରକୁ ବିଶ୍ବ ସ୍ତରୀୟ ସହରରେ ପରିଣତ କରାଯାଉଛି। ଓଡ଼ିଆ ଭାଷାର ବିକାଶ ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ଖୋଲାଯାଉଛି। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସାମଲ କହିଥିଲେ।

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଲେ, ଏ ସରକାର ପୂରା ପବନ। କଞ୍ଚା ମିଛ ବହୁତ କହୁଛନ୍ତି। ବାତ୍ୟା ମୁକାବିଲା ପାଇଁ ବାହାବା ନେଲେ। କିନ୍ତୁ ୭ ଦିନ ଯାଏ ରିଲିଫ୍ ପହଞ୍ଚାଇ ପାରିଲେ ନାହିଁ। ଏ ଯାଏ ବହୁ ଗାଁରେ ବିଜୁଳି ପହଞ୍ଚିନି। ବ୍ଲକ୍‌ଗୁଡ଼ିକରେ ତ ଆଖିବୁଜା ଦୁର୍ନୀତି ଚାଲିଛି। ଚାଷ ପାଇଁ ପ୍ରୋତ୍ସାହନ ନାହିଁ କି ନିଯୁକ୍ତି ପାଇଁ ସୁଯୋଗ ନାହିଁ। ସେଥି ପାଇଁ ଦାଦନ ଖଟିବାକୁ ଓଡ଼ିଆ ଯୁବକ ବାହାରକୁ ଚାଲିଯାଉଛନ୍ତି। ଏ ସରକାର କେବଳ ଭାଷଣ ସର୍ବସ୍ବ ହୋଇଯାଇଛି। ଏବେ ମେଟ୍ରୋ ଚଳାଇବାକୁ ସ୍ବପ୍ନ ଦେଖାଉଛନ୍ତି। ଯେତିକି ପାରିବ, ସେତିକି କୁହ। କାହିଁକି ମିଛ ଗୁଡ଼ା ଗପୁଛ ବୋଲି ଶ୍ରୀ ରାଉତରାୟ ତାଛଲ୍ୟ କରିଥିଲେ।

ଆଜିର ଆଲୋଚନା ବେଳେ ଅଫିସର ଗ୍ୟାଲେରିରେ ଅଫିସର ନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କ୍ଷୋଭ ପ୍ରକାଶ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନା ବେଳେ ଅଫିସରମାନେ ଉପସ୍ଥିତ ରହିବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ମନ୍ତ୍ରୀମାନେ ନିଜ ବିଭାଗର ଆଲୋଚନା ବେଳେ ବିଭାଗୀୟ ଅଧିକାରୀମାନଙ୍କୁ ଅଫିସର ଗ୍ୟାଲେରିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେବାପାଇଁ ବାଚସ୍ପତି କହିଥିଲେ।

ବିଜେପି ସଭ୍ୟ ମୋହନ ମାଝୀ, ବିଜେଡି ସଭ୍ୟ ବ୍ୟୋମକେଶ ରାୟ ଓ ଲତିକା ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତାକାଲି ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ।

ସମ୍ବନ୍ଧିତ ଖବର