ଅହମଦାବାଦ: କୁହାଯାଏ, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଯଦି ଆପଣଙ୍କର କିଛି କରିବାର ଇଚ୍ଛା ରହିଛି ତେବେ ଆପଣଙ୍କୁ ଆଗକୁ ବଢ଼ିବାର ବାଟ ଦିଶିଯିବ। କିଛି ସେଭଳି ଘଟିଥିଲା ଆଇଏଏସ୍ ଅଞ୍ଜୁ ଶର୍ମାଙ୍କ ସହ। ସେ ପ୍ରାରମ୍ଭିକ ଛାତ୍ରଜୀବନରେ ଅସଫଳ ହେବା ପରେ ନିରାଶ ହୋଇଯାଇ ନଥିଲେ। ବରଂ ବିଫଳତାରୁ ଶିକ୍ଷା ନେଇ ନିଜ ଲକ୍ଷ୍ୟରେ ଆଗକୁ ବଢ଼ିଥିଲେ। ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ତାଙ୍କୁ ସଫଳତାର ସ୍ବାଦ ଚଖାଇଲା। ସେ ଆଇଏଏସ୍ ଅଧିକାରୀ ବନି ଅନେକଙ୍କ ପାଇଁ ଉଦାହରଣ ପାଲଟିଲେ।
ବୋର୍ଡ ପରୀକ୍ଷାରେ ବିଫଳ ହେଲେ କିମ୍ବା ଭଲ ମାର୍କ ନରଖିଲେ ଜୀବନରେ କିଛି କରିହୁଏନାହିଁ ବୋଲି ଅନେକ ମତ ରଖନ୍ତି। ହେଲେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଗୁଜୁରାଟର କ୍ୟାଡର ଆଇଏଏସ୍ ଅଧିକାରୀ ଅଞ୍ଜୁ ଶର୍ମା। ୧୯୯୧ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଞ୍ଜୁ ଶର୍ମା ଦଶମ ଶ୍ରେଣୀ ପ୍ରି ବୋର୍ଡ ପରୀକ୍ଷାରେ ରସାୟନ ବିଜ୍ଞାନରେ ଏବଂ ପରେ ଦ୍ୱାଦଶ ଶ୍ରେଣୀରେ ଅର୍ଥନୀତି ପରୀକ୍ଷାରେ ଫେଲ୍ ହୋଇଥିଲେ। ଦୁଇ ଦୁଇ ଥର ଅସଫଳ ହୋଇ ବି ସେ ହାର୍ ମାନି ନ ଥିଲେ। ଅସଫଳ ହେବାର କାରଣ ଖୋଜି ସେ ଏହାକୁ ସୁଧାରିବା ସହ ଆଗକୁ ବଢ଼ିଥିଲେ।
ଅଞ୍ଜୁ ଶର୍ମା ଏକ ସାକ୍ଷାତକାରରେ କହିଥିଲେ ଯେ, ଦଶମ ଓ ଦ୍ବାଦଶରେ ଫେଲ୍ ହେବା ପରେ ମୁଁ ଜାଣିପାରିଥିଲି ଯେ ପରୀକ୍ଷାର ଠିକ ପୂର୍ବରୁ ପାଠ ପଢ଼ିଲେ ମୋତେ ସଫଳତା ମିଳିବ ନାହିଁ। କିଛି ହାସଲ କରିବାକୁ ହେଲେ ମୋତେ ପୂର୍ବରୁ ପ୍ରସ୍ତୁତି କରିବାକୁ ହେବ। ମୁଁ ଦୁଇ ଥର ଫେଲ ହୋଇଥିଲି କାରଣ ମୁଁ ପରୀକ୍ଷାର ପୂର୍ବଦିନ ପାଠ ପଢ଼ିବାକୁ ବସୁଥିଲି, ଯାହା ଭୁଲ ଥିଲା। ଦ୍ବାଦଶ ପରେ ମୁଁ ବିଏସସି ପାଠ ପଢ଼ିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲି। ଏହି କାରଣରୁ ପ୍ରଥମ ଚେଷ୍ଟାରେ ମୁଁ ୨୨ବର୍ଷରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲି।
ଯେଉଁମାନେ ପ୍ରାଥମିକ ପର୍ଯ୍ୟାୟରେ ଅସଫଳତାର ସମ୍ମୁଖୀନ ହୋଇ ନିରାଶ ହୁଅନ୍ତି ସେମାନଙ୍କ ଲାଗି ଅଞ୍ଜୁ ଶର୍ମା ନିଶ୍ଚିତ ଭାବେ ଏକ ଉଦାହରଣ ଭାବେ ଉଭା ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/t-7.jpg)