ଗୌହାଟି: ନିଷିଦ୍ଧ ସଂଗଠନ ଉଲଫାର ଜଣେ ଉଗ୍ରବାଦୀ ଥିବା ବିପୁଲ କାଲିତା ଗୋଟିଏ ସମୟରେ ବନ୍ଧୁକ ଧରି ସମାଜକୁ ଧ୍ୱଂସ କରିବାକୁ ସ୍ଥିର କରିଥିଲେ। ତେବେ, ସମୟ ଓ ବୟସ ସହିତ ତାଙ୍କର ପରିପକ୍ୱତା ତାଙ୍କୁ ଆଜି ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛି। ବର୍ତ୍ତମାନ ସେ ଆସାମରେ ଥିବା ନିଜ ସହର ଶିବସାଗରରେ ଅଳିଆ ସଫା କରିବାରେ ଜଡିତ ଜଣେ ଉଦ୍ୟୋଗୀ ହୋଇପାରିଛନ୍ତି। ୫୦ ବର୍ଷୀୟ ବିପୁଲ କାଲିତା 'ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ' (ୟୁଏଲ୍ଏଫ୍ଏ) ବା ଉଲ୍ଫାରେ ପ୍ରାୟ ୧୨ ବର୍ଷ ଧରି ଜଣେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରିଥିଲେ।
ବିପୁଲ ୨୦୦୦ ମସିହାରେ ହତିଆର ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିଥିଲେ। ଏହାପରେ ସେ ଏବେ ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ ସହ ରାଜ୍ୟର ପୂର୍ବ ଭାଗରେ ରହୁଛନ୍ତି। କାଲିତା ୨୦୧୬ରେ ଉଦ୍ୟୋଗୀ ହେବାକୁ ସ୍ଥିର କଲେ ଏବଂ ସାତ-ଆଠ ଭାଗୀଦାରଙ୍କ ସହିତ ମିଶି ଘର ଦ୍ୱାରରୁ ଅଳିଆ ସଂଗ୍ରହ ଆରମ୍ଭ କରିଥିଲେ। କଳିତା କହିଛନ୍ତି, 'ଆମେ ଶିବସାଗର ସହରର ୧୪ ନମ୍ବର ୱାର୍ଡରେ ଅଳିଆ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲୁ। ଆମେ ଦିବ୍ରୁଗଡ଼ରେ ଉପଯୁକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ବିଷୟରେ ଏକ ସଚେତନତା ଅଭିଯାନ କରିଥିଲୁ। ଯଦିଓ ଆମେ ପ୍ରାରମ୍ଭରେ ଏହି ଅଭିଯାନରେ ଆମେ ସାତ-ଆଠ ଜଣ ଲୋକ ଥିଲୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ଉପଯୁକ୍ତ କାର୍ଯ୍ୟ ଭାବରେ ବିବେଚନା କରୁ ନ ଥିବାରୁ ଛାଡି ଚାଲିଯାଇଥିଲେ। କିନ୍ତୁ, ମୁଁ ମୋର ଏନଜିଓ 'ରୂପାନ୍ତର' ସହିତ ଏହାକୁ ଏକାକୀ ଜାରି ରଖିଥିଲି ଏବଂ ଶୀଘ୍ର ଅନ୍ୟ ଛଅଟି ନାଗରିକ ସମାଜ ସଂଗଠନର ସାହାଯ୍ୟ ପାଇଥିଲି। କାଲିତାଙ୍କ ପାଖରେ ଏବେ ଡ୍ରାଇଭର ଓ ହେଲପରଙ୍କ ସମେତ ସାତଟି ଗାଡି ଏବଂ କର୍ମଚାରୀ ଅଛନ୍ତି।
୨୦ ରୁ ୨୫ମହିଳା ମଧ୍ୟ ବିପୁଲ କାଲିତାଙ୍କ ସହ କାମ କରୁଛନ୍ତି। ଅଳିଆ ସଂଗ୍ରହ ବ୍ୟତୀତ ଅଳିଆକୁ କମ୍ପୋଷ୍ଟରେ ପରିଣତ କରିବା ପାଇଁ ତାଙ୍କ ପାଖରେ ଦୁଇଟି ମେସିନ୍ ରହିଛି। ଏଗୁଡିକ ଶିବସାଗର ମ୍ୟୁନିସିପାଲିଟି ବୋର୍ଡ ଦ୍ୱାରା ସ୍ଥାପିତ ହୋଇଥିଲା। ମେସିନ ଯୋଗାଣକାରୀ ନୂଆଦିଲ୍ଲୀରୁ ଆସି କାଲିତା ଓ ତାଙ୍କ ଟିମକୁ ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟରେ ପରିଣତ କରିବା ପାଇଁ ତାଲିମ ଦେଇଥିଲେ। କଳିତାଙ୍କ ପାଇଁ ଏବେ ଆର୍ଥିକ ସଙ୍କଟ ସବୁଠୁ ବଡ ଅସୁବିଧା ପାଲଟିଛି।
କଳିତା କହିଛନ୍ତି, ଅଳିଆ ଉଠା ବାବଦରେ ପ୍ରତ୍ୟେକ ପରିବାରରୁ ପ୍ରତି ମାସରେ ଆମକୁ ୬୦ ଟଙ୍କା ଲେଖାଁଏ ମିଳିଥାଏ। ଯେଉଁଥିରୁ ଆମେ ମ୍ୟୁନିସିପାଲିଟି ବୋର୍ଡକୁ ୧୦ ଟଙ୍କା ଦେଇଥାଉ। ମାସିକ ଶୁଳ୍କ ଅନୁଯାୟୀ ବାଣିଜ୍ୟିକ କୋଠାଗୁଡ଼ିକ ସାମାନ୍ୟ ଅଧିକ ଦେୟ ଦିଅନ୍ତି କିନ୍ତୁ ଆମକୁ ଏହାର ୫୦ ପ୍ରତିଶତ ବୋର୍ଡକୁ ଦେବାକୁ ପଡୁଛି। ଆମେ ଟିକସ ଛାଡ କରିବାକୁ ମ୍ୟୁନିସିପାଲିଟି ବୋର୍ଡକୁ ନିବେଦନ କରୁଛୁ ଯାହା ଦ୍ୱାରା ଆମେ ଅଧିକ ଲାଭ ପାଇପାରିବୁ। ଉଲଫାର ସଦସ୍ୟ ଭାବରେ କଳିତା ବହୁ ବର୍ଷ ଧରି ଅବାଞ୍ଛିତ ଅଞ୍ଚଳରେ ରହିଆସିଛନ୍ତି, ତେଣୁ ତାଙ୍କୁ ଅସୁବିଧା ଓ ବାଧାବିଘ୍ନରେ ରୋକାଯାଇପାରିବ ନାହିଁ।