କୁକୁର ଠାରେ ବିରାଡ଼ି ସ୍ୱଭାବ: ୭ ଘଣ୍ଟାରେ ୭୩୦ ମୂଷା ମାରିଲେ ୮ଟି ଛୋଟ କୁକୁର

ଅଧିକାଂଶ ଲୋକଙ୍କର ଧାରଣା ବିରାଡ଼ି ହିଁ ହେଉଛି ମୂଷାର ପ୍ରଧାନ ପ୍ରାକୃତିକ ଶତ୍ରୁ। କିନ୍ତୁ, ମୂଷା ମାରିବାରେ ବିରାଡ଼ିମାନେ କୁକୁରମାନଙ୍କ ଭଳି ପ୍ରବୀଣ ନୁହନ୍ତି ବୋଲି ନିକଟ ଅତୀତରେ ଘଟିଥିବା ଗୋଟାଏ କଥାରୁ ଜଣାପଡ଼ିଛି।

ଇଂଲଣ୍ଡ୍‌ର ‘ସଫୋକ୍‌’ ଅନ୍ତର୍ଗତ ‘ଆଇ’ ଠାରେ ଥିବା ଫାର୍ମଗୁଡ଼ିକରେ ମୂଷା ବଂଶ ବଢ଼ି ଚାଷୀମାନଙ୍କୁ ନାକେଦମ କରି ପକାଇଥିଲେ। ବିଶେଷକରି ଏହି ମୂଷାମାନେ ଘୁଷୁରିମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟପଦାର୍ଥ ଖାଇଦେଲେ। ସେଥିରେ ପୁଣି ଗୋଟାଏ ଗୋଟାଏ ମୂଷାର ଓଜନ ପ୍ରାୟ ଏକ କିଲୋଗ୍ରାମ୍‌। ଏଭଳି ମୂଷାମାନଙ୍କୁ ଦମନ କରିବା ଚାଷୀଙ୍କ ପକ୍ଷେ ସମ୍ଭବ ନ ହେବାରୁ ସେମାନେ ମୂଷାମରା କମ୍ପାନି ‘ସଫୋକ୍‌ ଆଣ୍ଡ୍‌ ନର୍‌ଫୋକ୍‌ ର‍୍ୟାଟ୍‌ ପ୍ୟାକ୍‌’ଙ୍କ ଦ୍ୱାରସ୍ଥ ହେଲେ।

Image Courtesy of Zambian Watchdog

ଏହି କମ୍ପାନି ମୂଷା ନିପାତ କରିବାରେ ସମଗ୍ର ଇଂଲଣ୍ଡର ଚାଷୀମାନଙ୍କୁ ସହାୟତା କରି ସୁନାମ ଅର୍ଜନ କରିଛି। ତାଲିମପ୍ରାପ୍ତ କୁକୁରଙ୍କୁ ଲଗାଇ ମାତ୍ର ଅଳ୍ପ କେତେ ଘଣ୍ଟାରେ ଏହି କମ୍ପାନି ଘଟଣାସ୍ଥଳରୁ ମୂଷାବଂଶ ମୂଳପୋଛ କରିପକାଏ।

‘ସଫୋକ୍‌ ଆଣ୍ଡ୍‌ ନର୍‌ଫୋକ୍‌ ର‍୍ୟାଟ୍‌ ପ୍ୟାକ୍‌’ କମ୍ପାନି ଗୋଟାଏ ବିଶେଷ ପ୍ରଜାତିର ଛୋଟ କୁକୁରଙ୍କୁ ତାଲିମ ଦେଇ ମୂଷାମରା ଅଭିଯାନରେ ମୁତୟନ କରେ। ମୂଷା ପ୍ରତି ଶତ୍ରୁତା ଆଚରଣ କରିବାକୁ ଏହି ବିଶେଷ ପ୍ରଜାତିର କୁକୁରମାନଙ୍କର ଗୁଣସୂତ୍ର ପରିବର୍ତ୍ତନ କରାଯାଇଛି। ସତେ ଅବା ମୂଷା ମାରିବାକୁ ଏମାନଙ୍କର ଜନ୍ମ।

ଏହି ପ୍ରଜାତିର ମାତ୍ର ୮ଟି ଛୋଟିଆ କୁକୁର ୭ ଘଣ୍ଟା ଭିତରେ ସେ ଅଞ୍ଚଳରୁ ୭୩୦ରୁ ଅଧିକ ମୂଷା ନିପାତ କରି ପକାଇଲେ।

Image Source: Metro

ମୂଷାମରା କମ୍ପାନିର ୩୪ ବର୍ଷିୟ ପରିଚାଳକ ଇ. ଡି. କୁକ୍‌ କହନ୍ତି: ମୂଷା ମାରିବା ପାଇଁ ହିଁ ଏହି ପ୍ରଜାତିର କୁକୁରମାନଙ୍କୁ ଉତ୍ପନ୍ନ କରାଯାଇଛି। ଶିକାର କରିବା ପ୍ରବୃତ୍ତି ସେମାନଙ୍କ ଡିଏନ୍‌ଏରେ ଭର୍ତ୍ତି କରାଯାଇଛି। ମୂଷା ମାରିବା ନିମନ୍ତେ ଆମେ ସେମାନଙ୍କୁ କୌଣସି ବିଶେଷ ତାଲିମ ଦେଉନାହୁଁ। ମୂଷା ଧରି ମାରିବା ହେଉଛି ସେମାନଙ୍କର ପ୍ରବୃତ୍ତି। ମୂଷା ଦେଖାଇ କୁକୁରମାନଙ୍କୁ ଉସ୍‌କାଇଲେ ସେମାନେ ତାକୁ ଧରି ଆଣି ପାରନ୍ତି। କିନ୍ତୁ, ଏଇ କୁକୁରମାନେ ସ୍ୱତଃପ୍ରବୃତ୍ତ ଭାବେ ମୂଷା ଧରିବାକୁ ଆଗଭର ହୋଇ ବାହାରି ପଡ଼ନ୍ତି।

ନର୍ଫକ୍‌ ଟେରିୟର୍‌, ଓ୍ଵିପେଟ୍‌, ପ୍ୟାଟର୍‌ଡେଲ୍‌ ଆଦି ପ୍ରଜାତିର କୁକୁରଙ୍କ ଗୁଣସୂତ୍ର ପରିବର୍ତ୍ତନ କରାଯାଇ ସେମାନଙ୍କୁ ମୂଷାମରା କାର୍ଯ୍ୟରେ ଲଗାଯାଇ ପାରୁଛି। ମୂଷା ବ୍ୟାପୀଥିବା ଅଞ୍ଚଳ ଦେଖାଇ ଦେବା ପରେ ଏହି ସାହସୀ କୁକୁରମାନେ ମୂଷା ଧରିବା କାମରେ ମାତି ଯାଆନ୍ତି। ଗୋଟିଏ ଗୋଟିଏ ମୂଷା ମାରିବାକୁ ଏମାନଙ୍କୁ ପ୍ରାୟ ତିନିରୁ ଚାରି ସେକେଣ୍ଡ୍‌ ଲାଗେ। ପ୍ରାୟ ଆଠ ଘଣ୍ଟା ଖଟି ଏମାନେ ସମ୍ପୃକ୍ତ ଅଞ୍ଚଳରୁ ମୂଷା ବଂଶ ବୁଡ଼ାଇ ଦିଅନ୍ତି। ଏହି ମୂଷାମାନଙ୍କ ମଧ୍ୟରୁ କେତେକଙ୍କ ଆକାର ଏହି କୁକରମାନଙ୍କ ଭଳି। (ଏସ୍‌ପି)

ସମ୍ବନ୍ଧିତ ଖବର