ଜାପାନ୍‌ର ଉଚ୍ଚତମ ଶୃଙ୍ଗର ନାମ ମାଉଣ୍ଟ୍‌ ଫୁଜି ବା ଫୁଜିସାନ୍‌। ଫୁଜିର ଉଚ୍ଚତା ୩୭୭୬ ମିଟର‌୍‌ ଅର୍ଥାତ୍‌ ଏଭ୍‌ରେଷ୍ଟ୍‌ର ଉଚ୍ଚତାର ତିନି ଭାଗରୁ ପ୍ରାୟ ଏକ ଭାଗ। ହୋନ୍‌ସୁ ଦ୍ବୀପରେ ଅବସ୍ଥିତ ଫୁଜି କେବଳ ପର୍ବତ ନୁହେଁ, ସେଇଟି ଗୋଟିଏ ଆଗ୍ନେୟଗିରି ମଧ୍ୟ। ଏବେ ସେଥିରୁ ଲାଭା ବାହାରୁନାହିଁ। ୧୭୦୭ରେ ଶେଷ ଥର ପାଇଁ ଅଗ୍ନି ଉଦ୍‌ଗିରଣ ହୋଇଥିଲା। ଜାପାନୀଙ୍କ ପାଇଁ ଫୁଜି ପର୍ବତ ଅତି ପବିତ୍ର, ଯେମିତି ଆମ ପାଇଁ ହିମାଳୟ। ‘ଫୁଜି’ର ଅର୍ଥ ‘ଚିରନ୍ତନ ଜୀବନ’ ବା ‘ଯାହାର ମୃତ୍ୟୁ ନାହିଁ’। ବର୍ଷର ଅଧିକା˚ଶ ସମୟରେ ଫୁଜି ବରଫାବୃତ ଥାଏ। ଦୂରକୁ କୋନ୍‌ ଆଇସ୍‌କ୍ରିମ୍‌ ପରି ଦିଶେ। ଫୁଜିର ପାଦଦେଶରେ ରହିଛି ସେଠାକାର ସବୁଠାରୁ ବଡ଼ ଜାତୀୟ ଉଦ୍ୟାନ। ଏହାକୁ ୨୦୧୩ରେ ବିଶ୍ବ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା।