ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଠାକୁର ମୋ ଡାକ ଶୁଣିଲେନି
ବିଜୟ ଭାଇଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମର୍ମାହତ। ସଂଧ୍ୟାରୁ ତାଙ୍କ ଦେହ ଅସୁସ୍ଥ ଖବର ଶୁଣି ମୁଁ ଠାକୁର ଘରେ ବସି ପ୍ରାର୍ଥନା କରି ଚାଲିଥିଲି। ହେଲେ ଠାକୁର ମୋ ଡାକ ଶୁଣିଲେଣି। ଅଧାବାଟରେ ଏ ସାନ ଭାଇକୁ ଏକା ଛାଡ଼ି ମୋ ଭାଇ ଚାଲିଯାଇଛନ୍ତି। ପିଲାଟି ବେଳୁ ବାରିପଦାରେ ତାଙ୍କ ସହ ମୋର ଦେଖା। ତାଙ୍କ ଅଧୀନରେ ମୁଁ ଅନେକ ନାଟକରେ କାମ କରି ଅଭିନୟରେ ପରିପକ୍ବ ହୋଇଛି। ତାଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛି। ଚଳଚ୍ଚିତ୍ରରେ ସେ ଅନେକ ସମୟରେ ମୋ ବଡ଼ ଭାଇ ଭୂମିକାରେ ନଜର ଆସିଛନ୍ତି। ଠିକ୍‌ ‌ସେମିତି ବାସ୍ତବ ଜୀବନରେ ସେ ମୋ ପାଇଁ ବଡ଼ ଭାଇ ଭଳି ଥିଲେ।
ଉତ୍ତମ ମହାନ୍ତି, ବିଶିଷ୍ଟ ଅଭିନେତା

ସେ ଜଣେ ସ୍ନେହୀ, ଭଦ୍ର ଓ ଦରଦୀ ମଣିଷ ଥିଲେ
ବିଜୟ ମହାନ୍ତି କେମିତି ଅଭିନେତା ଥିଲେ ତାହା ଦର୍ଶକ ଓ ଦୁନିଆ କହିବ। ‌ତା’ ଅଭିନୟ ବିଷୟରେ କହିବାର ଯୋଗ୍ୟତା ମୋର ନାହିଁ। କିନ୍ତୁ ଏତିକି କହିବି ସେ ଜଣେ ସ୍ନେହୀ, ଭଦ୍ର ଓ ଦରଦୀ ମଣିଷ ଥିଲେ। ତା’ ସହ ଯିଏ ମିଶିଛି ‌ସେ ତାଙ୍କୁ ଅତି କମ୍‌ ସମୟ ଭିତରେ ଆପଣାର କରିନେଇଛି। ତା’ର ଅବଦାନ ଓଡ଼ିଶା ପ୍ରତି ତଥା ଚଳଚ୍ଚିତ୍ର ଓ ନାଟକ ଜଗତ ପ୍ରତି କ’ଣ ରହିଛି ଆମେ ସମସ୍ତେ ଜାଣୁ। କିନ୍ତୁ ତା’ ପ୍ରତି ବଦଳରେ ଓଡ଼ିଶା ତାଙ୍କୁ କ’ଣ ଦେଲା? ଜଣେ ଅସୁସ୍ଥ ବ୍ୟକ୍ତି ତଥା ଓଡ଼ିଶାର ଆଗଧାଡ଼ିର ଜଣେ ବ୍ୟକ୍ତିତ୍ବଙ୍କୁ ଏୟାର ଆମ୍ବୁଲାନ୍ସରେ ଆଣିବା କଥା କେହି ଚିନ୍ତା କଲେନି? ହାଇଦ୍ରାବାଦରୁ ଆମ୍ବୁଲାନ୍ସରେ ରାସ୍ତା ସାରା ଛେଚିକଚି ଆଣି ଓଡ଼ିଶା ବିଜୟର ଅବଦାନର ଋଣ ପରିଶୋଧ କରିଦେଲା।
ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଶିଷ୍ଟ ସଙ୍ଗୀତଜ୍ଞ

ମୋ ଅନୁରୋଧରେ ଗୀତ ଗାଇଥିଲେ
ଓଡ଼ିଆ ଚଳଚ୍ଚିତ୍ର ଜଗତ ଏମିତି ଏକ ଅଭିନେତାଙ୍କୁ ହରାଇଛି ଯାହାର ସ୍ଥାନ ଆସନ୍ତା ଦଶନ୍ଧି ଦଶନ୍ଧି ଧରି ପୂରଣ ହୋଇପାରିବ ନାହିଁ। ସେ ଜଣେ ସମ୍ପୂର୍ଣ୍ଣ କଳାକାର ଥିଲେ। ଅଭିନୟ ଓ ମଞ୍ଚ ତାଙ୍କ ପାଇଁ ପୂଜା ଥିଲା। ‌୮୦ ଦଶକ ଶେ‌ଷ ଆଡ଼କୁ ଓ ୯୦ ଦଶକ ଆରମ୍ଭରୁ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ସେତେବେଳେ ଦିଗ୍‌ଗଜ୍‌ କଳାକାରମାନେ ଚଳଚ୍ଚିତ୍ରର କିଛି ଗୀତରେ କଣ୍ଠଦାନ କରୁଥିଲେ। ମହାନାୟକ ଅମିତାଭ ବଚ୍ଚନ ଏହାର ଉଦାହରଣ। ଏଣୁ ମୁଁ ବିଜୟ ସାର୍‌ଙ୍କୁ ବହୁତ ଅନୁରୋଧ କରିଥିଲି ଚଳଚ୍ଚିତ୍ରରେ ଗୀତ ଗାଇବାକୁ। ସେ ଆମ ଓଡ଼ିଶାର ଅମିତାଭ ବଚ୍ଚନ ଥିଲେ। ମୋ ଅନୁରୋଧ ରକ୍ଷା କରି ‘ଧର୍ମର ହେବ ଜୟ’ ଚଳଚ୍ଚିତ୍ରର ‘ବୋଉ ଲୋ ବୋଉ’ ସଙ୍ଗୀତରେ ନିଜ କଣ୍ଠ ଦାନ କରିଥିଲେ।
ମଳୟ ମିଶ୍ର, ସଙ୍ଗୀତଜ୍ଞ

ମୁନ୍ନା ଡାକ ଆଉ କେବେ ଶୁଣିବାକୁ ମିଳିବନି
ମୋର ପ୍ରଥମ ଚଳଚ୍ଚିତ୍ରରେ ବିଜୟ ସାର୍‌ ମୋ ବ‌ାବା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେବେଠାରୁ ମୋ ସମ୍ପର୍କ ଓ ଭାବ ତାଙ୍କ ସହ କିଛି ଅଲଗା ପ୍ରକାର। ସେ ଗୁରୁ-ଶିଷ୍ୟର କି ବାପା ପୁଅର, ସେ କଥା ମୁଁ ଜାଣେନି। କିନ୍ତୁ ଆମ ଭିତରେ ଏକ ସମ୍ପର୍କ ଥିଲା, ଯାହାକୁ କେବଳ ଅନୁଭବ କରିହୁଏ। ସେ ମତେ ମୁନ୍ନା କହିକି ଡାକନ୍ତି। ଏବେ ବି ସେ ଡାକ କାମରେ ମୋର ଗୁଞ୍ଜରି ଉଠୁଛି। ସେ ଡାକ ଆଉ ବୋଧେ ଜୀବନରେ କେବେ ଶୁଣିବାକୁ ମିଳିବନି। ବିଜୟ ସାର୍‌ ଏକ ଅନୁଷ୍ଠାନ ଥିଲେ। ଏତେ ସଫଳ ଅନୁଷ୍ଠାନର ବୟସ କ’ଣ ଏତେ କମ୍‌ ହୋଇପାରେ? ନା, କେବେ ବି ନୁହେଁ। ଭଗବାନ ହିଁ ଜବରଦସ୍ତ ସାର୍‌ଙ୍କୁ ଆମଠୁ ଛଡ଼ାଇ ଦେଇଛନ୍ତି।
ସିଦ୍ଧାନ୍ତ ମହାପାତ୍ର, ଅଭିନେତା

‘ନାଗଫାଶ’ ସୁଟି˚ ପାଇଁ ରିକ୍ସାରେ ଆସୁଥିଲେ
ମୋ ବାପା (ବସନ୍ତ ନାୟକ) ତାଙ୍କର ପ୍ରଥମ ସାକ୍ଷାତକାରରେ ହିଁ ସେ ଭଲ ଅଭିନୟ କରିପାରିବେ ବୋଲି ବିଶ୍ବାସ ରଖିଥିଲେ। ‘ନାଗଫାଶ’ର ସେଟ୍‌ ନୂଆବଜାର ବେଲେଶ୍ବରସ୍ଥିତ ଆମ ଫାର୍ମ ହାଉସ୍‌ରେ ଲାଗିଥିଲା। ସେ ପ୍ରତ୍ୟେକ ଦିନ ବସ୍‌ରେ ଭୁବନେଶ୍ବରରୁ କଟକ ବାଦାମବାଡ଼ି ଆସନ୍ତି। ସେଠାରୁ ରିକ୍‌ସା ଯୋଗେ ନୂଆବଜାର ଆସୁଥିଲେ। ବ୍ରଜରାଜ ମୁଭିଜ୍‌ର ଉତ୍ତମ ମହାନ୍ତିଙ୍କ ସହ ସେ ଜଣେ ଟାଣୁଆ ସ୍ତମ୍ଭ ଥିଲେ। ଏଇ ବ୍ୟାନରରେ ୧୫ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି। ଏମିତିକି ମୋର ଓ ଅନୁଭବଙ୍କ ପ୍ରଥମ ସିନେମା ‘ଆଇ ଲଭ୍‌ ୟୁ’, ଅରିନ୍ଦମଙ୍କ ପ୍ରଥମ ସିନେମା ‘ପ୍ରେମ ଋତୁ ଆସିଲାରେ’, ବାବୁସାନ୍‌ଙ୍କ ପ୍ରଥମ ସିନେମା ‘ରୋମିଓ ଦି ଲଭର ବଏ’ରେ ବି ତାଙ୍କୁ ନିଆଯାଇଥିଲା। ତାଙ୍କର ପ୍ରେରଣାରେ ଅନ୍ୟ ଅଭିନେତାମାନେ କାମ କରି ଚାଲୁଥିଲେ।
ସ˚ଜୟ ନାୟକ, ବିଶିଷ୍ଟ ପ୍ରଯୋଜକ

ଓମ୍‌ପୁରୀ, ନାସିରୁଦ୍ଦିନ୍‌ଙ୍କଠାରୁ ବି ଭଲ ଅଭିନେତା
ବିଜୟ ମହାନ୍ତିଙ୍କ ସହ ମୋର ୩୦ ବର୍ଷରୁ ଅଧିକ ସମୟର ସମ୍ପର୍କ। କେବଳ ବ୍ୟକ୍ତିଗତ ନୁହେଁ, ପାରିବାରିକ ଭାବେ ମଧ୍ୟ ଆମେ ସମସ୍ତେ ପରସ୍ପର ସହିତ ଜଡ଼ିତ ଥିଲୁ। ତାଙ୍କ ସହ ଥିଏଟର, ଯାତ୍ରା, ସିନେମା, ଟିଭି ପ୍ରୋଜେକ୍ଟ, ଦୂରଦର୍ଶନରେ ସାକ୍ଷାତକାର ଇତ୍ୟାଦି କରିଛି। ଓଡ଼ିଆ ସିନେମା ଜଗତର ସେ ଜଣେ କିଂବଦନ୍ତି। କାରଣ ଏନ୍‌ଏସ୍‌ଡି ପଢ଼ିଲାବେଳେ ତାଙ୍କ ବ୍ୟାଚ୍‌ମେଟ୍‌ ଓମ୍‌ପୁରୀ, ନାସିରୁଦ୍ଦିନ୍‌ ଶାହାଙ୍କଠୁ ବି ସେ ଭଲ ଅଭିନୟ କରିପାରୁଥିଲେ। କିନ୍ତୁ ବମ୍ବେରେ ରହିବା ଅପେକ୍ଷା ସେ ଓଡ଼ିଶାରେ କ୍ୟାରିଅର କରିବାକୁ ଚାହିଁଥିଲେ। ତାଙ୍କର ଏତେ ଦକ୍ଷତା ଥିଲେ ବି ତାଙ୍କ ପାଖରେ ଶିଶୁ ସୁଲଭ ଗୁଣ ଥିଲା। ସେ ଖାଇବାକୁ ବହୁତ ପସନ୍ଦ କରନ୍ତି। ମୋ ପତ୍ନୀ ରାନ୍ଧିଦେଲେ ତାକୁ ସ୍ନେହରେ ଖାଇ ଦିଅନ୍ତି। ଶେଷ ଥର ପାଇଁ ତାଙ୍କ ସହ ମାର୍ଚ୍ଚ ମାସ ବେଳକୁ ରବୀନ୍ଦ୍ର ମଣ୍ତପରେ ଭେଟାଭେଟି ହୋଇଥିଲା। ଏକ ଡ୍ରାମା ଚାଲିଥିଲାବେଳେ ସେ ଆଗ ଧାଡ଼ିରେ ବସିଥାନ୍ତି। ମୋ’ଠାରୁ ଦୁଇଟି ସିଟ୍‌ ଛାଡ଼ିକି ସେ ବସିଥିଲେ। ମୋତେ ଦେଖି ସେ ପାଖ ଲୋକଙ୍କୁ ଉଠାଇ ନିଜେ ମୋ ପାଖରେ ବସିଲେ। କଟକ ପାନ ଆଣିଛ କି ନାହିଁ ପଚାରିଲେ। କଟକ ପାନ ଖାଇବାକୁ ତାଙ୍କର ବହୁତ ଆଗ୍ରହ ଥାଏ। ମୁଁ ତାଙ୍କୁ ପାନ ଦେଲି। ଦୁହେଁ ପାନ ଖାଇ ଆନନ୍ଦରେ ଡ୍ରାମା ଉପଭୋଗ କଲୁ।
ର˚ଜିତ ପଟ୍ଟନାୟକ, ସ˚ଳାପକାର ତଥା ନାଟ୍ୟକାର

ଏକା ସାଙ୍ଗରେ କ୍ୟାରିଅର୍ ଆରମ୍ଭ କରିଥିଲୁ
ବିଜୟ ମହାନ୍ତିଙ୍କ ପରଲୋକ‌କୁ ମୁଁ ବିଶ୍ବାସ କରିପାରୁନାହିଁ। ଆଜି ଓଡ଼ିଆ କଳାକାର ଜଗତ, ଦର୍ଶକ, ପ୍ରଯୋଜକ, ନିର୍ଦ୍ଦେଶକ… ସମସ୍ତଙ୍କ ଆଖିରେ ଲୁହ। ଆମେ ଦୁଇ ଜଣ ଏକା ସଙ୍ଗେ କ୍ୟାରିୟର ଆରମ୍ଭ କରିଥିଲୁ। ପ୍ରଥମ କରି ଆମେ ଦୁହେଁ ‘ଶପଥ’ ସିନେମାରେ ଅଭିନୟ କରିଥିଲୁ। କିନ୍ତୁ ଏହା ଶେଷ ହୋଇପାରିଲା ନାହିଁ। ପରେ ନାଗଫାଶ, ଜାଇଫୁଲ, ପୁଅ ମୋର କଳାଠାକୁର..ଆଦି ଅନେକ ଚଳଚ୍ଚିତ୍ରରେ ଦୁହେଁ ଅଭିନୟ କରିଛୁ। ମୁଁ ତାଙ୍କୁ ବିଜୟ ବାବୁ ବୋଲି ଡାକିଲେ ସେ ବିରକ୍ତ ହୁଅନ୍ତି। କୁହନ୍ତି, ‘ବିଜୟ ଭାଇ ଡାକ, ମୁଁ ତୁମକୁ ଜୟୀ ଭାଇ’ ଡାକିବି। ଦୁର୍ଦ୍ଦାନ୍ତ କଳାକାର ସେ। ସେ ଯେ କୌଣସି ଚରିତ୍ରରେ ଠିଆ ହେଲେ ବି ତାହାକୁ ଫୁଟାଇ ଦେଉଥିଲେ। ଅତି ଅମାୟିକ ବ୍ୟକ୍ତିତ୍ବ। ଠାକୁର ତାଙ୍କର ମହାନ ଆତ୍ମାକୁ ଶାନ୍ତିରେ ରଖନ୍ତୁ, ଏତିକି ପ୍ରାର୍ଥନା କରିବି।
ଜୟୀରାମ ସାମଲ, ବିଶିଷ୍ଟ ହାସ୍ୟ ଅଭିନେତା

କାନ୍ଧରୁ ଗାମୁଛା କାଢ଼ି କାନ୍ଦିବା ବେଳେ ଦର୍ଶକ କାନ୍ଦୁଥିଲେ
ବିଜୟ ମହାନ୍ତିଙ୍କ ପରଲୋକରେ ଓଡ଼ିଶା ସିନେମାର ଏକ ଯୁଗର ଅବସାନ ଘଟିଲା। ସିନେମା ପାଠ ପଢ଼ି ନିଜକୁ ଜଣେ ସଫଳ କଳାକାର ଭାବେ ସେ ପ୍ରତିଷ୍ଠା କରିଥିଲେ। ସବୁ ପ୍ରକାର ଚରିତ୍ରରେ ନିଖୁଣ ଅଭିନୟ କରି ଓଡ଼ିଶା ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିଲେ। ସେ ହିରୋ ହୁଅନ୍ତୁ, ଖଳନାୟକ ହୁଅନ୍ତୁ ବା ଚରିତ୍ର ଭୂମିକା କରନ୍ତୁ, ତାଙ୍କ ଉପରେ ଚଳଚିତ୍ର ସଫଳତା ନିର୍ଭର କରୁଥିଲା। ବିଜୟ ମହାନ୍ତି କାନ୍ଧରୁ ଗାମୁଛା କାଢ଼ି କାନ୍ଦିଲା ବେଳେ ଦର୍ଶକଙ୍କ ଆଖିରୁ ଲୁହ ଆପେ ଆପେ ବାହାରୁଥିଲା। ସେ ଥ‌ିଲେ ଅନେକଙ୍କ ପାଇଁ ପ୍ରେରଣା, ଆଦର୍ଶ ଓ ଉଦାହରଣ।
ବିଜୟ ମଲ୍ଲ, ବରିଷ୍ଠ ଗୀତିକାର ତଥା ସଂଳାପ ଲେଖକ

ନିଖୁଣ ଅଭିନୟ କରୁଥିଲେ, ଭଲ ମଣିଷ ଥିଲେ
ବିଜୟ ମହାନ୍ତି ଓଡ଼ିଆ ସ‌ିନେମା ଜଗତର ବହୁମୁଖୀ ପ୍ରତିଭା। ଯେ କୌଣସି ଚରିତ୍ର‌ରେ ଅଭିନୟରେ ନିଖୁଣ ଅଭିନୟ କରିପାରୁଥିଲେ ସେ। ମଣିଷ ହିସାବରେ ଅତ୍ୟନ୍ତ ଭଲ ମଣିଷ। ଆଜି ତାଙ୍କ ପରଲୋକ ଓଡ଼ିଆ ସିନେମା କାହିଁକି, ଓଡ଼ିଆ କଳା ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି। ସେ ସିନେମାକୁ ଆସିବା ଦିନରୁ ତାଙ୍କ ସହିତ ଓ ତାଙ୍କ ପରିବାର ସହିତ ମୋର ସଂପର୍କ। ଏଭଳି ଦୁଃଖ ସହିବାକୁ ଭଗବାନ ତନ୍ଦ୍ରାକୁ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ।
ତୃପ୍ତି ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ

ଓଡ଼ିଶାକୁ ଛାଡ଼ି ପାରି ନଥିଲେ
ବିଜୟ ମହାନ୍ତି ଚାଲିଯିବା ଘଟଣା ଓଡ଼ିଆ ସ‌ିନେମା ଜଗତକୁ ବ୍ୟଥିତ କରିଛି। ଏନ୍ଏସ୍‌ଡିରୁ ପାସ୍ କରିବା ପରେ ସେ ଓଡ଼ିଶାକୁ କର୍ମଭୂମି ବାଛିଥିଲେ। ସେ ଚାହିଥିଲେ ଅନ୍ୟ ରାଜ୍ୟରେ ଅଭିନୟ କରି ଅଧିକ ସଫଳ ହୋଇପାରିଥା‌ନ୍ତେ। କିନ୍ତୁ ଓଡ଼ିଶାକୁ ଛାଡ଼ି ନଥିଲେ। ସେ ଥିଲେ ଭର୍ସାଟାଇଲ୍ ଆକ୍ଟର। କୋର୍ଟ ପିନ୍ଧଲେ ଆଭିଜାତ୍ୟ, ହାଫ୍ ପ୍ୟାଣ୍ଟ ପି‌ନ୍ଧିଲେ ହାସ୍ୟରୋଳ ଓ ଧୋତି ପିନ୍ଧିଲେ ଦର୍ଶକଙ୍କ ଆଖିରୁ ଧାର ଧାର ଲୁହ ବୁହାଇ ପାରୁଥିଲେ ସେ। ୧୯୯୩ ମସିହାରୁ ତାଙ୍କ ସହ ଘନିଷ୍ଠ ସଂପର୍କ ମୋର। ସିନେମା କାହିଁକି ବ୍ୟକ୍ତିଗତ ଜୀବନରେ ସମସ୍ତଙ୍କୁ ନିଜର କରିପାରୁଥିଲେ ସେ।
ବାପୁ ଲେଙ୍କା, ଚଳଚ୍ଚିତ୍ର ପ୍ରଯୋଜକ

୨୦୨୦ର ଏ ହେଉଛି ସବୁଠୁ ବଡ଼ ଝଟ୍‌କା
ବିଜୟ ସାର୍‌ଙ୍କ ସହ ବହୁ ବର୍ଷ ଧରି କାମ କରି ଆସିଛି। ସେ ଯେମିତି ନିଖୁଣ ଅଭିନେତା ଥିଲେ ଠିକ୍‌ ସେମିତି ମଣିଷଟିଏ ବି ଥିଲେ। ୧୯୭୮ରେ ‘ପତିପତ୍ନୀ’ରୁ ଆରମ୍ଭ ହୋଇଥିଲା ବିଜୟ ଭାଇଙ୍କ ସହ ମୋର ଚଳଚ୍ଚିତ୍ର ଜୀବନ। ଏହାପରେ ସମୟ ବଡ଼ ବଳବାନ, କାବେରୀ, ସ୍ବପ୍ନ ସାଗର, ଭାଗ୍ୟ ହାତେ ଡୋରି, ବୋଉ, ସାବତ ମା’ ଆଦି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନୟ କରିଛି। ଖାଲି ଚଳଚ୍ଚିତ୍ର ନୁହେଁ; ସ୍ମୃତିର ଏକ ଲମ୍ବା ଓ ଅଭୁଲା ତାଲିକା ବି ରହିଛି। ତାଙ୍କ ସହ ଦେଇଥିବା ମୋର ପ୍ରତିଟି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରମାଣିତ ହୋଇଛି। ୨୦୨୦ ଆମକୁ ଝଟ୍‌କା ଉପରେ ଝଟ୍‌କା ଦେଇ ଚାଲିଥିବା‌ ବେଳେ ବିଜୟ ଭାଇଙ୍କ ପରଲୋକର ଦୁଃଖ ସହିବା କଷ୍ଟକର ହୋଇପଡ଼ୁଛି। ଏବେ ବି ବିଶ୍ବାସ ହେଉନି ଏମିତି ଜଣେ ମଣିଷ ଆଉ ନାହାନ୍ତି।
ମହାଶ୍ବେତା ରାୟ, ଅଭିନେତ୍ରୀ

ବାପା-ପୁଅର ସମ୍ପର୍କ ଥିଲା
ମୋର ଅଧାରୁ ଅଧିକ ସିନେମାରେ ବିଜୟ ସାର୍‌ ମୋର ବାପା ହୋଇଥିବେ ଓ ‌ମୁଁ ତାଙ୍କ ପୁଅ ଭୂମିକାରେ ଅଭିନୟ କରିଥିବି। ପ୍ରତ୍ୟେକ ହିଟ୍‌ ସିନେମାରେ ବାପା-ପୁଅ ସମ୍ପର୍କ ରହିଆସିଛି। ଏମିତି ବ୍ୟକ୍ତିଙ୍କ ପାଇଁ ଆପେଆପେ ଭକ୍ତି ଚାଲିଆସେ। ବହୁତ କିଛି ଶିଖାନ୍ତି। ସିନେମା ସମ୍ପର୍କ ବ୍ୟତୀତ ପୁଅ ଭଳି ତାଙ୍କର ସବୁବେଳେ ମୋ ପ୍ରତି ଆଶୀର୍ବାଦ ରହିଛି।– ସବ୍ୟସଚୀ, ଅଭିନେତା

ସେ ମୋ ଭଳି ଅନେକଙ୍କ ଗୁରୁ ଥିଲେ
ମୁଁ ବିଜୟ ସାର୍‌ଙ୍କ ସହ ପ୍ରାୟ ୧୦ଟି ଚଳଚ୍ଚିତ୍ରରେ କାମ କରିଛି। ସେ ଥିଲେ ମନକୁ ଭାରି ସାହସ ଆସେ। ମୁଁ ତାଙ୍କୁ ସାର୍‌ ଡାକେ। ଗୁରୁ ଭାବେ। ମୋ ଭଳି ଯୁବକମାନେ ଯେଉଁମାନେ ତାଙ୍କୁ ଦେଖି ଦେଖି ଅଭିନୟ ଶିଖିଛୁ, ସେମାନଙ୍କ ପାଇଁ ବିଜୟ ସାର୍‌ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ।
ପପୁ ପମ୍‌ପମ, ହାସ୍ୟ ଅଭିନେତା

ସମ୍ବନ୍ଧିତ ଖବର