ଚଳନ୍ତିକା: ଅନାମିକା ପ୍ରଜାପତି

ବିଭୂତି ପତି

ଜ୍ୟୋତ୍ସ୍ନା ଆଣେ ପ୍ରଜାପତି
ବଂଶୀ ଆଣେ ମାୟା,
ନୟନ ଆଣେ ଦର୍ପଣ‌ ଗୋ
କ୍ରୂରତା ଆଣେ ଛାୟା… ମୁକ୍ତିଲାଭ କରି ନ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଆହୁତି’ ନିମନ୍ତେ ଦ୍ବୈତକଣ୍ଠରେ ଏ ଗୀତଟି ଗାଇଥିଲେ ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ। ଏ ଗୋଟିଏ ନୁହେଁ, ଓଡ଼ିଆ ଏବଂ ବିଶ୍ବର ପ୍ରାୟ ସବୁ ଭାଷାରେ ପ୍ରଜାପତି ଉପରେ ଅନେକ କବିତା ଓ ଗୀତ ଲେଖାଯାଇଛି। ଦୁନିଆରେ ପ୍ରଜାପତିଙ୍କ ପ୍ରଜାତି ବି ଅନେକ। ସେମାନଙ୍କ ବଂଶ ବୁଡୁଛି କି, ବଢୁଛି କେହି ଜାଣନ୍ତି ନାହିଁ। ସେମାନଙ୍କର ନାଁ ବି କେହି ଜାଣନ୍ତି ନାହିଁ। ଖାଲି ରଙ୍ଗ ଦେଖି କିଛି ଲୋକ ପ୍ରଜାପତିକୁ ଚିହ୍ନନ୍ତି। କ୍ବଚିତ୍ ଲୋକ ପ୍ରଜାପତିଙ୍କର ଇଂରାଜୀ ଅଥବା ବୈଜ୍ଞାନିକ ନାମ ଜାଣନ୍ତି।

ପ୍ରଜାପତିର ହିନ୍ଦୀ ନାଁ
ଭାରତରେ ପ୍ରାୟ ୧୪୦୦ ପ୍ରକାରର ପ୍ରଜାପତି ଅଛନ୍ତି। ପ୍ରଜାପତିଙ୍କ ନାମକରଣ ଇଂରେଜମାନେ କରିଥିଲେ। ସାଧାରଣ ଲୋକଙ୍କ ପାଇଁ ତାହା ମନେରଖିବା ସମ୍ଭବ ହେଉ ନ ଥିବାରୁ ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି ପକ୍ଷରୁ ହିନ୍ଦୀରେ ସେମାନଙ୍କର ନାମକରଣ କରାଯାଉଛି। ପ୍ରଜାପତିଙ୍କ ଉପରେ ଗବେଷଣା କରୁଥିବା ଗବେଷକମାନେ ପ୍ରାୟ ୨୦୦ ପ୍ରକାରର ପ୍ରଜାପତିଙ୍କର ହିନ୍ଦୀ ନାମକରଣ କରିସାରିଲେଣି। ହିନ୍ଦୀ ନାମକରଣ କରାଯାଇଥିବା ପ୍ରଜାପତିଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ପ୍ରଜାପତି ଉତ୍ତରପ୍ରଦେଶରେ ଦେଖାଯାଆନ୍ତି।

କେମିତି ଦିଆଯାଏ ପ୍ରଜାପତିଙ୍କ ନାଁ
ପ୍ରଜାପତିଙ୍କର ନାମକରଣ ବେଳେ ବିଶେଷଜ୍ଞମାନେ ସେମାନଙ୍କ ଶରୀରର ଗଠନ, ଉଡ଼ାଣ ଶୈଳୀ ଓ ଅନ୍ୟାନ୍ୟ ଆଚରଣ, ସଁବାଳୁଆ ଅବସ୍ଥାରେ ଖାଉଥିବା ଗଛପତ୍ର, ପୁରାଣ ଓ ସାହିତ୍ୟ ଗ୍ରନ୍ଥରେ ଉଲ୍ଲେଖ ଥିବା ସେମାନଙ୍କ କଥା ଇତ୍ୟାଦି ବିଚାରକୁ ନେଇଥିଲେ। ଉଦାହରଣ ସ୍ୱରୂପ, ଲାଇମ୍ ପ୍ରଜାପତି କେବଳ କାଗିଜିଲେମ୍ବୁ (ଲେମନ୍‌) ଗଛରେ ହିଁ ଅଣ୍ଡା ଦେଇଥାଏ। ଏହି କାରଣରୁ ତା’ର ଇଂରାଜୀ ନାଁ ‘ଲାଇମ୍ ସ୍ୱାଲୋଟେଲ୍‌’। ଏ‌ବେ କିନ୍ତୁ, ତା’ର ହିନ୍ଦୀ ନାଁ ‘ନିମ୍ବୁଇ’।
‘ବାର୍ଡ ୱିଙ୍ଗ୍‌’ ହେଉଛି ବୃହତ୍ତମ ଭାରତୀୟ ପ୍ରଜାପତି। ରାମାୟଣ‌େର ବର୍ଣ୍ଣିତ ଜଟାୟୁ ପକ୍ଷୀର ନାମାନୁଯାୟୀ ଏହାର ହିନ୍ଦୀ ନାମକରଣ କରାଯାଇଛି ‘ଜଟାୟୁ’। ସେହିପରି, ‘କଲେଡୋନିଆ ପାଏଡ୍‌ ଫ୍ଲାଟ୍‌’ର ନାଁ ‘ପ୍ରଭାସି ପ୍ରତାଲ୍‌’ ରଖାଯାଇଛି। ‘ସ୍ପଟ୍‌ ସୋର୍ଡଟେଲ୍‌’, ‘କମନ୍ ଜେ’, ‘ବ୍ରାଉନ୍‌ ଅୱଲ୍‌’ ଆଦି ପ୍ରଜାପତିଙ୍କର ହିନ୍ଦୀ ନାମକରଣ ଯଥାକ୍ରମେ:- ‘ଚିଟ୍ଟିଦାର-ଶମ୍‌ଶୀର୍‌’, ‘ଚିଟ୍ଟିଦାର୍‌-ତିକୋନି’ ଏବଂ ‘ଭୂରି ସୁୱା’ କରାଯାଇଛି।

ଓଡ଼ିଶାରେ ୧୨ ପ୍ରଜାତିର ପ୍ରଜାପତି ବିଲୁପ୍ତ
ଓଡ଼ିଶାରେ ୫୨୨୨ଟି ପ୍ରଜାପତିଙ୍କ ଉପରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଆଗେ ରାଜ୍ୟରେ ୧୪୮ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳୁଥିଲେ। ବର୍ତ୍ତମାନ ମାତ୍ର ୧୩୬ ପ୍ରଜାତିର ପ୍ରଜାପତି ଦେଖାଯାଉଛନ୍ତି। ଅର୍ଥାତ୍‌, ସେମାନଙ୍କ ମଧ୍ୟରୁ ୧୨ ପ୍ରଜାତି ଲୁପ୍ତ ହୋଇଗଲେଣି। ବିଗତ ଦିନରେ ସୁକିନ୍ଦା ଜଙ୍ଗଲରେ ଦେଖାଯାଉଥିବା ପ୍ରାୟ ୬ ପ୍ରଜାତିର ପ୍ରଜାପତି ବର୍ତ୍ତମାନ ଦୁର୍ଲଭ। ୧୯୭୨ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଓଡ଼ିଶାରେ ୧୪ ପ୍ରଜାତିର ପ୍ରଜାପତିଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି।

ପରିବେଶ ଓ ପ୍ରଜାପତି ପରିପୂରକ
ଅଳ୍ପାୟୁ ଜୀବ ହେଲେ ବି ପରିସଂସ୍ଥାନରେ ସେମାନେ ବିଶେଷ ଭୂମିକା ତୁଲାଇଥାଆନ୍ତି। ଉଦ୍ଭିଦ ସହିତ ପ୍ରଜାପତିଙ୍କର ନିବିଡ଼ ସମ୍ପର୍କ ରହିଛି। ପ୍ରଜାପତି ଫୁଲରୁ ମହୁ ଖାଆନ୍ତି ଓ ଉଦ୍ଭିଦର ପରାଗଯୋଗ କରାନ୍ତି। ଏଥିପାଇଁ, ପ୍ରଜାପତିଙ୍କର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରଜାପତିଙ୍କ ଉପସ୍ଥିତି ସମୃଦ୍ଧ ଜୈବ ବିବିଧତାର ସୂଚନା ଦେଇଥାଏ।

ସମ୍ବନ୍ଧିତ ଖବର