‘ଦିଗ୍ବୋଇ ଅଏଲ୍ ରିଫାଇନାରି’ ହେଉଛି ଏସିଆ ତଥା ଭାରତର ପ୍ରଥମ ତୈଳ ବିଶୋଧନାଗାର। ୧୯୦୧ ମସିହାରେ ସ୍ଥାପିତ ଏହି ବିଶୋଧନାଗାର ଆଧୁନିକ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦିଗ୍ବୋଇରୁ ପ୍ରତିଦିନ ୭ ହଜାର ବ୍ୟାରେଲ୍ ତୈଳ ଉତ୍ତୋଳନ କରାଯାଇ ଯୁଦ୍ଧରେ ବ୍ୟବହୃତ ହେଉଥିଲା। ବର୍ତ୍ତମାନ ପ୍ରତିଦିନ ଏଥିରୁ ୨୪୦ ବ୍ୟାରେଲ୍ ତୈଳ ଉତ୍ତୋଳନ କରାଯାଉଥିବା ବେଳେ ଭାରତୀୟ ତୈଳ ଶିଳ୍ପକୁ ଏହାର ଯୋଗଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ତେବେ ଭାରତରେ ପେଟ୍ରୋଲିୟମ୍ ଆବିଷ୍କାରର କାହାଣୀ ଯେତିକି ରୋଚକ, ଦିଗ୍ବୋଇ ସହର ନାମକରଣ ମଧ୍ୟ ସେତିକି ଚିତ୍ତାକର୍ଷକ।
ପ୍ରାଚୀନ ଯୁଗରେ ସୁମେରୀୟ, ଚୀନ୍ ଓ ପାର୍ସୀମାନଙ୍କୁ ପେଟ୍ରୋଲିୟମ୍ ସମ୍ପର୍କରେ ଜ୍ଞାନ ଥିଲା।
ଆଧୁନିକ ଯୁଗ କଥା କହିଲେ, ୧୮୫୯ ମସିହାରେ ଆମେରିକାର କ୍ରାଫର୍ଡ କାଉଣ୍ଟିର ଏକ ଛୋଟ ସହର ଟିଟୁସ୍ଭିଲେଠାରେ ଏଡ୍ୱିନ୍ ଡ୍ରେକ୍ ‘ବିଶ୍ବର ପ୍ରଥମ ବାଣିଜ୍ୟିକ ତୈଳକୂପ’ ଖନନ କରିଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି, ଆଧୁନିକ ପେଟ୍ରୋଲିୟମ୍ ଆବିଷ୍କାରର ପ୍ରାୟ ୩୪ ବର୍ଷ ପୂର୍ବରୁ ହିଁ ଭାରତର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ପେଟ୍ରୋଲିୟମ୍ର ଆବିଷ୍କାର ହୋଇସାରିଥିଲା। ୧୮୨୫ ମସିହାରେ ବ୍ରିଟିସ୍ ଆର୍ମିର ଲେଫ୍ଟନାଣ୍ଟ୍ ଆର୍ ୱିଲ୍କକ୍ସ ଉତ୍ତର ଆସାମର ଜଙ୍ଗଲର ଦେହାଙ୍ଗ ନଦୀ ପାଖାପାଖି ଅଞ୍ଚଳରେ ପେଟ୍ରୋଲିୟମ୍ର ସନ୍ଧାନ ପାଇଥିଲେ। ସେ ନିଜର ଡିସ୍କଭରି ରିପୋର୍ଟରେ ମଧ୍ୟ ଏହା ଲେଖିଥିଲେ ଯେ ଆସାମର ଉତ୍ତରାଞ୍ଚଳରେ ଥିବା ଜଙ୍ଗଲରେ ପେଟ୍ରୋଲିୟମ୍ ଭଳି ଗନ୍ଧ ହେଉଥିବା କିଛି ପଦାର୍ଥ ମହଜୁଦ ରହିଛି। ପରେ ଏହା ପ୍ରମାଣିତ ବି ହୋଇଥିଲା। ଆର୍ ୱିଲ୍କକ୍ସଙ୍କୁ ହିଁ ଆସାମରେ ସର୍ବପ୍ରଥମେ ପେଟ୍ରୋଲ୍ ସନ୍ଧାନ କରିବାର ଗୌରବ ପ୍ରଦାନ କରାଯାଏ।
୧୮୬୭ ମସିହାରେ ଆସାମର ଡେବ୍ରୁଗଡ଼ରୁ ମାଘେରିଟା ପର୍ଯ୍ୟନ୍ତ ରେଳଲାଇନ୍ ବିଛାଇବାକୁ ଆସାମ ରେଲ୍ୱେ ଆଣ୍ଡ ଟ୍ରେଡିଂ କମ୍ପାନି ପକ୍ଷରୁ ଇଂଜିନିୟର୍ ଡବ୍ଲ୍ୟୁ.ଏଲ୍. ଲେକ୍ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ରେଳଲାଇନ୍ ବିଛାଇବା ସମୟରେ ଡବ୍ଲ୍ୟୁ.ଏଲ୍. ଲେକ୍, ଏଠାରେ ବିଚରଣ କରୁଥିବା ହାତୀମାନଙ୍କ ଗୋଡ଼ରେ କିଛି କଳା କଳା ତୈଳଯୁକ୍ତ ପଦାର୍ଥ ଲାଗିଥିବା ଦେଖିବାକୁ ପାଇଥିଲେ। ଏହି ତୈଳାକ୍ତ ପଦାର୍ଥ ସମ୍ପର୍କରେ ନିରୀକ୍ଷଣ କରୁଥିବା ସମୟରେ ଡବ୍ଲ୍ୟୁ.ଏଲ୍. ଲେକ୍ ଆସାମରେ ତରଳ ସୁନା ଖଣିର ଆବିଷ୍କାର କରିଥିଲେ। ବ୍ରିଟିସ୍ମାନେ ସେତେବେଳେ ଆଧୁନିକ ଥିଲେ। ପେଟ୍ରୋଲ୍ ସମ୍ପର୍କରେ ସେମାନଙ୍କର ଜ୍ଞାନ ଥିଲା ଓ ଏହାର ବ୍ୟବହାର ମଧ୍ୟ ସେମାନେ ଆଗରୁ କରିଥିଲେ। ଏଣୁ ଏହି ଖବର ବ୍ରିଟିସ୍ ଅଧିକାରୀମାନଙ୍କ ପାଖରେ ପହଞ୍ଚିବା ସହ ପେଟ୍ରୋଲିୟମ୍ ପାଇଁ ସେହି ସ୍ଥାନର ଖନନ ନିର୍ଦ୍ଦେଶ ହୋଇଥିଲା।
ସେ ସମୟରେ ଆସାମର ତିନ୍ସୁକିୟା ଜିଲ୍ଲାର ତୈଳ ସନ୍ଧାନ ମିଳିଥିବା ସେହି ଅଞ୍ଚଳର କୌଣସି ନାମ ନ ଥିଲା। ବ୍ରିଟିସ୍ମାନେ କିଛି ସ୍ଥାନୀୟ ଯୁବକଙ୍କୁ ଡାକି ଉକ୍ତ ସ୍ଥାନରେ ଖନନ ଆରମ୍ଭ କରିଥିଲେ। ଖନନକୁ ଅଧିକ ତ୍ବରାନ୍ବିତ କରିବା ତଥା ଉତ୍ସୁକତା ବଢ଼ାଇବା ପାଇଁ ଇଂଜିନିୟର୍ ଡବ୍ଲ୍ୟୁ.ଏଲ୍. ଲେକ୍ ‘ଡିଗ୍ ବୟ ଡିଗ୍’ ଅର୍ଥାତ୍ ‘ଖୋଳ ପିଲାମାନେ ଆହୁରି ଖୋଳ’ ବୋଲି ବାରମ୍ବାର କହୁଥିଲେ। ଏହାକୁ ବ୍ରିଟିସ୍ ଅଧିକାରୀମାନେ ମଧ୍ୟ ବାରମ୍ବାର ଦୋହରାଉଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଏଠାରେ କ’ଣ ହେଉଛି ଜାଣି ନ ପାରି ଓ ‘ଡିଗ୍ ବୟ ଡିଗ୍’ର ଅର୍ଥ ବୁଝି ନ ପାରି, କ’ଣ ଏକ ଜିନିଷକୁ ଏହି ଗୋରା ସାହେବମାନେ ଦିଗ୍ବୋଇ ଦିଗ୍ବୋଇ କହୁଛନ୍ତି ବୋଲି ଆଲୋଚନା କରିଥିଲେ। ନିୟମିତ ଏଠାରେ ଖନନ ହେଉଥିବାରୁ ଆଖପାଖର ବହୁ ଲୋକ ଏଠାକୁ ଖନନ ଦେଖିବାକୁ ଆସୁଥିଲେ ଓ କଥା କଥାରେ ସ୍ଥାନର ନାମ ‘ଦିଗ୍ବୋଇ’ ରହିଯାଇଥିଲା।