ଗତ ଦୁର୍ଗାପୂଜା ସମୟର କଥା। ଭୋପାଳ ସହରରେ ଚାଲିଥାଏ ବିଶାଳ ବିସର୍ଜନ ଶୋଭାଯାତ୍ରା। ଏଥିରେ ସାମିଲ୍ ହୋଇଥିବା ୧୩ ବର୍ଷର ବାଳକ ସମର ବିଲାଉର ହଠାତ୍ ରାସ୍ତାରେ ଟଳିପଡ଼ିଲେ। ଅନୁସନ୍ଧାନରୁ ଜଣାପଡ଼ିଲା ଯେ ସମର ଯାଉଥିବା ବେଳେ ହଠାତ୍ ଡିଜେର ଶବ୍ଦ ବୃଦ୍ଧି ହେବାରୁ ତାଙ୍କର ହୃଦ୍ଘାତ ହୋଇଥିଲା ଏବଂ ସେ ମୃତ୍ୟୁମୁଖରେ ପଡ଼ିଥିଲେ। ତାଙ୍କ ଶବ ବ୍ୟବଚ୍ଛେଦରୁ ଏହା ସ୍ପଷ୍ଟ ହୋଇଥିଲା। ଡିଜେର ଅତ୍ୟୁଚ୍ଚ ଶବ୍ଦ ଯୋଗୁଁ ଏପରି ମୃତ୍ୟୁ ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ୯ରେ ଛତିଶଗଡ଼ ରାୟପୁର ଅଂଚଳରେ ଏଭଳି ଏକ ମାମଲା ରୁଜୁ ହୋଇଥିଲା। ସେଠାରେ ବଳରାମପୁର ଜିଲ୍ଲାର ଜଣେ ୪୦ ବର୍ଷୀୟ ଯୁବକଙ୍କର ଡିଜେର ପ୍ରଚଣ୍ଡ ଶବ୍ଦରେ ସ୍ନାୟୁ ଫାଟି ଯାଇଥିଲା। ଯୁବକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି କଟକ ଗଣେଶଘାଟ ନିକଟରେ ଦୁର୍ଗା ଭସାଣି ଦେଖୁଥିବା ସମୟରେ ସତୀଚଉରା ବସ୍ତି ଅଂଚଳର ସୁରେଶ ନାମକ ଜଣେ ୩୨ ବର୍ଷୀୟ ବ୍ୟକ୍ତି ଡିଜେ ଶବ୍ଦରେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସଲ କଥା ହେଲା, ଡିଜେର ବିକଟାଳ ଶବ୍ଦ ସ୍ବାସ୍ଥ୍ୟସଂକଟ ସୃଷ୍ଟି କରୁଛି।
ଆଜିକାଲି ପର୍ବପର୍ବାଣି ପାଳନ ଓ ବିବାହବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମରେ ସର୍ବତ୍ର ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ‘ଡିଜେ ମ୍ୟୁଜିକ୍ ସିଷ୍ଟମ୍’ ଏବଂ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଛି। ଆମେ ଜାଣିବା ଦରକାର ଡିଜେ ସିଷ୍ଟମ୍ରୁ ସୃଷ୍ଟି ହେଉଥିବା ଭୟଙ୍କର ଶବ୍ଦ ପ୍ରାଣୀସମାଜ ମୁଖ୍ୟତଃ ମଣିଷଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନର ଶବ୍ଦ ପ୍ରଦୂଷଣ କାରଣରୁ ୨୦୩୦ ମସିହା ବେଳକୁ ୧୨ରୁ ୩୫ ବର୍ଷ ବୟସର ୧ ବିଲିୟନ୍ରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି। ସେହିପରି ୨୦୩୦ ଶେଷ ବେଳକୁ ୨୩ରୁ ୨୫ ମିଲିୟନ୍ ଲୋକ କାଲ ହୋଇଯିବେ।
ବିଶିଷ୍ଟ ନାସା-ଗଳା-କର୍ଣ୍ଣ ବିଶେଷଜ୍ଞ ଡାକ୍ତର ପ୍ରଫେସର୍ ସତ୍ୟନାରାୟଣ ପଣ୍ଡା କହନ୍ତି, “ବିଶ୍ୱ ଶ୍ରବଣ ସ୍ୱାସ୍ଥ୍ୟ ଫାଉଣ୍ଡେସନ୍ ଅନୁଯାୟୀ, ୭୦ ଡେସିବଲ୍ରୁ ଅଧିକ ହେଉଥିବା ଧ୍ୱନିତରଙ୍ଗ ମଣିଷ ପାଇଁ ଘାତକ ଅଟେ। ତେଣୁ ସବୁବେଳେ ୭୦ ଡେସିବଲ୍ରୁ କମ୍ ଶବ୍ଦ ମଣିଷର କାନ ଓ ହୃତ୍ପିଣ୍ଡ ପାଇଁ ନିରାପଦ। ବାରମ୍ବାର ୭୦ ଡେସିବଲ୍ରୁ ଅଧିକ ଉଚ୍ଚ ଶବ୍ଦର ଧ୍ୱନିତରଙ୍ଗ ସଂସ୍ପର୍ଶରେ ଆସିବା ବିପଜ୍ଜନକ ଅଟେ। ମୋବାଇଲ୍ ଫୋନ୍ ପ୍ରଭୃତିରେ ବ୍ୟବହୃତ ଇୟର୍ଫୋନ୍ ଓ ଇୟର୍ବଡ୍ ଭଳି ଉପକରଣ ସବୁର ୬୦% ଶବ୍ଦ ସ୍ତର ପ୍ରାୟ ୭୫ -୮୦ ଡେସିବଲ୍ ମଧ୍ୟରେ ରହୁଛି। ବ୍ୟବହାର ସମୟରେ ଭଲ୍ୟୁମ୍ ଦ୍ବାରା ଏହି ଧ୍ୱନି ୧୧୦ ଡେସିବଲ୍ ପାଖାପାଖି ପହଞ୍ଚେ। ଯଦି ଜଣେ ଦିନକୁ ୮ ଘଣ୍ଟା ଧରି ୮୫ ଡେସିବଲ୍ରୁ ଅଧିକ ଉଚ୍ଚ ଶବ୍ଦ ଶ୍ରବଣ କରେ, ତେବେ ତା’ର ଶ୍ରବଣ ଶକ୍ତି ଖୁବ ଶୀଘ୍ର ହ୍ରାସ ହେବ। ଏପରିକି ସେ ସବୁଦିନ ପାଇଁ ଶ୍ରବଣ ଶକ୍ତି ହରାଇବ।” କେବଳ ଅତ୍ୟୁଚ୍ଚ ଡିଜେ ଶବ୍ଦ ନୁହେଁ, ମୋବାଇଲ୍ ଫୋନ୍ରେ ବ୍ୟବହୃତ ଇୟର୍ଫୋନ୍ ଓ ଇୟର୍ବଡ୍ ମଧ୍ୟ ବିପଦ ସୃଷ୍ଟି କରୁଛି। ଡାକ୍ତର ପଣ୍ଡା ପୁଣି କହନ୍ତି, “କାନ ଓ ହୃତ୍ପିଣ୍ଡ ମଧ୍ୟରେ ସିଧାସଳଖ ସଂଯୋଗ ଅଛି। କାନ ଗ୍ରହଣ କରିପାରୁ ନଥିବା ଅର୍ଥାତ୍ ସହିପାରୁ ନଥିବା ଉଚ୍ଚ ଶବ୍ଦ ସ୍ନାୟୁ ମାଧ୍ୟମରେ ହୃତ୍ପିଣ୍ଡରେ ପହଞ୍ଚିଯାଏ। ଯେତେବେଳେ ଡିଜେ ପ୍ରଭୃତିର ଉଚ୍ଚ ଧ୍ୱନି କାନରେ ବାଜେ ସେତେବେଳେ କାନ ଏହାକୁ ଧରିରଖିବାକୁ ସକ୍ଷମ ହୁଏନାହିଁ। ଫଳରେ ସ୍ନାୟବିକ ପ୍ରକ୍ରିୟାରେ ତାହା ହୃତ୍ପିଣ୍ଡରେ ପହଞ୍ଚେ। ଅଚାନକ ହୃଦ୍ସ୍ପନ୍ଦନ ବୃଦ୍ଧି ପାଇଯାଏ। ଏପରି ପରିସ୍ଥିତିରେ କାନ ଶିରାରେ ଥିବା ରକ୍ତ ମୋଟା ହେବାକୁ ଲାଗେ। ଯଦି ଏହା ଦୀର୍ଘ ସମୟ ଧରି ରହେ ତେବେ ହୃଦ୍ଘାତର କାରଣ ହୁଏ।”