ଆଉ ରାତିରେ ଘରକୁ ନିଦ ମାଉସୀ ଆସୁନାହିଁ! ଆଖିକୁ ଆଉଁଶି ଦେଇ ତା’ କୋଳକୁ ନେଇଯାଉନାହିଁ! ଟିକିଏ ନିଦ ପାଇଁ ଲୋକେ ଏବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ଲୋକପ୍ରିୟ ହେଉଛି ପର୍ଯ୍ୟଟନର ନୂଆଧାରା-ସ୍ଲିପ୍ ଟୁରିଜିମ୍! ବର୍ତ୍ତମାନ ପର୍ଯ୍ୟଟନ ଶିଳ୍ପରେ ଏହି ନୂଆ ଶବ୍ଦ କ୍ରମଶଃ ଲୋକପ୍ରିୟତା ଲାଭ କରୁଛି। ସରଳରେ କହିଲେ, ଆଜିର ବ୍ୟସ୍ତବହୁଳ ଚାପଗ୍ରସ୍ତ ଜୀବନଧାରାରୁ ସାମୟିକ ଅବ୍ୟାହତି ନେଇ ସୁନିଦ୍ରା ଉପଭୋଗ କରିବା ଲାଗି କୌଣସି ଶାନ୍ତ ବାତାବରଣ ଥିବା ସ୍ଥାନକୁ ଭ୍ରମଣରେ ଯିବା ହିଁ ଶୟନ ପର୍ଯ୍ୟଟନ ବା ସ୍ଲିପ୍ ଟୁରିଜିମ୍। ଜଞ୍ଜାଳମୁକ୍ତ ହୋଇ ସୁନିଦ୍ରା ଦ୍ବାରା ଶରୀର ଓ ମନକୁ ପୁନଃସ୍ଫୂର୍ତ୍ତିଶୀଳ କରିବା ଏହାର ଆଭିମୁଖ୍ୟ।
ଆଜିର ଏ ବିନିଦ୍ର ବିଶ୍ବରେ ଏକତୃତୀୟାଂଶ ପ୍ରାପ୍ତବୟସ୍କ କହୁଛନ୍ତି େଯ ସେମାନଙ୍କୁ ସୁନିଦ୍ରା ଆସୁନାହିଁ। କର୍ମକ୍ଳାନ୍ତ ଜୀବନରେ ଶୟନ ଲାଗି ଯେତିକି ସମୟ ମିଳୁଛି ତାହା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ, ଆଜିକାଲି ଶାନ୍ତିରେ ଶୋଇବା ଲାଗି ଅଧିକରୁ ଅଧିକ ଲୋକ ପର୍ଯ୍ୟଟନ କରିବାକୁ ଯାଉଛନ୍ତି। ତେବେ ନିର୍ବିଘ୍ନରେ ନିଦ୍ରା ଯିବା ଲାଗି ପ୍ରକୃଷ୍ଟ ସ୍ଥାନ ଚୟନ ଏହାର ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ଟୁର୍ ପରିଚାଳକମାନେ ଏହାକୁ ଦୃଷ୍ଟିରେ ରଖି ସ୍ଥାନ ନିରୂପଣ କରୁଛନ୍ତି। କର୍ମ ଓ ଜୀବନ ଜଞ୍ଜାଳରୁ ମୁକ୍ତହୋଇ ବିଶ୍ରାମ ନେବା ଲାଗି ଏକ ଆରାମ ଆଶାୟୀ ଶରୀର ଓ ଚିନ୍ତାରହିତ ମନ ବି ଆବଶ୍ୟକ। ଏଣୁ ‘ସ୍ଲିପ୍ ଟୁରିଜିମ୍’ ସ୍ଥଳୀରେ ଯୋଗ, ସନ୍ତରଣ, ସ୍ପା, ପାର୍ଲର୍ ସେସନ୍ ଓ ନିଦ୍ରାଅନୁକୂଳ ସ୍ବାସ୍ଥ୍ୟକର ଭୋଜନ ଆଦିର ବ୍ୟବସ୍ଥା କରାଯାଉଛି। ସଂକ୍ଷିପ୍ତ ହେଲେ ବି ଏ ପର୍ଯ୍ୟଟନ ପରିବ୍ରାଜକମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା କ୍ଷେତ୍ରରେ ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପନ୍ନକରେ।
ସ୍କାଏସ୍କାନର୍ସ୍ ‘ଟ୍ରାଭେଲ୍ ଟ୍ରେଣ୍ଡଜ୍ ୨୦୨୪’ ରିପୋର୍ଟ ମତରେ, ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ଶତକଡ଼ା ୮୫ ଭାଗ ଏବେ ଶୟନ ପ୍ରତି ଧ୍ୟାନ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଭାଗ ବିଚାର କରୁଛନ୍ତି ଯେ ତାଙ୍କ ଆଗାମୀ ପର୍ଯ୍ୟଟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟିକେ ସୁଖନିଦ୍ରା ଯିବା। ଯଦିବା ଏଯାବତ୍ ପ୍ରକୃତ ଅର୍ଥରାଶି ଧାର୍ଯ୍ୟ କରିବା କଷ୍ଟକର, ତଥାପି ୨୦୨୪ରେ ସମଗ୍ର ବିଶ୍ବ ବଜାରରେ ଶୟନ ପର୍ଯ୍ୟଟନ ବା ସ୍ଲିପ୍ ଟୁରିଜିମ୍ରୁ ୭୪.୫୪ ବିଲିୟନ୍ ଡଲାର୍ ଉପାର୍ଜନ ହୋଇଥିଲା। ‘ଏଚ୍ଟିଏଫ୍ ମାର୍କେଟ୍ ଇଣ୍ଟେଲିଜେନ୍ସ୍’ ଦ୍ବାରା ପ୍ରସ୍ତୁତ ୨୦୨୪ର ଆଉ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ବବ୍ୟାପୀ ଏ କ୍ଷେତ୍ରରୁ ହୋଇଥିବା ଆୟ ୬୯୦ ବିଲିୟନ୍ ଡଲାର୍ରୁ ଅଧିକ ଏବଂ ୨୦୨୪ରୁ ୨୦୨୮ ମଧ୍ୟରେ ତାହା ଆଉ ୪୦୦ ବିଲିୟନ୍ ଡଲାର୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ‘ସ୍ଲିପ୍ ଟୁରିଜିମ୍’ ବା ‘ଶୟନ ପର୍ଯ୍ୟଟନ’ ଚିରାଚରିତ ଦର୍ଶନୀୟ ସ୍ଥାନ ଭ୍ରମଣ ନୁହେଁ। ଏହା ବିଶ୍ରାମ ଓ କ୍ଷାନ୍ତି ଉପରେ ପ୍ରାଧାନ୍ୟ ଦିଏ। କିନ୍ତୁ, ଏହାର ଅର୍ଥ ନୁହେଁ କୌଣସି ହୋଟେଲ୍ ଶଯ୍ୟାରେ କ୍ଳାନ୍ତ ହୋଇ ପଡ଼ିଯିବା। ଏଥିରେ ପର୍ଯ୍ୟଟକଙ୍କୁ ସୁଖନିଦ୍ରା ଆସିବାରେ ସହାୟକ ହେବା ଭଳି ସମସ୍ତ ବ୍ୟବସ୍ଥା ରହିଥିବା ଜରୁରି। ଆଜିକାଲି ବିଭିନ୍ନ ଶୈଳନିବାସ, ପାର୍ବତ୍ୟ ନିବାସ ଓ ଜନବସତିଠାରୁ ଦୂରରେ ଥିବା ଅନେକ ହୋଟେଲ୍ରେ ଏ ବ୍ୟବସ୍ଥା ରହିଛି।
‘ଦି ୱେଷ୍ଟିନ୍ ଗୋଆ’ରେ ଜେନେରାଲ୍ ମ୍ୟାନେଜର୍ ଥିବା ହରିଶ ଗୋପାଳକ୍ରିଷ୍ଣନନ୍ କହନ୍ତି ଯେ, ସରକାରୀ ଓ ବେସରକାରୀ କର୍ମଚାରୀ, ଉତ୍ତମ ସ୍ବାସ୍ଥ୍ୟପ୍ରିୟ ବ୍ୟକ୍ତି ଓ ଦମ୍ପତିଙ୍କ ଭଳି ବିଭିନ୍ନ ବର୍ଗର ଲୋକେ ଏ ‘ସ୍ବାସ୍ଥ୍ୟ ପ୍ରାଧାନ୍ୟ ଭ୍ରମଣ’ ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି। ଅହମଦାବାଦସ୍ଥିତ ‘କୋର୍ଟୟାର୍ଡ ବାଏ ମ୍ୟାରିଅଟ୍’ରେ ଜେନେରାଲ୍ ମ୍ୟାନେଜର୍ ଥିବା ପ୍ରଶାନ୍ତ ଚଢ଼ା କହନ୍ତି, ଆଦୌ ଚଳପ୍ରଚଳ ନ ଥିବା ଅଞ୍ଚଳରେ ଥିବା କୋଠରିରେ ଅତିଥିମାନଙ୍କୁ ରଖାଯାଉଛି। ଅତିଥିମାନେ ଅନୁରୋଧ କରୁଥିବା ସମସ୍ତ ସେବା ଏଠାରେ ଉପଲବ୍ଧ। ବରାଦମୁତାବକ ଶୟନ ସୁବିଧା ଏବଂ ନିଦ୍ରାକାରକ ଫଳ/ଖାଦ୍ୟ, ଇୟର୍ ପ୍ଲଗ୍ ଓ ଆରାମପ୍ରଦ ମସାଜ ଓ ପାନୀୟ ବ୍ୟବସ୍ଥା ରହିଛି। ହିମାଳୟସ୍ଥିତ ‘ଦି ୱେଷ୍ଟିନ୍ ରିସର୍ଟ ଆଣ୍ଡ୍ ସ୍ପା’ରେ ମାର୍କେଟିଙ୍ଗ୍ କମ୍ୟୁନିକେସନ୍ର ମ୍ୟାନେଜର୍ ନେତେନ୍ଦ୍ର ଚଟ୍ଟୋପାଧ୍ୟାୟ କହନ୍ତି, ବ୍ୟକ୍ତିଗତ ରୁଚି ଅନୁସାରେ ଅତିଥିମାନେ ଶଯ୍ୟା ଚୟନ କରୁଛନ୍ତି। ସୁବାସିତ ତୈଳ ସ୍ପ୍ରେ ଓ ଆଇ ମାସ୍କ୍ ଉପଲବ୍ଧ ହେବା ସହିତ ଆୟୁର୍ବେଦୀୟ ଚିକିତ୍ସା ବି ରଖାଯାଇଛି।
ସେ ଆହୁରି ବି କହିଛନ୍ତି, ଗତ ପାଞ୍ଚ ବର୍ଷ ଭିତରେ ବିଶେଷକରି କୋଭିଡ୍-୧୯ ମହାମାରୀ ପରବର୍ତ୍ତୀ ସମୟରେ ‘ସ୍ଲିପ୍ ଟୁରିଜିମ୍’ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ସ୍ବାସ୍ଥ୍ୟପ୍ରିୟ ଲୋକ, ମାତ୍ରାଧିକ କାର୍ଯ୍ୟ କରୁଥିବା କର୍ମଚାରୀ, ଅନ୍ଲାଇନ୍ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସହରାଞ୍ଚଳ ବାସିନ୍ଦାମାନେ ମୁଖ୍ୟତଃ ‘ସ୍ଲିପ୍ ଟୁରିଜିମ୍’ ପ୍ରତି ଆଗ୍ରହୀ ହେଉଛନ୍ତି।