ଇଂରାଜିରେ ଲେଖୁଥିବା ଭାରତୀୟ ବା ଭାରତୀୟ ବଂଶୋଦ୍ଭବ ଲେଖକମାନେ ଯେ ଭଲ ଲେଖୁଛନ୍ତି ତଥା ଅନ୍ତର୍ଜାତୀୟ ପାଠକଙ୍କ ଆଗରେ ଭାରତ ଓ ଭାରତୀୟତାର ଚମତ୍କାର ଚିତ୍ର ରଖି ପାରୁଛନ୍ତି, ସେଥିରେ ସନ୍ଦେହ ନାହିଁ। କିନ୍ତୁ ଅନେକ ଦୃଷ୍ଟିରୁ ଦେଖିଲେ ପ୍ରାୟତଃ ମଧ୍ୟବିତ୍ତ ସ୍ତରରୁ ଆସୁଥିବା ଏହି ଲେଖକମାନେ ସେମାନେ ଅଙ୍ଗେ ନିଭେଇଥିବା ଭାରତୀୟ ସମାଜର ସେହି ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରର କଥା ହିଁ କହୁୁଛନ୍ତି। ଆଧୁନିକ ଭାରତର ଦାରିଦ୍ର୍ୟ, ସମାଜିକ ଓ ପାରିବାରିକ ସମସ୍ୟା ଆଦି ବିଷୟରେ େଯ ଇଂରାଜିରେ ଲେଖା ଯାଇନି, ତା’ ନୁହେଁ। କିନ୍ତୁ ତାକୁ କହୁଥିବା ଲେଖକମାନେ ପ୍ରାୟତଃ ଗୋଟିଏ ନିର୍ଦ୍ଦିଷ୍ଟ ଦୂରତାରେ ଥାଇ ସେସବୁକୁ ଦେଖିଛନ୍ତି। ଅଥବା ଇଂରାଜିରେ ଲେଖୁଥିବାରୁ ଅଣଭାରତୀୟ ପାଠକର ପସନ୍ଦ ଓ ଗ୍ରହଣଶୀଳତା ଏସବୁ ଲେଖାରେ ଆବଶ୍ୟକତାଠାରୁ ଅଧିକ ହସ୍ତକ୍ଷେପ କରିଛି! ତେଣୁ କେବେ ସେସବୁ ହାଇସ୍କୁଲ୍ ଛାତ୍ରଙ୍କ ଇଂରାଜି ବହିରେ ରହିବାଭଳି ଆଦର୍ଶବାଦୀ ଲେଖା ହୋଇଯାଇଛି ତ କେବେ ହୋଇ ଯାଇଛି କୌଣସି ଐତିହାସିକ ଗବେଷଣା ବା ଏନ୍ଜିଓ ସର୍ଭେ ରିପୋର୍ଟ ଭଳି। ଏପରିକି କେବେ କେବେ ଡେଭିଡ୍ ଧାୱନ୍ ବଲିଉଡ୍ କମେଡି ଭଳି ବି ଅତିରଂଜିତ! ଅନ୍ତର୍ଜାତୀୟ ପାଠକର ଦୃଷ୍ଟିରୁ ଏବେ ବି ଦୂରରେ ରହିଛି ଅସଲ ଭାରତର କଥା, ଯାହାକୁ ଇଂରାଜିରେ ଲେଖୁଥିବା ଭାରତୀୟ ବା ଭାରତୀୟ ବଂଶୋଦ୍ଭବ ଲେଖକମାନେ ଯଥାଯଥ କହି ନାହାନ୍ତି ବା କହି ପାରିନାହାନ୍ତି। ତେବେ ଭାରତୀୟ ଆଞ୍ଚଳିକ ଭାଷାର ସାହିତ୍ୟରେ ଭାରତୀୟ ସମାଜର ଏହି ଚିତ୍ରଟି ପ୍ରଚୁର ପରିମାଣରେ ରହିଛି। କିନ୍ତୁ ଅନୁବାଦର ଅଭାବରୁ ତା’ ଭିତରୁ ଅଧିକାଂଶ ଭାଗ ଏବେ ବି ବିଶ୍ବ ପାଠକର ଦୃଷ୍ଟି ଆଢୁଆଳରେ ରହି ଯାଇଛି।
ଏମିତି ସ୍ଥିତିରେ କନ୍ନଡ଼ ଲେଖିକା ବାନୁ ମୁସ୍ତାକଙ୍କ କ୍ଷୁଦ୍ରଗଳ୍ପ ସଂକଳନର ଇଂରାଜି ଅନୁବାଦ ‘ହାର୍ଟ ଲ୍ୟାମ୍ପ୍’ ଇଣ୍ଟର୍ନ୍ୟାସ୍ନାଲ୍ ବୁକର୍ ପୁରସ୍କାର ପାଇବା ଗୋଟିଏ ଭଲ ଖବର ନିଶ୍ଚୟ। ଏ ବାବଦରେ କନ୍ନଡ଼ ସାହିତ୍ୟ ପାଇଁ ତ ଏହା ପ୍ରଥମ ଘଟଣା, କେବଳ ସେତିକି ନୁହେଁ; କ୍ଷୁଦ୍ରଗଳ୍ପ ପାଇଁ ମଧ୍ୟ ଏହା ପ୍ରଥମ ଇଣ୍ଟର୍ନ୍ୟାସ୍ନାଲ୍ ବୁକର୍ ସମ୍ମାନ। ଉଲ୍ଲେଖଯୋଗ୍ୟ ଯେ ଇଂରାଜିରେ ଲିଖିତ ଉପନ୍ୟାସକୁ ‘ବୁକର୍ ପୁରସ୍କାର’ ଦିଆ ଯାଉଥିବାବେଳେ ‘ଇଣ୍ଟର୍ନ୍ୟାସ୍ନାଲ୍ ବୁକର୍ ସମ୍ମାନ’ ରହିଛି ଅନ୍ୟ ଭାଷାରୁ ଇଂରାଜିରେ ଅନୂଦିତ ବହି ପାଇଁ। ୨୦୨୨ ମସିହାରେ ହିନ୍ଦୀ ଲେଖିକା ଗୀତାଞ୍ଜଳି ଶ୍ରୀ ଏହି ପୁରସ୍କାର ପାଇଥିଲେ। ବହିର ନାଁ ଥିଲା ‘ଟମ୍ବ ଅଫ୍ ସ୍ୟାଣ୍ଡ୍’। ହିନ୍ଦୀରୁ ଏହାକୁ ଇଂରାଜିରେ ଅନୁବାଦ କରିଥିଲେ ଜଣେ ବିଦେଶିନୀ ଅନୁବାଦିକା- ଡେସି ରକ୍ୱେଲ୍। ‘ହାର୍ଟ ଲ୍ୟାମ୍ପ୍’ ରେ ମୁସ୍ତାକ ୧୯୯୦ରୁ ୨୦୨୩ ମସିହା ଭିତରେ ଲେଖିଥିବା ୧୨ଟି ଗପ ସ୍ଥାନ ପାଇଛି। କନ୍ନଡ଼ରୁ ଏହାକୁ ଇଂରାଜିରେ ଅନୁବାଦ କରିଛନ୍ତି ଦୀପା ବସ୍ତି। ପୁରସ୍କାରର ନିୟମ ଅନୁସାରେ ପୁରସ୍କାର ରାଶି ୫୦ ହଜାର ପାଉଣ୍ଡ ଉଭୟ ଲେଖିକା ଓ ଅନୁବାଦିକାଙ୍କ ଭିତରେ ଭାଗହେବ।
ବାନୁ ମୁସ୍ତାକଙ୍କୁ ଇଣ୍ଟର୍ନ୍ୟାସ୍ନାଲ୍ ବୁକର୍ ପୁରସ୍କାର
‘ହାର୍ଟ ଲ୍ୟାମ୍ପ୍’ରେ ଥିବା ଗପଗୁଡ଼ିକରେ ଦକ୍ଷିଣ ଭାରତୀୟ ମୁସଲମାନ ସମାଜରେ ମହିଳାମାନଙ୍କର ସ୍ଥିତି ଓ ସଂଘର୍ଷର ଚିତ୍ର ରହିଛି। ପୁରସ୍କାର ଗ୍ରହଣ କରିବା ଅବସରରେ ମୁସ୍ତାକ କହିଛନ୍ତି, ‘‘ଏ ସମାଜ ଓ ପୃଥିବୀ ଅନେକ ସମୟରେ ଆମକୁ ପରସ୍ପରଠୁ ଅଲଗା କରିବାକୁ ଚେଷ୍ଟା କରି ଆସିଥିବାବେଳେ ସାହିତ୍ୟ ଏମିତି ଏକ ପବିତ୍ର ପ୍ରସଙ୍ଗ ଯାହା ଆମକୁ ଯୋଡ଼ିବାରେ ସାହାଯ୍ୟ କରେ- ହେଇପାରେ ଅଳ୍ପ କେଇଟି ପୃଷ୍ଠାର ଅବଧି ପାଇଁ ହିଁ।’’ ମୁସ୍ତାକଙ୍କ ଜନ୍ମ ଦକ୍ଷିଣ କର୍ଣ୍ଣାଟକର ଏକ ଛୋଟ ସହରରେ, ମୁସଲମାନ ଅଧ୍ୟୁଷିତ ଇଲାକାରେ। ପିଲାଦିନେ ସେଠାକାର ଅନ୍ୟ ସବୁ ଝିଅଙ୍କ ଭଳି ସ୍କୁଲରେ ସେ ଉର୍ଦ୍ଦୁ ପଢ଼ିଥିଲେ। ତେବେ ସରକାରୀ କର୍ମଚାରୀ ଥିବା ତାଙ୍କ ବାପା ଚାହୁଥିଲେ ଝିଅ ଆଗକୁ ବଢୁ। ତେଣୁ କନ୍ଭେଣ୍ଟ ସ୍କୁଲରେ ତାଙ୍କର ଆଡ୍ମିସନ୍ ହେଲା। ସେଠି ସେ କନ୍ନଡ଼ ଶିଖିଲେ। କନ୍ନଡ଼ ଶିଖିବାଲାଗି ପ୍ରଥମେ ପ୍ରଥମେ ତାଙ୍କୁ ବହୁତ କଷ୍ଟ କରିବାକୁ ହୋଇଥିଲା ଅବଶ୍ୟ। ସେହି ସ୍କୁଲ୍ବେଳୁ ତାଙ୍କର ଲେଖାଲେଖି ଆରମ୍ଭ ହୋଇଥିଲା। ସ୍କୁଲ୍ ପରେ ତାଙ୍କ ସହିତ ପଢୁଥିବା ଅଧିକାଂଶ ଝିଅ ବାହା ହୋଇଗଲେ, ମା’ ହେଲେ। ସେ କିନ୍ତୁ କଲେଜ ଗଲେ। ୨୬ ବର୍ଷ ବୟସରେ ସେ ନିଜ ପସନ୍ଦର ଜଣେ ଯୁବକଙ୍କୁ ବାହାହେଲେ ସିନା ବାହାଘରର ପ୍ରଥମ ବର୍ଷଗୁଡ଼ିକ ଭାରି କଷ୍ଟରେ ବିତିଥିଲା। ତାଙ୍କୁ ବୁର୍ଖା ପିନ୍ଧିବାକୁ ଓ ଘରେ ରହି ଘରକାମ ହିଁ କରିବାଲାଗି କୁହାଗଲା। ଭୀଷଣ ମନସ୍ତାପ ଭିତରେ ସେ ଥରେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ନିଆଁ ଲଗାଇବା ପୂର୍ବରୁ ସ୍ବାମୀ ତାଙ୍କୁ ଅଟକାଇଥିଲେ।
ସେମିତି ମସ୍ଜିଦ୍ରେ ପ୍ରାର୍ଥନା କରିବାଲାଗି ମୁସଲମାନ ମହିଳାମାନଙ୍କ ଅଧିକାର ସପକ୍ଷରେ ଯୁକ୍ତି କରିବାରୁ ତାଙ୍କୁ ବେଶ୍ ବିରୋଧ ହୋଇଥିଲା। ଏମିତିକି ତାଙ୍କ ବିରୋଧରେ ଫତ୍ୱା ଜାରି କରା ଯାଇଥିଲା। ଜଣେ ଲୋକ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଠିକଣା ସମୟରେ ସ୍ବାମୀଙ୍କ ସତର୍କତା ଯୋଗୁଁ ସେ ରକ୍ଷା ପାଇଥିଲେ।
କିଛିବର୍ଷ ସାମ୍ବାଦିକତା କରିବା ପରେ ମୁସ୍ତାକ ଆଇନକୁ ପେସା ଭାବେ ଗ୍ରହଣ କରିଥିଲେ। ତା’ ସହିତ ଏକ ସାମାଜିକ ସଂଗଠନରେ ମଧ୍ୟ ସେ କାମ କରିଛନ୍ତି। ତାଙ୍କର ଛଅଟି ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ ଓ ଗୋଟିଏ ନିବନ୍ଧ ସଂକଳନ ପ୍ରକାଶିତ। ପୂର୍ବରୁ ସେ ଗପ ପାଇଁ କର୍ଣ୍ଣାଟକ ସାହିତ୍ୟ ଏକାଡେମି ପୁରସ୍କାର ପାଇ ସାରିଛନ୍ତି। ତାଙ୍କ ଗଳ୍ପ ସଂକଳନର ଇଂରାଜି ଅନୁବାଦ ପୂର୍ବରୁ ପେନ୍ ଅନୁବାଦ ପୁରସ୍କାର ମଧ୍ୟ ପାଇଛନ୍ତି।