ନିର୍ବାଚନରେ ଯଦି କୌଣସି ପ୍ରାର୍ଥୀ ପସନ୍ଦ ନ ଆସିବେ, ତେବେ କ’ଣ କରାଯିବ? ପ୍ରାର୍ଥୀଙ୍କୁ ଜନତା ନାପସନ୍ଦ କରୁଛନ୍ତି, ସେକଥା ସେମାନଙ୍କ ପାଖରେ ପହଞ୍ଚିବ କିଭଳି? ପ୍ରାର୍ଥୀମାନେ ପସନ୍ଦ ନ ଆସିଲେ, କ’ଣ ଭୋଟ ବର୍ଜନ ଠିକ୍ ହେବ? ଏସବୁ ପ୍ରଶ୍ନର ଉତ୍ତର ସ୍ବରୂପ ‘ନୋଟା’ (ନନ୍ ଅଫ୍ ଦ ଏବଭ୍) ବିକଳ୍ପ ସାମ୍ନାକୁ ଆସିଛି। ‘ନୋଟା’ ଯେକୌଣସି ନାଗରିକକୁ ନେଗେଟିଭ୍ ଭୋଟ୍ ଦେବାର ଅଧିକାର ପ୍ରଦାନ କରିଥାଏ। ଅର୍ଥାତ୍ ସମସ୍ତ ପ୍ରାର୍ଥୀଙ୍କୁ ଅସ୍ବୀକାର ସ୍ବରୂପ ‘ନୋଟା’ରେ ଭୋଟ୍ ଦେଇହେବ। ୨୦୧୩ ସେପ୍ଟେମ୍ବର ୨୭ରେ ‘ନୋଟା’କୁ ଆଇନର ମାନ୍ୟତା ମିଳିଥିଲା। ସେହିବର୍ଷ ହିଁ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ, ଦିଲ୍ଲୀ ଓ ଛତିଶଗଡ଼ ଆଦିର ବିଧାନସଭା ନିର୍ବାଚନରେ ‘ନୋଟା’ ବିକଳ୍ପକୁ ଇଭିଏମ୍ ମେସିନ୍ରେ ଯୋଡ଼ାଯାଇଥିଲା। ୨୦୧୪ ମସିହା ରାଜ୍ୟସଭା ନିର୍ବାଚନରେ ‘ନୋଟା’ ଆରମ୍ଭ ହୋଇଥିଲା। ‘ନୋଟା’ ବିକଳ୍ପ ଆଣିଥିବା ବିଶ୍ବର ପ୍ରଥମ ଦେଶ ହେଉଛି ‘ଫ୍ରାନ୍ସ’। ୨୦୦୮ରେ ପ୍ରଥମ ଏସୀୟ ଦେଶ ଭାବେ ‘ବାଲାଂଦେଶ’ ‘ନୋଟା’ ବିକଳ୍ପ ଆଣିଥିଲା। ‘ନୋଟା’ ବିକଳ୍ପ ରଖିଥିବା ଭାରତ ହେଉଛି ବିଶ୍ବର ୧୪ତମ ଦେଶ। ୨୦୧୯ ସାଧାରଣ ନିର୍ବାଚନରେ ଭାରତର ୧.୦୪% ମତଦାତା ‘ନୋଟା’ରେ ଭୋଟ ଦେଇଥିଲେ।
ଆମ ସମ୍ବିଧାନ ଆମକୁ ଭୋଟ୍ ଦେବାର ଅଧିକାର ଦେଇଛି। ସେହିଭଳି ଆମ ପାଖରେ ‘ଭୋଟ୍ ନ ଦେବାର ଅଧିକାର’ ବି ରହିଛି। ଏହି ଅଧିକାର ବଳରେ ୨୦୧୩ରେ ‘ନୋଟା’ ଆସିବା ପୂର୍ବରୁ ବି ନାଗରିକମାନେ ପ୍ରାର୍ଥୀଙ୍କୁ ଅସ୍ବୀକାର କରିପାରୁଥିଲେ। ଏଥିପାଇଁ ମତଦାତାଙ୍କୁ ମତଦାନ କେନ୍ଦ୍ରକୁ ଯାଇ ‘ଫର୍ମ-୪୯-ଓ’ରେ ଦସ୍ତଖତ କରିବାକୁ ପଡ଼ୁଥିଲା। କିନ୍ତୁ ଏହି ପ୍ରକ୍ରିୟାରେ କୌଣସି ଗୋପନୀୟତା ରହୁନଥିଲା। ଫଳରେ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା। ଅଭିଯୋଗ ହେଲା, ‘ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ସ୍ ଆକ୍ଟ’ ମତଦାତାଙ୍କ ‘ଅଭିବ୍ୟକ୍ତିର ସ୍ବାଧୀନତା’କୁ ନଷ୍ଟ କରୁଛି। ଆହୁରି କୁହାଗଲା, ଏହି ଆକ୍ଟ ଭୋଟର୍ଙ୍କୁ ଭୋଟ୍ ନ ଦେବାର ଅଧିକାର ତ ଦେଉଛି, କିନ୍ତୁ ଏହି ଅଧିକାର ସାବ୍ୟସ୍ତ ବେଳେ ଗୋପନୀୟତା ରହୁନାହିଁ। ଏହି ପିଟିସନ୍ କାରଣରୁ ହିଁ ସୁପ୍ରିମକୋର୍ଟ ‘ନୋଟା’କୁ ବିକଳ୍ପ ଭାବେ ଇଭିଏମ୍ରେ ଯୋଡ଼ିଥିଲେ। ଏହି ମାମଲାର ଶୁଣାଣି ବେଳେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ପି. ସତ୍ୟଶିବମ୍ କହିଥିଲେ, ‘ନୋଟା’ ନିର୍ବାଚନରେ ଏକ ବ୍ୟବସ୍ଥିତ ପରିବର୍ତ୍ତନ ଆଣିବ। ଏଥିସହ ସମସ୍ତ ରାଜନୈତିକ ଦଳମାନଙ୍କୁ ଏକ ସ୍ବଚ୍ଛ ତଥା ଉପଯୁକ୍ତ ପ୍ରାର୍ଥୀ ଦେବାକୁ ପ୍ରୋତ୍ସାହିତ କରିବ।
ଯଦି ନୋଟାକୁ ସର୍ବାଧିକ ଭୋଟ୍ ମିଳେ ତ କ’ଣ ହେବ? ଭାରତୀୟ ନିର୍ବାଚନ ଆୟୋଗ ଏକ ସର୍କୁଲାର୍ ଜାରି କରିଥିଲେ, ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା, ଯଦି ବି କୌଣସି ନିର୍ବାଚନରେ ‘ନୋଟା’ ସଂଖ୍ୟା ଗରିଷ୍ଠତା ପାଇଯାଏ, ତେବେ ତା’ପରେ ଯେଉଁ ପ୍ରାର୍ଥୀ ସର୍ବାଧିକ ସଂଖ୍ୟା ଗରିଷ୍ଠତା ପାଇଥିବେ, ସେ ହିଁ ବିଜେତା ହେବେ। ଅର୍ଥାତ୍ ଆମ ହାତରେ କ୍ଷମତା ତ ଦିଆଯାଇଛି। କିନ୍ତୁ ସେ କ୍ଷମତା କୌଣସି କାମକୁ ନୁହେଁ। ଏଣୁ ବିଶେଷଜ୍ଞମାନେ ‘ନୋଟା’କୁ ‘ଦନ୍ତବିହୀନ ବାଘ’ ବୋଲି କହିଥା’ନ୍ତି। ‘ନୋଟା’ ଏଭଳି ଏକ ମଞ୍ଚ, ଯେଉଁଠାରେ ନାଗରିକ ନିଜର ଅସନ୍ତୋଷ ଓ ଅସ୍ବୀକାର ବ୍ୟକ୍ତ ତ କରିପାରିବେ, କିନ୍ତୁ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଉପରେ ଏହାର କୌଣସି ପ୍ରଭାବ ପଡ଼େନାହିଁ। ‘ନୋଟା’ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏବେ ନୂଆ ବିତର୍କ ମୁଣ୍ଡ ଟେକୁଛି। ଗୋଟିଏ ପଟେ ‘ନୋଟା’ ସଂଖ୍ୟା ଗରିଷ୍ଠତା ପାଇଲେ, ପୁନଃନିର୍ବାଚନର ଦାବି ଉଠୁଛି। ଅନ୍ୟପଟେ ‘ନୋଟା’ ଅଧିକ ଭୋଟ୍ ପାଇଥିବା ଅଞ୍ଚଳର ପ୍ରାର୍ଥୀଙ୍କୁ ଆଜୀବନ ନିର୍ବାଚନରେ ଠିଆ ହେବା ପାଇଁ ଅଯୋଗ୍ୟ ଘୋଷିତ କରିବାକୁ ବି ମତ ପ୍ରକାଶ ପାଉଛି। କିନ୍ତୁ କିଛି ବୁଦ୍ଧିଜୀବୀ ଉଭୟ ଦାବିକୁ ଅେଯୗକ୍ତିକ ବୋଲି କହୁଛନ୍ତି।
ନିକଟ ଅତୀତରେ ସୁପ୍ରିମକୋର୍ଟ, ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏକ ନୋଟିସ୍ ପଠାଇଛନ୍ତି। ଏଥିରେ କୋର୍ଟ ପଚାରିଛନ୍ତି, ‘ଯଦି ନୋଟା’ ସଂଖ୍ୟା ଗରିଷ୍ଠତା ପାଏ, ତେବେ କ’ଣ ସେହି ଅଞ୍ଚଳର ନିର୍ବାଚନକୁ ରଦ୍ଦ କରିଦିଆଯିବ କି?
ସେହିଭଳି ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଯେଉଁଥିରେ ‘ନୋଟା’କୁ ଏକ କାଳ୍ପନିକ ବ୍ୟକ୍ତି ଭାବେ ଧରିନେବାକୁ କୁହାଯାଇଥିଲା। ଫଳରେ ରାଜନୈତିକ ଦଳମାନଙ୍କ ଉପରେ ଉପଯୁକ୍ତ ପ୍ରାର୍ଥୀ ଦେବାର ଚାପ ସୃଷ୍ଟି ହେବ। ଏଥିସହ ଯଦି କୌଣସି ନିର୍ବାଚନମଣ୍ଡଳୀରେ ‘ନୋଟା’ ସଂଖ୍ୟା ଗରିଷ୍ଠତା ପାଏ, ତେବେ ସେଠାରେ ପୁନଃନିର୍ବାଚନ କରାଇବାକୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାର ଦାବି କରାଯାଇଛି। ଦେଖିବାକୁ ବାକି ରହିଲା ‘ନୋଟା’ ଏକ ‘ଦନ୍ତବିହୀନ ବାଘ’ରୁ ‘ଶିକାରୀ ବାଘ’ କେବେ ପାଲଟୁଛି।