‘‘ବ୍ଲକ୍ବଷ୍ଟର୍’ ଶବ୍ଦଟି ଶୁଣିଲେ ମନକୁ ଆସିଯାଏ ଗୋଟିଏ ସଫଳ ତଥା ଲୋକପ୍ରିୟ ଚଳଚ୍ଚିତ୍ରର କଥା। ସିନେମାଟି ସୁପର୍ଡୁପର୍ ହିଟ୍ ହୋଇଥିଲେ ବା ବେଶ୍ କିଛି ସପ୍ତାହ ହାଉସ୍ଫୁଲ୍ ଚାଲିଥିଲେ ତାହାକୁ ବ୍ଲକ୍ବଷ୍ଟର୍ ଶ୍ରେଣୀଭୁକ୍ତ କରାଯାଇଥାଏ। ଯଦି ଆମେ ବଲିଉଡ୍ କଥା ବିଚାରକୁ ନେବା ତେବେ ବହୁ ଫିଲ୍ମ ଏହି ପର୍ଯ୍ୟାୟରେ ଆସିବ। ‘ଶୋଲେ’ଠାରୁ ଆରମ୍ଭ କରି ‘ପଠାନ୍’ ପର୍ଯ୍ୟନ୍ତ, ପୁଣି ‘ଆରାଧନା’ରୁ ନେଇ ‘ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ’ ଯାଏଁ ଭାରତରେ ଏମିତି ଅନେକ ଫିଲ୍ମ ନିର୍ମାଣ କରାଯାଇଛି; ଯାହା ବ୍ୟାପକ ଦର୍ଶକ ସମର୍ଥନ ପାଇ ସୁପର୍ହିଟ୍ ହୋଇଛି। ଏହି ଫିଲ୍ମଗୁଡ଼ିକୁ ବ୍ଲକ୍ବଷ୍ଟର୍ ଫିଲ୍ମ ବର୍ଗରେ ରଖାଯାଇଛି। କେବଳ ଦର୍ଶକଙ୍କର ମନୋରଞ୍ଜନ ନୁହେଁ, ବକ୍ସଅଫିସ୍ରୁ ଆୟ ବି ଏହାର ପରିମାପକ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଫିଲ୍ମଗୁଡ଼ିକୁ ‘ବ୍ଲକ୍ବଷ୍ଟର୍’ କାହିଁକି କୁହାଯାଏ? ଏହି ଶବ୍ଦଟି କିପରି ସୃଷ୍ଟି ହୋଇଥିଲା? ଏହା ପଛରେ ଗତ ଶତାବ୍ଦୀର ଏକ ପ୍ରମୁଖ ଘଟଣା ଯୋଡ଼ିହେଇ ରହିଛି। ଏବେ ସେଇ ଘଟଣା ଓ ବ୍ଲକ୍ବଷ୍ଟର୍ ସମ୍ପର୍କରେ ଆସନ୍ତୁ ଜାଣିବା...।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ଆଜି ‘ବ୍ଲକ୍ବଷ୍ଟର୍’ ଶବ୍ଦ ଫିଲ୍ମ ସହିତ ଜଡ଼ିତ ହୋଇଥିଲେ ହେଁ ପୂର୍ବରୁ ଶବ୍ଦଟି ଯୁଦ୍ଧ ସହ ଜଡ଼ିତ ଥିଲା। ଶବ୍ଦଟିର ପ୍ରୟୋଗ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା। ଏହି ଶବ୍ଦ ପ୍ରଥମେ ଟାଇମ୍ ମାଗାଜିନ୍ର ୧୯୪୨ ମସିହା ୨୯ ନଭେମ୍ବର ସଂଖ୍ୟାରେ ପ୍ରକାଶିତ ଏକ ପ୍ରବନ୍ଧରେ ବ୍ୟବହାର ହୋଇଥିଲା। ଇଟାଲିର ପ୍ରମୁଖ ଶିଳ୍ପାଞ୍ଚଳରେ କରାଯାଇଥିବା ବୋମା ଆକ୍ରମଣ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଥିଲା।
ଏହି ମିସନ୍ ପାଇଁ ବ୍ୟବହୃତ ହେଉଥିବା ବୋମାକୁ ‘ବ୍ଲକ୍ବଷ୍ଟର୍’ କୁହାଯାଇଥିଲା। ଏହାର କାରଣ ହେଉଛି, ଏହି ବୋମା ଏତେ ଶକ୍ତିଶାଳୀ ଥିଲା ଯେ ଏକ ସିଟି ବ୍ଲକ୍ ଉଡ଼ାଇବାରେ ସକ୍ଷମ ହୋଇଥିଲା। ବ୍ରିଟିସ୍ମାନେ ନିୟମିତ ଭାବେ ଆକ୍ରମଣ ଲାଗି ଏଭଳି ବୋମାର ବ୍ୟବହାର ଆରମ୍ଭ କଲେ ଏବଂ ଏହି ବୋମା କ୍ରମେ ଲୋକପ୍ରିୟ ହେବାରେ ଲାଗିଲା। ସେବେଠାରୁ ଏହି ‘ବ୍ଲକ୍ବଷ୍ଟର୍’ ନାମ ଆମେରିକାରେ ବ୍ୟାପିଗଲା ଏବଂ ଏହା ଯେକୌଣସି ପ୍ରକାରର ଚକିତକାରୀ ଓ ବିସ୍ଫୋରକ ଜିନିଷ କିମ୍ବା ଘଟଣାର ବର୍ଣ୍ଣନାରେ ବ୍ୟବହୃତ ହେବାକୁ ଲାଗିଲା।
ଏହାପରେ ଟାଇମ୍ ମାଗାଜିନ୍ ଏହାର ୧୯୪୩ ମସିହା ମେ ୯ ସଂଖ୍ୟାରେ ବ୍ଲକ୍ବଷ୍ଟର୍ ବୋମା ପାଇଁ ନୁହେଁ, ବରଂ ଏକ ଫିଲ୍ମ ପାଇଁ ବ୍ୟବହାର କରିଥିଲା। ଏହି ଶବ୍ଦ ଫିଲ୍ମର ରୋଜଗାର କିମ୍ବା ବକ୍ସ୍ ଅଫିସ୍ ସମୀକ୍ଷାରେ ବ୍ୟବହୃତ ହୋଇ ନ ଥିଲା, କିନ୍ତୁ ଫିଲ୍ମର କାହାଣୀକୁ ନେଇ ହୋଇଥିଲା। ଏହି ଫିଲ୍ମଟି ଥିଲା ‘ମିସନ୍ ଟୁ ମସ୍କୋ’। ଜୋସେଫ୍ ଡେଭିସ୍ ନାମକ ଜଣେ ବ୍ୟକ୍ତିଙ୍କ ପୁସ୍ତକ ଉପରେ ଏହାର କାହାଣୀ ଆଧାରିତ ହୋଇଥିଲା। ଡେଭିସ୍ ୧୯୩୬ରୁ ୧୯୩୮ପର୍ଯ୍ୟନ୍ତ ସୋଭିଏତ୍ ୟୁନିଅନ୍ରେ ଆମେରିକାର ହାଇକମିସନର୍ ଭାବେ ଅବସ୍ଥାପିତ ଥିଲେ। ଏହା ପରେ ପରେ ବିଭିନ୍ନ ଖବରକାଗଜ ଓ ପତ୍ରିକା ଫିଲ୍ମ କ୍ଷେତ୍ରରେ ‘ବ୍ଲକ୍ବଷ୍ଟର୍’ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଦେଲେ। ଯେଉଁ ଫିଲ୍ମ ଉଭୟ ଦର୍ଶକ ସମର୍ଥନ ଓ ଆୟରେ ଶୀର୍ଷକୁ ଯାଏ ତାହାକୁ ବ୍ଲକ୍ବଷ୍ଟର୍ ଆଖ୍ୟା ଦିଆଯାଏ। ବିଶ୍ୱବ୍ୟାପୀ ବକ୍ସ୍ ଅଫିସ ଉପରେ ଆଧାରିତ ବ୍ଲକ୍ବଷ୍ଟର୍ ଚଳଚ୍ଚିତ୍ର ମଧ୍ୟରେ ରହିଛି, ‘ଜୁରାସିକ୍ ପାର୍କ’, ‘ଅବତାର୍’, ‘ପ୍ରୋଜେନ୍’, ‘ବିୟୁଟି ଆଣ୍ଡ୍ ଦି ବିଷ୍ଟ୍’, ‘ଜୁରାସିକ୍ ୱାର୍ଲ୍ଡ’, ‘ଦ ଲାୟନ୍ କିଙ୍ଗ୍’, ‘ଫାଇଡିଂ ନେମୋ’, ‘ଦ ସିକ୍ରେଟ୍ ଲାଇଫ୍ ଅଫ୍ ପେଟସ୍’, ‘ଇନ୍ସାଇଡ୍ ଆଉଟ୍’ ଇତ୍ୟାଦି।