ଆମେ କିଣୁଥିବା ଉତ୍ପାଦର ଗୁଣମାନ ନେଇ ନିଶ୍ଚିତ ହେବାକୁ ସେଥିରେ ‘ଆଇଏସ୍ଆଇ’ ମାର୍କ ବା ଚିହ୍ନ ଅଛି ନା ନାହିଁ ପରଖୁ। ଠିକ୍ ସେମିତି ଆଜିକାଲି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଉତ୍ପାଦଟି କେତେ ଷ୍ଟାର୍ ମାନ୍ୟତା ପାଇଛି ତାହା ଦେଖିବାକୁ ଭୁଲୁନାହୁଁ। ବର୍ତ୍ତମାନ ଉତ୍ପାଦ ଖରିଦ କରିବା ବେଳେ ଖାଉଟିମାନଙ୍କୁ ଦେଖିବାକୁ ପଡ଼ିବ କି ତାହା ପରିବେଶ ଅନୁକୂଳ କି ନୁହେଁ। ଆଉ ଏହା ସୂଚାଇ ଦେବ ‘ଇକୋଲେବଲ୍’ ବା ‘ଇକୋମାର୍କ’। ପ୍ରସ୍ତୁତିରୁ ଅଚଳ ବା ନଷ୍ଟ ହେବା ପର୍ଯ୍ୟନ୍ତ ପରିବେଶ ଉପରେ ଅତି କମ୍ କୁପ୍ରଭାବ ପକାଉଥିବା ଯେକୌଣସି ସାମଗ୍ରୀ ବା ଉତ୍ପାଦ ଚିହ୍ନଟ କରିବା ଲାଗି ‘ଇକୋମାର୍କ’ ମଞ୍ଜୁର କରାଯାଇଥାଏ।
ଅନ୍ୟାନ୍ୟ ଦେଶର ସରକାରଙ୍କ ଭଳି ପରିବେଶର କ୍ଷତି କରୁ ନ ଥିବା ସାମଗ୍ରୀଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ମଧ୍ୟ ଖାଦ୍ୟ, ପ୍ରସାଧନ, ସାବୁନ, ଡିଟର୍ଜେଣ୍ଟ୍ ଓ ରଙ୍ଗ ଆଦି ଉତ୍ପାଦରେ ‘ଇକୋମାର୍କ’ ଲେବୁଲ୍ ଲଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବିସ୍ତାରିତ ନିୟମାବଳି (ଇକୋ ମାର୍କ ରୁଲ୍ସ୍ ୨୦୨୪) ପ୍ରକାଶ କରିଛି। ଉତ୍ପାଦ ଉପରେ ‘ଇକୋମାର୍କ’ ସଙ୍କେତ ରହିଲେ ଖାଉଟି କିଣୁଥିବା ଉତ୍ପାଦ ସମ୍ବନ୍ଧରେ ସବିଶେଷ ସୂଚନା ପାଇ ପାରିବେ। ପରିବେଶ ଉପରେ ଅପେକ୍ଷାକୃତ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଉତ୍ପାଦର ଚାହିଦା ବୃଦ୍ଧି କରିବା ହେଉଛି ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ। ଏହି ବ୍ୟବସ୍ଥା ସ୍ବଳ୍ପ ଶକ୍ତି ଉପଯୋଗ, ସମ୍ବଳର ସୁବିନିଯୋଗ, ସଂରକ୍ଷଣ, ଉତ୍ପାଦର ପୁନଃବ୍ୟବହାର ଓ ପୁନଃପ୍ରକ୍ରିୟାକରଣ ଇତ୍ୟାଦି ପ୍ରୋତ୍ସାହିତ କରେ। ଏହାଛଡ଼ା, କୌଣସି ଉତ୍ପାଦ ପରିବେଶ ପାଇଁ କ୍ଷତିକାରକ ବୋଲି ହେଉଥିବା ଅପପ୍ରଚାର ବା ବିଭ୍ରାନ୍ତିକର ଦାବି ପ୍ରତିହତ କରିବାରେ ମଧ୍ୟ ଏହି ବ୍ୟବସ୍ଥା ସହାୟକ ହେବ। ‘ଇକୋମାର୍କ’ ପାଇବା ଲାଗି ଯୋଗ୍ୟ ବିବେଚିତ ହେବାକୁ ଯେକୌଣସି ଉତ୍ପାଦ ‘ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍’ରୁ ଲାଇସେନ୍ସ୍ ବା ସୁନିଶ୍ଚିତତା ପ୍ରମାଣପତ୍ର ହାସଲ କରିଥିବା ବାଞ୍ଛନୀୟ।
‘ଇକୋମାର୍କ’ ମଞ୍ଜୁରି ହାସଲ କରିବା ପାଇଁ ନିୟମାବଳି ପ୍ରସ୍ତୁତ କରାଯାଇଛି। ବର୍ଜ୍ୟ ସାମଗ୍ରୀ ଯଥାସମ୍ଭବ କମ୍ ବା ହଟାଇବା ସହିତ ଏହି ଉତ୍ପାଦ ବାଷ୍ପ, ଉତ୍ତାପ ଓ ଆଲୋକ ଇତ୍ୟାଦି ନିର୍ଗମନ ନ କରି ପ୍ରଦୂଷଣ ହ୍ରାସ କରୁଥିବ। ଏହି ଉତ୍ପାଦ ପୁନଃବ୍ୟବହାର ଉପଯୋଗୀ ହୋଇପାରୁଥିବ ଅଥବା ପୁନଃବ୍ୟବହାର ଉପଯୋଗୀ ସାମଗ୍ରୀରୁ ନିର୍ମିତ ହୋଇଥିବ। ସେହିପରି, ଏ ଉତ୍ପାଦ ଅଣ-ଅକ୍ଷୟଶକ୍ତି ସମ୍ବଳ ଓ ପ୍ରାକୃତିକ ସମ୍ବଳ ସମେତ ଅଣ-ଅକ୍ଷୟ ସମ୍ବଳ ଉପରେ ନିର୍ଭରଶୀଳତା ହ୍ରାସ କରୁଥିବ। ଏହା ମଧ୍ୟ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ବ୍ୟବହାର ହ୍ରାସ କରାଉଥିବ। ଏହା ବ୍ୟତିରେକେ, ଉତ୍ପାଦନ ପ୍ରକ୍ରିୟା, ପ୍ରାକୃତିକ ସମ୍ବଳ ବ୍ୟବହାର, ପରିବେଶୀୟ ପ୍ରଭାବ, ବର୍ଜ୍ୟ ନିର୍ଗମନ, ଉତ୍ପାଦ ବିନଷ୍ଟ ଓ ପ୍ୟାକେଜିଙ୍ଗ୍ ଆଦି କଥା ବି ବିଚାରକୁ ନିଆଯିବ। ‘ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ’ (ସିପିସିବି) ଜରିଆରେ କମ୍ପାନିମାନେ ‘ଇକୋମାର୍କ’ ପାଇଁ ଆବେଦନ କରିପାରିବେ। ଦରଖାସ୍ତ ପାଇବା ପରେ ବୋର୍ଡ ନିଜେ ବା କାହାଦ୍ବାରା ଉତ୍ପାଦ ଯାଞ୍ଚ କରାଇବ। ସବୁ ଠିକ୍ଠାକ୍ ଥିଲେ ‘ଇକୋମାର୍କ’ ମିଳିବ ଏବଂ ତାହା ୩ ବର୍ଷ ପାଇଁ ବୈଧ ରହିବ।
‘ଇକୋମାର୍କ’ ମଞ୍ଜୁରି ପାଇଁ ରଙ୍ଗ, ପ୍ରସାଧନ ସାମଗ୍ରୀ, ବ୍ୟାଟେରି, ଖାଇବା ତେଲ, ଚା, କଫି, ଡିଟର୍ଜେଣ୍ଟ୍ ଓ କାଗଜ ସମେତ ୧୭ଟି ବର୍ଗର ଉତ୍ପାଦ ନିମନ୍ତେ ଯୋଗ୍ୟତା ନିରୂପଣ କରାଯାଇଛି। ସେଗୁଡ଼ିକ ହେଉଛି ଦେହଲଗା ପାଉଡର୍, ଦାନ୍ତଘଷା ପାଉଡର୍ ଓ ପେଷ୍ଟ୍, ସ୍କିନ୍ କ୍ରିମ୍, କେଶତୈଳ, ସାମ୍ପୁ, ଗାଧୁଆ ସାବୁନ, ହେୟାର୍ କ୍ରିମ୍, ନେଲ୍ ପଲିସ୍, ଆଫ୍ଟର୍ସେଭ୍ ଲୋସନ୍, ସେଭିଙ୍ଗ୍ କ୍ରିମ୍, କସ୍ମେଟିକ୍ ପେନ୍ସିଲ୍, ଲିପ୍ଷ୍ଟିକ୍ ଭଳି ପ୍ରସାଧନ ସାମଗ୍ରୀ। ସେହିପରି, ଟେଲିଭିଜନ୍, ଫ୍ରିଜ୍, ଫୁଡ୍ ମିକ୍ସର୍, ଗିଜର୍, ଇଲେକ୍ଟ୍ରିକାଲ୍/ଷ୍ଟିମ୍ ଆଇରନ୍, ଟୋଷ୍ଟର୍, କୁଲର୍ ଓ ବୟନ ଉତ୍ପାଦ ବା ବସ୍ତ୍ର ଆଦି ଉତ୍ପାଦ ପାଇଁ ବି ‘ଇକୋମାର୍କ’ ମଞ୍ଜୁର କରାଯାଉଛି।