ପରିବାରର ୮ ସଦସ୍ୟ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ କୋଭିଡ ହସ୍‌ପିଟାଲ୍‌ରେ ଖୁସିରେ ଝୁମିଲେ

ମୁମ୍ବାଇ: କରୋନାଭାଇରସ୍‌ ସଂକ୍ରମଣ ଭାରତରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। କରୋନାଭାଇରସ୍‌ ସହର ସମେତ ଗ୍ରାମାଞ୍ଚଳରେ ବି ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଭଳି ପରିସ୍ଥିତିରେ କୋଭିଡରେ ଆକ୍ରାନ୍ତ ହୋଇ ଯେଉଁମାନେ ସୁସ୍ଥ ହେଉଛନ୍ତି ଅଥବା ଯେଉଁମାନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସୁଛି ସେମାନେ ଖୁସିରେ ଝୁମି ଯାଉଥିବା ଦେଖିବାକୁ ମିଳିଛି।

ନିକଟରେ ଜଣେ ଯୁବତୀଙ୍କ ଭଉଣୀ କରୋନାକୁ ମାତ ଦେଇ ଘରକୁ ଫେରିବା ପରେ ଦୁହେଁ ଘର ବାହାରେ ଖୁସିରେ ଝୁମି ଉଠିଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା। ଏମିତି ଆଉ ଏକ ଭାଇରାଲ ଭିଡିଓ ମଧ୍ୟପ୍ରଦେଶର କାଟନିରୁ ସାମ୍ନାକୁ ଆସିଛି।

 

ଏହି ଭିଡିଓରେ ମଧ୍ୟପ୍ରଦେଶର କାଟନି ଜିଲ୍ଲା ଡାକ୍ତରଖାନାର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ରୋଗୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ କିଛିଦିନ ତଳେ ହିନ୍ଦୁଜା ପରିବାରର ୮ ଜଣ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୮ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଯେମିତି ହିଁ ରିପୋର୍ଟ ନେଗେଟିଭ ଆସିଥିବା ପରିବାର ସଦସ୍ୟ ଶୁଣିଥିଲେ ଖୁସିରେ କୋଭିଡ ସେଣ୍ଟରରେ ସୁଶାନ୍ତ ସିଂ ରାଜପୁତଙ୍କ ସୁପରହିଟ୍‌ ଫିଲ୍ମର ‘ଛିଛୋରେ’ର ଗୀତ ‘ଫିକର୍‌ ନଟ’ରେ ନାଚିବା ଆରମ୍ଭ କରି ଦେଇଥିଲେ। ଏପରି ନୃତ୍ୟ କରି ପରିବାର ଲୋକ ‘କରୋନାକୁ ଭୟ କର ନାହିଁ, କିନ୍ତୁ ଏହାକୁ ଦୃଢ଼ ଭାବରେ ସାମ୍ନା କରିବାକୁ ହେବ’ ବୋଲି ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି।

ଭିଡିଓରେ ୧୦ ଜଣ ଲୋକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ପରିବାର ସଦସ୍ୟ ଫେସବୁକରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର