ଆଶାର ଆଲୋକ : ପ୍ରଦୂଷଣ ନୁହେଁ, ବିସର୍ଜନ ପରେ ଜଳ ବିଶୋଧନ କରିବ ଏହି ଅଭିନବ ମୃଣ୍ମୟୀ ପ୍ରତିମା

ପୂଜାପାର୍ବଣ ଆସିଲେ ଲୋକଙ୍କ ମନରେ ଆନନ୍ଦ ଖେଳିଯାଏ। ଦୂର୍ଗାପୂଜା, କାଳୀପୂଜା, ଗଣେଶପୂଜା, ସରସ୍ବତୀପୂଜା,ବିଶ୍ବକର୍ମାପୂଜା ଓ ଖୁଦୁରୁକୁଣୀପୁଜା ଖୁବ ବର୍ଣାଢ଼୍ୟ ଭାବେ ପାଳନ ହୋଇଥାଏ।  ଉତ୍ସବ ପାଳିବାକୁ ସମସ୍ତେ ଆଗଭର ହୋଇଉଠନ୍ତି। ପୂଜା ପରେ  ମୃଣ୍ମୟୀ ପ୍ରତିମାଙ୍କୁ ବହୁ ଆଡମ୍ବରର ସହ ବିସର୍ଜନ କରାଯାଏ। କିନ୍ତୁ କେହି କେବେ ଭାବନ୍ତି କି  ବିସର୍ଜିତ ପ୍ରତିମା ଯୋଗୁ ନଦୀ କିମ୍ବା ଜଳାଶୟର ଜଳ କେତେ ପରିମାଣରେ ପ୍ରଦୂଷିତ ହେଉଛି। ଏଥିରେ ବ୍ୟବହାର ହୋଇଥିବା ରାସାୟନିକ ରଙ୍ଗ ଓ ଅନ୍ୟାନ୍ୟ ବର୍ଜ୍ୟ ଜଳକୁ ବିଷାକ୍ତ କରୁଛି। ଆମେ ଗୋଟିଏ ପଟେ ପୂଜାଆରାଧନାରୁ ଆନନ୍ଦ ଉଠାଉଥିବା ବେଳେ ଅନ୍ୟ ପକ୍ଷରେ ପ୍ରକୃତି ମା’ ଉପରେ ଅତ୍ୟାଚାର କରୁଛେ। ପୂଜା ପରବର୍ତ୍ତୀ ଜଳ ପ୍ରଦୂଷଣ ବ୍ୟାପକ ହେବା ଫଳରେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ କୃତ୍ରିମ ପୋଖରୀ କରାଯାଇ ସେଥିରେ ମୃଣ୍ମୟୀ ପ୍ରତିମାଙ୍କୁ ବିସର୍ଜନ କରାଯାଉଛି। ଏହାଫଳରେ କିଛି ମାତ୍ରାରେ ପ୍ରଦୂଷଣ ରୋକାଯାଇ ପାରୁଛି।

ଏହି ଚିନ୍ତା କେତେକ ଛାତ୍ରଙ୍କ ମନକୁ ଆନ୍ଦୋଳିତ କଲା। ସେମାନେ ଚିନ୍ତାକଲେ ମାଟିରେ ପ୍ରତିମା ତିଆରି କରିବା ବଦଳରେ ଏମିତି କୌଣସି ପଦାର୍ଥରେ ମୂର୍ତ୍ତି ଗଢ଼ାଯାନ୍ତା, ଯାହାକି ପ୍ରଦୂଷଣ କରନ୍ତା ନାହିଁ। କଥାରେ ଅଛି, ଇଚ୍ଛା ଥିଲେ ଉପାୟ ମିଳେ। ଶେଷରେ ସେମାନେ ସଫଳ ହେଲେ। ମଧ୍ୟପ୍ରଦେଶର ଗୋଟାଏ ସରକାରୀ ସ୍କୁଲ୍‌ର ବିଦ୍ୟାର୍ଥୀମାନେ ସେମାନଙ୍କ ପରୀକ୍ଷାଗାରରେ ‘ପୋଟାସ୍‌ ଆଲୁମ୍‌’ ନାମକ ଜଳ ବିଶୋଧନକାରୀ ରାସାୟନିକ ମିଶ୍ରଣରେ ପରିବେଶର କ୍ଷତି କରୁ ନ ଥିବା ଗଣେଶ ପ୍ରତିମା ଗଢ଼ି ନୂଆ ବାଟ ଦେଖାଇଛନ୍ତି।

Image Courtesy : New Indian Express

‘ରସାୟନ ଶାସ୍ତ୍ର’ ବା କେମିଷ୍ଟ୍ରି ଶିକ୍ଷକ ଡକ୍ଟର୍‌ ରାମାନୁଜ ପାଠକ ଶ୍ରେଣୀରେ ପଢାଉଥିବା ବେଳେ ସତ୍‌ନା ଜିଲ୍ଲାରେ ଥିବା ଭେଙ୍କଟ ହାଇୟର୍‌ ସେକେଣ୍ଡାରି ଏକ୍ସେଲେନ୍‌ସ୍‌ ସ୍କୁଲ୍‌’ର ବିଦ୍ୟାର୍ଥୀଙ୍କ ମୁଣ୍ଡକୁ ଏଭଳି ଅଭିନବ ବୁଦ୍ଧି ଜୁଟିଥିଲା। ୮ ଜଣ ଛାତ୍ର ସାଙ୍ଗ ହୋଇ ପରୀକ୍ଷାପିରୀକ୍ଷା ଆରମ୍ଭ କଲେ। ସେପ୍ଟେମ୍ବର ୧୦ ତାରିଖ ଦିନ ପଡ଼ିଥିବା ଗଣେଶ ଚତୁର୍ଥୀ ଦିନ ସେମାନେ ୧.୫ ଫୁଟ୍‌ ଉଚ୍ଚର ଏକ ଗଣେଶ ପ୍ରତିମା ନିର୍ମାଣ କରିବାରେ ସଫଳ ହେଲେ।

ଗଣମାଧ୍ୟକୁ ଡକ୍ଟର ପାଠକ କହିଛନ୍ତି, ଜଳାଶୟରେ ବିର୍ଜିତ ହେବା ପରେ ‘ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌’ଦ୍ବାରା ନିର୍ମିତ ପ୍ରତିମା ଏବଂ ରଙ୍ଗ କିଭଳି ପରିବେଶ ପ୍ରଦୂଷଣ ଓ ଜୈବଚକ୍ର ନଷ୍ଟ କରୁଛି, ତାହା ଆମେ ଶ୍ରେଣୀରେ ଆଲୋଚନା କରୁଥିଲୁ। ଏ କ୍ଷେତ୍ରରେ ବିଜ୍ଞାନକୁ ଉପଯୋଗ କରିବା ପାଇଁ ଚିନ୍ତା କଲୁ ଏବଂ ପରିଣାମସ୍ବରୂପ ଆମ ‘କେମିଷ୍ଟ୍ରି ପରୀକ୍ଷାଗାର’ରେ  ପରିବେଶର କ୍ଷତି କରୁ ନ ଥିବା ଗଣେଶ ପ୍ରତିମା ଗଢ଼ିବା ବୁଦ୍ଧି ମନକୁ ଆସିଥିଲା।

‘ପୋଟାସିୟମ୍‌ ଆଲୁମ୍‌’ ବା ଖାଲି ‘ଆଲୁମ୍‌’ ଏକ ଜଣାଶୁଣା ରାସାୟନିକ ପଦାର୍ଥ, ଯାହାକି ଜଳ ବିଶୋଧକ ଭାବେ ସର୍ବତ୍ର ବ୍ୟବହାର କରାଯାଏ । ଏହି ‘ଡବଲ୍‌-ସଲଟ୍‌’ ରାସାୟନିକ ସମିଶ୍ରଣ ଜଳ ବିଶୋଧନ କରିବା ସହ ସେଥିରେ କୌଣସି କ୍ଷତିକାରକ ପଦାର୍ଥ ରଖାଇ ଦିଏନାହିଁ। ଏହାଛଡ଼ା, ‘ଆଲୁମ୍‌’ରେ ‘ଆଣ୍ଟିସେପ୍ଟିକ୍‌’ ଗୁଣ ଥିବାରୁ ଏହାର ଅନେକ ଔଷଧୀୟ ବ୍ୟବହାର ରହିଛି।

ତେଣୁ, ‘ଆଲୁମ୍‌’ରେ ନିର୍ମିତ ପ୍ରତିମା ଜଳାଶୟରେ ବିସର୍ଜନ ହେଲେ, ତାହା ଜଳ ପ୍ରଦୂଷଣ ନ କରି ବିଶୋଧନ କରିବ। ଅପରପକ୍ଷେ, ‘ପ୍ଲାଷ୍ଟର୍‌ ଅଫ୍ ପ୍ୟାରିସ୍‌’ରେ ନିର୍ମିତ ପ୍ରତିମା ସବୁ କଠିନ ଏବଂ ସେଥିରେ ‘କାଲ୍‌ସିୟମ୍‌ ସଲ୍‌ଫେଟ୍‌’ ଥିବାରୁ ପାଣିରେ ଦ୍ରବିଭୂତ ନ ହୋଇ ଜଳାଶୟକୁ ପ୍ରଦୂଷିତ କରେ।

ମାଟିରେ ତିଆରି ପ୍ରତିମାରେ ପରିବେଶର କ୍ଷତି କରୁଥିବା କାଠ, ବାର୍ଣ୍ଣିସ୍, ରଙ୍ଗ, ଛଣ, କାଗଜ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ତାହାଦ୍ବାରା ଜଳରାଶି ଅପରିଷ୍କାର ହୋଇଯାଏ। ଶିକ୍ଷାର୍ଥୀମାନେ ନିଜେ ଗଢ଼ିଥିବା ଉକ୍ତ ‘ଆଲୁମ୍’ ଗଣେଶ ପ୍ରତିମାକୁ ପୂଜା କରିଛନ୍ତି ଏବଂ ବିସର୍ଜନ ଦିନ ଜଳାଶୟରେ ପକାଇଛନ୍ତି।

ଅନ୍ୟପକ୍ଷରେ ଏହି ନୂତନ କଞ୍ଚାମାଲରେ ତିଆର ପ୍ରତିମା ମଧ୍ୟ ବ୍ୟୟବହୁଳ ନୁହେଁ। ବଜାରରେ ‘ଆଲୁମ୍‌’ କିଲୋପିଛା ୪୦ଟଙ୍କାରେ ମିଳୁଛି ଏବଂ ୧.୫ ଫୁଟ୍‌ରୁ ୨ ଫୁଟ୍‌ ଉଚ୍ଚର ପ୍ରତିମାଟିଏ ଗଢ଼ିବାକୁ ମାତ୍ର ୩ଟଙ୍କା ଖର୍ଚ୍ଚ ହେବ। ରଙ୍ଗ ନ ଦେଲେ ବି ଏହି ସ୍ଫଟିକସ୍ବଚ୍ଛ ପ୍ରତିମା ସୁନ୍ଦର ଦିଶୁଛି। ଅଧିକ ସୁନ୍ଦର କରିବା ନିମନ୍ତେ ଏଥିରେ ପ୍ରାକୃତିକ ରଙ୍ଗ ଦିଆଯାଇ ପାରେ ବୋଲି ପାଠକ କହିଛନ୍ତି।

ଆଗକୁ ଆସୁଥିବା ଦଶହରାରେ ପାଠକ ଓ ତାଙ୍କ ଶିକ୍ଷାର୍ଥୀମାନେ ପରୀକ୍ଷାମୂଳକ ଭାବେ ‘ଆଲୁମ୍‌’ରେ ଦୁର୍ଗାଙ୍କ ପ୍ରତିମା ଗଢ଼ିବେ ବୋଲି ଯୋଜନା କରିଛନ୍ତି। ପ୍ରକୃତିକୁ ସୁରକ୍ଷା ଦେବା ଦିଗରେ ଏହା ନିଶ୍ଚିତ ଭାବେ ଏକ ଉତ୍ସାହଜନକ ପଦକ୍ଷେପ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର