କୌଣସି ତଥାକଥିତ ଟ୍ରକ୍ ଚାଳକଙ୍କ କଥା ଭାବିଲେ ଆମ ମନରେ ସାଧାରଣତଃ ଜଣେ ଭୀଷଣ ଭାବରେ କ୍ଳାନ୍ତ ତଥା ଅବସନ୍ନ ହୋଇ ପଡ଼ିଥିବା ଚେହେରାଟିଏ ଦେଖାଦେଇଥାଏ। ସିଏ ପୁଣି ସାଧାରଣ ସ୍ବାସ୍ଥ୍ୟ ତଥା ନିହାତି ଅନାକର୍ଷଣୀୟ ବେଶଭୂଷାଯୁକ୍ତ ହୋଇଥିବ। କେବେ ବି ସୁନ୍ଦର ବେଶଭୂଷା ପରିହିତା ଜଣେ ମହିଳା ଟ୍ରକ୍ର ଷ୍ଟିଅରିଂ ଧରିଥିବା କଥା ଆମେ କଳ୍ପନା ବି କରିନଥା’ନ୍ତି। ମାତ୍ର ଅଷ୍ଟ୍ରେଲିଆର ଜଣେ ଟ୍ରକ୍ ଚାଳିକା ମାସକୁ ମାତ୍ର ଦୁଇ ସପ୍ତାହ କାମ କରି ବର୍ଷକୁ ୧,୨୦,୦୦୦ ଡଲାର ବା କୋଟିଏ ଟଙ୍କାରୁ ଅଧିକ ରୋଜଗାର କରୁଥିବା କଥା ଶୁଣିଲେ କାନକୁ ବିଶ୍ବାସ କରିହେବନି। ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଆସ୍ଲେ ନାମ୍ନୀ ଏହି ମହିଳା ଏବେ ‘ଦୁନିଆଁର ସବୁଠାରୁ ହଟ୍ ଟ୍ରକ୍ ଚାଳକ’ ଭାବେ ବିବେଚିତ।
ଫିଫୋ କମ୍ପାନିରେ ସାମୟିକ ଭାବେ କାମ କରୁଥିବା ଆସ୍ଲେ ମଧ୍ୟ ଜଣେ ଡିଜିଟାଲ୍ କଣ୍ଟେଣ୍ଟ୍ କ୍ରିଏଟର। ପିଲବରା ଖଣିରେ ଖଣିଜପଥର ଗଦା କରିବା ପାଇଁ ସେ ନିୟୋଜିତ। ତେବେ ଏଥିପାଇଁ ସେ ମାସକୁ ମାତ୍ର ୧୪ ଦିନ କାମ କରନ୍ତି ଓ ବାକି ଦିନ ତକ ଜୀବନକୁ ଉପଭୋଗ କରନ୍ତି ବୋଲି କହିଛନ୍ତି। ପ୍ରତିଦିନ ସକାଳ ୪ଟାରୁ ଉଠି ସେ ତାଙ୍କର ୧୨ ଘଣ୍ଟିଆ ନିୟମିତ କାର୍ଯ୍ୟରେ ଲାଗିପଡ଼ନ୍ତି। ଖରା, ବର୍ଷା ଓ ଶୀତ ପରି ପ୍ରତିକୂଳ ପରିବେଶରେ ସେ ମଧ୍ୟ ଟ୍ରକ୍ ଚଳାଇବା ପରି କଷ୍ଟସାଧ୍ୟ କାମରୁ କେବେ ନିବୃତ୍ତ ହୋଇନାହାନ୍ତି। ତେବେ କଷ୍ଟ କଲେ କୃଷ୍ଣ ମିଳିଲା ପରି ଏହି ପୁରୁଷସୁଲଭ କାର୍ଯ୍ୟର ଆୟ ତାଙ୍କୁ ପରୋକ୍ଷରେ ଏକ ବିଳାସମୟ ଜୀବନ ବିତାଇବା ପାଇଁ ଖୋରାକ ଯୋଗାଇଛି। ପ୍ରତି ମାସରେ ତାଙ୍କୁ ଯେଉଁ ଦୁଇ ସପ୍ତାହ ଛୁଟି ମିଳେ, ସେଥିରେ ସେ ଅନ୍ୟାନ୍ୟ ସୃଜନାତ୍ମକ କାମରେ ମଜିଯାଆନ୍ତି। ସାମାଜିକ ଗଣମାଧ୍ୟମରେ ସେ ଜଣେ ସକ୍ରିୟ ଅନୁଗାମୀ। ତାଙ୍କର ଏପରି କଷ୍ଟସାଧ୍ୟ ପେସା ଓ ଅୟସ ଜୀବନଶୈଳୀ ସମ୍ପର୍କରେ ନାନା କାହାଣୀ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି।