ମ୍ୟୁକରମାଇକୋସିସ୍‌ ନୁହେଁ ବ୍ଲାକ ଫଙ୍ଗସ

୧୦ରୁ ୧୫% ରୋଗୀଙ୍କ ଠାରେ ଚିହ୍ନଟ: ଇଏନଟି ବିଶେଷଜ୍ଞ

ଭୁବନେଶ୍ବର : କୋଭିଡ୍‌ ଚିକିତ୍ସା ବେଳେ ରୋଗ ପ୍ରତିରୋଧକ ହ୍ରାସ ପାଇବା ଯୋଗୁଁ ବର୍ତ୍ତମାନ ଯେଉଁ ନୂତନ ରୋଗ ନେଇ ଚର୍ଚା ହେଉଛି ତାହା ବ୍ଲାକ ଫଙ୍ଗସ୍‌ ନୁହେଁ ବରଂ ଏହାକୁ ମ୍ୟୁକରମାଇକୋସିସ୍‌ କୁହାଯାଏ। ଉଭୟ ରୋଗ ଭିନ୍ନ ଅଟେ ବୋଲି କହିଛନ୍ତି ଏମ୍‌ସ ଭୁବନେଶ୍ବରର ଇଏନ୍‌ଟି ବିଭାଗ ବିଶେଷଜ୍ଞ ଡାକ୍ତର ପ୍ରୀତମ। କୋଭିଡ୍‌ରୁ ସୁସ୍ଥ ହେଉଥିବା ସମସ୍ତ ରୋଗୀଙ୍କ ଠାରେ ମଧ୍ୟ ଏହା ଦେଖାଯାଉନାହିଁ। ବର୍ତ୍ତମାନ ସୁଦ୍ଧା ୧୦ରୁ ୧୫ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ଏହା ଚିହ୍ନଟ ହୋଇଛି। ତେଣୁ ଏହାକୁ ନେଇ ଏତେ ଚାପଗ୍ରସ୍ତ ହେବାର ଆବଶ୍ୟକତା ନଥିବା ସେ କହିଛନ୍ତି। ମ୍ୟୁକରମାଇକୋସିସ୍‌ର କାରଣକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ଧାରଣା ରହିଥିବା ସେ କହିଛନ୍ତି।

ଡାକ୍ତର ପ୍ରୀତମଙ୍କ ଅନୁଯାୟୀ,ଏହା ନାକକୁ ଯାଇ ରକ୍ତ ପ୍ରବାହ ବନ୍ଦ କରିଦିଏ। ଏଥିଯୋଗୁଁ ସେହି ସ୍ଥାନଟି ମୃତହୋଇ ଯାଇ କଳା ଦେଖାଯାଏ। ଏହା ପାଣିରୁ ଆସେ ନାହିଁ। ବାୟୁରେ ରହିଥାଏ। ମଧୁମେହ ସମେତ ଅନ୍ୟ କିଛି ରୋଗ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ମ୍ୟୁକରମାଇକୋସିସ୍‌ ଆକ୍ରମଣ କରିବା ସହଜ ହୁଏ। ବାୟୁ ପ୍ରଥମେ ନାକ ଭିତର ଦେଇ ପ୍ରବେଶ କରୁଥିବାରୁ ପ୍ରଥମେ ନାକକୁ ପ୍ରବେଶ କରେ। ଏହାର ନିକଟସ୍ଥ ଆଖି, ମସ୍ତିଷ୍କକୁ ସଂକ୍ରମିତ କରେ। ପ୍ରାଥମିକ ପର୍ଯ୍ୟାୟରୁ ଏହାର ଚିକିତ୍ସା କଲେ, ରୋଗୀ ସୁସ୍ଥ ହୋଇଯାଏ। କିନ୍ତୁ ଆଖି ବା ମସ୍ତିଷ୍କକୁ ଗଲା ପରେ ଚିକିତ୍ସା ଜଟିଳ ହୋଇ ପଡ଼େ। ମଧୁମେହକୁ ନିୟନ୍ତ୍ରିତ କରିବା ପାଇଁ ନିୟମିତ ଔଷଧ ଖାଇବା ଉଚିତ।

ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ
ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରାଥମିକ ପର୍ଯ୍ୟାୟରୁ କୋଭିଡ୍‌ ସୁସ୍ଥ ରୋଗୀ କିଛି ଲକ୍ଷଣକୁ ଗୁରୁତ୍ବ ଦେବା ଉଚିତ। ଏଥିମଧ୍ୟରେ ରହିଛି, ଚେହେରା ଲାଲ ପଡ଼ିବା କିମ୍ବା ଫୁଲିବା ହେବା, ନାକରୁ କଳା କିଛି ବାହାରିବା, ଆଖି ମଧ୍ୟ ଲାଲ ଦେଖାଯିବ, ମୁଣ୍ଡବ୍ୟଥା ଆଦି ପ୍ରମୁଖ ରହିଛି। ମଧୁମେହ ୨୦୦ରୁ ୩୦୦ ଥିବ। ଏହି ଲକ୍ଷଣ ବାହାରିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ।

କାରଣ
କୋଭିଡ୍‌ ଚିକିତ୍ସା ବେଳେ ଷ୍ଟେରଏଡ୍‌ ଦେବାକୁ ପଡ଼େ। ଏଥିସହିତ ଅନେକ ବ୍ୟକ୍ତି ଅନେକ ପ୍ରକାର ଔଷଧ ନେଇ ଥାଆନ୍ତି। ଏଥିଯୋଗୁଁ ମଧୁମେହ ରୋଗୀଙ୍କ ମଧୁମେହ ନିୟନ୍ତ୍ରଣ ବାହାରକୁ ଚାଲିଯାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇ ଏହି ସମସ୍ୟା ସୃଷ୍ଟି ହୁଏ।

ଆଇସିୟୁ ଅକ୍ସିଜେନ ମାସ୍କ କାରଣ ନୁହେଁ
ଫଙ୍ଗସ୍‌ ଆସୋସିଏନ ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ଆଇସିୟୁ ଅକ୍ସିଜେନ ମାସ୍କ ଯୋଗୁଁ ମ୍ୟୁକରମାଇକୋସିସ୍‌ ହେଉ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ଭ୍ରାନ୍ତ ଧାରଣା ଦୂର ହେବା ଉଚିତ।

ସମ୍ବନ୍ଧିତ ଖବର