ଏମିତି ଏକ ଦେଶ ଯେଉଁଠି ଜୀବନ ବଞ୍ଚାଇବାକୁ ଲୋକମାନେ ଖାଉଛନ୍ତି କାଦୁଅରେ ତିଆରି ରୁଟି!

ସମଗ୍ର ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏବେବି ବହୁ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନଯାପନ କରୁଛନ୍ତି। ଏମାନେ ପ୍ରତିଦିନ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାସ କରି ଫୁଟପାଥରେ ରହୁଥିବା ଲୋକମାନେ ଗୋଟେ ଓଳି ଖାଇବା ପାଇଁ ବହୁତ ସଂଘର୍ଷ କରିଥାନ୍ତି। ଏପରି ମଧ୍ୟ ଦେଖାଯାଇଛି କି, ଖାଦ୍ୟ ଅଭାବରୁ ଏମାନେ ଡଷ୍ଟବିନରେ ପଡିଥିବା ଅଳିଆରୁ ଖାଦ୍ୟ ସଂଗ୍ରହ କରିଥାନ୍ତି।

ସେହିଭଳି ଏକ ଅଭାବନୀୟ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ଟ୍ଵିଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖିଲେ ଦୁଃଖ ଲାଗିବ। ହେତି ନାମକ ଏକ ଦେଶରେ ଲୋକମାନେ ଏପରି ଗରିବ ସୀମାରେଖା ତଳେ ରହିଛନ୍ତି କି, ଯେଉଁମାନେ ଖାଦ୍ୟ ଅଭାବରୁ କାଦୁଅରେ ଲୁଣ ମିସାଇ ରୁଟି ତିଆରି କରି ଖାଉଛନ୍ତି।

photo by : Latestly

ବିରେନ୍ଦ୍ର ସେହୱାଗଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ସଫା ସଫା ଦେଖିବାକୁ ମିଳିଛି ଲୋକମାନେ କେଉଁଭଳି ଭାବରେ ଖାଦ୍ୟ ପାଇଁ ଛଟପଟ ହେଉଛନ୍ତି। ଏଠାକାର ଲୋକମାନେ ମାଟିରେ ପାଣି ଏବଂ ଲୁଣ ମିଶାଇ ଖରାରେ ସୁଖାଇ ରୁଟି ତିଆରି କରିଥାନ୍ତି। ରୁଟି ତିଆରି ହୋଇଯିବା ପରେ କାଦୁଅରେ ତିଆରି ରୁଟିକୁ ଖାଇବା ସହ ଆଉ କିଛିକୁ ସାଇତିକରି ପର ଦିନ ପାଇଁ ରଖିଦେଇଥାନ୍ତି। ଏହି ଭିଡିଓକୁ ସେହୱାଗ ଟ୍ଵିଟରରେ ସେୟାର କରି କହିଛନ୍ତି, ହେତିରେ ଲୋକମାନେ କାଦୁଅରେ ରୁଟି ତିଆରି କରି ଖାଉଛନ୍ତି କିନ୍ତୁ ଏଠାରେ ଲୋକମାନେ ଖାଦ୍ୟକୁ ନଷ୍ଟ କରୁଛନ୍ତି। ଦୟାକରି ଖାଦ୍ୟକୁ ବରବାଦ କରନ୍ତୁ ନାହିଁ। ଏହିଭଳି ଭାବରେ ସେହୱାଗ ଟ୍ଵିଟ ଜରିଆରେ ଲୋକମାନଙ୍କୁ ଖାଦ୍ୟ ନଷ୍ଟ ନକରିବା ପାଇଁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ହେତିରେ ପ୍ରାୟ ୧ କୋଟି ଜନସଂଖ୍ୟା ରହିଛି। କିନ୍ତୁ ସେଥି ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଲୋକ ଖାଦ୍ୟ ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଖାଦ୍ୟ ଅଭାବରୁ ଏଠାକାର ଲୋକ କୁପୋଷଣର ଶିକାର ହେଉଛନ୍ତି। ପ୍ରତିଦିନ ଲୋକ ଖାଇବାକୁ ନପାଇ ମୃତ୍ୟୁବରଣ କରୁଛନ୍ତି। ଦିନ ଦିନ ଧରି ଖାଦ୍ୟ ନମିଳିବାରୁ ଏଠାକାର ଲୋକେ କାଦୁଅରେ ରୁଟି ତିଆରି କରି ନିଜ ପେଟ ପୋଷୁଛନ୍ତି।

ସମ୍ବନ୍ଧିତ ଖବର