ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶର ଅଗଣିତ ଜନତା ଯେତେବେଳେ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ, ତାହାର ବହୁ ବର୍ଷ ପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଥିଲା ଇଂରେଜଙ୍କ ବିରୋଧରେ ସଂଗ୍ରାମ। ଏହି ମୁକ୍ତି ଆନ୍ଦୋଳନରେ ଓଡ଼ିଶାର ଅବଦାନ ଥିଲା ଅତି ଗୁରୁତ୍ବପୂର୍ଣ୍ଣ। ୧୮୧୭ ମସିହାରେ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ଭାବେ ମୁଣ୍ଡ ଟେକିଥିଲା ଓଡ଼ିଶାର ‘ପାଇକ ବିଦ୍ରୋହ’। ପଞ୍ଜାବର ଜାଲିୟାନାୱାଲାବାଗ ହତ୍ୟାକାଣ୍ଡ ପରି ଓଡ଼ିଶାରେ ଘଟିଥିଲା ଇରମ୍ ଗୁଳିକାଣ୍ଡ। ଚଳିତ ବର୍ଷ ଭାରତ ୭୮ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ମୁକ୍ତିସଂଗ୍ରାମରେ ଓଡ଼ିଶାର ଅବଦାନକୁ ନେଇ ୭୮ଟି ଘଟଣାବଳୀ ଏଥର ପ୍ରଚ୍ଛଦ ପ୍ରସଙ୍ଗରେ।
ପ୍ରସ୍ତୁତି: ରବିବାର ବ୍ୟୁରୋ
ଖୋର୍ଦ୍ଧାର ନାବାଳକ ଗଜପତି ଦ୍ବିତୀୟ ମୁକୁନ୍ଦଦେବଙ୍କ ସହାୟତାରେ ଇଂରେଜମାନେ ୧୮୦୩ରେ ମରହଟ୍ଟାଙ୍କୁ ହରାଇ ଓଡ଼ିଶା ଅକ୍ତିଆର କରିଥିଲେ। ମାତ୍ର ପ୍ରତିଶ୍ରୁତି ମୁତାବକ ୧ ଲକ୍ଷ ଟଙ୍କା ଓ ୪ଟି ପ୍ରଗଣା ଦେବାକୁ ମନା କଲେ। ତତ୍କାଳୀନ ଦେୱାନ୍ ଜୟୀ ରାଜଗୁରୁଙ୍କ ପରାମର୍ଶକ୍ରମେ ୧୮୦୪ରେ ଗଜପତି ବ୍ରିଟିସ୍ଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ପରାସ୍ତ ହେଲେ। ଗଜପତିଙ୍କୁ ବଞ୍ଚାଇବା ପାଇଁ ଜୟୀ ରାଜଗୁରୁ ନିଜକୁ ଯୁଦ୍ଧର କାରଣ ବୋଲି ଦର୍ଶାଇଲେ। ଇଂରେଜମାନେ ତାଙ୍କୁ ପଶ୍ଚିମବଙ୍ଗର ମିଦନାପୁର ନିକଟବର୍ତ୍ତୀ ବାଜିତୋଟାରେ ଫାଶୀ ଦେଇଥିଲେ।
୧୮୧୭ ମସିହାରେ ଖୋର୍ଦ୍ଧାରେ ପାଇକମାନେ ବ୍ରିଟିସ୍ ବିରୋଧରେ ବିଦ୍ରୋହ କରିଥିଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ବାଧୀନ ଏହି ‘ପାଇକ ବିଦ୍ରୋହ’କୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ଆଖ୍ୟା ଦିଆଯାଉଛି। ଇଂରେଜଙ୍କୁ ଖୋର୍ଦ୍ଧାରୁ ହଟାଇବା ଏହି ବିଦ୍ରୋହର ଉଦ୍ଦେଶ୍ୟ ଥିଲା।
ଚିଲିକାରେ ସ୍ଥାନୀୟ ଲୋକଙ୍କୁ ଇଂରେଜ ସରକାର ଲୁଣ ମରାଇ ନ ଦେବାରୁ ବିପ୍ଳବୀ ମାଧବ ରାଉତରାୟ ବିଦ୍ରୋହ କରି ଜଣେ ସୁବେଦାର ଓ ଜମାଦାରଙ୍କୁ ଗୁଳି କଲେ। ମାଧବଙ୍କୁ ଧରିବା ଲାଗି ବ୍ରିଟିସ୍ ସରକାର ୧ ହଜାର ଟଙ୍କା ପୁରସ୍କାର ଘୋଷଣା କଲେ। ଜଣେ ଗରିବ କେଉଟ, ମାଧବଙ୍କୁ ସାହାଯ୍ୟ ମାଗିବାରୁ, ସେ ଆତ୍ମସମର୍ପଣ କରି ପୁରସ୍କାର ଅର୍ଥ କେଉଟକୁ ପ୍ରଦାନ କରିବାକୁ କହିଲେ। କେଉଟକୁ ୧ ହଜାର ଟଙ୍କା ମିଳିଲା କିନ୍ତୁ, ମାଧବଙ୍କ ମହନୀୟତାରେ ଅଭିଭୂତ ହୋଇ ବ୍ରିଟିସ୍ ସରକାର ତାଙ୍କୁ ମୃତ୍ୟୁଦଣ୍ଡ ନ ଦେଇ କ୍ଷମା କରିଦେଲେ। ଏହି ଘଟଣାକ୍ରମ ୧୮୨୭ର ‘ତାପଙ୍ଗ ବିଦ୍ରୋହ’ ଭାବେ ବିଖ୍ୟାତ।
୧୮୩୬ ମସିହାରେ ବାଣପୁରକୁ ଇଂରେଜ ଶାସନରୁ ୩ ବର୍ଷ ପାଇଁ ସ୍ବାଧୀନ କରାଇ ଇତିହାସରେ ବିରଳ ଇତିହାସ ରଚିଛନ୍ତି ପାଇକ ମଉଡ଼ମଣି କୃତ୍ତିବାସ ପାଟ୍ଟସାହାଣୀ। ଟାଙ୍ଗୀ ଥାନା ଦଖଲ ସମୟରେ ବିଶ୍ବାସଘାତକତା ଯୋଗୁଁ ଧରାପଡ଼ିଥିବା କୃତ୍ତିବାସ ଜେଲ୍ରୁ ଖସି ନୟାଗଡ଼ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ହେଲେ ଶ୍ବଶୁର ବାସୁଦେବ ନରେନ୍ଦ୍ର ସିଂହ ତାଙ୍କୁ ଘରକୁ ଡାକି ଇଂରେଜଙ୍କ ହାତରେ ଧରାପକାଇଦେଲେ। କୃତ୍ତିବାସଙ୍କୁ ଆଣ୍ଡାମାନରେ ସଜା କାଟିବାକୁ ପଠାଇ ଦିଆଯାଇଥିଲା।
୧୮୩୬ରେ ଆରମ୍ଭ ହୋଇଥିବା ‘ଘୁମୁସର ଆନ୍ଦୋଳନ’କୁ କନ୍ଧବୀର ଚକରା ବିଶୋଇଙ୍କ ନେତୃତ୍ବ ଦିଶା ଦେଇଥିଲା। ୧୮୪୬ରେ ବ୍ରିଟିସ୍ ଏଜେଣ୍ଟ୍ କ୍ୟାପ୍ଟେନ୍ ମେକ୍ଫରସନ୍ଙ୍କ ସହ ସଂଘର୍ଷରୁ ତାଙ୍କ ସଂଗ୍ରାମୀ ଜୀବନ ଆରମ୍ଭ ହୋଇଥିଲା। ଚକରା ବିଶୋଇ ପୁଲିସ୍ ଛାଉଣୀ ଧ୍ବଂସ କରିଦେଇଥିଲେ। ଚକରାଙ୍କୁ ଧରିବାକୁ ବ୍ରିଟିସ୍ ସରକାର ବହୁ ଉଦ୍ୟମ କରି ସୁଦ୍ଧା ତାଙ୍କୁ ପାଇ ନଥିଲେ।
ଓଡ଼ିଶା, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଆଦିବାସୀଙ୍କ ମଧ୍ୟରେ ‘ବିର୍ସା ଭଗବାନ’ ଭାବେ ପୂଜିତ ମୁଣ୍ଡା ଇତିହାସର ମହାନାୟକ ବିର୍ସା ମୁଣ୍ଡା ଇଂରେଜ ସରକାର, ଜମିଦାର, ଜାଗିରିଦାର ଓ ଖ୍ରୀଷ୍ଟିଆନ ପାଦ୍ରୀଙ୍କ ଶୋଷଣ ବିରୁଦ୍ଧରେ ଅହିଂସା ସଂଗ୍ରାମ ଆରମ୍ଭ କରିଥିଲେ। ୧୮୯୪ ଅକ୍ଟୋବର ପହିଲାରେ ସେ ସହସ୍ରାଧିକ ମୁଣ୍ଡାଙ୍କ ଗହଣରେ ଚାଇଁବସା ଇଂରେଜ ପ୍ରଶାସକଙ୍କୁ ସ୍ବାଧୀନ ସରକାର ଗଠନ ନିମନ୍ତେ ଦାବିପତ୍ର ଦେଇଥିଲେ। କିନ୍ତୁ, ଇଂରେଜ ସରକାର ବିର୍ସାଙ୍କୁ ବନ୍ଦୀ କରିଥିଲେ। ୧୯୦୦ ମସିହା ୯ ଜୁନ୍ରେ ମାତ୍ର ୨୪ ବର୍ଷ ବୟସରେ ଜେଲରେ ବିର୍ସାଙ୍କର ଅକାଳ ମୃତ୍ୟୁ ହୋଇଥିଲା।
୧୮୫୭ ସିପାହୀ ବିଦ୍ରୋହରେ ସକ୍ରିୟ ଥିଲେ ପୁରୀର ଚନ୍ଦନ ହଜୁରୀ ଓରଫ ‘ଚାଖି ଖୁଣ୍ଟିଆ’। ଝାନ୍ସୀରାଣୀ ଲକ୍ଷ୍ମୀବାଈଙ୍କ ପାରିବାରିକ ପଣ୍ଡା ଚାଖି ଖୁଣ୍ଟିଆ ସିପାହୀ ବିଦ୍ରୋହ ସମୟରେ ଲକ୍ଷ୍ନୌସ୍ଥିତ ତ୍ରୟୋଦଶ ବାଟାଲିୟନ୍ ସିପାହୀଙ୍କ ସଂସ୍ପର୍ଶରେ ରହିଥିଲେ। ଏଣୁ ଉତ୍ତର ଭାରତରେ ‘ଚାଖି ଖୁଣ୍ଟିଆ’ ‘ସିପାହୀ ପଣ୍ଡା’ ନାମରେ ଖ୍ୟାତ।
ଓଡ଼ିଶାରେ ସିପାହୀ ବିଦ୍ରୋହର ଅନ୍ୟତମ ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏଙ୍କର ସଂଗ୍ରାମ ଓ ବଳିଦାନ ଦେଖି ୧୮୬୧ରେ ସମ୍ବଲପୁର ଡେପୁଟି କମିସନର୍ ମେଜର୍ ଇମ୍ଫେଂ ଅଭିଭୂତ ହୋଇଥିଲେ। ସୁରେନ୍ଦ୍ର ସାଏଙ୍କ ବିଦ୍ରୋହାତ୍ମକ ପଦକ୍ଷେପକୁ ପ୍ରଶଂସା କରି ମଧ୍ୟପ୍ରଦେଶ ଚିଫ୍ କମିସନର୍ଙ୍କ ସଚିବ ଲେଖିଥିଲେ, ‘ସମ୍ବଲପୁର ହେଉଛି ଭାରତର ଶେଷ ଜିଲ୍ଲା, ଯେଉଁଠି ସୁରେନ୍ଦ୍ର ସାଏ ୧୮୬୪ ମସିହା ଯାଏ ୧୮୫୭ ସିପାହୀ ବିଦ୍ରୋହର ଅଗ୍ନିଶିଖା ପ୍ରଜ୍ଜ୍ବଳିତ ରଖିଥିଲେ।’
ବରଗଡ଼ ଜିଲ୍ଲା ଘେଁସ୍ ଅଞ୍ଚଳର ସଂଗ୍ରାମୀ ମାଧୋ ସିଂହ ଏବଂ ତାଙ୍କ ପରିବାରର ସଂଗ୍ରାମ ଓ ତ୍ୟାଗ ଦେଶ ଚିରକାଳ ମନେ ରଖିବ। ମାଧୋଙ୍କ ଚାରିପୁଅ ହାତୀ ସିଂ, କୁଞ୍ଜଲ ସିଂ, ବୈରୀ ସିଂ ଓ ଐରି ସିଂ ଇଂରେଜଙ୍କ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିଲେ। ୧୮୫୮ ଫେବ୍ରୁଆରି ୧୨ରେ ବ୍ରିଟିସ୍ ସେନାଧ୍ୟକ୍ଷ ଉଡ୍ବ୍ରିଜ୍ ସିଂ ଗୋଡ଼ା ଘାଟି ଅଧିକାର କରିବାକୁ ଆସିଥିବା ବେଳେ ହାତୀ ସିଂହ ଉଡ୍ବ୍ରିଜଙ୍କ ମସ୍ତକ ଛେଦନ କରିଥିଲେ।
୧୮୮୫ ଡିସେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ବମ୍ବେରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ପ୍ରଥମ ତଥା ଏକମାତ୍ର ଓଡ଼ିଆ ଭାବେ ଯୋଗ ଦେଇଥିଲେ ବ୍ରହ୍ମପୁରର ଆଇନଜୀବୀ ବିଶ୍ବେଶ୍ବର ଆୟାର।
୧୮୮୬ ମାର୍ଚ ୩ରେ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ କଟକ ପ୍ରିଣ୍ଟିଂ ପ୍ରେସ୍ କୋଠାରେ ଓଡ଼ିଶାରେ ଜାତୀୟ କଂଗ୍ରେସର ପ୍ରଥମ ସଭା ଆୟୋଜିତ ହୋଇଥିଲା।
ସ୍ବଦେଶୀ ଆନ୍ଦୋଳନ ସମୟରେ ଓଡ଼ିଶାରେ ରାଜାମାନେ ରାଜମହଲରେ ଅଧିଷ୍ଠିତ ଦେବଦେବୀଙ୍କୁ ଚିନି ବଦଳରେ ଗୁଡ଼ ନୈବେଦ୍ୟ ଲାଗି କରିବା ସହ ସ୍ବଦେଶୀ ବସ୍ତ୍ର ପରିଧାନ କରାଇଥିଲେ।
କଟକରେ ସ୍ବଦେଶୀ ଆନ୍ଦୋଳନ କ୍ରମରେ ୧୯୦୭ ଅଗଷ୍ଟ ୭ରେ ଟାଉନ୍ ହଲ୍ରେ ବିରାଟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ହାତତିଆରି ବସ୍ତ୍ର, ଧୂଆଁପତ୍ର, ସାବୁନ, କାଗଜ, ବାଉଁଶ ଓ କାଠ ନିର୍ମିତ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ ହୋଇଥିଲା।
ଗୋପାଳକୃଷ୍ଣ ଗୋଖଲେଙ୍କ ସ୍ମୃତିରେ ପୁନାଠାରେ ଥିବା ଫର୍ଗୁଶନ୍ କଲେଜ ଢାଞ୍ଚାରେ ଗୋପବନ୍ଧୁ ଦାସ ୧୯୦୯ ଅଗଷ୍ଟ ୧୨ରେ ସାକ୍ଷୀଗୋପଳରେ ‘ସତ୍ୟବାଦୀ ବନବିଦ୍ୟାଳୟ’ ନାମରେ ଜାତୀୟ ବିଦ୍ୟାଳୟ ସ୍ଥାପନ କରିଥିଲେ। ୧୯୧୨ରେ ଏହା ଉଚ୍ଚ ଇଂରାଜୀ ବିଦ୍ୟାଳୟ ହୋଇଥିଲା।
କଲିକତା ପ୍ରେସିଡେନ୍ସି ମାଜିଷ୍ଟ୍ରେଟ୍ କିଙ୍ଗ୍ସଫୋର୍ଡଙ୍କୁ ହତ୍ୟା କରିବାକୁ ଖୁଦିରାମ ବୋଷ ଓ ପ୍ରଫୁଲ୍ଲ ଚାଖି ଯୋଜନା କରିଥିଲେ। କିନ୍ତୁ ଭୁଲ୍କ୍ରମେ ସେମାନେ ମୁଜାଫରନଗରରେ ଦୁଇଜଣ ବ୍ରିଟିସ୍ ମହିଳାଙ୍କୁ ହତ୍ୟା କରିଥିଲେ। ଗିରଫଦାରି ଏଡ଼ାଇବାକୁ ପ୍ରଫୁଲ୍ଲ ଆତ୍ମହତ୍ୟା କଲେ। ୧୯୦୮ ଅଗଷ୍ଟ ୧୧ରେ ଖୁଦିରାମ ଫାଶୀ ପାଇଲେ। ତାଙ୍କ ଫାଶୀ ଦିନ ରେଭେନ୍ସା କଲେଜର ବହୁ ଛାତ୍ର ଉପବାସ କରିଥିଲେ।
ଚଷାଖଣ୍ଡ ସଂଘର୍ଷର ମୁଖ୍ୟନାୟକ ବାଘା ଯତୀନ୍ଙ୍କର ପ୍ରକୃତ ନାମ ଯତୀନ୍ଦ୍ରନାଥ ମୁଖାର୍ଜୀ। ଏକ ବାଘ ସହ ଲଢ଼ି ତାକୁ ମାରି ଦେଇଥିବା ହେତୁ ଲୋକମୁଖରେ ବାଘା ଯତୀନ୍ ଭାବେ ସେ ପରିଚିତ ହୋଇଥିଲେ। ଚଷାଖଣ୍ଡରେ ଇଂରେଜ୍ ସିପାହୀଙ୍କ ସହ ସମ୍ମୁଖ ଯୁଦ୍ଧ କରି ସେ ଗୁରୁତର ଆହତ ହୋଇଥିଲେ। ବାଲେଶ୍ବରଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୯୧୫ରେ ତାଙ୍କର ପରଲୋକ ହୋଇଥିଲା।
୧୯୧୯ ଏପ୍ରିଲ୍ ୧୯ରେ ଆୟୋଜିତ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନରେ ଉଦ୍ବୋଧନ ଦେଇ ଉତ୍କଳମଣି ଗୋପବନ୍ଧୁ କହିଥିଲେ, ଏହି ସମ୍ମିଳନୀ ଜାତୀୟ କଂଗ୍ରେସର ଅଂଶବିଶେଷ। ଯଦି ଓଡ଼ିଶା ଜାତୀୟ କଂଗ୍ରେସର ପ୍ରଧାନ ସ୍ରୋତରେ ନ ମିଶେ ତେବେ ଏହା ପରିଚିତି ହରାଇବ। ତାଙ୍କର ଏହି ଉଦ୍ବୋଧନ ସମସ୍ତଙ୍କ ମନରେ ଜାତୀୟତାବାଦର ବୈଦ୍ୟୁତିକ ଚମକ ସୃଷ୍ଟି କରିଥିଲା।
ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରୁ ଫେରି ଗୋପବନ୍ଧୁ ଦାସ ୧୯୨୧ ଜାନୁଆରି ୨୫ରେ କାଠଯୋଡ଼ି ନଦୀ କୂଳରେ ଅସହଯୋଗ ଆନ୍ଦୋଳନର ବୀଜବପନ କରିଥିଲେ। ୧୯୨୧ ଜାନୁଆରି ଓ ଫେବ୍ରୁଆରିରେ ରେଭେନ୍ସା କଲେଜର ୬୦ଜଣ ଛାତ୍ର ଧର୍ମଘଟ କରି ଏହି ଆନ୍ଦୋଳନକୁ ସକ୍ରିୟ ରୂପ ଦେଇଥିଲେ।
୧୯୨୧ରେ ଅସହଯୋଗ ଅନ୍ଦୋଳନରେ ଭାଗ ନେଇ ରାମନାରାୟଣ ମିଶ୍ର, ନଟବର ଗଡ଼ତିଆ, ମହେନ୍ଦ୍ରନାଥ ବର୍ମା ଓ ଅଚ୍ୟୁତାନନ୍ଦ ପୁରୋହିତ ପ୍ରମୁଖ ଓକିଲ ଓକିଲାତି ଛାଡ଼ିଥିଲେ। ସେହିପରି ଗୋପବନ୍ଧୁ ଚୌଧୁରୀ, ମୁକୁନ୍ଦ ପ୍ରସାଦ ଦାସ, ସୁରେନ୍ଦ୍ରନାଥ ଦାସ, ମହମ୍ମଦ ହନିଫ, ଚନ୍ଦ୍ରଶେଖର ବେହେରା, ନୀଳକଣ୍ଠ ଦାସ, ଶ୍ରୀବତ୍ସ ପଣ୍ଡା, ନନ୍ଦକିଶୋର ଦାସ ଓ ଗୋଦାବରୀଶ ମିଶ୍ର ପ୍ରମୁଖ ସରକାରୀ ଚାକିରି ଛାଡ଼ିଥିଲେ। ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନ୍ଗୋ, ରାଜକୃଷ୍ଣ ବୋଷ ଓ ରାଧାକୃଷ୍ଣ ବିଶ୍ବାସରାୟ ପ୍ରମୁଖ ଛାତ୍ର ପାଠ ଛାଡ଼ି ଆନ୍ଦୋଳନରେ ଯୋଗ ଦେଇଥିଲେ।
ଅସହଯୋଗ ଆନ୍ଦୋଳନ ବେଳେ ଓଡ଼ିଶାରେ ଇଂରେଜ ଅଦାଲତ ବର୍ଜିତ ହୋଇଥିଲା। କଟକ ଓ ଭଦ୍ରକରେ କଂଗ୍ରେସ କର୍ମୀମାନେ ଘରୋଇ ପଞ୍ଚାୟତ ଗଠନ କରି ମକଦ୍ଦମା ଦାଏର କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ।
୧୯୨୧ ନଭେମ୍ବର ୧୭ରେ ଇଂଲଣ୍ଡ ଯୁବରାଜଙ୍କ ଭାରତ ପରିଦର୍ଶନକୁ ପୂରା ଦେଶରେ ହରତାଳ ଓ ଅସହଯୋଗ ଦ୍ବାରା ସ୍ବାଗତ କରାଯାଇଥିଲା। ଓଡ଼ିଶା ସେଥିରୁ ବାଦ୍ ପଡ଼ି ନଥିଲା। କଟକର ସବୁ ବ୍ୟାବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା। ସମ୍ବଲପୁରରେ ମଧ୍ୟ ହରତାଳ ଜୋରଦାର ହୋଇଥିଲା।
୧୯୨୨ର ଖଦି ଓ ଚରଖା ଆନ୍ଦୋଳନରେ ସମ୍ବଲପୁର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ବରଗଡ଼, ରେମଣ୍ଡା, ବରପାଲୀ, ଝାରସୁଗୁଡ଼ା ଓ ତଳପଟିଆ ଆଦି ସ୍ଥାନରେ ଅଧିକ ଖଦି ଲୁଗା ପ୍ରସ୍ତୁତ ହୋଇଥିଲା। ଅତାବିରାରେ ବୃନ୍ଦାବନ ଗୁରୁ ଏହାର ପୃଷ୍ଠପୋଷକତା କରିଥିବା ବେଳେ ବରଗଡ଼ରେ କରିଥିଲେ କୃତାର୍ଥ ଆଚାର୍ଯ୍ୟ।
୧୯୨୪ ଜୁନ୍ ୩୦ରେ ‘ଉତ୍କଳ ମହିଳା ସମ୍ମିଳନୀ’ର ପ୍ରଥମ ଅଧିବେଶନ ବ୍ରହ୍ମପୁର ସ୍ବରାଜ ଆଶ୍ରମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୬୦୦ ମହିଳା ଯୋଗ ଦେଇଥିଲେ।
ସ୍ବଦେଶୀ ଆନ୍ଦୋଳନ ସମୟରେ କୁଳବୃଦ୍ଧ ମଧୁସୂଦନ ଦାସ ସ୍ବଦେଶୀ ବସ୍ତ୍ର ପ୍ରସ୍ତୁତି ଓ ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ। କଟକରେ ପ୍ରଥମେ ତାରକସି କାମ ଏବଂ ପରେ ‘ଉତ୍କଳ ଟେନେରୀ’ ନାମରେ ଚମଡ଼ା ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ।
୧୯୨୭ ଡିସେମ୍ବରରେ ସାଇମନ୍ କମିସନ୍ର ଭାରତ ଗସ୍ତକୁ କଂଗ୍ରେସ ବିରୋଧ କରିଥିଲା। କିନ୍ତୁ, ୧୯୨୮ରେ ପାଟଣାରେ ଓଡ଼ିଶାର ୧୧ଜଣିଆ ପ୍ରତିନିଧି ଦଳ କମିସନ୍କୁ ଭେଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବ ଯୁକ୍ତିଯୁକ୍ତ ବୋଲି ସୁପାରିସ କରିଥିଲା କମିସନ୍।
ଜବାହର୍ଲାଲ୍ ନେହେରୁଙ୍କ ସ୍ବାଧୀନତା ପ୍ରସ୍ତାବ ଘୋଷଣା ପରେ ୧୯୩୦ ଜାନୁଆରି ୨୬ରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଓ କଟକ ସ୍ବରାଜ ଆଶ୍ରମଠାରେ କଂଗ୍ରେସ ପତାକା ଉତ୍ତୋଳନ କରାଯାଇଥିଲା। ଏଥିସହ କଂଗ୍ରେସ ପକ୍ଷରୁ ୫୪ଟି ସ୍ଥାନରେ ସ୍ବାଧୀନତା ଘୋଷଣାନାମା ପାଠ କରାଯାଇଥିଲା।
ମୋଗଲବନ୍ଦୀ ଅଞ୍ଚଳରେ ଜମିଦାର ଓ ଗଡ଼ଜାତ ଅଞ୍ଚଳରେ ରାଜାଙ୍କ ନାମରେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିଲା। ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଶୋଚନୀୟ ଥିଲା। ଏହା ବିରୋଧରେ ମୁଣ୍ଡ ଟେକିଥିଲା ‘ପ୍ରଜାମଣ୍ଡଳ ଆନ୍ଦୋଳନ’।
୧୯୩୯ ଜାନୁଆରିରେ ରଣପୁରରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପଲିଟିକାଲ୍ ଏଜେଣ୍ଟ ମେଜର୍ ବେଜେଲଗେଟ୍ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସମଗ୍ର ରଣପୁର ସେନାଛାଉଣୀ ହୋଇ ଯାଇଥିଲା। ଲୋକେ ଗାଁଗଣ୍ଡା ଛାଡ଼ି ଜଙ୍ଗଲକୁ ପଳାଇଥିଲେ। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ୧୯୪୧ରେ ରଘୁ-ଦିବାକର ଫାଶୀ ପାଇଥିଲେ।
ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ ଗୋରା ଫଉଜଙ୍କୁ ବ୍ରାହ୍ମଣୀ ନଦୀ ପାରି ନ କରାଇଦେଇ ମାତ୍ର ୧୨ ବର୍ଷ ବୟସରେ ସହିଦ ହୋଇଥିଲେ। ୧୯୩୮ରେ ବାଜି ରାଉତ ପ୍ରଜାମଣ୍ଡଳ ବାନରସେନାରେ ଯୋଗଦେଇ ମାତୃଭୂମି ପାଇଁ ପ୍ରାଣବଳି ଦେଲେ।
୧୯୪୨ ଭାରତଛାଡ଼ ଆନ୍ଦୋଳନ ବେଳେ ଓଡ଼ିଶାର ବ୍ରିଟିସ୍ ପ୍ରଶାସକ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଯେ, ଗଞ୍ଜାମ, ପୁରୀ ଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥା ଶାନ୍ତ ଥିଲେ ମଧ୍ୟ ବାଲେଶ୍ବର, କଟକ ଓ କୋରାପୁଟ ଜିଲ୍ଲାରେ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଛି।
ଅବିଭକ୍ତ ବାଲେଶ୍ବର ଜିଲ୍ଲାରେ ଭାରତଛାଡ଼ ଆନ୍ଦୋଳନ ଅଧିକ ଭୟାବହ ରୂପ ଧାରଣ କରିଥିଲା। ୪ଟି ସ୍ଥାନରେ ପୁଲିସ ଗୁଳିଚାଳନା କରିବାରୁ ଓଡ଼ିଶାରେ ସର୍ବାଧିକ ସତ୍ୟାଗ୍ରହୀଙ୍କର ମୃତ୍ୟୁ ହୋଇଥିଲା। ଜଣେ ମହିଳାଙ୍କ ସମେତ ୪୨ଜଣ ସହିଦ ହୋଇଥିଲେ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସଦରମହକୁମାଠାରୁ ୧୫ କିଲୋମିଟର ଦୂର ଇରମକୁ ଆସିବାକୁ ଗମେଇ ଓ କାଂଶବାଂଶୀ ନଦୀ ପାରି ହେବାକୁ ପଡ଼େ। ସ୍ବାଧୀନତା ସଂଗ୍ରାମୀମାନେ ଏହାକୁ ନିରାପଦ କର୍ମସ୍ଥଳୀ ମଣୁଥିଲେ।
ଇରମର ଏକ ପଡ଼ିଆରେ ସଭାସମିତି ହେଉଥିଲା। ପଞ୍ଜାବର ଜାଲିଆନୱାଲାବାଗ୍ ଭଳି ଏହି ପଡ଼ିଆ ବି ତିନି ପାର୍ଶ୍ବରୁ ଅବରୁଦ୍ଧ ଥିଲା ବେଳେ ଭିତରକୁ ଯିବାପାଇଁ ଗୋଟିଏ ପାର୍ଶ୍ବରେ ରାସ୍ତା ଥିଲା।
୧୯୪୨ ଅଗଷ୍ଟ ୨୭ରେ ଇରମ ଅଞ୍ଚଳରେ ଭାରତଛାଡ଼ ଅାନ୍ଦୋଳନର ପ୍ରଥମ ସଭା ଆହୂତ ହୋଇଥିଲା। ପରେ ଏହି ପଡ଼ିଆରେ ସେପ୍ଟେମ୍ବର ୧୭ରେ ନେତାମାନେ ବୈଠକ କରି ସମାନ୍ତରାଳ ସରକାର ଗଠନ କରି କିଛି ଅଞ୍ଚଳକୁ ସ୍ବାଧୀନ ଘୋଷଣା କରି ତା’ର ନାମ ରଖିଲେ ‘ସ୍ବାଧୀନ ବାଞ୍ଛାନିଧି ଚକଲା’।
ସ୍ଥାନୀୟ ଜମିଦାରଙ୍କ ପ୍ରତି ବିପଦ ଥିବା ସୂଚନା ପାଇ ସେପ୍ଟେମ୍ବର ୨୮ରେ ବାସୁଦେବପୁର ଥାନାରୁ ଡିଏସ୍ପି କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ବରେ ପୁଲିସର ଏକ ଫୌଜ ଆସିଥିଲା। ଫୌଜ ଆସୁଥିବା ଖବର ପ୍ରଚାରିତ ହେବା ପରେ ମେଳଣ ପଡ଼ିଆରେ ୬ ହଜାର ସତ୍ୟାଗ୍ରହୀ ସମବେତ ହୋଇଥିଲେ।
ସତ୍ୟାଗ୍ରହୀଙ୍କ ବିରୋଧରେ ଜମିଦାରଙ୍କ ମିଛ ଓ ଅତିରଞ୍ଜିତ ଅଭିଯୋଗ ଶୁଣିବା ପେର ସବ୍ଇନ୍ସପେକ୍ଟର ଗୁଳି ପୂରାଉ ପୂରାଉ କହିଥିଲେ ‘ଟୁଡେ ସିଓର୍ ଫାୟାର୍’ ଅର୍ଥାତ୍ ଆଜି ନିଶ୍ଚିତ ଗୁଳି ଚାଲିବ। ଡିଏସ୍ପି ମଧ୍ୟ ସତ୍ୟାସତ୍ୟ ନ ବୁଝି କହିଥିଲେ ‘ମଁୁ ଆଜି ନରମେଧ ଯଜ୍ଞ କରିବି।’
ଇରମ ଗ୍ରାମର ପରୀ ବେୱା ଓରଫ ‘ମନ୍ଦ ମା’ (ତାଙ୍କ ଝିଅ ନାଁ ମନ୍ଦଦୋରୀ) ମେଳଣ ପଡ଼ିଆକୁ ଭାଷଣ ଶୁଣିବା ପାଇଁ ଆସି ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ସେ ଓଡ଼ିଶା ସ୍ବାଧୀନତା ଆନ୍ଦୋଳନର ପ୍ରଥମ ଓ ଏକମାତ୍ର ମହିଳା ସହିଦ।
୧୯୪୨ ସେପ୍ଟେମ୍ବର ୨୨ରେ ଭଦ୍ରକଠାରୁ ୧୫ କିଲୋମିଟର ଦୂରବର୍ତ୍ତୀ ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ବଟସାହି ଗ୍ରାମ ନିକଟ ଚାନ୍ଦିଆପଶି ପଡ଼ିଆରେ ପୁଲିସ ଗୁଳିରେ ୯ ଜଣ ସତ୍ୟାଗ୍ରହୀ ସହିଦ ହେବା ସହ ୫ ଜଣ ଆହତ ହୋଇଥିଲେ।
ଚାନ୍ଦିଆପଶି ପଡ଼ିଆରେ ପୁଲିସ ଫୌଜ ଗୁଳି ମାରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ନିଧି ମଳିକ କହିଥିଲେ, ‘ବେଇମାନ ପୁଲିସ ଆମକୁ ଗୁଳି ମାରିବାକୁ ଯାଉଛି।’ ତାଙ୍କ ଉପରେ ହିଁ ପ୍ରଥମେ ଗୁଳି ମାଡ଼ ହୋଇଥିଲା।
୧୯୪୨ ଅକ୍ଟୋବର ୨୪ ଦିନ କଂଗ୍ରେସ ପତାକା ଧରି ଅସଂଖ୍ୟ ଲୋକ ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥସ୍ଥ ଦୁର୍ଗା ଚାଉଳ କଳର ଗୋଦାମ ସମ୍ମୁଖରେ ସମବେତ ହୋଇଥିଲେ। ଏହି ସମାବେଶକୁ ବେଆଇନ ଘୋଷଣା କରି ଗୁଳିଚାଳନା ପାଇଁ ଏସ୍.ପି. ଆଦେଶ ଦେବାରୁ ସପନି ଜେନା ସହିଦ ହୋଇଥିଲେ।
ଅଧୁନା ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ କଳାମାଟିଆଠାରେ ୧୯୪୨ ଅଗଷ୍ଟ ୨୬ ଦିନ ପୁଲିସ ଗୁଳିଚାଳନା କରି ମାୟାଧର ଭୂୟାଁ, ହାଡ଼ିବନ୍ଧୁ ପଣ୍ଡା, ସାଉଣ୍ଟି ମଳିକ ଓ ସାନନ୍ଦ ସ୍ବାଇଁ ଆଦି ୪ ଜଣ ସତ୍ୟାଗ୍ରହୀଙ୍କୁ ହତ୍ୟା କରିଥିଲା।
ଗାନ୍ଧିଜୀଙ୍କ ବାର୍ତ୍ତା ପ୍ରଚାରପ୍ରସାର ସମେତ ସତ୍ୟାଗ୍ରହୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ତାଲିମ ଦେବା ପାଇଁ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ୧୯୩୪ରେ ବରୀଠାରେ ସେବାଶ୍ରମ ବା ସେବାଘର ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ।
କଳାମାଟିଆ ଗୁଳିକାଣ୍ଡର ସହିଦ ହାଡ଼ିବନ୍ଧୁ ପଣ୍ଡା ଜନତାଙ୍କ ସହ ମିଶି ପୁଲିସଠାରୁ ବନ୍ଧୁକ ଛଡ଼ାଇ ନେଉଥିବା ବେଳେ ଜଣେ ପୁଲିସ ତାଙ୍କ ଛାତିରେ ସଙ୍ଗୀନ ଭୁସି ଦେଇଥିଲେ।
ନବରଙ୍ଗପୁର ଅଞ୍ଚଳରେ କଂଗ୍ରେସର ବାର୍ତ୍ତା ପ୍ରଚାରର ନେତୃତ୍ବ ନେଇଥିଲେ ଲକ୍ଷ୍ମଣ ନାୟକ। ସେ ଗଁା ଗାଁ ବୁଲି ଆଦିବାସୀଙ୍କୁ ଏକାଠି କରିଥିଲେ।
୧୯୪୨ ଅଗଷ୍ଟ ୨୧ରେ ମାଥିଲି ଥାନା ଅଧିକାର ପାଇଁ ଲକ୍ଷ୍ମଣ ନାୟକ ଏକ ସମାବେଶ ଡାକିଥିଲେ। ପୁଲିସ ଏହି ସମାବେଶକୁ ବେଆଇନ ଘୋଷଣା କରିବା ସତ୍ତ୍ବେ ଆନ୍ଦେଳନକାରୀମାନେ ସେ ସ୍ଥାନ ଛାଡ଼ି ନଥିଲେ। ପୁଲିସ ଲାଠିଚାଳନା କରିଥିଲା। ଥାନାରେ ପୁଲିସ ମାଡ଼ରେ ଆହତ ଲକ୍ଷ୍ମଣଙ୍କ ନିଶ ଉପାଡ଼ି ଦିଆଗଲା।
ଲାଠି ପ୍ରହାର ପରେ ଆନ୍ଦୋଳନକାରୀମାନେ ଭୟଭୀତ ନ ହେବାରୁ ପୁଲିସ ରାଗିଯାଇ ଗୁଳିଚାଳନା କରିବାରୁ ମାଥିଲିରେ ୫ଜଣ ସହିଦ ହେଲେ। ଏହି ଘଟଣା ପାଇଁ ୧୯୪୩ ମାର୍ଚ୍ଚ ୨୯ରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା।
୧୯୩୦ ମେ ୫ ଦିନ ସତ୍ୟାଗ୍ରହୀଙ୍କୁ ତାଲିମ ଦେବା ପାଇଁ ବ୍ରହ୍ମପୁରଠାରେ ଏକ ‘ଉଦ୍ୟୋଗ ମନ୍ଦିର’ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ଦୁଇ ନେତ୍ରୀ କୁନ୍ଦଲତା ଦେଈ ଓ ନିରଞ୍ଜନ ପଟ୍ଟନାୟକଙ୍କ ପତ୍ନୀ କିଶୋରୀମଣି ଦେଈ।
ବ୍ରହ୍ମପୁରେର ଓଡ଼ିଆ ଓ ତେଲୁଗୁ ଏକାଠି ହୋଇ ସ୍ବାଧୀନତା ପାଇଁ ଲଢ଼େଇ ଜାରି ରଖିଥିଲେ। ତେଲୁଗୁ ମହିଳା ପି. ତାରାମ୍ମା ୪୦ ଜଣ ସତ୍ୟାଗ୍ରହୀଙ୍କୁ ନେଇ ଦଳ ଗଠନ କରିଥିଲେ। ତାଙ୍କୁ ଗିରଫ କରାଯାଇଥିଲା। ବରଲକ୍ଷ୍ମୀଙ୍କ ସହ ତାଙ୍କ ଦୁଇଝିଅ ଲବଣ ସତ୍ୟାଗ୍ରହରେ ଯୋଗଦେଇ କାରାବରଣ କରିଥିଲେ।
ଜାତୀୟ କବି ବୀରକିଶୋରଙ୍କ ‘ରଣଭେରୀ’ ଓ ‘ରଣଦୁନ୍ଦୁଭି’ କବିତାରେ ଇଂରେଜ-ବିରୋଧୀ ମନୋଭାବ ସୁସ୍ପଷ୍ଟ ଥିବାରୁ ତାଙ୍କ ବହି ବାଜ୍ୟାପ୍ତ କରି ତାଙ୍କୁ ୧୯୩୦ ଜୁଲାଇ ୧୮ରେ ଗିରଫ କରାଯାଇଥିଲା।
୧୯୩୧ ମେ ୧୭ରେ କୁଜଙ୍ଗରେ ଟିକସ ବିରୋଧୀ ସତ୍ୟାଗ୍ରହକୁ ଭଣ୍ଡୁର କରିବା ପାଇଁ ପୁଲିସ୍ ୩ଜଣ ସତ୍ୟାଗ୍ରହୀ ଓ ୨ଜଣ ମାନ୍ୟଗଣ୍ୟ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ୬୦୦ରୁ ୭୦୦ ଲୋକ ପୁଲିସକୁ ଘେରିଯାଇ ଟଣାଓଟରା କଲେ। ପରେ ବନ୍ଧୁକଧାରୀ ଫୌଜ ସହ ଜିଲ୍ଲା ମାଜିଷ୍ଟ୍ରେଟ୍ େସଠାରେ ପହଞ୍ଚି ଅତ୍ୟାଚାର ଚଳାଇଲେ। ଗ୍ରାମ ପୁରୁଷ ଶୂନ୍ୟ ହେବାରୁ ପୁଲିସ ଘରେ ପଶି ଲୁଟତରାଜ କରିବା ସହ ୩ ଜଣ ମହିଳାଙ୍କ ଇଜ୍ଜତ ନେଇଥିଲେ।
ପଶ୍ଚିମ ଓଡ଼ିଶାର ମହିଳା ସଂଗ୍ରାମୀ ଜମ୍ବୁବତୀ ଦେବୀ ୧୯୩୦ରେ ସମ୍ବଲପୁରର ୧୦ ଜଣ ମହିଳା ସତ୍ୟାଗ୍ରହୀଙ୍କ ସହ ବାଲେଶ୍ବର ଲବଣ ସତ୍ୟାଗ୍ରହରେ ଭାଗ ନେଇଥିଲେ। ଇଂରେଜ ସରକାର ବିରୁଦ୍ଧରେ ୧୯୩୧ ଜାନୁଆରି ୨୬ରେ ବାରପାଲିରେ ଜାତୀୟ ପତାକା ଉତ୍ତୋଳନ କରି ସାହସିକତା ଦେଖାଇଥିଲେ।
୧୯୩୪ ସୁଦ୍ଧା ଉତ୍କଳ ହରିଜନ ସେବକ ସଂଘ ଆନୂକୁଲ୍ୟରେ ଅସ୍ପୃଶ୍ୟ ଜାତିର ପିଲାଙ୍କ ପାଠ ପଢ଼ିବା ପାଇଁ ଓଡ଼ିଶାରେ ସର୍ବମୋଟ ୨୬ଟି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ତନ୍ମଧ୍ୟରୁ ଅବିଭକ୍ତ ବାଲେଶ୍ବରରେ ୪ଟି, ପୁରୀରେ ୩ଟି, ସମ୍ବଲପୁରରେ ଗୋଟିଏ, ଅବିଭକ୍ତ କଟକ ଜିଲ୍ଳାରେ ୧୧ଟି ଓ ଗଞ୍ଜାମ ଜିଲ୍ଳାରେ ୬ଟି।
ସାକ୍ଷୀଗୋପାଳରେ ଗୋପବନ୍ଧୁଙ୍କ ସେବା-ସଦନରେ ରହି ସତ୍ୟବାଦୀ ମଧ୍ୟଇଂରାଜୀ ବିଦ୍ୟାଳୟର ହରିଜନ ଅନ୍ତେବାସୀଙ୍କ ପାଇଁ ୪ଟଙ୍କା ଲେଖାଏଁ ବୃତ୍ତି ମଞ୍ଜୁର କରାଯାଇଥିଲା। ଟାଟା ବିର୍ଲାଙ୍କ ପରି ବିଶିଷ୍ଟ ଶିଳ୍ପପତି ଓଡ଼ିଶାରେ ହରିଜନଙ୍କ ଉନ୍ନୟନ ପାଇଁ ଅନୁଦାନ ଦେଇଥିଲେ।
୧୯୩୮ରେ ଗୁରୁଚରଣ ପଟ୍ଟନାୟକ ‘ଭାରତରେ ଇଂରେଜ ରାଜ’ ଶୀର୍ଷକ କ୍ଷୁଦ୍ର ପୁସ୍ତକ ଲେଖିଥିଲେ। ସରକାର ତାହାକୁ ବାଜ୍ୟାପ୍ତ କଲା ବେଳକୁ ବଜାରରେ ସେ ବହି ସମୁଦାୟ ବିକ୍ରି ହୋଇସାରିଥିଲା।
ଭାରତଛାଡ଼ ଆନ୍ଦୋଳନ କାଳରେ ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୨୪ ସକାଳେ ନବରଙ୍ଗପୁରର ବହୁସଂଖ୍ୟକ କଂଗ୍ରେସ କର୍ମୀ ଟାଙ୍ଗିଆ ଓ ଲାଠି ଧରି ରାମଧୂନ ଗାଇ ପାପଡ଼ାହାଣ୍ଡି ଅଭିମୁଖେ ଯିବାବେଳେ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲା। ସଂଗ୍ରାମୀଙ୍କ ଟାଙ୍ଗିଆ ଧାରରେ ଜଣେ ସିପାହୀଙ୍କ କାନ କଟିଗଲା। ଏହାପରେ ପୁଲିସ ଗୁଳିରେ ୧୯ଜଣ ସଂଗ୍ରାମୀ ସହିଦ ହେଲେ। ଏହି ‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’ ଓଡ଼ିଶା ଇତିହାସର ଏକ ରକ୍ତରଞ୍ଜିତ ଅଧ୍ୟାୟ।