ଆସନ୍ତାକାଲି ମୂଳାଷ୍ଟମୀ। ରାଧାଷ୍ଟମୀରୁ ଶୟନନୀତିରେ ଥିବା ମା’ଙ୍କୁ ମୂଳାଷ୍ଟମୀରେ ଜାଗ୍ରତ କରାଯାଏ। ମା’ଙ୍କୁ ଜାଗ୍ରତ କରିବା ପାଇଁ ସହସ୍ର କୁମ୍ଭାଭିଷେକ ନୀତି ସଂପନ୍ନ ହୁଏ। ମା’ କଟକ ଚଣ୍ଡୀଙ୍କ ପୂଜକମାନେ ଗଡ଼ଗଡ଼ିଆ ଘାଟକୁ ପୂଜାର୍ଚ୍ଚନା କରି ଘଟ ଆଣି ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ସ୍ଥାପନ କରନ୍ତି। ପରେ ଆରମ୍ଭ ହୁଏ ଷୋଡ଼ଶ ଉପଚାର ପୂଜା। ପରମ୍ପରା ଅନୁସାରେ ମା’ କଟକ ଚଣ୍ଡୀଙ୍କ ପୂଜକ ଓ ସେମାନଙ୍କ ପରିବାର ମୂଳାଷ୍ଟମୀରୁ ମହାଦଶମୀରେ ଘଟ ବିସର୍ଜନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିଷ୍ଠାରେ ରୁହନ୍ତି। ମା’ କଟକ ଚଣ୍ଡୀ ନିଜେ ଭୁବନେଶ୍ବରୀ ହୋଇଥିବାରୁ ଭୁବନେଶ୍ବରୀ ବେଶରୁ ତାଙ୍କର ବେଶ ନୀତି ଆରମ୍ଭ ହୁଏ। ମୂଳାଷ୍ଟମୀ ଓ ତା’ ପରଦିନ ମା’ଙ୍କର ସୁନାବେଶ ହୋଇଥାଏ। ତା’ ପରଠାରୁ ଷୋଡ଼ଶ ଉପଚାର ବେଶ ଭୁବନେଶ୍ବରୀ ବେଶରୁ ଆରମ୍ଭ ହୁଏ। ବିଜୟାଦଶମୀରେ ମା’ଙ୍କର ମହିଷାମର୍ଦ୍ଦିନୀ ବେଶରେ ମା’ଙ୍କ ବେଶ ନୀତି ଶେଷ ହୁଏ ବୋଲି ପୂଜକ ପ୍ରତିନିଧି ମନୋଜ ପଣ୍ଡା କୁହନ୍ତି।
ମା’ କଟକ ଚଣ୍ଡୀ ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବୀ। କିମ୍ବଦନ୍ତି ଅନୁଯାୟୀ କନିକା ରାଜାଙ୍କ ଚଣ୍ଡୀ ପୁରୋହିତ ହଂସନାଥ ପଣ୍ଡା ଥରେ ଗାଈ ଚରାଇବାକୁ ଯାଇ ଏକ ମାଟିକୁଦ ଉପରେ ବସିଥିବା ବେଳେ ଏକ ଅପୂର୍ବ ଶିହରଣ ଅନୁଭବ କରିଥିଲେ। ସେହି ରାତିରେ ସେ ମା’ କଟକ ଚଣ୍ଡୀଙ୍କୁ ସ୍ବପ୍ନରେ ଦେଖିବା ପରେ କନିକା ରାଜାଙ୍କୁ ଜଣାଇଥିଲେ। ସେହି ଜମିଟି ଜଣେ ଜଣେ ବିଧବା ମହିଳାଙ୍କର ଥିଲା। ଲୋକଙ୍କ ସହଯୋଗ ଓ ରାଜାଙ୍କ ନିର୍ଦ୍ଦେଶରେ ସେହି କୁଦ ଖୋଳାଗଲା। ସେଠାରୁ ୪୦ ଓଦର ସିନ୍ଦୁର ବାହାରିଥିଲା। ପରେ ରାଜାଙ୍କ ସହଯୋଗରେ ମା’ କଟକ ଚଣ୍ଡୀଙ୍କ ମନ୍ଦିର ନିର୍ମାଣ ହେଲା। ହଂସନାଥଙ୍କ ପରେ ତାଙ୍କ ପୁଅ ଲକ୍ଷ୍ମଣ ପଣ୍ଡା ମା’ଙ୍କ ପୂଜା କଲେ। ଲକ୍ଷ୍ମଣଙ୍କ ୬ ପୁଅ ଓ ଏବେ ସେମାନଙ୍କର ୧୪ ପୁଅ ମା’ଙ୍କ ସେବା ପୂଜାରେ ନିୟୋଜିତ। ୧୨ ମାସରେ ତେର ପର୍ବ ଭଳି ମା’ଙ୍କର ଅନେକ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ। ନୂଆ ବର୍ଷରେ ସୁନାବେଶ ହୁଏ। ମକର ସଂକ୍ରାନ୍ତିରେ ସାତ ଦିନ ଯଜ୍ଞ ହୁଏ। ସରସ୍ବତୀ ପୂଜାରେ ମା’ ସରସ୍ବତୀ ବେଶ ହୁଅନ୍ତି। ପଣା ସଂକ୍ରାନ୍ତିରେ ବି ମା’ଙ୍କର ସୁନା ବେଶ ହୁଏ। ଚୈତ୍ର ମାସରେ ମା’ଙ୍କର ନବଦିନାତ୍ମକ ବାସନ୍ତୀକ ଦୁର୍ଗା ପୂଜା ହୁଏ। ମାଣବସାରେ ମା’ ଗଜଲକ୍ଷ୍ମୀ ବେଶ ହୁଅନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ମା’ଙ୍କର ଅତ୍ୟନ୍ତ ଆକର୍ଷଣୀୟ ଅନ୍ନପୂର୍ଣ୍ଣା ବେଶ ହୁଏ। ସପ୍ତାହର ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକଟରେ ମାଛ ଭୋଗ ଲାଗି ହୋଇଥାଏ।