ମଲ୍ଟିପଲ୍ ସ୍କ୍ଲେରୋସିସ୍ (ଏମ୍ଏସ୍) ହେଉଛି ଏକ ବିରଳ ସ୍ନାୟବିକ ରୋଗ, ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀ ଭୁଲ୍କ୍ରମେ ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡର ବାହ୍ୟ ଆବରଣକୁ ଆକ୍ରମଣ କରିବାକୁ ଲାଗେ। ଏଥିଜନିତ କ୍ଷତି ଯୋଗୁଁ ମସ୍ତିଷ୍କ ଓ ଅବଶିଷ୍ଟ ଶରୀର ମଧ୍ୟରେ ସୂଚନା ଆଦାନପ୍ରଦାନ ବାଧାପ୍ରାପ୍ତ ହୁଏ ଏବଂ ସାମାନ୍ୟରୁ ଚରମ ଶ୍ରେଣୀ ଶାରୀରିକ ଅକ୍ଷମତା ପରିଲକ୍ଷିତ ହୁଏ।
ପ୍ରାୟ ଏକ ଶତାବ୍ଦୀରୁ ଏହି ରୋଗ ନିରୂପଣ ହୋଇଆସୁଥିଲେ ହେଁ ଭାରତରେ ଅନେକ ରୋଗୀ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ‘ଇଣ୍ଡିଆନ୍ ମଲ୍ଟିପଲ୍ ସ୍କ୍ଲେରୋସିସ୍ ରେଜିଷ୍ଟ୍ରି ଆଣ୍ଡ୍ ନେଟ୍ଵାର୍କ’ ସଂସ୍ଥାର ଆକଳନ ଅନୁସାରେ ଲକ୍ଷ ଲକ୍ଷ ଭାରତୀୟ ଏହି ରୋଗ ସହ ବଞ୍ଚୁଛନ୍ତି କିନ୍ତୁ ଅନେକ ସେ ସମ୍ପର୍କରେ ଅଜ୍ଞ। ୨୦ରୁ ୪୦ ବର୍ଷ ବୟସର ମହିଳାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହେବାର ଦେଖାଯାଏ। କିଛି ବର୍ଷ ତଳ ପର୍ଯ୍ୟନ୍ତ ଭାରତ ମଲ୍ଟିପଲ୍ ସ୍କ୍ଲେରୋସିସ୍ର ନିମ୍ନ-ବିପଦ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। ତେବେ ଇତିମଧ୍ୟରେ ଆମ ଦେଶ ମଧ୍ୟମ-ବିପଦ ଅଞ୍ଚଳ ପାଲଟିଯାଇଛି। ଅର୍ଥାତ୍ ଅଧିକ ଭାରତୀୟ ଏଥିରେ ପୀଡ଼ିତ ହେବାର ଆଶଙ୍କା ରହିଛି, କିନ୍ତୁ ରୋଗ ନିରୂପଣ ହାର ବଢୁ ନାହିଁ।
ଏହାର ଏକ ବଡ଼ କାରଣ ହେଉଛି ରୋଗୀ ଓ କିଛି କ୍ଷେତ୍ରରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତାର ଅଭାବ। ପ୍ରାରମ୍ଭିକ ଅବସ୍ଥାରେ ରୋଗ ନିରୂପଣ ହୋଇପାରିଲେ ଏହାର ଅଗ୍ରଗତିକୁ ହ୍ରାସ କରାଯାଇପାରିବ। ଠିକ୍ ସମୟରେ ଚିକିତ୍ସା ଆରମ୍ଭ କରିବା ଦ୍ବାରା ରୋଗ ଲେଉଟାଣି ଓ ସ୍ଥାୟୀ ଅକ୍ଷମତାର ଆଶଙ୍କା ହ୍ରାସ ପାଇବା ସହ ଜୀବନର ମାନ ବୃଦ୍ଧି ସମ୍ଭବ। ତେବେ ଆରମ୍ଭରେ ଏହି ରୋଗର ଲକ୍ଷଣଗୁଡ଼ିକୁ ଚିହ୍ନିବା କଷ୍ଟ। କ୍ଳାନ୍ତି, ଝିମ୍ଝିମ୍ ଲାଗିବା, ଝାପ୍ସା ଦେଖାଯିବା, ଭାରସାମ୍ୟ ରକ୍ଷାରେ ସମସ୍ୟା ଆଦି ଲକ୍ଷଣ ଦେଖା ଯାଇଥାଏ। ଏଗୁଡ଼ିକୁ ସାଧାରଣ ସମସ୍ୟା ଭାବି ରୋଗୀମାନେ ବିଳମ୍ବରେ ନ୍ୟୁରୋଲଜିଷ୍ଟ ବା ସ୍ନାୟୁ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତି। ସେତେବେଳେ ରୋଗ ବଢ଼ି କରି ଭୀଷଣ ମାଂସପେଶୀ ଦୁର୍ବଳତା, ପ୍ରତ୍ୟଙ୍ଗଗୁଡ଼ିକ ଟାଣ ହୋଇଯିବା ଭଳି ସମସ୍ୟା ସହ ଭାରସାମ୍ୟ ନ ରହିବା ଯୋଗୁଁ ଚାଲିବାରେ ସମସ୍ୟା ହୁଏ ଅଥବା ହ୍ବିଲ୍ ଚେଆର୍ ଉପରେ ନିର୍ଭର କରିବାକୁ ପଡ଼େ।
କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତ ମଲ୍ଟିପଲ୍ ସ୍କ୍ଲେରୋସିସ୍ର ନିମ୍ନ-ବିପଦ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। ଇତିମଧ୍ୟରେ ଆମ ଦେଶ ମଧ୍ୟମ-ବିପଦ ଅଞ୍ଚଳ ପାଲଟିଯାଇଛି।
ଏହାର ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ହେଲା କଥା କହିବା ବେଳେ ଖନି ମାରିବା, ଖାଦ୍ୟ ଗିଳିବାରେ କଷ୍ଟ ହେବା, ଆଖିଡ଼ୋଳାର ଗତି ଅନିୟନ୍ତ୍ରିତ ହେବା, ଏପରିକି ଆଂଶିକ ଭାବେ ଦୃଷ୍ଟିଶକ୍ତି ହରାଇବା, ମଳମୂତ୍ର ନିୟନ୍ତ୍ରଣ କରି ନ ପାରିବା, ସ୍ନାୟବିକ ପୀଡ଼ା ଲାଗି ରହିବା, ସ୍ମୃତିଶକ୍ତି ହ୍ରାସ ଇତ୍ୟାଦି। ଏହି ରୋଗ ନେଇ ରହିଥିବା କେତେକ ଭ୍ରାନ୍ତି ହେଉଛି:
“ମଲ୍ଟିପଲ୍ ସ୍କ୍ଲେରୋସିସ୍ର କୌଣସି ଚିକିତ୍ସା ନାହିଁ।’’ ବାସ୍ତବରେ ଏହି ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟଲାଭ କରିବା ସମ୍ଭବ ନୁହେଁ ସତ, କିନ୍ତୁ ପ୍ରାରମ୍ଭିକ ସ୍ତରରେ ନିରୂପଣ ହୋଇପାରିଲେ ଚିକିତ୍ସା ଦ୍ବାରା ଏହାର ପ୍ରକୋପକୁ ବଢ଼ିବାରୁ ରୋକାଯାଇପାରେ।
“ଶିଶୁମାନଙ୍କୁ ଏହି ରୋଗ ହୁଏ ନାହିଁ।’’ ଶିଶୁମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅପେକ୍ଷାକୃତ କମ୍ ହୋଇଥିଲେ ହେଁ ସବୁ ବୟସର ଲୋକଙ୍କୁ ଏହି ରୋଗ ଆକ୍ରାନ୍ତ କରିପାରେ।
“ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଶିଶୁ ଜନ୍ମ କରିବା ଅନୁଚିତ।” ବାସ୍ତବରେ ଏହି ରୋଗୀମାନଙ୍କ କ୍ଷେତ୍ରରେ ଗର୍ଭଧାରଣ ସଂପୂର୍ଣ୍ଣ ସୁରକ୍ଷିତ। କେବଳ ଗର୍ଭାବସ୍ଥାରେ ନିୟମିତ ଡାକ୍ତରୀ ଯତ୍ନ ଆବଶ୍ୟକ।
ମଲ୍ଟିପଲ୍ ସ୍କ୍ଲେରୋସିସ୍ ରୋଗୀଙ୍କ ସମ୍ପର୍କରେ ଅସଂପୂର୍ଣ୍ଣ ତଥ୍ୟ, ସଚେତନତାର ଅଭାବ ଓ ସାମାଜିକ ଅପବାଦର ଭୟ ଯୋଗୁଁ ଭାରତରେ ଏହି ସ୍ନାୟବିକ ସମସ୍ୟାର ଅସଲ ବ୍ୟାପ୍ତି ଅଜଣା ରହିଛି। ବିଶେଷଜ୍ଞମାନଙ୍କ ମତରେ ଏ ନେଇ ଅଧିକ ସଚେତନତା ପ୍ରସାର କରି ସମ୍ଭାବ୍ୟ ରୋଗୀଙ୍କୁ ସ୍ନାୟବିକ ପରୀକ୍ଷା କରାଇବା ପାଇଁ ପ୍ରୋତ୍ସାହିତ କରାଯିବା ଦରକାର।