ବୃଦ୍ଧ ଅଟୋ ଚାଳକଙ୍କ ସାଧାରଣ ଜ୍ଞାନକୁ ମାନିବାକୁ ପଡ଼ିବ

ନୂଆଦିଲ୍ଲୀ: ଟ୍ରାଫିକ ଜାମରେ ଫସି ଯାଉଥିବା ବେଳେ ଲୋକେ ନିଜନିଜ ଫୋନରେ ବ୍ୟସ୍ତ ହୋଇଯାଉଥିବା ବେଳେ କେହିକେହି ଗୀତ ବଜାଇ ସମୟ ଅତିବାହିତ କରିଥାଆନ୍ତି। ଅନ୍ୟପକ୍ଷରେ ଦେଖିବା୍କୁ ଗଲେ କିଛି ଯାତ୍ରୀ ସମୟ କାଟିବା ପାଇଁ ଗାଡ଼ି ଚାଳକଙ୍କ ସହିତ ଭଳମନ୍ଦ କଥା ହୋଇଥାଆନ୍ତି। ଏମିତିରେ ଅନେକ ପ୍ରଭାବଶାଳୀ ଚାଳକମାନେ ଯାତ୍ରୀଙ୍କ ସହିତ ଭେଟ ହୋଇଯାଇଥାଆନ୍ତି। ଯେମିତି କି କେହିକେହି ଚାଳକ ଇଂରାଜୀରେ କଥା ହେଉଥିବା ବେଳେ ଆଉ କେତେକ ଅଟୋ ଚାଳକ ସ୍ପଷ୍ଟ ଭାବେ ସଂସ୍କୃତରେ କଥା ହେଉଥିବା ଶୁଣିବାକୁ ମିଳିଥାଏ।

ନିକଟରେ ଜଣେ ଅଟୋ ଚାଳକଙ୍କ ଭିଡିଓ ଭାଇରାଲ ହୋଇଛି। ଏହି ଅଟୋ ଚାଳକ ଜଣକ ମୁମ୍ବାଇର ବୋଲି ଜଣାପଡ଼ିଛି। ଉକ୍ତ ଅଟୋ ଚାଳକଙ୍କ ଭିଡିଓ ଚର୍ଚ୍ଚାରେ ରହିଛି। ଏହି ଅଟୋ ଚାଳକଙ୍କ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରାଜୀବ ନାମ ଜଣେ ବ୍ୟବହାରକାରୀ ସେୟାର କରିଛନ୍ତି।

ସେ ଲେଖିଛନ୍ତି, ନିକଟରେ ସେ ମୁମ୍ବାଇରେ ଟ୍ରାଫିକ ଜାମରେ ଫସି ଯାଇଥିଲେ। ସେତେବେଳେ ଗୁଗୁଲ ମ୍ୟାପ କହିଲା ତିନିକିମି ଦୂର ଅତିକ୍ରମ କରିବାକୁ ଏକଘଣ୍ଟାର ସମୟ ଲାଗିବ। ସେ ଯେମିତି ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲେ, ଅଟୋ ଚାଳକ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ।

ରାଜୀବ କହନ୍ତି, ‘ଅଟୋ ଚାଳକ ମୋତେ ପଚାରିଥିଲେ, ତୁମେ କେଉଁ ଦେଶରୁ ଆସିଛ। ମୁଁ ମଜାକରେ କିଛି ଦେଶର ନାମ କହିଥିଲି। ସେ ମୋତେ କହିଥିଲେ ମୁଁ ୟୁରୋପର କିଛି ଦେଶର ନାମ ଜାଣିଛି। ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହେଲି। ୟୁରୋପର ସମସ୍ତ ୪୪ଟି ଦେଶର ନାମ କ୍ରମାନୁସାରେ କହିବା ସହଜ ନୁହେଁ। ହେଲେ ବି ଅଟୋ ଚାଳକ ୪୪ଟି ଦେଶକୁ ଅତି ସହଜରେ କହି ଦେଇଥିଲେ, ଆଉ ୟୁରୋପର କିଛି ପ୍ରମୁଖ ଦେଶର ନେତାଙ୍କ ନାମ ବି କହିଥିଲେ। ଏହି ୬୧ବର୍ଷୀୟ ବୃଦ୍ଧ ଅଟୋ ଚାଳକଙ୍କ ନାମ ରାମଦେବ ବୋଲି ଜଣାପଡ଼ିଛି।’

ସମ୍ବନ୍ଧିତ ଖବର