ନୂଆଦିଲ୍ଲୀ: ଯଦି ଦୃଢ଼ ଇଚ୍ଛାଶକ୍ତି ଅଛି ତେବେ ଅସମ୍ଭବ ବି ସମ୍ଭବ ହେବ। ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ମୁମ୍ବାଇର ଜଣେ ଛାତ୍ର ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଉକ୍ତ ଛାତ୍ରଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟକ ।

Advertisment

କଥାରେ ଅଛି କଷ୍ଟ କଲେ ହିଁ କୃଷ୍ଣ ମିଳିଥାନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠା ବିନା ସଫଳତା କେବେ ଆସେ ନାହିଁ | ୨୧ବର୍ଷୀୟ ୟଶ ଅଭାଦେଶ ଗାନ୍ଧୀ ମସ୍ତିଷ୍କ ପକ୍ଷଘାତରେ ଶିକାର ହେବା ସହ ତାଙ୍କୁ ପଢ଼ିବା ଓ କହିବାରେ ବି ଅସୁବିଧା ପରିଲକ୍ଷିତ ହୋଇଥାଏ। ଏହାସବୁ ପରେ ବି ୟଶ ମନରେ ଦୃଢ଼ ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କରିଥିଲେ ଏବଂ କ୍ୟାଟ-୨୦୧୯ ପରୀକ୍ଷାରେ ୯୨.୫ ପ୍ରତିଶତ ନମ୍ବର ରଖି ଉର୍ତ୍ତୀଣ୍ଣ ହୋଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ୟଶ ଅଭାଦେଶ ଗାନ୍ଧୀ ଏହି ସ୍କୋର ସହିତ ଆଇଆଇଏମ୍ ଲକ୍ଷ୍ନୗରେ ଆଡମିଶନ କରିଛନ୍ତି| ସେ ଗତ ଏକ ମାସ ଧରି ଅନଲାଇନ୍ କ୍ଲାସରେ ପାଠପଢ଼ୁଥିଲେ। ୟଶ ବିଭିନ୍ନ ଆଇଆଇଏମରୁ ଅଫର ପାଇଥି‌ଲେ କିନ୍ତୁ ସେ ଆଇଆଇଏମ୍ ଲକ୍ଷ୍ନୗକୁ ବାଛିଥିଲେ |

ୟଶ ମୁମ୍ବାଇର ମିଠିବାଇ କଲେଜରୁ ଆକାଉଣ୍ଟିଂ ଏବଂ ଫାଇନାନ୍ସରେ ସ୍ନାତକ କରିଛନ୍ତି। ସେ ଶ୍ରେଷ୍ଠ ପାଞ୍ଚଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସ୍ନାତକରେ ଦ୍ୱିତୀୟ ବର୍ଷରେ ଥିବାବେଳେ କ୍ୟାଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ୟଶ। ୟଶଙ୍କ ପିତାମାତା ତାଙ୍କୁ ବହୁତ ସମର୍ଥନ କରନ୍ତି | ତାଙ୍କ ପିତା ଜଣେ ଘରୋଇ କର୍ମଚାରୀ ଏବଂ ମା’ ଏକ ରୋଷେଇ କେନ୍ଦ୍ରର ମଧ୍ୟାହ୍ନ ଭୋଜନର ସୁପରଭାଇଜର ରହିଛନ୍ତି।

ୟଶ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସବୁକିଛି ଜାଣିଛନ୍ତି। ସେଥିପାଇଁ ସେ ଯେତିକି ପରିଶ୍ରମ କରିବା କଥା ସଫଳତା ପାଇବା ପାଇଁ ତାହାଠାରୁ ଅଧିକ ପରିଶ୍ରମ କରିଥାଆନ୍ତି।

‌ତେବେ କ୍ୟାଟ ପାଇଁ ପ୍ରସ୍ତୁତି କରୁଥିବାବେଳେ ୟଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେହି ସମୟରେ ସେ ହତାଶ ହୋଇପଡ଼ିଥିଲେ। ଏବଂ ଆଉ ସେ ପରିଶ୍ରମ କରି ପାରିବେ ନାହିଁ ବୋଲି ସ୍ଥିର କରିଥିଲେ।

ପୁଅ ହାର ମାନି ଯାଉଥିବା ଦେଖି ୟଶଙ୍କ ମା’ ତାଙ୍କୁ ପ୍ରେରଣା ଦେଇ କହିଥିଲେ, ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିଥାଏ। କୌଣସି କ୍ଷେତ୍ରରେ ହାର ମାନିବା ଉଚିତ ନୁହେଁ। ଏହାପରେ ୟଶ ପୁଣି ଥରେ ନିଜ ଲକ୍ଷ୍ୟରେ ଆଗେଇ ଚାଲିଲେ।