ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ୨୦୨୪-୨୫ର ୪ଟିଯାକ କ୍ବାର୍ଟରଫାଇନାଲ୍‌ ମଧ୍ୟରୁ ୩ଟିରୁ ଚତୁର୍ଥ ଦିନ ଫଳାଫଳ ମିଳିଯାଇଛି। ରେକର୍ଡ ୪୨ ଥର ବିଜେତା ମୁମ୍ବାଇ ସହ ବିଦର୍ଭ, ଗୁଜରାଟ ସେମିଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଜମ୍ମୁ ଓ କାଶ୍ମୀର ବନାମ କେରଳ ମଧ୍ୟରେ ଚାଲିଥିବା ପ୍ରଥମ କ୍ବାର୍ଟରଫାଇନାଲ୍ ପଞ୍ଚମ ଦିନକୁ ଯାଇଛି। ନାଗପୁରରେ ଅନୁଷ୍ଠିତ ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ବିଦର୍ଭ ୧୯୮ ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ତାମିଲନାଡୁ ସମ୍ମୁଖରେ ୪୦୧ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସାଇ କିଶୋରଙ୍କ ଦଳ କିନ୍ତୁ ୨୦୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଆଦିତ୍ୟ ଠାକରେ ଓ ହର୍ଷ ଦୁବେ ୩-୩ ୱିକେଟ୍ ନେଇ ଏହି ବିଜୟ ଦେଇଥିଲେ। ମଙ୍ଗଳବାର ବିଦର୍ଭ ଏହାର ଦ୍ବିତୀୟ ପାଳିକୁ ୧୫୯/୬ରୁ ଖେଳି ୨୭୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ୟଶ ରାଠୋଡ଼ ଶତକ (୧୧୨) ହାସଲ କରିଥିବାବେଳେ ସାଇ କିଶୋର ୫ ୱିକେଟ୍ ସଫଳତା ପାଇଥିଲେ। ପ୍ରଥମ ପାଳିରେ ବିଦର୍ଭର ୩୫୩ ରନ୍ ଜବାବରେ ତାମିଲନାଡୁ ୨୨୫ ରନ୍ କରିଥିଲା। କରୁଣ ନାୟାର (୧୨୨ ଓ ୨୯) ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Advertisment

ରାଜ୍‌କୋଟରେ ଅନୁଷ୍ଠିତ ଚତୁର୍ଥ କ୍ବାର୍ଟରଫାଇନାଲ୍‌ରେ ଗୁଜରାଟ ପଡ଼ୋଶୀ ସୌରାଷ୍ଟ୍ରକୁ ଏକ ପାଳି ଓ ୯୮ ରନ୍‌ରେ ପରାସ୍ତ କରିଛି।‌ ସୌରାଷ୍ଟ୍ରର ୨୧୬ ରନ୍ ଜବାବରେ ଗୁଜରାଟ ୫୧୧ ରନ୍ ସଂଗ୍ରହ କରି ନେଇଥିଲା। ମଙ୍ଗଳବାର ସୌରାଷ୍ଟ୍ର ଏହାର ଦ୍ବିତୀୟ ପାଳିରେ ମାତ୍ର ୧୯୭ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରିୟଜିତ୍‌ସିଂହ ଜାଡ଼େଜା (୪/୩୨), ଅର୍ଜାନ୍ ନାଗସୱାଲା (୩/୫୪), ରବି ବିଷ୍ଣୋଇ (୨/୩୦), ଚିନ୍ତନ ଗଜା (୧/୩୪) ୱିକେଟ୍‌ ବାଣ୍ଟି ନେଇଥିଲେ। ଜୟମିତ୍ ପଟେଲ୍ (୨/୩୭ ଓ ୧୦୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଇଡେନ୍ ଗାର୍ଡେନ୍ସରେ ମୁମ୍ବାଇ ୧୫୨ ରନ୍‌ରେ ହରିୟାଣାକୁ ପରାସ୍ତ କରିଛି। ହରିୟାଣା ସମ୍ମୁଖରେ ୩୫୪ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଅଙ୍କିତ କୁମାରଙ୍କ ଦଳ କିନ୍ତୁ ୨୦୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଲକ୍ଷ୍ୟ ଦଲାଲ (୬୪) ଓ ସୁମିତ କୁମାର (୬୨) ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ରୟଟନ୍ ଡାଏସ୍ (୫/୩୯), ଶାର୍ଦୁଳ ଠାକୁର (୩/୨୬), ତନୁଷ କୋଟିଆଁ (୨/୧୫) ୱିକେଟ୍ ବାଣ୍ଟି ନେଇଥିଲେ। ମଙ୍ଗଳବାର ସକାଳେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଶତକ (୧୦୮) ବଳରେ ମୁମ୍ବାଇ ଦ୍ବିତୀୟ ପାଳି ୩୩୯ ରନ୍‌ରେ ଶେଷ ହୋଇଥିଲା। ପୂର୍ବରୁ ପ୍ରଥମ ପାଳିରେ ମୁମ୍ବାଇ ୩୧୫ ଓ ହରିୟାଣା ୩୦୧ ରନ୍ କରିଥିଲେ। ଶାର୍ଦୁଳ ଠାକୁର (୧୫, ୬/୫୮, ୬, ୩/୨୬) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। 

ପୁ‌ଣେରେ ଚାଲିଥିବା ଜମ୍ମୁ ଓ କଶ୍ମୀର ବନାମ କେରଳ ପ୍ରଥମ କ୍ବାର୍ଟରଫାଇନାଲ୍‌ ସନ୍ତୁଳିତ ସ୍ଥିତିରେ ରହିଛି। ଜମ୍ମୁ ଓ କଶ୍ମୀରର ପ୍ରଥମ ପାଳି ୨୮୦ ରନ୍ ଜବାବରେ କେରଳ ୨୮୧ ରନ୍ କରିଥିଲା। ଅଧିନାୟକ ପାରସ ଡୋଗ୍ରା (୧୩୨)ଙ୍କ ଶତକ ବଳରେ ଜମ୍ମୁ ଓ କଶ୍ମୀର ଦ୍ବିତୀୟ ପାଳିକୁ ମଙ୍ଗଳବାର ୩୯୯/୯ରେ ଘୋଷଣା କରିଛି। ଫଳରେ କେରଳ ସମ୍ମୁଖରେ ୩୯୯ ରନ୍ ବିଜୟ ଲକ୍ଷ୍ୟ ରହିଛି। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା କେରଳ ୨ ୱିକେଟ୍‌ରେ ୧୦୦ ରନ୍ ସଂଗ୍ରହ କରିଛି। ୟୁଦ୍ଧବୀର ସିଂହ ଉଭୟ ୱିକେଟ୍ ନେଇଥିବାବେଳେ ଅକ୍ଷୟ ଚନ୍ଦ୍ରନ (୩୨*) ଓ ଅଧିନାୟକ ସଚିନ ବେବି (୧୯*) ବ୍ୟାଟିଂ କରୁଥିଲେ। ପଞ୍ଚମ ଦିନରେ କେରଳକୁ ଆଉ ୨୯୯ ରନ୍ ଏବଂ ଜେକେକୁ ୮ ୱିକେଟ୍ ଆବଶ୍ୟକ ରହିଛି।

ସେଲଡନ୍‌ ଜ୍ୟାକ୍‌ସନ୍‌ଙ୍କ ଅବସର
ରାଜକୋଟ: ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ବ୍ୟାଟର୍‌ ‌ସେଲଡନ୍ ଜ୍ୟାକ୍‌ସନ୍‌ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। ରାଜ୍‌କୋଟଠାରେ ଖେଳାଯାଇଥିବା ରଣଜୀ ଟ୍ରଫିର କ୍ବାର୍ଟରଫାଇନାଲ୍‌ରେ ଗୁଜରାଟଠାରୁ ସୌରାଷ୍ଟ୍ର ହାରିଯିବା ପରେ ଜ୍ୟାକ୍‌ସନ୍‌ ଏହି ଅବସର ଘୋଷଣା କରିଛନ୍ତି। ଶେଷ ଦୁଇ ପାଳିରେ ୧୪ ଓ ୨୭ ରନ୍ ସଂଗ୍ରହ କରିଥିଲେ ସେ। ୩୮ ବର୍ଷୀୟ ଜ୍ୟାକ୍‌ସନ୍‌ ନିଜ ୧୫ ବ‌ର୍ଷର କ୍ରିକେଟ୍‌ ଜୀବନରେ ୧୦୫ ପ୍ରଥମ‌ ଶ୍ରେଣୀ ମ୍ୟାଚ୍‌ ଖେଳି ୨୧ ଶତକ ଓ ୩୯ ଅର୍ଦ୍ଧଶତକ ସହ ୭୨୦୦ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ହେଉଛି ୧୮୬ ରନ୍। ହାରାହାରି ୪୫ରୁ ଊର୍ଧ୍ବ ରହିବା ମଧ୍ୟ ତାଙ୍କ ସ୍ଥିରତାର ପ୍ରମାଣ ରଖିଛି। ୨୦୧୧ରେ ପଦାର୍ପଣ କରିଥିବା ସେଲଡନ୍ ୨୦୧୨-୧୩ ଋତୁରେ ୪ ଅର୍ଦ୍ଧଶତକ ଓ ୩ ଶତକ ହାସଲ କରିଥିଲେ। କ୍ବାର୍ଟରଫାଇନାଲ୍ ଓ ସେମିଫାଇନାଲ୍‌ରେ ଯଥାକ୍ରମେ କର୍ଣ୍ଣାଟକ ଓ ପଞ୍ଜାବ ବିପକ୍ଷରେ ଶତକ ମାରିଥିଲେ। ସୌରାଷ୍ଟ୍ରକୁ ପ୍ରଥମ ଥର ଫାଇନାଲ୍‌ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗତ ମାସରେ ସୀମିତ ଓଭର କ୍ରିକେଟ୍‌ ଛାଡ଼ିଥିବା ଜ୍ୟାକ୍‌ସନ୍‌ ଏହି ଫର୍ମାଟ୍‌ରେ ୮୪ ପାଳିରୁ ୯ ଶତକ ସହ ୨୭୯୨ ରନ୍ ସଂଗ୍ରହ କରିଛନ୍ତି। ନିଜର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ (୧୩୩*) ୨୦୨୨ ଋତୁର ବିଜୟ ହଜାରେ ଟ୍ରଫିରେ ସ୍କୋର୍‌ କରିଥିଲେ ‌ସେ।