ଦେବରାଜଙ୍କୁ ପୁଣି କିଛି ଦିନ ବ୍ୟବଧାନରେ ଆଉ ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ସୂଚନା ଅନୁସାରେ ସେ ‘ମୁନ୍ନା ଭାଇ ବିବିଏସ୍ଆର୍’ରେ ଅଭିନୟ କରୁଛନ୍ତି। ଏଥିରେ ସେ ଶୀର୍ଷକ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଶିବାନୀ ଭୂମିକାରେ ଅଛନ୍ତି ଅର୍ଲିନ୍ ଅଙ୍କିତା। ‘ମୁନ୍ନା ଭାଇ ବିବିଏସ୍ଆର୍’ ଏକ କମେଡି ଫିଲ୍ମ ଭଳି ମନେ ହେଉଥିଲେ ହେଁ ପ୍ରକୃତରେ ଏହା ଏକ ସିରିଅସ୍ ଲଭ୍ ଷ୍ଟୋରି ବୋଲି ନିର୍ଦ୍ଦେଶକ ରମେଶ ରାଉତ ସୂଚନା ଦେଇଛନ୍ତି। ଏଥିରେ ମୁନ୍ନା ଓ ଶିବାନୀଙ୍କ ଜବରଦସ୍ତ ପ୍ରେମକାହାଣୀ ଦେଖିବାକୁ ପାଇବେ ଦର୍ଶକ। ଏହା ଦେବରାଜ-ଅର୍ଲିନ୍ ଅଙ୍କିତା ଯୋଡ଼ିର ପ୍ରଥମ ସିନେମା ହେବ। ଏହି ଯୋଡ଼ିଙ୍କ ବ୍ୟତୀତ ବବି ମିଶ୍ର, ଚୌଧୁରୀ ବିକାଶ ଦାସ, ଶ୍ବେତା ଆଚାର୍ଯ୍ୟ ଓ ସୁନୀଲ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।
ଆଗରୁ ‘ଚାନ୍ଦ ନା ତୁମେ ତାରା’, ‘ଗଡ୍ଫାଦର୍’, ‘ଲଭ୍ ଏକ୍ସପ୍ରେସ୍’, ‘କାବୁଲା ବାରବୁଲା’, ‘ଟୋକାଟା ଫସିଗଲା’, ‘ମାଲ ମହୁ ଜୀବନ ମାଟି’, ‘ଅରୁନ୍ଧତୀ’ ଓ ‘ଆପଣମାନେ ଖୁସି ତ’ ଆଦି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିବା ରମେଶ ରାଉତ ଏହାର ନିର୍ଦ୍ଦେଶକ। ଫିଲ୍ଲର ପ୍ରଯୋଜକ ସୁଦୀପ୍ତ ସଂଳାପ ରଚନା କରିଥିବା ବେଳେ ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଡକ୍ଟର ନିର୍ମଳ ନାୟକ ଏହାର ଗୀତିକାର।