କୋଡିଏର କୋହ : ରାଜଧାନୀର ଚର୍ଚ୍ଚିତ ହତ୍ୟାକାଣ୍ଡ

୨୦୨୦ରେ ଅପରାଧୀ ସୁନା ମୁଦି ପାଇଁ ଘରେ ପଶି ଅପରାଧୀ ତଣ୍ଟି କାଟିଥିଲେ ତ’ କେଉଁଠି ବନ୍ଧୁକ ମୁନରେ ଟାର୍ଗେଟ ହେଉଥିଲା ବ୍ୟାଙ୍କ୍‌ ଓ କର୍ମଚାରୀ। ମଦ ପାଇଁ ମା’କୁ ନାବାଳକ ପୁଅ ହତ୍ୟା କରୁଥିବା ବେଳେ ଜୀବନକୁ ଭଲ ପାଇବାର ବାର୍ତ୍ତା ବାଣ୍ଟୁଥିବା ଯୁବକ କରୁଥିଲା ଆତ୍ମହତ୍ୟା। ଯୌନ ଉତ୍ପୀଡ଼ନରେ କୋମଳମତି ଶିଶୁର ଛାତି ଥରୁଥିବା ବେଳେ ନିରୀହ ବ୍ୟବସାୟୀକୁ ରାଜପଥରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ସୁପାରି କିଲର। ତମାମ ବର୍ଷର ଚର୍ଚ୍ଚିତ ହତ୍ୟାକାଣ୍ଡକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

DNA India

-ବର୍ଷର ଅନ୍ୟତମ ଲୋମ‌ହର୍ଷକ ଘଟଣା ଥିଲା ବାଥ୍‌ରୁମ୍‌ ଭିତରେ ମା’କୁ ହତ୍ୟା। ମା’ର ନିର୍ଯାତନା ସହି ନପାରି ଦୁଇ ନାବାଳକ ପୁଅ ହତ୍ୟା କରିଥିବା ଆସିଥିଲା ଅଭିଯୋଗ। ଏୟାରଫିଲ୍ଡ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ପୁରୀର ବିନୋଦିନୀ ମିଶ୍ର ଏଭଳି ହତ୍ୟାକାଣ୍ଡର ଶିକାର ହୋଇଥିଲେ।

-ବେପାରରେ କଣ୍ଟା ସାଜିବାରୁ ଜଣେ ନିରୀହ ମିଠା ବ୍ୟବସାୟୀକୁ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଅକ୍ଟୋବର ୪ ତାରିଖରେ ଶମ୍ଭୁ ନାୟକକୁ ଭୁବନେଶ୍ବର-ପୁରୀ ମୁଖ୍ୟ ରାସ୍ତାର ସାମନ୍ତରାପୁର ଛକରେ ସୁପାରୀ କିଲର ହାଣି ହତ୍ୟା କରିଥିଲେ। ବ୍ୟାବସାୟିକ ଶତ୍ରୁତାରୁ ତାକୁ ହତ୍ୟା କରାଯାଇଥିଲା। ସାମନ୍ତରାପୁର ଜଣେ ପୁରୁଣା ମିଠା ବ୍ୟବସାୟୀ ସୁପାରି କିଲର୍‌ଙ୍କ ଜରିଆରେ ଶମ୍ଭୁକୁ ହତ୍ୟା କରିଥିଲେ।

-ସେପ୍ଟେମ୍ବର ୮ତାରିଖରେ ଖଣ୍ଡଗିରି ଭରତପୁରରେ ଜଣେ ନାବାଳକକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ନିଶା ବେପାରକୁ ବିରୋଧ କରୁଥିବାରୁ ନିଶା ବେପାରୀ ଏକାଠି ହୋଇ ତାକୁ ରାସ୍ତା ମଝିରେ ହତ୍ୟା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

-ଜୁଲାଇ ୭ ତାରିଖରେ ନୂଆପଲ୍ଲୀରେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ହାଣି ସୁନା ଚେନ୍‌ ମୁଦି ନେଇ ଯାଇଥିଲେ। କିଛି ଦିନ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବର୍ଷ ସରିବାକୁ ବସିଥିଲେ ମଧ୍ୟ ଏହି ଘଟଣାରେ କମିସନରେଟ୍‌ ପୁଲିସକୁ ସଫଳତା ମିଳିନାହିଁ।

-କରୋନା ପ୍ରକୋପରେ ସବୁ ଘାଣ୍ଟି ହୋଇଥିବା ବେଳେ ମଞ୍ଚେଶ୍ବରରେ ଘଟିଥିଲା ବିଚିତ୍ର ଘଟଣା। ଜୁନ୍‌ ୧୫ ତାରିଖରେ ପଳାଶୁଣି ବସ୍ତିର ସଞ୍ଜୁଲତା ଦେହୁରୀଙ୍କୁ ତାଙ୍କ ସ୍ବାମୀ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଫେରାର ଥିଲା। ଠିକ୍‌ ୧୦ ଦିନ ପରେ ଗଙ୍ଗୁଆ ନାଳରୁ ଏକ ମୃତଦେହ ମିଳିଲା। ମୃତଦେହ ସନାତନ ସହ ମିଶୁଥିବାରୁ ଚିହ୍ନଟ କରିବା ପାଇଁ ଡିଏନ୍‌ଏ ଟେଷ୍ଟ କରିବାକୁ ମଞ୍ଚେଶ୍ବର ଥାନା ପୁଲିସ ନମୂନା ପଠାଇଲା। ସେବେଠାରୁ ସନାତନ ଫେରୁନି କି ଡିଏନ୍‌ଏ ଟେଷ୍ଟ ରିପୋର୍ଟ ମଧ୍ୟ ଆସୁନି।

ସମ୍ବନ୍ଧିତ ଖବର