କଳ୍ପନା କରନ୍ତୁ, ଆପଣ ହେଡ୍ଫୋନ୍ ନ ଲଗାଇ, ଅନ୍ୟ କାହାକୁ ବିରକ୍ତ ନକରି କାନ ପାଖରେ ନିଜର ପ୍ରିୟ ସଂଗୀତ ଏକାଗ୍ରତାର ସହ ଶୁଣୁଛନ୍ତି। ବାସ୍ତବରେ ଏପରି ଘଟିବାକୁ ଯାଉଛି। ପେନ୍ସିଲ୍ଭାନିଆ ଷ୍ଟେଟ୍ ୟୁନିଭର୍ସିଟିରେ ବିକଶିତ ‘ଅଡିବଲ୍ ଏନ୍କ୍ଲେଭ୍’ ନାମକ ନୂତନ ପ୍ରଯୁକ୍ତିବିଦ୍ୟାରେ ଅଲ୍ଟ୍ରାସୋନିକ ଧ୍ବନି ତରଙ୍ଗର ଏଭଳି ଉପଯୋଗ କରାଯାଉଛି, ଯଦ୍ଦ୍ବାରା କେବଳ ଜଣେ ନିର୍ଦ୍ଦିଷ୍ଟ ଶ୍ରୋତା ହିଁ ଶବ୍ଦ ଶୁଣିପାରିବ।
ଏକ ଅଭିନବ ପ୍ରକ୍ରିୟାରେ ବିଭିନ୍ନ ଦିଗରୁ ଅଲଟ୍ରାସୋନିକ୍ ସାଉଣ୍ଡୱେଭ୍ ପ୍ରେରଣ କରାଯାଇଥାଏ। ଯେତେବେଳେ ଏପରି ଦୁଇଟି ସାଉଣ୍ଡ୍ୱେଭ୍ ପରସ୍ପରକୁ ଛେଦ କରନ୍ତି, ସେତେବେଳେ ଏକ କ୍ଷୀଣ ଶବ୍ଦ ସୃଷ୍ଟି ହୁଏ, ଯାହା ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଶୁଣାଯାଇଥାଏ। ଏହି ହେଡ୍ଫୋନ୍-ମୁକ୍ତ ସଂଗୀତ ପ୍ରଯୁକ୍ତି ବ୍ୟବହାର କରି ବର୍ତ୍ତମାନ ଏକ ମିଟର ଦୂରରୁ ସ୍ପଷ୍ଟ ଧ୍ବନି ଶୁଣାଯାଉଛି। ପାରମ୍ପରିକ ହେଡ୍ଫୋନ୍ଗୁଡ଼ିକ କାନକୁ ଘୋଡ଼ାଇ ରଖୁଥିବା ବେଳେ ଏହି ପ୍ରଯୁକ୍ତିବିଦ୍ୟା ଶ୍ରୋତାର କାନକୁ ପରିବେଶ ପାଇଁ ସଂପୂର୍ଣ୍ଣ ଖୋଲା ରଖିବ। ବିଶେଷ କରି ହେଡ୍ଫୋନ୍ ଲଗାଇବାକୁ ଅସହଜ ମନେ କରୁଥିବା ଲୋକଙ୍କ ପାଇଁ ଏହା ଖୁବ୍ ଉପାଦେୟ ହେବ। ପ୍ରାରମ୍ଭିକ ପରୀକ୍ଷଣରେ ଥିବା ଏହି ପ୍ରଯୁକ୍ତିକୁ ବିକଶିତ କରି ଆଗକୁ ଅଧିକ ଦୂରତା ଓ ଅଧିକ ଜୋର୍ରେ ଶବ୍ଦ ପ୍ରେରଣ ହୋଇପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।