କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କମ୍ପାନି ‘ଓପନ୍‌ଏଆଇ’ର ସିଇଓ ସାମ୍‌ ଅଲ୍‌ଟମ୍ୟାନ୍ ମସ୍ତିଷ୍କ ପ୍ରତିରୋପଣ ପ୍ରଯୁକ୍ତି କ୍ଷେତ୍ରରେ ଏକ ନୂଆ କମ୍ପାନି ପ୍ରତିଷ୍ଠା କରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ‘ମର୍ଜ ଲାବ୍‌ସ’ ନାମକ ମସ୍ତିଷ୍କ ପ୍ରତିରୋପଣ ଷ୍ଟାର୍ଟଅପ୍‌ ଜରିଆରେ ସାମ୍‌ ସଂପୃକ୍ତ କ୍ଷେତ୍ରରେ ଅଗ୍ରଣୀ ପାଲଟିଥିବା ଏଲନ୍ ମସ୍କଙ୍କ ‘ନ୍ୟୁରାଲିଙ୍କ୍’ କମ୍ପାନି ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ନୂତନ ଷ୍ଟାର୍ଟଅପ୍‌ ଜରିଆରେ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ମଣିଷ ମସ୍ତିଷ୍କ ଓ କମ୍ପ୍ୟୁଟର୍‌କୁ ସମ୍ମିଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଅଲ୍‌ଟମ୍ୟାନ୍‌ ୮୫ କୋଟି ଡଲାରର ପାଣ୍ଠି ସଂଗ୍ରହରେ ଲାଗି ପଡ଼ିଛନ୍ତି। ‘ଵାର୍ଲଡ’ର ସହପ୍ରତିଷ୍ଠାତା ଏବଂ ସିଇଓ ଆଲେକ୍ସ ବ୍ଲାନିଆଙ୍କ ସହ ମିଶି ଅଲ୍‌ଟମ୍ୟାନ୍‌ ଏହି ନୂତନ ଷ୍ଟାର୍ଟଅପ୍‌ କମ୍ପାନି ପ୍ରତିଷ୍ଠା କରିବେ ବୋଲି ଜଣାଯାଇଛି।

Advertisment

ମସ୍କ ଓ ଅଲ୍‌ଟମ୍ୟାନ ହେଉଛନ୍ତି ‘ଓପନ୍‌ଏଆଇ’ର ସହ-ପ୍ରତିଷ୍ଠାତା। କିନ୍ତୁ ୨୦୧୮ ପରଠାରୁ ଦୁଇଜଣ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ପାଲଟିଛନ୍ତି

ରୋଚକ କଥା ହେଉଛି, ଏହି ଦୁଇ ବିଲିଅନେର୍‌ ଉଦ୍ୟୋଗୀ ହେଉଛନ୍ତି ‘ଓପନ୍‌ଏଆଇ’ର ସହ-ପ୍ରତିଷ୍ଠାତା। ତେବେ ଅଲ୍‌ଟମ୍ୟାନ୍‌ଙ୍କ ସହିତ ଅସହମତି ଯୋଗୁଁ ମସ୍କ ୨୦୧୮ରେ ଓପନ୍‌ଏଆଇ ଛାଡ଼ି ଚାଲିଯାଇଥିଲେ। ସେବେଠାରୁ ଉଭୟ ‘ଏଆଇ’ ଦୁନିଆରେ ଦୁର୍ଦ୍ଧର୍ଷ ପ୍ରତିଦ୍ବନ୍ଦ୍ବିତା ଚଳାଇଛନ୍ତି। ଏବେ ‘ମର୍ଜ ଲାବ୍‌ସ’ ଏହି ପ୍ରତିଦ୍ବନ୍ଦ୍ବିତାକୁ ଆହୁରି ଉଗ୍ର କରିବ ବୋଲି କୁହାଯାଉଛି।

ମସ୍ତିଷ୍କ ପ୍ରତିରୋପଣ ପ୍ରଯୁକ୍ତି ଅନେକ ଦଶନ୍ଧି ପୁରୁଣା ହୋଇଥିଲେ ହେଁ ଏଆଇର ଅଗ୍ରଗତି ତଥା ଇଲେ‌କ୍ଟ୍ରୋନିକ୍‌ସ ସରଞ୍ଜାମରେ ଉନ୍ନତି ଯୋଗୁଁ ଏହା ଏବେ ଅଧିକ ଉପାଦେୟ ସାବ୍ୟସ୍ତ ହେବାର ସମ୍ଭାବନା ବହନ କରୁଛି। ସେଥିପାଇଁ କିଛି ବର୍ଷ ହେଲା ଏ କ୍ଷେତ୍ରରେ ‘ନ୍ୟୁରାଲିଙ୍କ’ ସମେତ ‘ପ୍ରିସିସନ୍ ନ୍ୟୁରୋସାଇନ୍‌ସ’ ଓ ‘ସିଙ୍କ୍ରୋନ୍‌’ ପରି ଷ୍ଟାର୍ଟଅପ୍‌ ଗବେଷଣା ଓ ପ୍ରତିଯୋଗିତା ଜାରି ରଖିଛନ୍ତି। ନ୍ୟୁରାଲିଙ୍କ କେବଳ ଏ ବର୍ଷ ୬୫ କୋଟି ଡଲାର ନିବେଶ ହାସଲ କରିଛି। ଗତ ମାସରେ ମସ୍କ ନିବେଶକମାନଙ୍କୁ କହିଥିଲେ ଯେ, ସେ ୨୦୩୧ ସୁଦ୍ଧା ପ୍ରତିବର୍ଷ ୨୦,୦୦୦ ଲୋକଙ୍କ ଠାରେ ନ୍ୟୁରାଲିଙ୍କ ଚିପ୍‌ ପ୍ରତିରୋପଣ କରିବାକୁ ଯୋଜନା କରୁଛନ୍ତି। ଯଦି ଏହା ସଫଳ ହୁଏ ତେବେ କମ୍ପାନି ବାର୍ଷିକ ୧୦୦ କୋଟି ଡଲାର ରାଜସ୍ୱ ଆୟ କରିବ।