ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬କିଲୋମିଟର ଯାତ୍ରା କରିଥିବା ଜଣାଯାଇଛି। ତେବେ ଉକ୍ତ ମହିଳା ଜଣକ ତିରୁମାଲା ମନ୍ଦିରରେ ଭଗବାନ ଭେଙ୍କଟେଶ୍ବରଙ୍କୁ ପୂଜା କରିବା ପାଇଁ ଆସିଥିଲେ। ଆଉ ମନ୍ଦିରକୁ ୬କିମି ବାଟ ବାକିଥିବା ବେଳେ ସେ ଚାଲି ପାରି ନଥିଲେ। ଏଭଳି ସମୟରେ ଜଣେ ମୁସଲମାନ ଯବାନ ତାଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ।
୫୮ବର୍ଷୀୟା ମହିଳା ମଙ୍ଗି ନାଗେଶ୍ବରମ୍ମା ଦୁଇ ଦିନିଆ ତିରୁମାଲା ଗସ୍ତରେ ଆସିଥିଲେ। ସେ ପାଦରେ ଯାତ୍ରା କରୁଥିବା ସମୟରେ ରାସ୍ତାରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ପାହାଡ ଉପରେ ଥିବା ତିରୁମାଲା ମନ୍ଦିର ମାତ୍ର ୬କିଲୋମିଟର ଦୂରରେ ଥିଲା ହେଲେ ସେ ଆଉ ଚାଲି ପାରିଲେ ନାହିଁ। ଏହି ସମୟ ମଧ୍ୟରେ କଡ଼ପା ଜିଲ୍ଲାର ସ୍ବତନ୍ତ୍ର ପୁଲିସ କର୍ମଚାରୀ ତୀର୍ଥଯାତ୍ରୀଙ୍କ ତତ୍ତ୍ବାବଧାନରେ ଥିଲେ। ଏହି ସମୟରେ କନଷ୍ଟେବଳ ଶେଖ ଅର୍ଶଦଙ୍କ ନାଗେଶ୍ବରମ୍ମାଙ୍କ ଉପରେ ନଜର ପଡ଼ିଥିଲା। ସେ ସଙ୍ଗେସଙ୍ଗେ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଯାଇଥିଲେ। ଚିକିତ୍ସା ପରେ ଅର୍ଶଦ ନାଗେଶ୍ବରମ୍ମାଙ୍କୁ କାନ୍ଧରେ ଉଠାଇ ୬କିଲୋମିଟର ଦୂରରେ ଅବସ୍ଥିତ ମନ୍ଦିରକୁ ନେଇଗଲେ। ଏହି ସମୟ ମଧ୍ୟରେ ଅର୍ଶଦ ମଧ୍ୟ ପାହାଡ ଉପରେ ଥିବା ଜଙ୍ଗଲ ଦେଇ ଯାଇଥିଲେ। ଅର୍ଶଦଙ୍କ କାର୍ଯ୍ୟକୁ ତୀର୍ଥଯାତ୍ରୀମାନେ ପ୍ରଶଂସା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।