ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚରେ ଜଣେ ଶଶୁର ନିଜ ବୋହୂକୁ ପାଇବାକୁ ଅଦାଲତ ସମ୍ମୁଖରେ ନେହୁରା ହେଉଥିବା ଘଟଣା ସାମ୍ନାକୁ ଆସିଛି । ଶଶୁରଙ୍କ ଅଭିଯୋଗ ମୁତାବକ ତାଙ୍କ ବୋହୂ ସାବାଳିକା ହୋଇଥିବା ବେଳେ ତାଙ୍କ ବାପଘର ଲୋକ ତାଙ୍କୁ ନାବାଳିକା ବୋଲି କହି ସେ ଇଚ୍ଛା ଅନୁସାରେ କରିଥିବା ବିବାହକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ପ୍ରେମ ପାଇଁ ରୁବିନାରୁ ରୁବି ବନି ସେ ଭଲ ପାଉଥିବା ଶେଷ କୁମାର ଅଗସ୍ତିଙ୍କୁ ବିବାହ କରିଛନ୍ତି। ହେଲେ ଏ ବିଷୟରେ ରୁବିନାଙ୍କ ପରିବାର ଲୋକ ଜାଣିବା ପରେ ଏହି ବିବାହକୁ ବିରୋଧ କରି ଚାଲିଛନ୍ତି।
ଅନ୍ୟପକ୍ଷରେ ତାଙ୍କ ଶଶୁରଘର ଲୋକ କିନ୍ତୁ ତାଙ୍କୁ ଗ୍ରହଣ କରିବାକୁ ଆଗ୍ରହୀ। ବିବାହ ବିରୋଧରେ ଥିବା ରୁବିନାଙ୍କ ପରିବାର ଲୋକ ଏହାକୁ ଏକ ନାବାଳିକା ବିବାହ କହୁଥିବା ବେଳେ ସମସ୍ତ ପ୍ରମାଣ ପତ୍ର ନେଇ ଆଇନ୍ର ସହାୟତା ଲୋଡ଼ିଛନ୍ତି ତାଙ୍କ ଶଶୁର। ରୁବିନାଙ୍କ ବାପା ତାଙ୍କ ସ୍ବାମୀଙ୍କ ନାମରେ ଏକ ଅପହରଣ ମାମଲା ରୁଜୁ କରିଛନ୍ତି। ଏହା ପରେ ମାମଲା କୋର୍ଟକୁ ଚାଲି ଯାଇଛି। ତେବେ ରୁବିନାରୁ ରୁବି ପାଲଟିଥିବା ନବବିବାହିତା ଜଣକ ଅଦାଲତରେ ତାଙ୍କ ପକ୍ଷ ରଖି କହିଛନ୍ତି, ‘ବିଚାରପତି ମହାଶୟ। ମୁଁ ସାବାଳିକା ଅଟେ। ମୋ ଜୀବନର ନିଷ୍ପତ୍ତି ନେବାର ଅଧିକାର ମୋ ନିକଟରେ ଅଛି। ମୁଁ ମୋ ଇଚ୍ଛା ଅନୁସାରେ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛି।’
ତେବେ ରୁବିନାଙ୍କ ବାପଘର ଲୋକ ତାଙ୍କୁ ନାବାଳିକା ବୋଲି କହିବା ସହ ସେ କିଛି ପାଠ ପଢ଼ିନାହାନ୍ତି ବୋଲି କହିଥିଲେ। ମାତ୍ର ତାଙ୍କ ଶଶୁର ରୁବିନାଙ୍କ ମାର୍କସିଟ୍ ଓ ଜନ୍ମ ପ୍ରମାଣ ପତ୍ର ଦେଖାଇ ତାଙ୍କ ବାପଘର ଲୋକ ମିଥ୍ୟା କହୁଥିବା ପ୍ରମାଣ କରି ଦେଇଛନ୍ତି। ଶେଷରେ ‘ମୋ ବୋହୂକୁ ମୋତେ ଫେରାଇ ଦିଅନ୍ତୁ’ କହି ଅଦାଲତରେ ନେହୁରା ହୋଇଛନ୍ତି।