ହିନ୍ଦୁ ଭକ୍ତଙ୍କ ପାଇଁ କାନ୍ଦି ଉଠିଲା ମୁସ୍‌ଲମାନ ବ୍ୟକ୍ତିଙ୍କ ହୃଦୟ, ଶିବ ମନ୍ଦିରରେ ଲଗାଇଲେ ସ୍ପର୍ଶହୀନ ଘଣ୍ଟି

ଭୋପାଳ: ଭାରତ ଯେ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ତାହା ବାରମ୍ବାର ପ୍ରମାଣ ହେଉଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବିକତା ହିଁ ଶ୍ରେଷ୍ଠ ଧର୍ମ, ଏକଥା ବି ଅନେକ ଥର ପ୍ରମାଣ ହୋଇଛି। ହିନ୍ଦୁ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ମୁସ୍‌ଲମାନ ବ୍ୟକ୍ତିଙ୍କ ବଡ଼ପଣ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ମଧ୍ୟପ୍ରଦେଶର ମଣ୍ଡସୌର ଜିଲ୍ଲାର ଏକ ଶିବ ମନ୍ଦିରରେ ଜଣେ ମୁସ୍‌ଲମାନ ମେକାନିକ୍‌ ଏକ ଘଣ୍ଟି‌ ଲଗାଇଛନ୍ତି, ଯାହାକୁ ବିନ‌ା ସ୍ପର୍ଶ କରି ମଧ୍ୟ ବଜାଇ ହେଉଛି।

କରୋନା ଭାଇରସ୍‌ ହେତୁ ରାଜ୍ୟରେ ଜାରି ହୋଇଥିବା ଲକ୍‌ଡାଉନ୍ କୋହଳ ହେବା ପରେ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ବି ନିର୍ଦ୍ଦିଷ୍ଟ କଟକଣା ଜାରି ରହିଥିଲା। କୌଣସି ବି ଭକ୍ତ କିମ୍ବା ପୂଜାରୀ ମନ୍ଦିର ଘଣ୍ଟି ବଜାଇ ପାରିବେ ନାହିଁ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଥିଲା।

Times of India

ମାତ୍ର ଭକ୍ତଙ୍କ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ୬୨ ବର୍ଷିଅ ମୁସ୍‌ଲମାନ ବ୍ୟକ୍ତି ନେହେରୁ ଖାନ୍‌ ମଣ୍ଡସୌର ଜିଲ୍ଲାର ପଶୁପତିନାଥ ମନ୍ଦିରରେ ବିଦ୍ୟୁତ୍‌ ସେନ୍‌ସର ପରିଚାଳିତ ଘଣ୍ଟି ଲଗାଇଛନ୍ତି। ଏହି ଘଣ୍ଟି ବାଦନ ଲାଗି  ସ୍ପର୍ଶ କରିବାକୁ ପଡ଼ିବ ନାହିଁ । ଭକ୍ତ କିମ୍ବା ପୂଜାରୀ ଘଣ୍ଟିରୁ ଅଧା ଫୁଟ୍‌ ଦୂରତାରେ ରହି ଇଶାରା କରି ଦେଲେ ଘଣ୍ଟିଟି ବାଜି ଉଠିବ।

ଏହି ଘଣ୍ଟି ଲାଗିବା ପରେ ପଶୁପତିନାଥ ମନ୍ଦିରର ମୁଖ୍ୟ ପୂଜାରୀ କୈଳାସ ପଣ୍ଡିତ୍‌ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ନେହେରୁ ଖାନଙ୍କ ତରଫରୁ ଆମ ମନ୍ଦିରରକୁ ଏହା ଏକ ଉପହାର ସଦୃଶ। ତାଙ୍କୁ ନେଇ ଆମ ଦେଶ ଗର୍ବିତ।’

ସମ୍ବନ୍ଧିତ ଖବର