ମୁସଲମାନ କନ୍ୟାଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଛପାଗଲା ହିନ୍ଦୁ ଦେବତାଙ୍କ ଫଟୋ

ମିରଟ: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର କନ୍ୟା ବିବାହ ନିମନ୍ତ୍ରଣ ପତ୍ରରେ ହିନ୍ଦୁ ଦେବତାଙ୍କ ଫଟୋ ଥିବା ଦେଖିବାକୁ ମିଳିଛି। ଏପରି କରିବା ପଛର କାରଣ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦଭାବ ରକ୍ଷା  ହୋଇ ପାରିବ ବୋଲି ଉକ୍ତ ମୁସଲମାନ ପରିବାର କହିଛନ୍ତି। ଏବେ ଏହି ନିମନ୍ତ୍ରଣ ପତ୍ରଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଅନେକ ଲୋକ ଏଭଳି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ହସ୍ତିନାପୁର ବିଧାନସଭା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ମେଦପୁର ଫିରୋଜପୁର ଗ୍ରାମରେ ମହମ୍ମଦ ଶରାଫତ ବାସବାସ କରନ୍ତି। ଶରାଫତ ଝିଅଙ୍କ ବିବାହ ମାର୍ଚ୍ଚ ୪ ତାରିଖରେ ସ୍ଥିର ହୋଇଛି। ଝିଅ ଆସମା ଖାତୁନଙ୍କ ବାହାଘରକୁ ଅତିଥିଙ୍କୁ ନିମନ୍ତ୍ରଣ ପାଇଁ ତାଙ୍କ ବାପା ଏକ ବିଶେଷ ଧରଣର କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି ନିମନ୍ତ୍ରଣ ପତ୍ରରେ ଗଣେଶଙ୍କ ସହ ରାଧା କୃଷ୍ଣଙ୍କର ଫଟୋ ଛପା ଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏଥିରେ ଚାନ୍ଦ ମୁବାରକ ବୋଲି ବି ପ୍ରିଣ୍ଟ କରାଯାଇଛି । ଆଉ ଏହାକୁ ଦେଖିବା ପରେ ଅନେକଲୋକ ମୁସଲମାନଙ୍କ ବିବାହରେ ହିନ୍ଦୁ ଦେବତା ଗଣେଶ ନିମନ୍ତ୍ରଣ ଦେଉଥିବା କଥା କହିଛନ୍ତି।

ମହମ୍ମଦ ଶରାଫତଙ୍କ କହିବାନୁସାରେ, ସମ୍ପ୍ରଦାୟିକ ଘୃଣା ଜୋର ଧରିଥିବା ବେଳେ ମୋତେ ଲାଗୁଛି କି ହିନ୍ଦୁ-ମୁସଲମାନ୍‌ ଏକତାକୁ ଦର୍ଶାଇବା ପାଇଁ ଏହା ଏକ ସୁନ୍ଦର ବିଚାର ହେବ। ମୋର ସାଙ୍ଗମାନେ ଏହାକୁ ନେଇ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ମୋର ଏଭଳି ଚିନ୍ତାଧାରାକୁ ପୂର୍ବତନ ମନ୍ତ୍ରୀ ମୁକେଶ ସିଦ୍ଧାର୍ଥ ବି ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର