ନିଆଁରେ ସାରା ଅଞ୍ଚଳ ଜଳୁଥିବାବେଳେ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲିମ ସମ୍ପ୍ରଦାୟ

ନୂଆଦିଲ୍ଲୀ: ମନ୍ଦିରକୁ ସୁରକ୍ଷା ଦେଲେ ମୁସଲିମ ସମ୍ପ୍ରଦାୟ | ଆକ୍ରମଣକାରୀ ମନ୍ଦିରକୁ ଆକ୍ରମଣ କରିବାକୁ ଯୋଜନା କରିଥିବାବେଳେ ଏହାକୁ ପଣ୍ଡ କରିଦେଇଛନ୍ତି ମୁସଲିମ ସମ୍ପ୍ରଦାୟ | ଆଜି ଆମେ ଆପଣଙ୍କୁ ମାନବିକତା ଓ ଭାଇଚାରାର ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କୁ ଭାରତୀୟ ଭାବେ ନିଶ୍ଚିତ ଗର୍ବିତ କରାଇବ | ଦିଲ୍ଲୀରେ ୪ ଦିନ ଧରି ଲାଗିଥିବା ହିଂସାକାଣ୍ଡ ଯୋଗୁଁ ୩୪ ଜଣଙ୍କ ମୃତ୍ୟୁ ହୋଇଛି | ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ହିଂସା ଯୋଗୁ ଉତ୍ତର-ପୂର୍ବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ହୋଇଥିବାବେଳେ ଆଜି ପରିସ୍ଥିତି ଶାନ୍ତ ରହିଛି | ତେବେ ଉତ୍ତରପୂର୍ବ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ କେବଳ ପାଉଁଶ ଗଦା ହିଁ ଦେଖିବାକୁ ମିଳିଛି |

କିନ୍ତୁ ହିଂସାରେ ଯେତେବେଳେ ନିଆଁ ଜଳୁଥିଲା ଖଜୁରୀଖାସ ଓ ଚାନ୍ଦବାଗ ଅଂଚଳରେ ଥିବା ଏକ ହିନ୍ଦୁ ମନ୍ଦିରର କୌଣସି କ୍ଷତି ହୋଇନାହିଁ | ମନ୍ଦିରଠାରୁ ୧୦ ମିଟର ଦୂରରେ ସବୁକିଛି ଭଙ୍ଗାରୁଜା କରାଯାଇ ପୋଡି ଦିଆଯାଇଥିବାବେଳେ ମନ୍ଦିରରେ କିନ୍ତୁ ଏହି ହିଂସାକାଣ୍ଡର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ | ମିଳିଥିବା ସୂଚନା ମୁତାବକ ଏହି ମନ୍ଦିରର ଚାରିପାଖରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ପରିବାର ବାସ କରନ୍ତି |

Photo-TV9bharatbars

ଆକ୍ରମଣକାରୀ ଯେତେବେଳେ ମନ୍ଦିରକୁ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ସେତେବେଳେ ଶତାଧିକ ମୁସଲମାନ ଏହି ମନ୍ଦିରକୁ ସୁରକ୍ଷା ଦେଇଥିଲେ | ମନ୍ଦିରର ପୂଜକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ବ୍ୟସ୍ତ ହୁଅନ୍ତୁ ନାହିଁ, ମନ୍ଦିରର କୌଣସି ବି କ୍ଷତି ହେବାକୁ ଦିଆଯିବ ନାହିଁ | ମନ୍ଦିର ସାମ୍ନାରେ ବହୁ ସଂଖ୍ୟାରେ ବ୍ୟକ୍ତିଙ୍କୁ ଦେଖି ଆକ୍ରମଣକାରୀ ଡରି ସେଠାରୁ ପଳାଇଯାଇଥିଲେ | ମନ୍ଦିରକୁ ସୁରକ୍ଷା ଦେଇଥିବା ମୁସଲମାନଙ୍କ କହିବା କଥା ଯେ ଯଦି ସେମାନଙ୍କ ଅଂଚଳର ମନ୍ଦିରକୁ ଆକ୍ରମଣ ହୋଇଥାନ୍ତା ତେବେ ଏହାଠାରୁ ବଳି ଲଜ୍ଜ୍ୟା ତାଙ୍କ ପାଇଁ କିଛି ହୋଇନଥାନ୍ତା |

ସମ୍ବନ୍ଧିତ ଖବର