ମେଦିନାପୁର: ଏ ବର୍ଷର ମହରମ୍ ଶୋଭାଯାତ୍ରା ବାତିଲ କରି କର୍କଟ ରୋଗଗ୍ରସ୍ତ ଜଣେ ହିନ୍ଦୁ ପଡ଼ିଶାଙ୍କ ଚିକିତ୍ସା ନିମନ୍ତେ ଅର୍ଥ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ଅନ୍ତର୍ଗତ ଖଡ଼ଗପୁରର ମୁଲସମାନମାନେ ସ୍ଥିର କରିଛନ୍ତି।
ଖଡ଼ଗପୁରସ୍ଥିତ ପୁରାତନ ବଜାରରେ ମହରମ୍ ଶୋଭାଯାତ୍ରା ଆୟୋଜନ କରୁଥିବା ସମାଜ ସଙ୍ଘ କ୍ଲବ୍ ଉତ୍ସବ ପାଳନ ନିମନ୍ତେ ଆବଶ୍ୟକ ୫୦ ହଜାର ଟଙ୍କା ସେ ପଡ଼ୋଶୀ ରୋଗୀଙ୍କୁ ଦାନ କରିବେ। ଏକ ମୋବାଇଲ୍ ରିଚାର୍ଜ ଦୋକାନୀ ୩୫ ବର୍ଷିୟ ଅବିର ଭୂୟାଁ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀର କର୍କଟ ରୋଗ ‘ହଜ୍କିନ୍ସ୍ ଲିମ୍ଫୋମା’ରେ ଆକ୍ରାନ୍ତ। ସେମାନେ ତାଙ୍କୁ ଇତିମଧ୍ୟରେ ୬ ହଜାର ଟଙ୍କା ଦେଇ ସାରିଛନ୍ତି।
କୋଲ୍କତାର ଦକ୍ଷିଣ ଭାଗସ୍ଥ ସରୋଜ ଗୁପ୍ତା କ୍ୟାନ୍ସର୍ ସେଣ୍ଟର୍ଠାରେ ଭୂୟାଁଙ୍କର କେମୋଥେରାପି ଚାଲିଛି। ତାଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ସହ ସମୁଦାୟ ଚିକିତ୍ସା ସକାଶ ୧୨ ଲକ୍ଷ ଟଙ୍କା ଆବଶ୍ୟକ।
ପୁରାତନ ବଜାର ମହରମ କମିଟିର ଅନ୍ୟତମ ସଦସ୍ୟ ମହମ୍ମଦ ବିଲାଲା କହନ୍ତି: ଆମେ ଲୋକସେବା କଲେ ଠାକୁରେ ସନ୍ତୁଷ୍ଟ ହେବେ। ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ଯୁଝୁଛନ୍ତି। ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ। ମୁସଲମାନମାନେ ସହାୟତା କରୁଥିବାର ଖବର ପ୍ରଚାର ହେବା ପରେ ସହାୟତା ରାଶି ଅଜାଡ଼ି ହୋଇ ପଡ଼ିବ ବୋଲି ଜଣାପଡୁଛି।
ମହରମ୍ ଶୋଭାଯାତ୍ରା ପ୍ରତି ବର୍ଷ ଆୟୋଜନ କରି ହେବ। କିନ୍ତୁ, ଆମେ ପ୍ରଥମେ ଜୀବନ ରକ୍ଷା କରିବା କଥା ବୋଲି ସମାଜ ସଙ୍ଘର ସେକ୍ରେଟାରି ଅମ୍ଜାଦ୍ ଖାଁ କହିଛନ୍ତି।
ଆମେ ଟଙ୍କା ଆଦାୟ ଆରମ୍ଭ କରିଛୁ। ଶୁକ୍ରବାର ଦିନ ନମାଜ ପରେ ଅବିରଙ୍କ ନିମନ୍ତେ ଦାନ ଅଭିଯାନ ଘୋଷଣା କରିବା କଥା ଆମେ ମସ୍ଜିଦ୍ର ଇମାମ୍ଙ୍କୁ କହିବୁ। ଆମ ଶୋଭାଯାତ୍ରା ନିମନ୍ତେ ଆବଶ୍ୟକ ଅଟକଳ ଠାରୁ ଢେର୍ ଅଧିକ ଅର୍ଥ ଆଦାୟ କରିବୁ ବୋଲି ଆଶାପୋଷଣ କରିଛୁ ବୋଲି ଖାଁ’ କହିଛନ୍ତି।
ଭାବବିହ୍ଵଳ ଭୂୟାଁ ପଡ଼ୋଶୀଙ୍କ ପ୍ରତି କୃତଜ୍ଞତାରେ ଭରି ଯାଇଛନ୍ତି। ଶେଷରେ ମୁଁ ଆରୋଗ୍ୟ ହେବି କି, ନାହିଁ ଜାଣେନା। କିନ୍ତୁ, ପଡ଼ୋଶୀମାନେ ମୋ ଲାଗି ଯାହା କରିଛନ୍ତି ତାହା ମୋ ଅନ୍ତରକୁ ଛୁଇଁ ପାରିଛି ବୋଲି ସେ କହନ୍ତି।
ସେ ନିଜର ଜେଜେମାଙ୍କୁ ହରାଇଥିଲେ ଏବଂ ଗତବର୍ଷ ପିତାମାତାଙ୍କର ଦେହାନ୍ତ ହୋଇ ଯାଇଥିଲା। ପତ୍ନୀଙ୍କ ସହ ରହୁଥିବା ଅବିରଙ୍କର ପ୍ରଥମ ସନ୍ତାନ ଜନ୍ମଲାଭ କରିବା ଅପେକ୍ଷାରେ ରହିଛି।
ଭୂୟାଁଙ୍କର ପଡ଼ୋଶୀ ରଞ୍ଜନ ଆଶ ଦର୍ଶାଇଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ କେତେକ ଗୋଷ୍ଠୀଗତ ଦୁର୍ଗାପୂଜା ଥିଲେ ମଧ୍ୟ କେହି ଖର୍ଚ୍ଚକାଟ କରି ତାଙ୍କୁ ସହାୟତା କରିବାକୁ ଭାବି ନ ଥିଲେ। ଆମେ ଭାବବିହ୍ଵଳ ହୋଇ ପଡୁଛୁ।
ପୁରାତନ ବଜାର ମହରମ କମିଟିର ଅନ୍ୟତମ ସଦସ୍ୟ ମହମ୍ମଦ ବିଲାଲା କହନ୍ତି: ଆମେ ଲୋକସେବା କଲେ ଠାକୁରେ ସନ୍ତୁଷ୍ଟ ହେବେ। ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ଯୁଝୁଛନ୍ତି। ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ। ମୁସଲମାନମାନେ ସହାୟତା କରୁଥିବାର ଖବର ପ୍ରଚାର ହେବା ପରେ ସହାୟତା ରାଶି ଅଜାଡ଼ି ହୋଇ ପଡ଼ିବ ବୋଲି ଜଣାପଡୁଛି। ଖଡ଼ଗପୁର ପୌରପାଳିକାର ଚେୟାର୍ମ୍ୟାନ୍ ପ୍ରଦୀପ ସରକାର କହନ୍ତି: ଆମେ ଭୂୟାଁଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ।
ତୃଣମୂଳ କଂଗ୍ରେସର ସ୍ଥାନୀୟ କାଉନ୍ସିଲର୍ ତୁଷାର ଚୌଧୁରୀ ଏହି ଅଭିଯାନକୁ ଅଭିବାଦନ ଜଣାଇଛନ୍ତି।
ଚୌଧୁରୀ ମଧ୍ୟ ଦର୍ଶାଇଛନ୍ତି ଯେ ନିକଟରେ ଶୀତଳା ଠାକୁରାଣୀଙ୍କର ଦେଉଳଟିଏ ଅଛି। ତାହାର ତୋରଣ ନିର୍ମାଣ ନିମନ୍ତେ ମୁସଲମାନ ସମ୍ପ୍ରଦାୟ ଅର୍ଥ ଆଦାୟ କରିଥିଲେ। ଠାକୁରାଣୀଙ୍କୁ ଲାଗି ହେଉଥିବା ନୈବେଦ୍ୟକୁ ମଧ୍ୟ ମୁସଲମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି।