ଯେଉଁ ବାଲି ମୁଠାକୁ ହାତରେ ଧରି ଭକ୍ତ ସେଦିନ ବିଭୋର ହେଉଥିଲା, ସେଇ ଶରଧା ବାଲି ଏକଦା ଥିଲା ଶରଧା ନଈ ବା ମାଳିନୀ ନଈର ବାଲି; ଯେଉଁଠି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଆଜି ଗଡ଼ୁଛି। କିନ୍ତୁ ଶତାବ୍ଦୀ ତଳେ ଏଇ ନଈର ତରଙ୍ଗମାଳାରେ ଦୋଳି ଖେଳି ଖେଳି ମହାପ୍ରଭୁ ସୁନ୍ଦରାଚଳ ଯାତ୍ରା କରୁଥିଲେ। ‘ମାଦଳାପାଞ୍ଜି’ର ବର୍ଣ୍ଣନା ଅନୁସାରେ, ଏହି ନଦୀ ଶଙ୍ଖୁଆ ନଦୀର ଏକ ଶାଖା ଥିଲା; ଯେଉଁ ନଦୀ ବଡ଼ଶଙ୍ଖ ଦେଇ ଚକ୍ରତୀର୍ଥଠାରେ ସାଗର ସଂଗମ କରିଥିଲା। ଉକ୍ତ ସ୍ଥାନକୁ ‘ବାଙ୍କି ମୁହାଣ’ କୁହାଯାଉଥିଲା। ଏହି ମୁହାଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ପ୍ରାପ୍ତ ହୋଇଥିଲେ। ମାଳିନୀ ନଦୀର ଏକ ଶାଖା ଜଗନ୍ନାଥ ସଡ଼କର ଶେଷ ମୁଣ୍ଡରେ ପୁରୀ ସୀମାର ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିବା ମିଟିଆଣି ବା ମୂଷା ନଈ, ଯାହା ଉପରେ ଅଠରନଳା ଅବସ୍ଥିତ। ପୁରୀକୁ ଯାତ୍ରୀ ଆସିଲେ ଏହି ଘାଟରେ ଘାଟ କଉଡ଼ି ଦେଇ ପାରି ହେଉଥିଲେ।

Advertisment

କିନ୍ତୁ ମାଳିନୀ ନଦୀ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟରେ ପ୍ରବାହିତ ହେଉଥିବାରୁ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଛଅଟି ରଥ ନିର୍ମାଣ ହେଉଥିଲା ଏବଂ ନଦୀ ପାରିହେବାପାଇଁ ଦୋଳ ଚାପ ନିର୍ମିତ ହେଉଥିଲା। ତିନିରଥ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିଆରି ହେଉଥିଲା ଏବଂ ମାଳିନୀର ଆରପଟେ ଆଉ ତିନିରଥ ନିର୍ମିତ ହେଉଥିଲା। ମନ୍ଦିରରୁ ଠାକୁର ପହଣ୍ଡି ବିଜେ ହୋଇ, ତିନିରଥରେ ବିଜେ କରି, ଭକ୍ତମାନଙ୍କ ଦ୍ୱାରା ଟଣା ହୋଇ, ବଳଗଣ୍ଡିଠାରେ ପହଞ୍ଚିଲା ପରେ ଦୋଳଚାପରେ ମାଳିନୀ ନଦୀ ପାର ହେଉଥିଲେ ଏବଂ ନଦୀ ଆରପଟରୁ ଚାରିଚକିଆ ଶଗଡ଼ି ରଥରେ ବିଜେକରି ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ।

ଇତିହାସ ଅନୁସାରେ, ଲାଙ୍ଗୁଳା ନରସିଂହ ଦେବଙ୍କର ପରବର୍ତ୍ତୀ ରାଜା ଭାନୁଦେବ (୧୨୬୪-୧୨୭୮) ମାଳିନୀ ନଦୀକୁ ପୋତାଇ ଛଅରଥ ବଦଳରେ ତିନିରଥ କରାଇଥିଲେ। ମାଳିନୀ ନଦୀ ବା ଶରଧାନଦୀ ପୋତାହେବା ପରେ ଗୁଣ୍ଡିଚା ଘରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଭାବରେ ଚିହ୍ନିତ ହେଲା। ଅନ୍ୟ କେତେକଙ୍କ ମତରେ, ଦ୍ୱିତୀୟ ନରସିଂହ ଦେବଙ୍କ ସମୟ (୧୨୭୮-୧୩୦୭)ରେ ମାଳିନୀ ନଦୀ ପୋତା ଯାଇଥିଲା। ମାଳିନୀ ଏକ ପୌରାଣିକ ନଦୀ। କେତେକ ପୁରାଣରେ ଏହାର ଉଲ୍ଲେଖ ଦେଖାଯାଏ। ଏହି ନଦୀ କୂଳରେ ମା ଅର୍ଦ୍ଧାଶନୀଙ୍କର ମନ୍ଦିର ଅବସ୍ଥିତ। କିଂବଦନ୍ତି ଅନୁସାରେ, ମାଳିନୀ ନଦୀ ମଧ୍ୟରେ ଏକ ବଡ଼ ଗଣ୍ଡ ଥିଲା; ତେଣୁ ଏହି ସ୍ଥାନର ନାମ ବଳଗଣ୍ଡି ଭାବରେ ଚିହ୍ନିତ। ପୂର୍ବରୁ ନଦୀ ପାଇଁ ଏଠାରେ ରଥ ଅଟକି ରହୁଥିବାରୁ ଆଜି ମଧ୍ୟ ଏଠାରେ କିଛି ସମୟ ପାଇଁ ରଥ ଅଟକି ରହେ।

-ଡକ୍ଟର ତୁଳସୀ ଓଝା