ମାତ୍ର ୧୬ ବର୍ଷ ବୟସରେ ଭିନ୍ନକ୍ଷମ ଜିୟା ରାୟ ୧୭ ଘଣ୍ଟା ୨୫ ମିନିଟ୍ ମଧ୍ୟରେ ବିପଜ୍ଜନକ ଇଂଲିସ୍ ଚ୍ୟାନେଲ୍ ଅତିକ୍ରମ କରି ସର୍ବକନିଷ୍ଠ ତଥା ଦ୍ରୁତତମ ସନ୍ତରଣକାରୀ ଭାବେ ବିଶ୍ୱରେକର୍ଡ କରିଛନ୍ତି। ଜୁଲାଇ ୨୯ରେ ବିସ୍ମୟ ବାଳିକା ଜିୟା ଇଂଲଣ୍ଡର ଆବୋଟ୍ କ୍ଲିଫ୍ରୁ ଫ୍ରାନ୍ସର ପଏଣ୍ଟେ ଦେ ଲା କୋର୍ଟେ-ଡୁନ୍ ପର୍ଯ୍ୟନ୍ତ ୫୦ କିଲୋମିଟର ଦୀର୍ଘ ଇଲିଂସ୍ ଚ୍ୟାନେଲ୍ ଅତିକ୍ରମ କରି ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି। ଏଥିସହ ଜିୟା ଚିଲିକାରେ ପକ୍ଷୀ ସୁରକ୍ଷା ସଚେତନତା ପାଇଁ ସନ୍ତରଣ ଅଭିଯାନ କରି ଓଡ଼ିଶା ସହ ଏକ ନିଆରା ସଂପର୍କ ଯୋଡ଼ିଛନ୍ତି। କଥା କହି ପାରୁ ନଥିବା ଜିୟା ଅଙ୍ଗଭଙ୍ଗୀ ଓ ଇସାରା ମାଧ୍ୟମରେ ଭାବ ପ୍ରକାଶ କରନ୍ତି ଏବଂ ତାଙ୍କ ବାପା-ମା’ ଏହାକୁ ପ୍ରକାଶିତ କରନ୍ତି। ଅନନ୍ୟ କ୍ରୀଡ଼ା ପ୍ରତିଭାର ଅଧିକାରିଣୀ ଜିୟା।
ବିଶ୍ବ ରେକର୍ଡ ପାଇଁ ଅଭିନନ୍ଦନ। ଇଂଲିସ୍ ଚାନେଲ୍ ସନ୍ତରଣର ସମୟର ଅନୁଭୂତି କିପରି ଥିଲା?
ସେ ଏକ ଭିନ୍ନ ଅନୁଭୂତି। ପ୍ରତି ସନ୍ତରଣକାରୀ ପାଇଁ ଇଂଲିସ୍ ଚାନେଲ୍ରେ ଅଚାନକ କିଛି ନା କିଛି ଅବିଶ୍ୱସନୀୟ ସଂକଟ ଦେଖାଦେଇଥାଏ। ଏଥିପାଇଁ ଅନେକ ସନ୍ତରଣକାରୀ ଏହାକୁ ଅତିକ୍ରମ କରିବାରେ ବିଫଳ ହୋଇଥାନ୍ତି। ମାତ୍ର ବାପା-ମା’ଙ୍କ ପ୍ରୋତ୍ସାହନ ଓ ସମର୍ଥନରେ ପହଁରିବା ସମୟରେ ଇଂଲିସ୍ ଚାନେଲ୍ର ସବୁ ବିପତ୍ତି ଓ ଘାତପ୍ରତିଘାତକୁ ଅତିକ୍ରମ କରିବାରେ ସଫଳ ହୋଇଥିଲି।
ଆପଣଙ୍କ ସଫଳତାର ରହସ୍ୟ କ’ଣ?
ଜୀବନର ସଫଳତାରେ ଶାରୀରିକ ଅକ୍ଷମତା କେବେ ବାଧକ ସାଜିପାରିବ ନାହିଁ। ପରିବାର, ମା’ ଓ ବାପାଙ୍କ ସମର୍ଥନ ଓ ଭରସା ମିଳିଲେ ଅକ୍ଷମତାକୁ ଅତିକ୍ରମ କରି ସବୁକିଛି ହାସଲ କରିହେବ। କଥା କହିବାର ଅକ୍ଷମତା ସତ୍ତ୍ୱେ ମୁଁ ସାତ ମହାସାଗରରେ ସନ୍ତରଣ କରି ବିଶ୍ୱର ପ୍ରଥମ ତଥା ସର୍ବକନିଷ୍ଠ ଭିନ୍ନକ୍ଷମ ସନ୍ତରଣକାରୀ ହେବା ଅଭିଯାନ ଆରମ୍ଭ କରିଛି। ବାପାମା’ଙ୍କ ପ୍ରଚେଷ୍ଟା ଓ ପ୍ରେରଣା ସଙ୍ଗକୁ ଭଗବାନଙ୍କ ଆଶୀର୍ବାଦରୁ ମୁଁ ଏତେ କମ୍ ବୟସରେ ଏହି ସଫଳତା ହାସଲ କରିଛି। ୨୦୨୨ ଡିସେମ୍ବରରେ ଛଅଜଣିଆ ସନ୍ତରଣକାରୀ ଦଳରେ ମୁଁ ମୁମ୍ବାଇରୁ ଗୋଆ ଏବଂ ଗୋଆରୁ ମୁମ୍ବାଇ ପର୍ଯ୍ୟନ୍ତ ଆରବ ସାଗରରେ ୧୧୦୦ କିଲୋମିଟର ପହଁରିଥିଲି। ଏଥିପାଇଁ ମୋତେ ୧୧ ଦିନ ୨୨ ଘଣ୍ଟା ୧୩ ମିନିଟ୍ ଲାଗିଥିଲା। ସେହି ଦଳରେ ମୁଁ ସର୍ବକନିଷ୍ଠ ଓ ଏକମାତ୍ର ମହିଳା ଅଂଶଗ୍ରହଣକାରୀ ଥିଲି। ଏସବୁ ପ୍ରତ୍ୟେକ ବାପାମାଆ ଜାଣିବା ଦରକାର।
ଚିଲିକାରେ ଆପଣଙ୍କର ପକ୍ଷୀ ସୁରକ୍ଷା ସଚେତନତା ଅଭିଯାନ ସନ୍ତରଣ ଅନୁଭୂତି କିପରି ଥିଲା?
ଥରେ ଗୁଜରାଟ ପୋରବନ୍ଦରରେ ମୁଁ ସନ୍ତରଣ ଅଭ୍ୟାସ କରୁଥିଲି। କୂଳରେ ବସିଥିବା ସମୟରେ ଦେଖିଲି କିଛି ପିଲା ପକ୍ଷୀଙ୍କ ଉପରକୁ ପଥର ପକାଉଛନ୍ତି। ମୁଁ ବିବ୍ରତ ହୋଇଗଲି ଏବଂ ପିଲାମାନଙ୍କୁ ସେଥିରୁ ନିବୃତ କରାଇବାକୁ ମା’ଙ୍କୁ ଇସାରାରେ କହିଲି। ପଢ଼ାପଢ଼ି କରୁଥିବା ବେଳେ ମୁଁ ଚିଲିକାର ବିଦେଶାଗତ ପକ୍ଷୀଙ୍କ ବିଷୟରେ ଜାଣିଲି। ସେମାନଙ୍କ ସୁରକ୍ଷା ପାଇଁ କାମ କରିବାକୁ ଇଚ୍ଛାହେଲା। ହଠାତ୍ ଦିନେ ଓଡ଼ିଶା ସରକାରଙ୍କ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପର୍ଯ୍ୟଟନ ବିଭାଗ ମୋତେ ଚିଲିକାରେ ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସନ୍ତରଣ ଅଭିଯାନ ପାଇଁ ପ୍ରସ୍ତାବ ଦେଲେ। ଏହି ପ୍ରସ୍ତାବକୁ ମୁଁ ଅତ୍ୟନ୍ତ ଖୁସିରେ ଗ୍ରହଣ କରି ୨୦୨୨ ନଭେମ୍ବର ୧୩ରେ କାଳିଜାଈ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଚିଲିକା ଜଳରେ ୨୧ କିଲୋମିଟର ପହଁରିଥିଲି। କଥା କହିପାରୁ ନଥିବା ପଶୁପକ୍ଷୀଙ୍କ ସେବା ଓ ସୁରକ୍ଷା ମୋତେ ସନ୍ତରଣଠାରୁ ଅଧିକ ଆନନ୍ଦ ଦେଇଥାଏ।
ଆଗାମୀ ଦିନର ଯୋଜନାକୁ ନେଇ କ’ଣ କହିବେ?
୨୦୨୮ ପାରା ଅଲିମ୍ପିକ୍ସ କ୍ରୀଡ଼ା ସନ୍ତରଣରେ ଭାରତର ପ୍ରତିନିଧିତ୍ବ କରି ଦେଶ ପାଇଁ ପଦକ ଜିତି ଗୌରବ ହାସଲ କରିବାକୁ ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି। ତେବେ ନିକଟ ଭବିଷ୍ୟତରେ ମୁଁ ‘ପାନାମା କେନାଲ୍’ ସନ୍ତରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହାପରେ ବିଶ୍ୱର ସବୁଠୁ ଦୀର୍ଘ ଜଳପଥ ‘ସୁଏଜ୍ କେନାଲ୍’ ସନ୍ତରଣ କରିବା ପାଇଁ ମୁଁ ଚିନ୍ତା କରୁଛି। ଆବଶ୍ୟକ ସାହାଯ୍ୟ ଓ ସହାୟତା ମିଳିଲେ ମୁଁ ନିଶ୍ଚିତ ସଫଳ ହେବି। ସନ୍ତରଣରେ ଭାରତ ପାଇଁ ଗୌରବ ଓ ସୁଖ୍ୟାତି ଆଣିବା ମୋର ଏକମାତ୍ର ଲକ୍ଷ୍ୟ।
କଥା କହିପାରନ୍ତିନି, କିନ୍ତୁ ଅସାଧ୍ୟ ସାଧନ କରନ୍ତି
ବିଶ୍ବାସ କରାଯାଏ, ଈଶ୍ବର କାହାକୁ ଯଦି କୌଣସି ଦୃଷ୍ଟିରୁ ଅସଂପୂର୍ଣ୍ଣ କରି ଗଢ଼ିଥାଆନ୍ତି ତେବେ ତାକୁ ଏମିତି କିଛି ଶକ୍ତି ଦେଇଥାଆନ୍ତି, ଯାହା ତାକୁ ସ୍ବତନ୍ତ୍ର କରିଥାଏ। ଜିୟା ଏହାର ପ୍ରକୃଷ୍ଟ ଉଦାହରଣ। ସେ କଥା କହିପାରନ୍ତି ନାହିଁ, କିନ୍ତୁ ସନ୍ତରଣ କ୍ଷେତ୍ରରେ ଜଣେ ବିରଳ ପ୍ରତିଭା। ସମ୍ପ୍ରତି ମୁମ୍ବାଇର ନବନୀତ ଜୁନିୟର କଲେଜରେ ଏକାଦଶ ଶ୍ରେଣୀରେ ପଢୁଥିବା ଜିୟାଙ୍କ ବାପା ମଦନ ରାୟ ଏବଂ ମା’ ରଚନା ରାୟ କିନ୍ତୁ ଏ ନେଇ ଆଦୌ ଅବସୋସ କରନ୍ତି ନାହିଁ। ଜିୟା କିପରି ବିଶ୍ୱରେ ସୁନାମ ଅର୍ଜନ କରି ଦେଶର ନାଁ ରଖିବେ ସେହି ପ୍ରଚେଷ୍ଟାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି ମଦନ ଓ ରଚନା। ଜିୟାଙ୍କ ବାପା ମଦନ ରାୟ କହନ୍ତି, “ଜିୟା ୨ ବର୍ଷର ହୋଇଥିଲା ବେଳେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ସେ ବାକ୍ଶକ୍ତି ହରାଇଛି। ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ଏହା ‘ଅଟିଜିମ୍’ର ଅଂଶବିଶେଷ। ଏହାର ନିରାକରଣ ଲାଗି ୪ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଇଲୁ, କିନ୍ତୁ ସୁଫଳ ମିଳିଲା ନାହିଁ। ପ୍ରାୟ ତିନି ବର୍ଷ ବୟସରୁ ମୁଁ ଜିୟାକୁ ସଉକରେ ପହଁରାଇବାକୁ ନେଉଥିଲି। ଧୀରେ ଧୀରେ ଦେଖିଲି ସେଥିରେ ସେ ଖୁବ୍ ଖୁସି ହେଉଛି। ଜିୟା ଅବଶିଷ୍ଟ ଜୀବନ କଥା କହିପାରିବନି ବୋଲି ନିଶ୍ଚିତ ହେବା ପରେ ମୁଁ ତା ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କଲି। ତାକୁ ଜଣେ ପେସାଦାର ସନ୍ତରଣକାରୀ କରିବାକୁ ମନସ୍ଥ କରି ତାଲିମ ଦେବା ଆରମ୍ଭ କଲି। ଦେଖିଲି ପହଁରିବାରେ ତା’ର ଶରୀରର ଶକ୍ତି ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଏବଂ ସେ ସହଜରେ କ୍ଳାନ୍ତ ହେଉନାହିଁ। ଏହାପରେ ମୁଁ ଜିୟାକୁ ମୁମ୍ବାଇର ଜଣାଶୁଣା ପ୍ରଶିକ୍ଷକ ବିଦ୍ୟାଧର ଖରାରଙ୍କ ଠାରୁ ସନ୍ତରଣ ତାଲିମ ନେବାକୁ ଦାଖଲ କଲି, କିନ୍ତୁ ସେ ନିରାଶ କଲେ। କାରଣ ଜିୟା ତାଙ୍କ କଥା ବୁଝିପାରୁ ନଥିଲା ଏବଂ ଜିୟା ବୁଝିପାରିବା ଭଳି ଠାର ବା ଇସାରା ବିଦ୍ୟାଧର କରିପାରୁ ନଥିଲେ। ମୁଁ ଟିକିଏ ଚିନ୍ତିତ ହେଲି, କିନ୍ତୁ ଜିୟାର ମା’ ସବୁ ଚିନ୍ତା ଦୂରେଇଦେଇ ତାକୁ ପୂର୍ଣ୍ଣାଙ୍ଗ ସନ୍ତରଣକାରୀ କରିବାର ମାର୍ଗ ପ୍ରସ୍ତୁତ କଲେ।’’
ଜିୟାକୁ ସନ୍ତରଣକାରୀ କରିବାକୁ କାହିଁକି ମନସ୍ଥ କରିଥିଲେ ବୋଲି ପ୍ରଶ୍ନରେ ମଦନ ରାୟ କହନ୍ତି, “ସନ୍ତରଣ ହେଉଛି ଏକମାତ୍ର କ୍ରୀଡ଼ା, ଯେଉଁଥିରେ ଖେଳାଳି ପାଇଁ ମୁହଁର ଭାଷା ବା କଥା କହିବାର ଆବଶ୍ୟକତା ପ୍ରାୟତଃ ନଥାଏ। ସନ୍ତରଣକାରୀ ଇସାରାରେ ମନର ଭାବ ପ୍ରକାଶ କରେ। ସନ୍ତରଣକାରୀ ପାଇଁ ମୁହଁର କଥାଠାରୁ ଅଙ୍ଗଭଙ୍ଗୀର ଇସାରା ଅଧିକ ପ୍ରଭାବଶାଳୀ । ତେଣୁ ମୁଁ ଜିୟାକୁ ସନ୍ତରଣକାରୀ କରିବାକୁ ନିଷ୍ପତ୍ତି ନେଇଥିଲି। ଜିୟାର ମା’ ଏଥିରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲେ।’’ ଜିୟାଙ୍କ ସଫଳତାର ପ୍ରକୃତ ଶ୍ରେୟ ହେଉଛି ମା’ ରଚନାଙ୍କର। ରଚନା କହନ୍ତି, “ଜିୟା ଭାଷା ବୁଝି ପାରୁନି ସତ। କିନ୍ତୁ, ମୁଁ ନିରକ୍ଷଣ ଦେଖିଲି ତାକୁ ଯଦି କୌଣସି କାମ ଦେଖାଇ ଶିକ୍ଷା ଦିଆ ଯାଉଛି, ଅଳ୍ପ ସମୟ ମଧ୍ୟରେ ସେ ସେହି କାମକୁ ନିଖୁଣ ଓ ନିର୍ଭୁଲ ଭାବରେ କରିପକାଉଛି। ସେଥିପାଇଁ ମୁଁ ଘରକୁ ବଡ଼ ପରଦାବିଶିଷ୍ଟ ଅତ୍ୟାଧୁନିକ ଟିଭି ଆଣିଲି ଏବଂ ୟୁଟ୍ୟୁବ୍ ମାଧ୍ୟମରେ ତାକୁ ବିଭିନ୍ନ ସନ୍ତରଣ କୌଶଳ ଓ ପ୍ରତିଯୋଗିତା ଦେଖାଇଲି। ଟିଭିରେ ମାତ୍ର ଥରେ ଦୁଇ ଥର ଦେଖି ଜିୟା ସେହି ସବୁ ସନ୍ତରଣ କୌଶଳ ନିର୍ଭୁଲ ଭାବରେ କରି ଦେଖାଇ ଦେଲା। ଏମିତି କଠୋର ଅଭ୍ୟାସ ବଳରେ ଆଜି ଜିୟା ସଫଳ ସନ୍ତରଣକାରୀ ହୋଇପାରିଛି। ୨୦୧୦ରେ ଜିୟା ସ୍କୁଲ୍ରେ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ପୁରସ୍କାର ଜିତିଥିଲା ଏବଂ ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହିଁ। ଜାତୀୟସ୍ତରର ପାରା ସନ୍ତରଣ ପ୍ରତିଯୋଗିତାରେ ଜିୟା ୨୦୦ ମିଟର ଫ୍ରି ଷ୍ଟାଇଲ୍, ୧୦୦ ମିଟର ବଟର୍ଫ୍ଲାଏ ଏବଂ ୨୦୦ ମିଟର ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ ହୋଇ ପଦକ ବିଜୟିନୀ ହୋଇଥିଲା।’’