ନୂଆଦିଲ୍ଲୀ: ସଫଳ ବନିବା ପାଇଁ ଭଲ ପରିବେଶ ଜରୁରୀ ହୋଇନଥାଏ। ଦୃଢ଼ ଇଚ୍ଛା ଶକ୍ତି ଥିଲେ, ସଫଳତା ହାତ ମୁଠାରେ ଧରାଦିଏ। ସେଭଳି ଏକ ଉଦାହରଣ ହେଉଛନ୍ତି ଆଇଇଏସ୍ ଡୋଙ୍ଗ୍‌ରେ ରେବେୟା। ପିଲାଦିନରୁ ବାପର ସ୍ନେହ ପାଇନଥିବା ଡୋଙ୍ଗ୍‌ରେଙ୍କ ମାଆ ଏକ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବନାଇ ପୁଅ ପାଇଁ ବଡ଼ ସ୍ପପ୍ନ ଦେଖିଥିଲେ। ତାଙ୍କର ସେ ସ୍ପପ୍ନକୁ ପୂରା କରିଛନ୍ତି ଏହି ଆଇଏଏସ୍‌।

Advertisment

ଆଇଆଇଟି ମାଦ୍ରାସ୍‌ରେ ସ୍ନାତକ କରିଥିବା ଡୋଙ୍ଗ୍‌ରେଙ୍କ ଯାତ୍ରା ଥିଲା ଖୁବ୍ କଠିନ। ପାଠ ପଢ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା, ହେଲେ ମନରେ ବଳ ଥିଲା। ଅନ୍ୟର ସାହାଯ୍ୟରେ ପାଠ ପଢ଼ି ୨୦୨୨ ମସିହା ୟୁପିଏସ୍‌ସି ପରୀକ୍ଷାରେ ୪୧୦ ରାଙ୍କ୍‌ (୯୬୧ ମାର୍କ) ରଖି ୨୯ ବର୍ଷ ବୟସରେ ଆଇଏସ୍‌ ବନିଥିଲେ ଏହି ଯୁବକ।

ତାଙ୍କୁ ୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ଚାଲି ଯାଇଥିଲେ। ଗୁଜୁରାଣ ମେଣ୍ଟାଇବାକୁ ଏକ ସ୍କୁଲ୍‌ରେ ୧୫୦୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ ମାଆ। ଯାହା ଯେମିତି ହୋଇ ଡୋଙ୍ଗ୍‌ରେଙ୍କ ସ୍କୁଲ୍‌ ଜୀବନ ବିତିଗଲା। ୨୦୧୭ ମସିହାରେ ସେ ଆଇଆଇଟି ମାଦ୍ରାସ୍‌ରେ କେମିକାଲ୍‌ ଇଞ୍ଜିନିୟରିଂରେ ଇଣ୍ଟିଗ୍ରେଟେଡ୍‌ କୋର୍ସ ପୂରା କରିଥିଲେ। ଏହାପରେ ସେ ସର୍ବଭାରତୀୟ ସ୍ତରରେ ୭୦ ରାଙ୍କ୍‌ ରଖି ଗେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଯାହାକି ତାଙ୍କୁ ମୁମ୍ବାଇର ଓଏନ୍‌ଜିସିରେ ଚାକିରି କରିବାର ସୁଯୋଗ ଦେଇଥିଲା।

ଚାକିରି ସହିତ ୨୦୨୦ ମସିହାରେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ୨୦୨୧ରେ ସେ ୨ ମାର୍କ ପାଇଁ ପରୀକ୍ଷାରେ ଫେଲ୍‌ ହୋଇଗଲେ। ସେଥିପାଇଁ ସେ ଚାକିରି ଛାଡ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ଓ ଦ୍ବିତୀୟ ପ୍ରୟାସରେ ୨୦୨୨ ମସିହାରେ ସେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେ‌ଲେ।

ନିଜ ସଫଳତାର ସମସ୍ତ ଶ୍ରେୟ ସେ ତାଙ୍କ ମାଆଙ୍କୁ ଦେଇ କହିଛନ୍ତି, ‘ମୋ ମାଆ କ‌େବେ ସ୍କୁଲ୍‌ ଯାଇନାହାନ୍ତି। ଅଭାବ ଭିତରେ ନିଜ ପିଲାଙ୍କୁ ବଢ଼ାଇଛନ୍ତି। ତା ସତ୍ତ୍ବେ ବି ସେ କେବେ ମୋତେ ଆଇଏଏସ୍‌ ବନିବାର ସ୍ପପ୍ନ ଦେଖିବାକୁ ମନା କରିନାହାନ୍ତି।’